୨୪’ ନିର୍ବାଚନ ପାଇଁ ନୀତୀଶଙ୍କ ନୂଆ ରାଜନୀତି

ପାଟନା: ନୀତୀଶ କୁମାର ବିଜେପି ଠାରୁ ହଠାତ୍ ମେଣ୍ଟ ସମ୍ପର୍କ ତୁଟାଇବା ନେଇ ରାଜନୈତିକ ମହଲରେ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଛି । ଏନଡିଏର ଛୋଟ ଅଂଶୀଦାର ହୋଇ ମଧ୍ୟ ନୀତୀଶ ମୁଖ୍ୟମନ୍ତ୍ରୀ ପଦରେ ରହିଥିଲେ । ତେଣୁ କ୍ଷମତା ଲୋଭ ପାଇଁ ନୀତୀଶ ବିଜେପିର ହାତ ଛାଡିଥିବା କୁହାଯିବା ସହଜରେ ଗ୍ରହଣ କରିହେଉ ନାହିଁ । ରାଜନୈତିକ ପାଣିପାଗକୁ ପୂର୍ବାନୁମାନ କରି କ୍ଷମତା ପଟରେ ରହିବାକୁ ନୀତୀଶ ସର୍ବଦା ଆପଣାଇଥାନ୍ତି । ତେବେ ନିକଟରେ ବିଧାନସଭା କିମ୍ବା ଲୋକସଭା ନିର୍ବାଚନ ନଥିବାରୁ ନୀତୀଶଙ୍କ ହାତରୁ କ୍ଷମତା ଯିବାର କୌଣସି ଆଶଙ୍କା ନଥିଲା । ଆଉ ମଧ୍ୟ ନୀତୀଶ ବିହାର ସହିତ କେନ୍ଦ୍ରରେ ମଧ୍ୟ କ୍ଷମତା  ପକ୍ଷରେ ରହିଥିଲେ। ଏବେ ବିଜେପି ଠାରୁ ସମ୍ପର୍କ ଛିନ୍ନ କରିବା ପରେ ନୀତୀଶଙ୍କର କ୍ଷମତା ଏବେ କେବଳ ବିହାରରେ ସୀମିତ ରହିବ। ଏହା ସହିତ ରାଜ୍ୟର ବିକାଶ ନିମନ୍ତେ କେନ୍ଦ୍ର ସରକାରଙ୍କ ଠାରୁ ସହଯୋଗ ପାଇବା ତାଙ୍କ ପାଇଁ କଷ୍ଟକର ହେବ ।

ରାଜନୈତିକ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ପ୍ରଧାନମନ୍ତ୍ରୀ ପଦ ଆଶାରେ ନୀତୀଶ ବିଜେପି ଠାରୁ ମେଣ୍ଟ ସମ୍ପର୍କ ତୁଟାଇଛନ୍ତି। ୨୦୨୪ ଲୋକସଭା ନିର୍ବାଚନକୁ ଲକ୍ଷ୍ୟରେ ରଖି ନୀତୀଶ ବିରୋଧୀ ଦଳ ଆଡକୁ ଢଳିଛନ୍ତି। ଏନଡିଏ ମେଣ୍ଟରେ ରହିଲେ ନୀତୀଶଙ୍କ ପ୍ରଧାନମନ୍ତ୍ରୀ ହେବା ସ୍ବପ୍ନ କେବେହେଲେ ସାକାର ହୋଇପାରିବ ନାହିଁ। ଏହା ସେ ଭଲ ଭାବେ ପୂର୍ବାନୁମାନ କରିପାରିଛନ୍ତି। ବିରୋଧୀ ମେଣ୍ଟରେ ରହିଲେ ସେ ଆଗକୁ ପ୍ରଧାନମନ୍ତ୍ରୀ ପଦ ପାଇଁ ଦାବିଦାର ହୋଇପାରିବେ। କାରଣ ୨୦୨୪ କ୍ରମାଗତ ତୃତୀୟ ଥର ପାଇଁ କ୍ଷମତାକୁ ଆସିବା ବିଜେପି ନେତୃତ୍ବ ଏନଡିଏ ପାଇଁ କଷ୍ଟକର ବ୍ୟାପାର ହୋଇପାରେ। ଏପରି କ୍ଷେତ୍ରରେ ମିଳିତ ବିରୋଧୀ ଦଳଗୁଡିକ ସରକାର ଗଠନ କରିବାର ସୁଯୋଗ ପାଇବେ।

