୨୦ ବର୍ଷରେ ରାଜ୍ୟର ଆର୍ଥିକ ସ୍ଥିତି; ସୁଧ ବାବଦରେ ଗଲାଣି ୮୦ ହଜାର କୋଟି

ଭୁବନେଶ୍ୱର: ରାଜ୍ୟବାସୀଙ୍କ ହିତକୁ ଦୃଷ୍ଟିରେ ରଖି ସରକାର ଗୋଟିଏ ପରେ ଗୋଟିଏ ଯୋଜନା ପ୍ରଣୟନ କରି ଚାଲିଛନ୍ତି। ଏଥିପାଇଁ ପ୍ରତିବର୍ଷ ହଜାରହଜାର କୋଟି ଟଙ୍କା ବିଭିନ୍ନ ଉତ୍ସରୁ ଋଣ କରୁଛନ୍ତି। ୨୦୦୦ରୁ ଶାସନ ପରିବର୍ତ୍ତନ ପରେ ଇତିମଧ୍ୟରେ ୮୦ ହଜାର କୋଟି ଟଙ୍କା କେବଳ ଋଣର ସୁଧ ପରିଶୋଧ ବାବଦକୁ ରାଜ୍ୟ ସରକାର ଦେଇ ସାରିଲାଣି। ଏହି ୨୦ବର୍ଷ ମଧ୍ୟରେ ସରକାର ପ୍ରାୟ ଦେଢ଼ଲକ୍ଷ କୋଟି ଟଙ୍କା ଋଣ କରିଥିବାବେଳେ ଏହାର ଅର୍ଦ୍ଧାଧିକ ଟଙ୍କା ଋଣ ପରିଶୋଧ ବାବଦକୁ ଦେଇଛନ୍ତି। ତେବେ ସବୁଠାରୁ ବଡ଼କଥା ହେଲା ଦୁଇ ଦଶନ୍ଧି ପୂର୍ବେ ରାଜ୍ୟ ସରକାରଙ୍କ ଆର୍ଥିକ ସ୍ଥିତି ଯାହାଥିଲା ସେଥିରେ ସୁଧାର ଆସିଛି। ୨୦୦୧ରେ ସରକାର କେବଳ ସୁଧ ବାବଦକୁ ୩ହଜାର କୋଟି ଟଙ୍କା ଦେଉଥିବାବେଳେ ଚଳିତବର୍ଷ ୨୨୫୯କୋଟି ଟଙ୍କା ଖୋଲାବଜାରରୁ ଋଣ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଦିନକୁ ଦିନ ସରକାରଙ୍କ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହେଉଥିବାରୁ ଋଣଭାର କମୁଥିବାବେଳେ ସୁଧ ଦେୟ ବଢ଼ି ଚାଲିଥିବା ଅର୍ଥବିଭାଗ ତଥ୍ୟରୁ ଜଣାଯାଇଛି।

ସୂଚନା ଅନୁଯାୟୀ, ରାଜ୍ୟ ସରକାର ୨୦୦୧-୦୨ରେ ୩୯୫୨.୫୬କୋଟି ଟଙ୍କା ଋଣ କରିଥିବାବେଳେ ଉକ୍ତ ବର୍ଷ ୨୮୩୪.୯୫କୋଟି ଟଙ୍କା କେବଳ ସୁଧ ବାବଦକୁ ପ୍ରଦାନ କରିଥିଲେ। ସେହିପରି ୨୦୦୨-୦୩ରେ ୫୬୦୨.୨୦କୋଟି ଟଙ୍କା ଋଣ ବେଳେ ୨୮୮୫.୫୮କୋଟି ଟଙ୍କା ସୁଧ ବାବଦକୁ ଦେଇଥିଲେ। ଏହିପରି ସ୍ଥିତି ୨୦୧୨ ପର୍ଯ୍ୟନ୍ତ ଲାଗି ରହିଥିଲା। ୨୦୧୩-୧୪ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ସରକାରଙ୍କ ଋଣ ଓ ସୁଧ ଅନୁପାତ ପାଖାପାଖି ସମାନ ଥିବାବେଳେ ଏହାପର ଆର୍ଥିକବର୍ଷଠାରୁ ଋଣ ପରିମାଣ ଢ଼େରଗୁଣ ବଢ଼ିଥିଲା।

