କୃଷି ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଧାନସଭାର ପ୍ରଥମାର୍ଦ୍ଧ ମୁଲତବୀ

ଷୋଡଶ ବିଧାନସଭା ପଂଚମ ଅଧିବେଶନର ସପ୍ତମ କାର୍ଯ୍ୟ ଦିବସରେ ‘ପରୀ’ ହତ୍ୟା ଘଟଣାରେ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି ଜୋର ଧରିଛି। ସେ ପରୋକ୍ଷରେ ଏଥିରେ ସମ୍ପୃକ୍ତ ଅଛନ୍ତି ତେଣୁ ସେ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଉଭୟ କଂଗ୍ରେସ ଓ ବିଜେପି ସଭ୍ୟମାନେ ଦାବି କରିଥିଲେ। ଏ ନେଇ ବିରୋଧୀ ଦଳ ପକ୍ଷରୁ ହଟ୍ଟଗୋଳ ସୃଷ୍ଟି ହେବାରୁ ଉପ ବାଚସ୍ପତି ରଜନୀକାନ୍ତ ସିଂ ଏଥିରୁ ନିବୃତ ରହିବାକୁ ବିରୋଧୀ ସଭ୍ୟମାନଙ୍କୁ ବାରମ୍ବାର ନିବେଦନ କରିଥିଲେ ମଧ୍ୟ ହଟ୍ଟଗୋଳକାରୀମାନେ ଉପ ବାଚସ୍ପତିଙ୍କ କଥା ଶୁଣିନଥିଲେ। ଫଳରେ ଉପ ବାଚସ୍ପତି ଗୃହକୁ ୧୦.୩୫ରୁ ୧୦.୫୫ ଅର୍ଥାତ ୨୦ ମିନିଟ ପାଇଁ ମୁଲତବୀ ରଖିଥିଲେ।

ଏହା ପରେ ଗୃହର ବୈଠକ ଆରମ୍ଭ ହୋଇଥିଲେ ହେଁ ପରିସ୍ଥିିତି ସ୍ୱାଭାବିକ ହୋଇ ନ ଥିଲା। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହ କାର୍ଯ୍ୟ ଆରମ୍ଭ କରିବା ମାତ୍ରେ ବିରୋଧୀ ଦଳର ସଦସ୍ୟମାନେ ପୁଣି ହଟ୍ଟଗୋଳ କରିଥିଲେ। ବାଚସ୍ପତି ଏଥିରୁ ସେମାନଙ୍କୁ କ୍ଷାନ୍ତ ରହିବା ପାଇଁ ନିଜ ଆସନରେ ଠିଆ ହୋଇ ବାରମ୍ବାର ନିବେଦନ କରି ଥିଲେ ହେଁ ବିରୋଧୀ ଦଳର ବିଧାୟକ ମାନେ ଏଥି ପ୍ରତି କୌଣସି ଗୁୁରୁତ୍ୱ ଦେଇ ନ ଥିଲେ ବରଂ ସରକାର ବିରୋଧୀ ସ୍ଲୋଗାନ ଦେବା ସହ ହଟ୍ଟଗୋଳକୁ ଜୋରଦାର କରିଥିଲେ। ଗୃହରେ ଅଚଳାବସ୍ଥାକୁ ଏଡାଇବା ପାଇଁ ବାଚସ୍ପତି ଗୃହକୁ ୧୦.୫୭ରୁ ଅପରାହ୍ନ ୩ଟା ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଓ ବିଜେପି ବିଧାୟକ ମୋହନ ମାଝୀ ବାଚସ୍ପତିଙ୍କ ପୋଡିୟମକୁ ଚଢିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା।

