କରୋନା ସନ୍ଦିଗ୍ଧଙ୍କ ସମ୍ପର୍କରେ ପ୍ରଶାସନକୁ ସୂଚନା ଦେବାରୁ ଯୁବକକୁ ହତ୍ୟା

ପାଟନା : ସନ୍ଦିଗ୍ଧ କରୋନା ସଂକ୍ରମିତଙ୍କ ସମ୍ପର୍କରେ ପ୍ରଶାସନକୁ ସୂଚନା ଦେବାକୁ ନେଇ ବିହାରରେ ଜଣେ ଯୁବକକୁ ହତ୍ୟା କରାଯାଇଛି। ବିହାର ସୀତାମାର୍ଚ୍ଚି ଜିଲାରେ ଏହି ହତ୍ୟାକାଣ୍ଡ ଘଟିଛି। ଜିଲାର ଜଣେ ୨୦ବର୍ଷର ଯୁବକ ବବୁଲ କୁମାରକୁ ପଡୋଶୀ ଦୁଇଜଣ ଯୁବକ ସୁଧୀର ମାହତୋ ଓ ମୁନ୍ନା ମାହତୋ ହତ୍ୟା କରିଛନ୍ତି। ସୁଧୀର ଓ ମୁନ୍ନା ନିକଟରେ ମୁମ୍ବଇରୁ ଫେରିଥିଲେ। ଏ ସମ୍ପର୍କରେ ବବୁଲ ଜିଲା କଣ୍ଟ୍ରୋଲ ରୁମ୍‍କୁ ଫୋନ କରି ଜଣାଇଥିଲା। ମାର୍ଚ୍ଚ ୨୪ରେ ଏକ ଡାକ୍ତରୀଦଳ ଆସି ଦୁଇଜଣଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ସେମାନଙ୍କ ସ୍ୱାବ ନମୁନା ପରୀକ୍ଷା କରାଯାଇଥିବାବେଳେ ଏହା ନେଗେଟିଭ ରହିଥିଲା। ତେବେ ସେମାନଙ୍କ ସମ୍ପର୍କରେ ପ୍ରଶାସନକୁ ସୂଚନା ଦେଇଥିବା କାରଣରୁ ବବୁଲ ପ୍ରତି ମାହତୋ ଭ୍ରାତାଙ୍କର ଶତ୍ରୁତା ବଢିଥିଲା। ରବିବାର ବବୁଲ ଏକୁଟିଆ ବସିଥିବାବେଳେ ମାହତୋ ଭ୍ରାତା ତା’ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ତାର ମୃତ୍ୟୁ ହୋଇଥିଲା। ଘଟଣା ସମ୍ପର୍କରେ ବବୁଲର ପିତା ବିନୋଦ ସିଂହ ପୁଲିସରେ ଅଭିଯୋଗ କରିବା ପରେ ଉଭୟଙ୍କୁ ଗିରଫ କରାଯାଇଛି।
ଅନ୍ୟ ଏକ ଘଟଣାରେ ବିହାର ଜେହାନବାଦ ଜିଲାରେ ବିଡିଓ ଅଜୟ କୁମାର ଓ ପୁଲିସ ଅଧିକାରୀ ଏକ ଗାଁର କିଛି ଲୋକଙ୍କୁ କ୍ୱାରେନଟାଇନ ସେଣ୍ଟରକୁ ନେବା ଲାଗି ଆସିଥିବାବେଳେ ସେମାନଙ୍କ ଉପରେ ଆକ୍ରମଣ ହୋଇଛି। ଗାଁ ଲୋକେ ଏକାଠି ହୋଇ ବିଡିଓ ଓ ପୁଲିସକୁ ମାଡ ମାରିବା ସହିତ ସେମାନଙ୍କ ଗାଡି ଭାଙ୍ଗି ଦେଇଥିଲେ। ଗାଁର କିଛି ଲୋକ ନିକଟରେ ଦିଲ୍ଲୀରୁ ଫେରିଥିବାରୁ ସେମାନଙ୍କୁ କ୍ୱାରେନଟାଇନରେ ରଖିବା ଲାଗି ପ୍ରଶାସନ ଉଦ୍ୟମ କରିଥିବାବେଳେ ଏପରି ଆକ୍ରମଣ ହୋଇଥିଲା। ଏହି ଘଟଣା ପରେ ଗାଁକୁ ଅଧିକ ପୁଲିସ ଫୋର୍ସ ପଠାଯାଇ ମୁଖିଆମାନଙ୍କୁ ଗିରଫ କରାଯିବା ସହ ଦିଲ୍ଲୀ ଫେରନ୍ତାଙ୍କୁ କ୍ୱାରେନଟାଇନକୁ ପଠାଯାଇଥିଲା।

Comments are closed.