ବୁର୍କିନା ଫାସୋରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ: ୩୫ ନାଗରିକଙ୍କ ମୃତ୍ୟୁ, ୮୦ ଆତଙ୍କୀ ନିହତ

ୱାଗାଡୁଗୁ: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରେ ଆତଙ୍କବାଦୀ ଆକ୍ରମଣ ଯୋଗୁ ୩୫ ଜଣ ନାଗରିକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଏବଂ ଶିଶୁ ଥିବା ଜଣାପଡ଼ିଛି। ବିଗତ ୫ ବର୍ଷରେ ଏହା ଦେଶର ସବୁଠାରୁ ବଡ଼ ଆକ୍ରମଣ ବୋଲି କୁହାଯାଇଛି। ଅନ୍ୟପଟେ ଯବାନଙ୍କ ପ୍ରତିଆକ୍ରମଣରେ ୮୦ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହା ସହିତ ୭ ଯବାନ ଶହୀଦ ହୋଇଛନ୍ତି। ଗତ ମଙ୍ଗଳବାର ସୋମ ପ୍ରଦେଶର ଏକ ସାମରିକ ଘାଟି ଏବଂ ଅରବିନ୍ଦା ସହରରେ ଏହି ଆକ୍ରମଣ ଘଟିଛି।

ସୂଚନା ଅନୁସାରେ, ମାଳି ଏବଂ ନାଇଜର ଦେଶ ସୀମାକୁ ଲାଗିଥିବା ବୁର୍କିନା ଫାସୋରେ ନିୟମିତ ଭାବେ ଜିହାଦୀମାନେ ଆକ୍ରମଣ କରିଆସୁଛନ୍ତି। ଏଥିରେ ୨୦୧୫ରୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧ ହଜାର ନାଗରିକଙ୍କ ମୃତ୍ୟୁ ଘଟିଲାଣି। ଗତ ମଙ୍ଗଳବାର ମଧ୍ୟ ବହୁ ସଂଖ୍ୟାରେ ଆତଙ୍କବାଦୀମାନେ ସୋମ ପ୍ରଦେଶରେ ଥିବା ସାମରିକ ଘାଟି ଏବଂ ଅରବିନ୍ଦା ସହରରେ ପର୍ଯ୍ୟାୟକ୍ରମେ ନୃଶଂସ ଭାବେ ଆକ୍ରମଣ କରିଥିଲେ। ଆତଙ୍କବାଦୀମାନେ ବାଇକ୍‌ରେ ଆସି ସହର​‌ରେ ପ୍ରବେଶ କରି ଲୋକଙ୍କୁ ଗୁଳି କରିଥିଲେ। ଏଥିରେ ୩୫ ନାଗରିକଙ୍କ ମୃତ୍ୟୁ ଘଟିଥିଲା ବୋଲି ରାଷ୍ଟ୍ରପତି ରୋଚ୍‌ ମାର୍କ କ୍ରିଷ୍ଟିଆନ କାବୋର ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। ମୃତକଙ୍କ ମଧ୍ୟରେ ୩୧ ଜଣ ମହିଳା ଥିଲେ ବୋଲି ସରକାରଙ୍କୁ ମୁଖପାତୟ ରେମିସ ଡାନ୍ଦଜିନୁ ସୂଚନା ଦେଇଛନ୍ତି। ଏହି ଘଟଣା ପରେ ଦେଶରେ ୪୮ ଘଣ୍ଟିଆ ଶୋକ ପାଳନ ପାଇଁ ରାଷ୍ଟ୍ରପତି ଘୋଷଣା କରିଛନ୍ତି।

Comments are closed.