ଜଳ ପ୍ରବାହ କମିବା ପରେ ଘାଇ ଗୁଡ଼ିକର ହେବ ମରାମତି: ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ବନ୍ୟା ପରିସ୍ଥିତି ନେଇ ଗଣମାଧ୍ୟମକୁ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ଦିନ ୯ଟା ସୁଦ୍ଧା ମୁଣ୍ଡୁଳିରେ ୧୧.୭୭ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି ବୋଲି ସୂଚନା ଦେବା ସହ ଖଇରମାଳରେ ୯.୮୪ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି ବୋଲି ସେ କହିଛନ୍ତି । ଏଥି ସହିତ ଆସନ୍ତାକାଲି ସକାଳ ସୁଦ୍ଧା ମୁଣ୍ଡୁଳିରେ ୧୦ ଲକ୍ଷ କ୍ୟୁସେକ୍‌ ଜଳ ଅତିକ୍ରମ କରିବ ବୋଲି ସର୍ବୋଚ୍ଚ ଯନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ତାହା ସହ ହୀରାକୁଦରେ ଆଉ ଗେଟ୍‌ ଖୋଲିବ କି ନାହିଁ ସେନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ବିଜୟ ମିଶ୍ର ।

ସେ କହିଛନ୍ତି କି, ବର୍ତ୍ତମାନ ହୀରାକୁଦ ଗେଟ୍‌ ଖୋଲିବା ଓ ବନ୍ଦ କରିବା ନିଷ୍ପତ୍ତି ନିଆଯାଇନାହିଁ । ସ୍ଥିତି ଦେଖିବା ପ​‌ରେ ହୀରାକୁଦ ଗେଟ୍‌ ଖୋଲିବ କି ନାହିଁ ତାହା ନିଷ୍ପତ୍ତି ନିଆଯିବ । ଆଉ ୨୪ ଘଣ୍ଟା ପାଇଁ ବନ୍ୟାର ସ୍ଥିତି ଏହିପରି ରହିବ । ସବୁଠାରୁ ବଡ଼ କଥା ହେଉଛି ବର୍ତ୍ତମାନ ସୁଦ୍ଧା ପ୍ରାୟ ୫୦ଟି ନଦୀ ବନ୍ଧରେ ହୋଇଥିବା ଘଳିଆ ବନ୍ଦ କରିପାରିଛୁ । ଆଉ ୫ଟି ସ୍ଥାନରେ ଘାଇ ହୋଇଛି । ବଡ଼ମ୍ବା-ନରସିଂହପୁର ନିକଟ ମହାନଦୀ, ଲୁଣା ନଦୀ ଓ ମକରା ନଦୀରେ ଘାଇ ହୋଇଥିବା ବେଳେ କାଣି ଓ ରାଜୁଆ ଘାଇ ହୋଇଛି । ଏଥି ସହିତ ଆଜି କୁଶଭଦ୍ରା ନଦୀରେ ମଧ୍ୟ ଘାଇ ସୃଷ୍ଟି ହୋଇଛି । ଜଳ ପ୍ରବାହ କମିବା ପରେ ଘାଇ ଗୁଡ଼ିକର ମରାମତି କାମ କରାଯିବ ବୋଲି ଇଆଇସି ବିଜୟ ମିଶ୍ର କହିଛନ୍ତି ।

Comments are closed.