ଭୂଦାନ ଆନ୍ଦୋଳନର ଅନ୍ତୁଡ଼ିଶାଳ ଭୂତକୋଠି

କୋଲନରା : (ସନ୍ତୋଷ କୁମାର ପାଣିଗ୍ରାହୀ) : ‘କୁଟି ଖାଅ, କାଟି ପିନ୍ଧ’ ମହାତ୍ମା ଗାନ୍ଧିଙ୍କ ଏହି ନାରାକୁ ରାୟଗଡ଼ାରେ ପହଞ୍ଚାଇଥିଲେ ବିନୋବା ଭାବେ। ଚରଖା ଚଳାଇ, ଭୂଦାନ ଆନ୍ଦୋଳନର ମୂଳଦୁଆ ପକାଇଥିଲେ ଗୋପାଳବାଡିରୁ। ଗ୍ରାମ ସ୍ୱରାଜ ଆନ୍ଦୋଳନ ସହ ଗୋପାଳନ, ଚରଖା ଚଳାଇବା ,ଚାଷ କରି ଆଦିବାସୀଙ୍କୁ ସ୍ୱାବଲମ୍ବୀ କରିବା ଭଳି ବହୁ ଐତିହାସିକ ଘଟଣାର ମୂକସାକ୍ଷୀ ଏହି ଗୌରବମୟ ଅନୁଷ୍ଠାନ ଏବେ ସ୍ଥିତି ଖୋଜୁଛି । ପଚାଶ ଦଶକରେ ବଣ ପାହାଡ଼ର ମୁଲକ ରାୟଗଡ଼ାରୁ ସାରା ବିଶ୍ୱକୁ ଭୂଦାନ, ଗ୍ରାମ ସ୍ୱରାଜ ଆନ୍ଦୋଳନ ଦିଗଦର୍ଶନ ଦେଖାଇଥିବା ଏକମାତ୍ର ଐତିହାସିକ ସ୍ମାରକୀ ଇତିହାସ ପାଲଟିବାକୁ ଯାଉଛି, ଯାହାର ସୁରକ୍ଷା ପାଇଁ ନା ଅଛି ରାଜ୍ୟ ସରକାରଙ୍କ ତତ୍ପରତା ନା ଏହାର ଗୁରୁତ୍ୱ ବୁଝିଛି ଜିଲା ପ୍ରଶାସନ। ଫଳରେ ୨୯ଏକର ଅଞ୍ଚଳରେ ପ୍ରତିଷ୍ଠା ହୋଇଥିବା ଭୂଦାନ ଆନ୍ଦୋଳନର ଅନ୍ତୁଡ଼ିଶାଳ ଏବେ ଭୂତକୋଠି ପାଲଟିଛି।
କୋଲନରା ବ୍ଲକର କେଉଟଗୁଡା ଗାଁ ନିକଟରେ ରହିଛି ଗୋପାଳବାଡ଼ି। ୧୯୫୫ରେ ଅବିଭକ୍ତ କୋରାପୁଟ ଜିଲାରେ ଭୂଦାନ ଆନ୍ଦୋଳନର ନେତୃତ୍ୱ ନେବାକୁ ଆସିଥିଲେ ବିନୋବା ଭାବେ। ରାୟଗଡ଼ା ଉପଖଣ୍ଡରେ ପହଞ୍ଚିବା ପରେ ଓଡ଼ିଶାର ଦ୍ବିତୀୟ ଗ୍ରାମଦାନ ତାଲିକାରେ ରାୟଗଡ଼ାର ଗୋବରପଲ୍ଲୀ ଗ୍ରାମ ସାମିଲ ହୋଇଥିଲା। ଆନ୍ଦୋଳନକୁ ଜୋରଦାର କରିବା ପାଇଁ ବିନୋବା ଗୋବରପଲ୍ଲୀ ଗ୍ରାମରୁ ଥେରୁବାଲି ପର୍ଯ୍ୟନ୍ତ ପଦଯାତ୍ରା କରିବା ସହ ୨ଦିନ ଦୁଇରାତି ବିତାଇଥିଲେ। ଭୂମିହୀନଙ୍କ ସାମାଜିକ ଓ ଅର୍ଥନୈତିକ ସ୍ଥିତିରେ ପରିବର୍ତ୍ତନ ଆଣିବା ପାଇଁ ବିନୋବାଙ୍କ ଆହ୍ୱାନକ୍ରମେ ବହୁ ଜମିଦାର ନିଜ ଜମି ଦାନ କରିଥିଲେ। ଫଳସ୍ୱରୂପ ପୂର୍ବରୁ ଏକ ଛୋଟିଆ କୁଟୀର ଥିବା ଗୋପାଳବାଡ଼ି ପରିଧି ୧୯୫୬ମସିହା ୧୦୦ଏକରକୁ ବୃଦ୍ଧି ପାଇଥିଲା। ନିଜ ରହଣି ସମୟରେ ବିନୋବା ଆଖପାଖ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ପୁରୁଷ ଓ ମହିଳା ସ୍ବଳ୍ପ ବସ୍ତ୍ର ପିନ୍ଧି