୨୦୧୪-୧୫ରେ ୭୬୩୬.୫୪କୋଟି ଟଙ୍କା ସରକାର ଋଣ କରିଥିବାବେଳେ ୨୮୧୦.୨୭କୋଟି ଟଙ୍କା ସୁଧ ପରିଶୋଧ ବାବଦକୁ ପ୍ରଦାନ କରାଯାଇଥିଲା। ସେହିପରି ୨୦୧୫-୧୬ରେ ୧୧ହଜାର ୬୨୫କୋଟି ଟଙ୍କାର ଋଣ ବେଳେ ୩୩୪୩ .୨୯କୋଟି ସୁଧ ବାବଦ ଦେୟ, ୨୦୧୬-୧୭ରେ ୧୩ହଜାର ୮୦କୋଟି ଟଙ୍କା ଋଣ ବେଳେ ୪ହଜାର ୩୫କୋଟି ଟଙ୍କା ସୁଧ, ୨୦୧୭-୧୮ରେ ୧୪ହଜାର ୪୧୯.୪୧କୋଟି ଟଙ୍କା ଋଣ ବେଳେ ୪୯୮୮କୋଟି ସୁଧ, ୨୦୧୮-୧୯ରେ ୧୧ହଜାର ୭୫୦କୋଟିର ଋଣ ବେଳେ ୫୮୦୦କୋଟି ସୁଧ, ୨୦୧୯-୨୦୨୦ରେ ୧୫ହଜାର ୫୯୩କୋଟି ସୁଧ ବେଳେ ୬୦୬୨କୋଟି ସୁଧ, ୨୦୨୦-୨୧ରେ ସର୍ବାଧିକ ୨୦ହଜାର ୯୨୯କୋଟି ଟଙ୍କାର ଋଣ ବେଳେ ୬୬୪୩ କୋଟି ସୁଧ ଏବଂ ଗତବର୍ଷ ୧୨ହଜାର ୫୫୧କୋଟି ଟଙ୍କାର ଋଣ ବେଳେ ୬୩୪୨କୋଟି ଟଙ୍କା ସୁଧ ବାବଦକୁ ସରକାର ପରିଶୋଧ କରିଛନ୍ତି।

ଅର୍ଥବିଭାଗର ତଥ୍ୟ ଅନୁଯାୟୀ, ରାଜ୍ୟ ସରକାର ୨୦ବର୍ଷ ତଳେ ସେତେବେଳର ଆର୍ଥିକ ସ୍ଥିତି ଅନୁଯାୟୀ ଯେଉଁ ପରିମାଣ ଅର୍ଥ ସୁଧ ବାବଦକୁ ଦେବାକୁ ପଡ଼ୁଥିଲା ଏବେ ସେହି ପରିମାଣ ଅର୍ଥାତ୍ ୨୨୫୯କୋଟି ଟଙ୍କା ଭିତରେ ଋଣ କରିବା ପାଇଁ ସରକାରଙ୍କ ଲକ୍ଷ୍ୟ ରହିଛି। ଏହା କେବଳ ଖଣିଜ ଊତ୍ସରୁ ଆୟ ପାଇଁ ସମ୍ଭବ ହୋଇଛି। ଅନ୍ୟପକ୍ଷରେ ସରକାରଙ୍କ ତଥ୍ୟ କହୁଛି, ୨୦୦୯-୧୦ ମସିହାରେ ମୁଣ୍ଡ ପିଛା ଋଣ ୯ହଜାର ୧୮୦ଟଙ୍କାରେ ଥିବାବେଳେ ଗତ ଆର୍ଥିକବର୍ଷ ସୁଦ୍ଧା ଏହି ହାର ୨୨ହଜାର ୪୨ଟଙ୍କାକୁ ବୃଦ୍ଧି ପାଇଛି। ଅର୍ଥାତ୍ ଗତ ୧୦ବର୍ଷ ମଧ୍ୟରେ ମୁଣ୍ଡପିଛା ଋଣ ହାର ୧୨ହଜାର ୮୬୨ଟଙ୍କା ବଢ଼ିଥିବା ଜଣାଯାଇଛି।

Comments are closed.