ଭୂଷଣ କାରଖାନା ବନ୍ଦ ପାଇଁ ଜିଲାପାଳଙ୍କ ନିର୍ଦେଶ

ଭୁବନେଶ୍ବର: ସମ୍ବଲପୁର ଠେଲକଲୋଇରେ ଥିବା ଭୂଷଣ ପାୱାର ଷ୍ଟିଲ ଲି. କାରଖାନା ବନ୍ଦ ହେବା ନେଇ ଦୁଇ ମାସରୁ ଊର୍ଦ୍ଧ୍ବ ସମୟ ଧରି ଚାଲିଥିବା ନାଟକର ଯବନିକା ପଡିବାକୁ ଯାଉଛି। ଉକ୍ତ କାରଖାନାର କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟକୁ ତୁରନ୍ତ ବନ୍ଦ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସମ୍ବଲପୁର ଜିଲାପାଳ ସ୍ଥାନୀୟ ତହସିଲଦାରଙ୍କୁ ନିର୍ଦେଶ ଦେଇଛନ୍ତି। ସମ୍ବଲପୁର ଜିଲାପାଳ ରେଙ୍ଗାଳି ତହସିଲଦାରଙ୍କୁ ଦେଇଥିବା ନିର୍ଦେଶନାମାରେ ଦର୍ଶାଇଛନ୍ତି ଯେ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ କାର୍ଯ୍ୟାଳୟ ପକ୍ଷରୁ ମେ’ ୭ରେ ଭୂଷଣ କାରଖାନା ବନ୍ଦ କରିବାକୁ ଯେଉଁ ନିର୍ଦେଶନାମା ଆସିଥିଲା ତାକୁ ତୁରନ୍ତ କାର୍ଯ୍ୟକାରୀ କର। ଭୂଷଣ ପାୱାର ପ୍ଲାଣ୍ଟ ପ୍ରଦୂଷଣ ନିୟମ ଉଲ୍ଲଘଂନ କରି କାରଖାନା ଚଳାଇଥିବାରୁ ତା’ର କ୍ୟାପଟିଭ୍ ପାୱାର ପ୍ଲାଣ୍ଟ ତୁରନ୍ତ ବନ୍ଦ କର। ଏହାସହିତ ପ୍ରଦୂଷଣ ନିୟନ୍ତ୍ରଣ କାର୍ଯ୍ୟାଳୟ ପକ୍ଷରୁ ଯାହା ନିର୍ଦେଶନାମା ରହିଛି ତାକୁ କାର୍ଯ୍ୟକାରୀ କରିବାକୁ ଜିଲାପାଳ ନିର୍ଦେଶନାମାରେ ଦର୍ଶାଇଛନ୍ତି।

ସୂଚନାଯୋଗ୍ୟ ଯେ ଭୂଷଣ ପାୱାର ପ୍ଲାଣ୍ଟ ବେଆଇନ ଭାବେ କାରଖାନା ଚଳାଇ ଆସୁଥିଲା। ତାହାକୁ ପ୍ରଦୂଷଣ ନିୟନ୍ତ୍ରଣ ପକ୍ଷରୁ ବାରମ୍ବାର ତାଗିଦା କରାଯାଇଥିଲେ ହେଁ ସେ କର୍ଣ୍ଣପାତ କରୁ ନ ଥିଲା। ଏମିତିକି ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ କାର୍ଯ୍ୟାଳୟ ପକ୍ଷରୁ ପ୍ରାୟ ଅଢ଼େଇ ମାସ ହେଲା ଜିଲା ପ୍ରଶାସନକୁ ଭୂଷଣ କାରଖାନା ବନ୍ଦ କରିବାକୁ ନିର୍ଦେଶ ଦିଆଯାଇଥିଲେ ହେଁ ତାହା କାର୍ଯ୍ୟକାରୀ ହେଉ ନ ଥିଲା। ଏହି ପ୍ରସଙ୍ଗରେ ସମ୍ବଲପୁର ଜିଲା ପ୍ରଶାସନର ଅହେତୁକ ଅନୁକମ୍ପା ନେଇ ‘ସମାଜ’ରେ ବିସ୍ତୃତ ଖବର ପ୍ରକାଶ ପାଇବା ପରେ ଜିଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ଚଳିତମାସ ୨୬ରେ ଜିଲାପାଳ ଏହି ନିର୍ଦେଶନାମା ଜାରି କରିଥିବା ଜଣାପଡିଛି।

Comments are closed.