ବୁଲୁଥିବା ଦେଖିବା ପରେ ନିଜେ ଚରଖା ଚଲାଇ ସୂତା କାଟିବା ସହ ଆଦିବାସୀଙ୍କୁ ଚରଖା ଚଲାଇବା ଶିଖାଇ ସୂତାକାଟି ଲୁଗା ବୁଣି ପିନ୍ଧିବାକୁ ପରାମର୍ଶ ଦେଇଥିଲେ। ବିନୋବାଙ୍କ ଆହ୍ବାନରେ ଭୂଦାନ ଆନ୍ଦୋଳନ ଜୋର ଧରିବା ପରେ ଭାରତର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ରାୟଗଡ଼ାରେ ଏବଂ ସମାଜବାଦୀ ନେତା ଜୟପ୍ରକାଶ ନାରାୟଣ ଗୁଣପୁରରେ ପହଞ୍ଚି ବିନୋବାଙ୍କୁ ସାକ୍ଷାତ କରିଥିଲେ। ଯାହା ଭୂଦାନ ଗ୍ରାମ ସ୍ୱରାଜ ଆନ୍ଦୋଳନକୁ ଆଉ ଦୁଇ ପାଦ ଆଗକୁ ନେଇଥିଲା। ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦଙ୍କ ସମେତ ମାଳତୀ ଚୌଧୁରୀ, ରମାଦେବୀ ନାରୀ ଜାଗରଣ ଆନ୍ଦୋଳନରେ ନେତ୍ରୀ ଅନ୍ନପୂର୍ଣ୍ଣା ମହାରଣା, କୋରାପୁଟିଆ ଗାନ୍ଧୀଙ୍କ ସମେତ ବହୁ ଗାନ୍ଧୀବାଦୀ ନେତା ଗୋପାଳବାଡିରେ ରାତି ବିତାଇବା ସହ ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ପରବର୍ତ୍ତୀ ସମୟରେ ଗୋପାଳବାଡ଼ିର ପରିଚାଳନା ଦାୟିତ୍ୱ ଅଖିଳ ଭାରତ ସ୍ବୟଂସେବା ସଂଘ ନେବା ପରେ ୧୯୫୯ମସିହାରେ କେନ୍ଦ୍ର ସରକାର ଏହାର ଉନ୍ନତିକରଣ ପାଇଁ ୯୪ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରି ମହାରାଷ୍ଟ୍ରର ଆନା ସାହେବ ସହସ୍ର ସହସ୍ର ବୃଦ୍ଧଙ୍କୁ ଏହାର ଦାୟିତ୍ବ ହସ୍ତାନ୍ତର କରିଥିଲେ, ଯାହା ଅଭିଭକ୍ତ କୋରାପୁଟ ଜିଲାର ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁରରେ ଆଦିବାସୀଙ୍କ ଆର୍ଥିକ ସ୍ଥିତିକୁ ସ୍ବଚ୍ଛଳ କରିବା ଦିଗରେ ସହାୟକ ହୋଇଥିଲା। ଅନୁଦାନ ଆସିବା ପରେ ଗୋପାଳବାଡ଼ିରେ ଗୋପାଳନ କେନ୍ଦ୍ର ସହ ଚାଷ ପାଇଁ କୂଅ ପୋଖରୀ ଖୋଳିବା, ଚାଷ ଜମିକୁ ନାଳ ନିର୍ମାଣ, ଚରଖା ଚଲାଇ ସୂତା କାଟିବା ଶିକ୍ଷା ପ୍ରଦାନ ଦିଗରେ କାମ ଆରମ୍ଭ ହୋଇଥିଲା। ସୂତା କାଟିବା ଶିକ୍ଷା ପ୍ରଦାନ ପାଇଁ ଚରଖା ନିର୍ମାଣ କରାଯାଇ ହସ୍ତତନ୍ତ ଉପରେ ତାଲିମ ପ୍ରଦାନ କରାଯାଇଥିଲା, ଯାହା ରକ୍ଷଣାବେକ୍ଷଣ ଅଭାବରୁ ଏବେ ଉଇ ଖାଇ ଖତ ହେଲାଣି ା ସ୍ୱାଧୀନତାର ସ୍ମାରକୀ ବହନ କରୁଥିବା ଚରଖାକୁ ବର୍ତ୍ତମାନ ଗୋଟିଏ ଜରାଜୀର୍ଣ୍ଣ ଘରେ ତାଲା ପକାଇ ରଖାଯାଇଛି।
