ଭାଗଲପୁରରେ ଭୟଙ୍କର ବିସ୍ଫୋରଣ ; ୭ ମୃତ

ପାଟନା : ବିହାରର ଭାଗଲପୁରରେ ଏକ ଭୟଙ୍କର ବିସ୍ଫୋରଣ ହୋଇଥିବା ନେଇ ଖବର ମିଳିଛି। ଗତକାଲି ବିଳମ୍ବିତ ରାତିରେ ଏକ ବହୁତଳ ଅଟ୍ଟାଳିକାର ୩ୟ ମହଲାରେ ଏହି ବିସ୍ଫୋରଣ ଘଟିଥିବା ବେଳେ ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ ପ୍ରାୟ ୧୨ ଜଣ ଆହତ ମଧ୍ୟ ହୋଇଛନ୍ତି। ବିସ୍ଫୋରଣ ପରେ ନିକଟରେ ଥିବା କିଛି ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ପଡୋଶୀଙ୍କ କହିବାନୁଯାୟୀ, ଏହି ଘରେ ବିସ୍ଫୋରକ ତିଆରି କରାଯାଉଥିଲା। ପୀଡିତ ପରିବାର ବିସ୍ଫୋରକ ତିଆରି ଓ ବିକ୍ରିର ବ୍ୟବସାୟ ଥିଲା। ଏହି ଘଟଣା ତାତାପୁର ପୁଲିସ ଥାନା ଅନ୍ତର୍ଗତ ଅଞ୍ଚଳରେ ଘଟିଛି। ଭାଗଲପୁର ଜିଲ୍ଲାପାଳଙ୍କ କହିବାନୁଯାୟୀ, ଏହି ଘଟଣାରେ ୨ଟି ଘର କ୍ଷତିଗ୍ରସ୍ତ ହୋଇଛି। ଘଟଣାର ତଦନ୍ତ ଜାରି ରହିଛି। ଘଟଣାଟି କାଜବଲୀଚକ ଅଞ୍ଚଳରେ କୋତବାଲୀ ଠାରୁ ୧୦୦ ମିଟର ଦୂରରେ ଘଟିଛି। ବିସ୍ଫୋରଣର ମାତ୍ରା ଖୁବ ଅଧିକ ଥିବା ସହ ଘରର ଛାତ ଉଡିଯାଇଥିବା ଦେଖାଦେଇଛି। ଘଟଣାର ଆଖପାଖ ଅଞ୍ଚଳରେ ଲୋକେ ଭୂକମ୍ପ ଭଳି ପରିସ୍ଥିତି ଅନୁଭବ କରିଥିଲେ। ଗୁରୁତର ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Comments are closed.