ହଟ୍ଟଗୋଳ ସମୟରେ ବିଧାୟକ ମାନେ ବ୍ୟାନର ପୋଷ୍ଟର ପ୍ରଦର୍ଶନ କରିଥିଲେ। କୃଷି ମନ୍ତ୍ରୀ ଇସ୍ତଫା ନ ଦେବା ବା ତାଙ୍କୁ ବହିଷ୍କାର ନ କରିବା ଯାଏ ଗୃହ ଚାଲି ପାରିବ ନାହିଁ ବୋଲି ବିରୋଧୀ ବିଧାୟକ ମାନେ କହିଥିଲେ। ହଟ୍ଟଗୋଳ ଯୋଗୁ ଆଜି ହେବାକୁ ଥିବା ଶୂନ୍ୟକାଳ କାର୍ଯ୍ୟକ୍ରମ ହୋଇ ପାରି ନ ଥିଲା କି ଦାଦନ ସମସ୍ୟା ସମ୍ପର୍କିତ ମୁଲତବୀ ପ୍ରସ୍ତାବ ଆଲୋଚନା ହୋଇ ପାରି ନ ଥିଲା। ତେବେ କାର୍ଯ୍ୟସୂଚୀ ଅନୁଯାୟୀ ସଂପୃକ୍ତ ବିଭାଗର ମନ୍ତ୍ରୀ ମାନେ ସେମାନଙ୍କର ବିଭାଗର ଲିଖିତ ପ୍ରଶ୍ନର ଉତର ଉପସ୍ଥାପନ କରିଥିଲେ।

ରାଜ୍ୟରେ ୨୦୧୯-୨୦ ବର୍ଷରେ ପ୍ରାୟ ୮ ଲକ୍ଷ ୧୬ ହଜାର ୪୫୮ ମେଟ୍ରିକ ଟନ ମାଛ ଉତ୍ପାଦିତ ହୋଇଛି। ଏଥି ମଧ୍ୟରୁ ମଧୁର ମାଛ ପ୍ରାୟ ୫ ଲକ୍ଷ ୪୩ ହଜାର ୪୯ ମେଟ୍ରିକ ଟନ ହୋଇଥିବା ବେଳେ ଖାରିପାଣି ମାଛ ପ୍ରାୟ ୧ ଲକ୍ଷ ୧୬ ହଜାର ୯୯ ମେଟ୍ରିକ ଟନ ଓ ସାମୁଦ୍ରିକ ମାଛ ପ୍ରାୟ ୧ ଲକ୍ଷ ୫୭ ହଜାର ୩୧୦ ମେଟ୍ରିକ ଟନ ରହିଛି। ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କର ଲିଖିତ ପ୍ରଶ୍ନର ଉତର ଦେଇ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ ରାଜ୍ୟରେ ୨୦୧୯-୨୦ ବର୍ଷରେ ମାଛର ଚାହିଦା ପ୍ରାୟ ୬ ଲକ୍ଷ ୪୯ ହଜାର ୫୫୦ ମେଟ୍ରିକ ଟନ ଥିଲା। ରାଜ୍ୟରେ ଲୁଣି ମାଛ ଅପେକ୍ଷା ମଧୁର ଜଳ ମାଛ ପ୍ରତି ଖାଉଟି ମାନଙ୍କର ଅଧିକ ଆଗ୍ରହ ଥିବାରୁ ପଡୋଶୀ ରାଜ୍ୟ ଆନ୍ଧ୍ର, ପଶ୍ଚିମ ବଙ୍ଗ ଓ ଛତିଶଗଡରୁ ୪୬ ହଜାର ୨୭୩ ମେଟ୍ରିକ ଟନ ଆମଦାନୀ କରା ଯାଇଛି।

