ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ବିକ୍ରି ୯୦% ହ୍ରାସ

ଭୁବନେଶ୍ବର: ୧୬ ଦିନ ହେଲା ଓଡ଼ିଶାର ବ୍ୟାବସାୟିକ ଓ ଶିଳ୍ପ ପ୍ରତିଷ୍ଠାନ ବନ୍ଦ ରହିଛି । କେବଳ ମେଡିକାଲ ସେବା, ଔଷଧ ଦୋକାନ, ଗ୍ରୋସରି ଓ ପରିବା ଦୋକାନ, ଅନ୍ୟ ଯୋଗାଣ ଶୃଙ୍ଖଳକୁ ଏଥିରୁ ବାଦ ଦିଆଯାଇଛି । ଏହି କାରଣରୁ ରାଜ୍ୟରେ ଗାଡ଼ି ମୋଟର ଚଳାଚଳ ପ୍ରାୟତଃ ବନ୍ଦ ହୋଇଯାଇଛି । ଏଣୁ ପେଟ୍ରୋଲ ଓ ଡିଜେଲ ବ୍ୟବସାୟ ବହୁମାତ୍ରାରେ ଖସିଆସିଛି । ଏହି ସମୟ ମଧ୍ୟରେ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ବିକ୍ରିରେ ହାରାହାରି ପ୍ରାୟ ୯୦ % ହ୍ରାସ ପାଇଥିବା ଜଣାପଡ଼ିଛି।

ଏ ସମ୍ପର୍କରେ ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ ସାଧାରଣ ସମ୍ପାଦକ ସଞ୍ଜୟ ଲାଠ କହିଛନ୍ତି, ଲକ୍‌ଡାଉନ୍‌ ସମୟରେ କେବଳ ଜରୁରୀ ପରିବହନ ସେବାକୁ ଅନୁମତି ମିଳିଛି । ଅନ୍ୟ ସମସ୍ତ ପ୍ରକାର ଯାନବାହନ ଚଳାଚଳକୁ ନିଷେଧ କରାଯାଇଛି । ଏଣୁ ରାଜ୍ୟରେ ତେଲ ବିକ୍ରିରେ ଏଭଳି ହ୍ରାସ ଦେଖାଦେଇଛି । ସେ କହିଛନ୍ତି, ଓଡ଼ିଶାରେ ଦୈନିକ ୨୮ ଲକ୍ଷ ୬୦ ହଜାର ଲିଟର ପେଟ୍ରୋଲ ଓ ୮୯ ଲକ୍ଷ ୭୦ ହଜାର ଲିଟର ଡିଜେଲ ବିକ୍ରି ହୋଇଥାଏ । କିନ୍ତୁ ଆର୍ଥିକ ମାନ୍ଦାବସ୍ଥା ଯୋଗୁ ଗତ ୬ ମାସ ମଧ୍ୟରେ ଏହି ବିକ୍ରି ପ୍ରାୟ ୨୦% ପର୍ଯ୍ୟନ୍ତ ଖସିଆସିଥିଲା । ତେବେ ଲକ୍‌ଡାଉନ୍‌ ଘୋଷଣା ପରଠାରୁ ଦିନକୁ ପ୍ରାୟ ୧.୫ ଲକ୍ଷ ଲିଟର ପେଟ୍ରୋଲ (ପ୍ରାୟ ୯୦-୯୫% କମ୍‌) ଓ ୧୩.୫ ଲକ୍ଷ ଲିଟର ଡିଜେଲ (୮୦-୮୫% କମ୍‌) ବିକ୍ରି ହେଉଛି।

Comments are closed.