ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ତଦନ୍ତ ପାଇଁ ମୁମ୍ବଇ ଯାଇଥିବା ପାଟନା ଏସପିଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ରଖିଲା ବିଏମସି

ମୁମ୍ବଇ : ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ମହାରାଷ୍ଟ୍ର ପୁଲିସର ତଦନ୍ତ ପ୍ରକ୍ରିୟା ସନ୍ଦେହ ଘେରକୁ ଆସିବାରେ ଲାଗିଛି । ପୂର୍ବରୁ ଏହି ମାମଲାରେ ମୁମ୍ବଇ ପୁଲିସ ସଠିକ ଯାଞ୍ଚ  କରୁନଥିବା ନେଇ ଆରୋପ ଲାଗିଥିବା ବେଳେ ଏବେ ବିହାରରୁ ଯାଇଥିବା ଯାଞ୍ଚ ଟିମକୁ ମୁମ୍ବଇ ପୁଲିସ ସହାୟତା କରୁନଥିବା ଦେଖାଦେଇଛି । ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ମୁହାଁମୁହିଁ ପରିସ୍ଥିତିକୁ ଆସିଛନ୍ତି ମୁମ୍ବାଇ ଓ ବିହାର ପୁଲିସ । ତଦନ୍ତ ପାଇଁ ମୁମ୍ୱାଇରେ ପହଞ୍ଚିଥିବା ପାଟନା ସିଟି ଏସପି ବିନୟ ତିଓ୍ୱାରୀଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ରଖି ଦେଇଛନ୍ତି ବିଏମସି ଅଧିକାରୀ ।

ଏହାକୁ ନେଇ ଦୁଇ ରାଜ୍ୟର ପୋଲିସ ଭିତରେ ଚାଲିଥିବା ତିକ୍ତତା ଦେଖାଦେଇଛି। ଗତ ସପ୍ତାହରେ ପାଟନା ପୁଲିସର ଏକ ଟିମ୍ ଯାଞ୍ଚ ପାଇଁ ମୁମ୍ବାଇରେ ପହଞ୍ଚିଥିଲେ । ବିହାର ପୁଲିସ ମୁମ୍ବଇରେ ପହଞ୍ଚିଥିଲେ ମଧ୍ୟ ରବିବାର ଯାଞ୍ଚ ଟିମର ନେତୃତ୍ୱ ନେବାକୁ ପାଟନା ଏସପି ବିନୟ ତିୱାରୀଙ୍କୁ ପଠାଯାଇଥିଲା । ତେବେ ଏସପି ବିନୟ ତିୱାରୀ ମୁମ୍ବାଇରେ ପହଞ୍ଚିବା ପରେ ତଦନ୍ତରେ ସାହାଯ୍ୟ କରିବା ପରିବର୍ତ୍ତେ ତାଙ୍କୁ ବାଧ୍ୟତାମୂଳକଭାବେ ସଙ୍ଗରୋଧରେ ରଖାଯାଇଛି । ବ୍ରିହାନ ମୁମ୍ବାଇ ମହାନଗର ନିଗମ ତାଙ୍କୁ କ୍ୱାରେଣ୍ଟାଇନ ରହିବା ପାଇଁ ପଠାଇଦେଇଥିବା ଖବର ଟ୍ବିଟ୍ କରି ଜଣାଇଛନ୍ତି ବିହାର ଡିଜିପି ଗୁପ୍ତେଶ୍ବର ପାଣ୍ଡେ ।


ବିହାର ଡିଜିପି ଗୁପ୍ତେଶ୍ବର ପାଣ୍ଡେ ଟ୍ବିଟ୍ କରି ବିନୟ ତିଓ୍ୱାରୀଙ୍କ ହାତରେ ଲାଗିଥିବା କ୍ୱାରେଣ୍ଟିନ୍ ଚିହ୍ନକୁ ସେୟାର କରିଛନ୍ତି । ବିନୟଙ୍କୁ ଅଗଷ୍ଟ ୧୫ ଯାଏଁ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ । ଏପରିକି ତାଙ୍କୁ ଆଇପିଏସ୍ ମେସରେ ରହିବା ପାଇଁ ସୁବିଧା ଦିଆଗଲା ନାହିଁ, ଅନୁରୋଧ ପରେ ଆଇପିଏସ୍‌ ବିନୟଙ୍କୁ ଗୋରେଗାଓଁର ଏକ ଗେଷ୍ଟ ହାଉସରେ କ୍ୱାରେଣ୍ଟାଇନରେ ରହିବାକୁ ଦିଆଗଲା ବୋଲି ବିହାର ଡିଜିପି ଗୁପ୍ତେଶ୍ବର ପାଣ୍ଡେ ଲେଖିଛନ୍ତି ।

ସୂଚନାଯୋଗ୍ୟ ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ସୁଶାନ୍ତଙ୍କ ପିତା  ପାଟଣା ରାଜୀବନଗର ଥାନାରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଏଫଆଇଆର ଦାୟର କରିଥିଲେ । ଏହାପରେ ଘଟଣାର ତଦନ୍ତ ପାଇଁ ବିହାରର ପାଟଣା ପୁଲିସ ମୁମ୍ୱାଇରେ ଡେରା ପକାଇଛି । ତଦନ୍ତ ପାଇଁ ପାଟଣାରୁ ମୁମ୍ବଇ ଯାଇଥିବା ତଦନ୍ତକାରୀ  ଦଳର ନେତୃତ୍ଵ ନେବା ପାଇଁ ଅଫିସର  ଭାବରେ ଯାଇଛନ୍ତି ଆଇପିଏସ୍‌ ବିନୟ ତିଓ୍ୱାରୀ କିନ୍ତୁ ତାଙ୍କୁ ବିଏମସି ବାଧ୍ୟତାମୂଳକ କ୍ବାରେଣ୍ଟାଇନରେ ରଖିଛି । ବିହାର ପୋଲିସ ପୂର୍ବରୁ କହି ଆସୁଛି ତଦନ୍ତରେ ସହଯୋଗ କରୁନି ମୁମ୍ୱାଇ ପୋଲିସ । ଏବେ ବିନୟଙ୍କୁ ବିଏମସି ଅଧିକାରୀ କ୍ୱାରେଣ୍ଟାଇନ୍ କରିବା ଘଟଣାକୁ ନୂଆ ମୋଡ଼ ଦେଇଛି ।

Comments are closed.