ସେ କହିଛନ୍ତି ଯେ ରାଜ୍ୟରେ ମାଛ ଉତ୍ପାଦନ ବୃଦ୍ଧି ନିମିତ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ଗ୍ରହଣ କରା ଯାଇଛି। ମାଛ ଚାଷ ପାଇଁ ୧୫୭୦ ହେକ୍‍ଟର ନୂତନ ପୋଖରୀ ଖୋଳା ଯାଇଛି। ଏହି ଯୋଜନା ମାଧ୍ୟମରେ ସରକାର ମତ୍ସ୍ୟ ବିହନ କେନ୍ଦ୍ର ପାରାଦୀପ ବନ୍ଦରର ତଟ ସୁରକ୍ଷା, ତାଳଚୁଆ, ତାଳସରୀ ଓ କିର୍ତନିଆ ଆଦି ମତ୍ସ୍ୟ ଅବତରଣ କେନ୍ଦ୍ରର ଆଧୁନିକୀକରଣ କରା ଯାଉଛି। ଏହା ବ୍ୟତୀତ ୨୨୫ଟି ପ୍ରାଥମିକ ମତ୍ସ୍ୟଜୀବୀ ସମବାୟ ସମିତିକୁ ୨ ଲକ୍ଷ ଟଙ୍କା ଲେଖାଏ ଆବର୍ତ ପୁଂଜି ପ୍ରଦାନ କରା ଯାଇଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ସଦ୍ୟ ପ୍ରଣିତ ତିନୋଟି କୃଷି ଆଇନ ଗୁଡିକ ରାଜ୍ୟରେ କାର୍ଯ୍ୟକାରୀ କରିବା ନେଇ ସମବାୟ ବିଭାଗ ଦ୍ୱାରା ସେଗୁଡିକର ତର୍ଜମା କରା ଯାଉଛି। କୃଷି ମନ୍ତ୍ରୀ ଅରୁଣ ସାହୁ ପ୍ରକାଶ କରିଛନ୍ତି। ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଅନ୍ୟ ଏକ ଲିଖିତ ପ୍ରଶ୍ନର ଉତର ଦେଇ ଶ୍ରୀ ସାହୁ କହିଛନ୍ତି ଯେ ତର୍ଜମା ପରେ ସେହି ଆଇନଗୁଡିକର କାର୍ଯ୍ୟକାରିତା ନେଇ ନିଷ୍ପତି ଗ୍ରହଣ କରାଯିବ।

ରାଜ୍ୟରେ ମୋଟ ୪୭ ଲକ୍ଷ ୬୦ ହଜାର ୨୭୨ଟି ଆବେଦନ ପତ୍ର ମାଧ୍ୟମରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମା ଭୁକ୍ତ ଚାଷୀ ଖରିଫ ୨୦୧୯ ଋତୁରେ ସମୁଦାୟ ୨୪୧.୭୫ କୋଟି ଟଙ୍କା ପ୍ରିମିୟମ ପ୍ରଦାନ କରା ଯାଇଛି ବୋଲି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରକାଶ କରିଛନ୍ତି।

କଂଗ୍ରେସ ସଭ୍ୟ ସନ୍ତୋଷ ସିଂହ ସାଲୁଜାଙ୍କ ପ୍ରଶ୍ନର ଉତର ଦେଇ ସେ କହିଛନ୍ତି ଯେ ଖରିଫ ୨୦୧୯ରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବର୍ତମାନ ସୁଦ୍ଧା ୫ ଲକ୍ଷ ୬୬ ହଜାର ୮୭୪ ଜଣ ଫସଲ ବୀମା ପାଇଁ ଯୋଗ୍ୟ ଚାଷୀଙ୍କୁ ୯୯୯. ୭୧ କୋଟି ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଇଛି। ୨୦୧୯-୨୦ ରବି ଋତୁରେ ଏହି ଯୋଜନାରେ ବର୍ତମାନ ସୁଦ୍ଧା ୨୬ ହଜାର ୩୨ ଜଣ ଫସଲ ବୀମା ପାଇବା ପାଇଁ ଯୋଗ୍ୟ ଚାଷୀଙ୍କୁ ୮୫.୫୪ କୋଟି ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଇଛି। ଖରିଫ ୨୦୧୯ ଓ ରବି ୨୦୧୯ ଋତୁ ପାଇଁ କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟା ଚାଲୁ ରହିଛି। ସମସ୍ତ ଯୋଗ୍ୟ ଚାଷୀଙ୍କୁ ବୀମା କ୍ଷତିପୂରଣ ଯଥାଶୀଘ୍ର ପ୍ରଦାନ ପାଇଁ ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି।

Comments are closed.