ମିଳିତ ବିରୋଧୀ ଦଳ ମଧ୍ୟରେ ପ୍ରଧାନମନ୍ତ୍ରୀ ପଦ ପାଇଁ ଅନେକ ଦାବିଦାରଙ୍କ ମଧ୍ୟରେ ନୀତୀଶ ଅନ୍ୟତମ। ପ୍ରଧାନମନ୍ତ୍ରୀ ପଦ ଦାବିଦାରଙ୍କ ମଧ୍ୟରେ ନୀତୀଶଙ୍କ ସହିତ ଅଛନ୍ତି ଏନସିପି ନେତା ଶରଦ ପୱାର, କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ। ଏହି ଦାବିଦାରଙ୍କ ମଧ୍ୟରେ ଯଦି ନୀତୀଶ ନିଜକୁ ଆଗକୁ ରଖିପାରିଲେ ତେବେ ପ୍ରଧାନମନ୍ତ୍ରୀ ହୋଇପାରିବେ। ଶିବସେନା ନେତା ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି ଯେ ନୀତୀଶ ଦୀର୍ଘ ବର୍ଷ ହେଲା କ୍ଷମତାରେ ରହିଥିଲେ ମଧ୍ୟ ତାଙ୍କ ବିରୋଧରେ ଦୁର୍ନୀତିର କଳଙ୍କ ଲାଗି ନାହିଁ। ତେଣୁ ତାଙ୍କର ନେତୃତ୍ବ ବିରୋଧୀ ଦଳଗୁଡିକ ଲାଗି ଉପାଦେୟ ହେବ। ବାମ ଦଳ ଓ ତୃଣମୂଳ କଂଗ୍ରେସ ନୀତୀଶଙ୍କ ମେଣ୍ଟ ପରିବର୍ତ୍ତନ ପ୍ରସଙ୍ଗକୁ ସ୍ବାଗତ କରିଛନ୍ତି। ତାଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥିତ୍ବ ସମ୍ପର୍କରେ କିଛି କହି ନାହିଁ।

ବିଜେପି ଠାରୁ ମେଣ୍ଟ ସମ୍ପର୍କ ତୁଟାଇବା ପଛରେ ଅନ୍ୟ ଏକ କାରଣ ହେଉଛି ଜେଡିୟୁରେ ବିଭାଜନ ଆଶଙ୍କା। ମହାରାଷ୍ଟ୍ର ପରି ବିହାର ଜେଡିୟୁରେ ବିଭାଜନ ସୃଷ୍ଟି କରିବା ଲାଗି ବିଜେପି ଯୋଜନା କରିଥିଲା ବୋଲି କୁହାଯାଇଛି। ପୂର୍ବତନ ମନ୍ତ୍ରୀ ଆରସିପି ସିଂହଙ୍କ ସହଯୋଗରେ ଜେଡିୟୁରେ ବିଭାଜନ କରିବାକୁ ବିଜେପି ଯୋଜନା କରିଥିଲା। ଏହି ସୂଚନା ନୀତୀଶଙ୍କ ପାଖରେ ପହଞ୍ଚିଥିଲା। ବିଜେପିର ବିଭାଜନ ଯୋଜନାକୁ ପଣ୍ଡ କରିବା ଲାଗି ନୀତୀଶ ପଟ ପରିବର୍ତ୍ତନ କରିଥିବା କୁହାଯାଉଛି। ଆରସିପି ସିଂହ ବିଜେପି ପାଇଁ କାମ କରୁଥିବା ଜାଣି ପାରି ନୀତୀଶ ତାଙ୍କୁ ରାଜ୍ୟସଭା ଟିକଟରୁ ବଞ୍ଚିତ କରିଥିଲେ। ପରେ ଆରସିପି ଜେଡିୟୁର ଇସ୍ତଫା ଦେଇଥିଲେ।

Comments are closed.