ଲକ୍‌ଡାଉନ: ଘରୁ ବାହାରିବାରୁ ସାନ ଭାଇକୁ ହତ୍ୟା କଲା ବଡ଼

ମୁମ୍ବଇ: ସାରା ଦେଶ ଲକ୍‌ଡାଉନ ହୋଇଛି। ଲୋକେ ଘରୁ ନ ବାହାରିବା ପାଇଁ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଉଛି। ଦେଶ ବ୍ୟାପୀ ବିଭିନ୍ନ ସ୍ଥାନରେ ପୁଲିସ ବି ଯାଞ୍ଚ କଡ଼ାକଡ଼ି କରୁଛି। କିନ୍ତୁ ଲକ୍‌ଡାଉନ ସମୟରେ ମହାରାଷ୍ଟ୍ରରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୁ ବାହାରକୁ ବାହାରିବାରୁ ଜଣେ ବଡ଼ ଭାଇ ତା’ର ସାନ ଭାଇକୁ ହତ୍ୟା କରିଛି। ସମତା ନଗର ଥାନା ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଛି।

ସୂଚନା ଅନୁସାରେ, ହତ୍ୟାକାରୀ ରାଜେଶ ଲକ୍ଷ୍ମୀ ଠାକୁରର ସାନ ଭାଇ ଦୁର୍ଗେଶ ଠାକୁର ପୁଣେରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। କରୋନା ଭୂତାଣୁ ପାଇଁ ଲକ୍‌ଡାଉନ ଘୋଷଣା ହେବା ପରେ ସେ ଘରକୁ ଫେରିଆସିଥିଲେ। ଗତ ବୁଧବାର ରାତିରେ ରାଜେଶ ଘରୁ କେହି ବାହାରକୁ ନ ଯିବାକୁ ପରିବାର ଲୋକଙ୍କୁ ବାରମ୍ବାର କହିଥିଲେ। ଏହା ସତ୍ବେ ସାନ ଭାଇ ଦୁର୍ଗେଶ ବାହାରକୁ ଚାଲିଯାଇଥିଲେ। ସେ ବାହାରେ ବୁଲାବୁଲି କରି ଘରକୁ ଫେରିବା ପରେ ବଡ଼ ଭାଇ ଓ ଭାଉଜ ତାଙ୍କୁ ତାଗିଦ କରିଥିଲେ। ଏହାକୁ ନେଇ ଦୁର୍ଗେଶ ଏବଂ ତାଙ୍କ ବଡ଼ ଭାଇ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଫଳରେ ବଡ଼ ଭାଇ ରାଜେଶ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ସାନ ଭାଇ ଦୁର୍ଗେଶଙ୍କୁ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ଦୁର୍ଗେଶଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଏକ ହତ୍ୟା ମାମଲା ରୁଜୁ ହୋଇଥିବା ସମତା ନଗର ଥାନା ଅଧିକାରୀ କହିଛନ୍ତି।

Comments are closed.