ଆଦିବାସୀଙ୍କୁ ଶିକ୍ଷିତ ବିଶେଷ କରି ବାଳିକା ଶିକ୍ଷାକୁ ଗୁରୁତ୍ୱ ଦିଆଯାଇ ୧୯୬୪ମସିହାରେ ଆରମ୍ଭ ହୋଇଥିଲା ସ୍ୱରାଜ ବିଦ୍ୟାଳୟ। ଦୀର୍ଘବର୍ଷର କଷ୍ଟଲବ୍ଧ ସମୟ ଅତିକ୍ରାନ୍ତ କରିବା ପରେ ୧୯୯୭ରେ ଉତ୍କଳ ଖଦି ମଣ୍ଡଳ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା ା ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ସମୟରେ କେନ୍ଦ୍ର ସରକାର ଗୋପାଳବାଡ଼ିର ଉନ୍ନତିକରଣ ପାଇଁ ପ୍ରଦାନ କରିଥିବା ଅନ୍ନଦାନର ହିସାବ ମାଗିଥିଲେ। ଏହା ପରଠାରୁ ଆଉ ଅନୁଦାନ ନ ଆସିବା ଯୋଗୁଁ ୧୯୭୦ରେ ଏହି ଅନୁଷ୍ଠାନ ବନ୍ଦ ହୋଇଯିବା ସହ ଉତ୍କଳ ଖଦି ମଣ୍ଡଳକୁ ହସ୍ତାନ୍ତର ହୋଇଥିବା ଜମି ମଧ୍ୟରୁ ରାୟଗଡ଼ା କୋରାପୁଟ ରେଳପଥ ନିର୍ମାଣ ସମୟରେ ବହୁ ଜମିକୁ ସରକାର ନେଇଯିବା ପରେ ବର୍ତ୍ତମାନ ୨୯ଏକର ଜାଗାରେ ସୀମିତ ରହିଛି ଗୋପାଳବାଡ଼ି। ବର୍ତ୍ତମାନ ଉତ୍କଳ ଖଦି ମଣ୍ଡଳ ଅଧୀନରେ ଥିବା ଏହି ଐତିହାସିକ ସ୍ମାରକୀ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି। ଚରଖା ଘର, ସେବାଶ୍ରମ, ହଷ୍ଟେଲ, ଗୋଶାଳା ସମେତ ନିର୍ମିତ ବହୁ ଘର ରକ୍ଷଣାବେକ୍ଷଣ ଅଭାବରୁ ମାଟିରେ ମିଶିବାକୁ ବସିଲାଣି। ରାଜ୍ୟ ସରକାର ଐତିହାସିକ ସ୍ମାରକୀର ସ୍ମୃତି ରକ୍ଷା ଦିଗରେ ଧ୍ୟାନ ଦେଉ ନ ଥିବାରୁ ଖଦି ବୋର୍ଡ କତ୍ତୃପକ୍ଷଙ୍କ ସମେତ ବହୁ ଗାନ୍ଧିବାଦୀ ନେତା ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଭଳି ଏକ ଐତିହ୍ୟ ସମ୍ପନ୍ନ ଅନ୍ତୁଡ଼ିଶାଳର ପୁନରୁଦ୍ଧାର ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ମତପ୍ରକାଶ ପାଉଛି। ଅନ୍ୟପକ୍ଷରେ ଏ ନେଇ ଜିଲା ସଂସ୍କୃତି ଅଧିକାରୀ ସସ୍ମିତା ବାଉରୀଙ୍କ ପ୍ରତିକ୍ରିୟା ନେବାରୁ ସେ ନୂଆ ଆସିଥିବାରୁ ଏ ନେଇ ଜାଣି ନ ଥିବା, ଜାଣିବା ପରେ ପଦକ୍ଷେପ ନେବା ପାଇଁ ଚେଷ୍ଟା କରିବେ ବୋଲି ପ୍ରକାଶ କରିଛନ୍ତି।

Comments are closed.