‘ଲିଡର୍ସ ସମ୍ମିଟ’ ପାଇଁ ମୋଦୀଙ୍କୁ ବାଇଡେନ୍‌ଙ୍କ ଆମନ୍ତ୍ରଣ

ୱାଶିଂଟନ: ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ବିଶ୍ୱସ୍ତରରେ ଚାଲିଥିବା ପ୍ରୟାସର ଅଂଶ ଭାବରେ ଆଗାମୀ ଏପ୍ରିଲ ୨୨ ଓ ୨୩ରେ ଆୟୋଜନ ହେବାକୁ ଯାଉଛି ଶିଖର ବୈଠକ ‘ଲିଡର୍ସ ସମ୍ମିଟ୍‍’। ଆମେରିକା ଏହାକୁ ଆୟୋଜନ କରୁଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହାକୁ ଭର୍ଚୁଆଲ ପଦ୍ଧତିରେ ଆୟୋଜନ କରାଯାଉଛି। ଏହି ବୈଠକର ସିଧା ପ୍ରସାରଣ କରାଯିବ। ଉକ୍ତ ଶିଖର ସମ୍ମିଳନୀରେ ଯୋଗଦେବାକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‍ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଶ୍ୱର ୪୦ ନେତୃବୃନ୍ଦଙ୍କୁ ଆମନ୍ତ୍ରଣ କରିଛନ୍ତି। ଜଳବାୟୁ ପରିବର୍ତ୍ତନ ରୋକିବାର ଜରୁରୀ ଆବଶ୍ୟକତା ଉପରେ ବିଚାର ବିମର୍ଶ ଓ ଆବଶ୍ୟକ ପଦକ୍ଷେପ ସହିତ ସେଥିରୁ ମିଳିବାକୁ ଥିବା ଅର୍ଥନୈତିକ ଫାଇଦା ସମ୍ପର୍କରେ ବୈଠକରେ ଆଲୋଚନା କରାଯିବ।

ଏହି ବୈଠକରେ ଯୋଗ ଦେବା ପାଇଁ ଆମନ୍ତ୍ରଣ ପାଇଥିବା ନେତାଙ୍କ ମଧ୍ୟରେ ଅଛନ୍ତି ମୋଦୀଙ୍କ ବ୍ୟତୀତ ଚୀନ ରାଷ୍ଟ୍ରପତି ସି ଜିନ୍ପିୈଙ୍ଗ, ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁତିନ, ଜାପାନ ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗା, ବ୍ରାଜିଲ ରାଷ୍ଟ୍ରପତି ଜୈର ବୋଲ୍ସୋସନାରୋ, କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡ୍ୟୁ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ, ସାଉଦି ଆରବ ରାଜା ସଲ୍ମ୍ନ ବିନ୍‍ ଅବଦୁଲଅଜିଜ ଅଲ୍‍ ସଉଦ୍‍ ଓ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‍ ଜନସନ, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‍ ହାସିନା, ଭୁଟାନ ପ୍ରଧାନମନ୍ତ୍ରୀ ଲୋଟେ ଶେରିଂ ପ୍ରମୁଖ।

Comments are closed.