ଚର୍ଚ୍ଚିତଙ୍କ ସମେତ ଦୁଇ ଗିରଫ

ବଡ଼ପୁଅ ସହ ମହିମାଙ୍କୁ ମାରାଥନ ଜେରା

ଭୁବନେଶ୍ବର: ପାରାଦୀପ ବନ୍ଦର କନଭେୟର ବେଲ୍ଟ ମରାମତିରେ ୨୫ ଲକ୍ଷ ଟଙ୍କା ଲାଞ୍ଚ କାରବାର ଘଟଣାରେ ସିବିଆଇ ତଦନ୍ତକୁ ଜୋରଦାର କରିଛି । ଶୁକ୍ରବାର ୪ ଜଣଙ୍କୁ ଓ ଗତକାଲି ଆଉ ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ଶିଳ୍ପପତି ମହିମା ମିଶ୍ରଙ୍କ ସାନ ପୁଅ ଚର୍ଚ୍ଚିତ ମିଶ୍ର ଓ ବିଲ୍‌ଡର ଶିଶିର ଦାଶ ଅଛନ୍ତି । ଉଭୟଙ୍କୁ ଗିରଫ ପରେ ଅଦାଲତରେ ହାଜର କରି ସେମାନଙ୍କୁ ୯ ତାରିଖ ପର୍ଯ୍ୟନ୍ତ ଜିମାରେ ଆଣି ତଦନ୍ତକାରୀ ଦଳ ଜେରା କରୁଛି। ସେହିଭଳି କୋଲକାତାରୁ ଗିରଫ ହୋଇଥିବା ଶଙ୍ଖଶୁଭ ମିତ୍ରଙ୍କୁ ମଧ୍ୟ ସିବିଆଇ ୯ତାରିଖ ପର୍ଯ୍ୟନ୍ତ ଜିମାରେ ଆଣି ପଚରାଉଚରା ଚଳାଇଛି। ମହିମା ମିଶ୍ର ଓ ବଡ଼ ପୁଅ ଚନ୍ଦନ ମିଶ୍ରଙ୍କୁ ମଧ୍ୟ ସିବିଆଇ ବାରମ୍ବାର ଜେରା କରୁଛି । ୨୦ ଘଣ୍ଟା ଜେରା ପରେ ମଧ୍ୟ ଆଗକୁ ଉଭୟଙ୍କୁ ସିବିଆଇରେ ହାଜର ହେବାକୁ ଡାକରା ଆସିବା ସମ୍ଭାବନା ରହିଛି । ତେଣୁ ବାପା ପୁଅଙ୍କ ପାଇଁ ଅଡ଼ୁଆ ବଢ଼ିବା ଆଶଙ୍କା କରାଯାଉଛି।

ସିବିଆଇ ସୂତ୍ରରୁ ପ୍ରକାଶ, ପାରାଦୀପ ବନ୍ଦରର ମେକାନିକାଲ ଇଞ୍ଜିନିୟର ସରୋଜ ଦାସ ଓଏସଏଲ୍‌ ଭଳି ବିଭିନ୍ନ କମ୍ପାନୀରୁ କାର୍ଗୋ ପରିବହନ କରାଇ ଦେବାକୁ କହି ବିପୁଳ ଟଙ୍କା ଲାଞ୍ଚ ନେଉଥିଲେ। ସୁମନ୍ତ, ଶଙ୍ଖଶୁଭ୍ର ମିତ୍ର, ଦେବପ୍ରିୟ ମହାନ୍ତି ଏହି ଲାଞ୍ଚ କାରବାରରେ ମଧ୍ୟସ୍ଥି ଭାବେ କାମ କରୁଥିଲେ। କାର୍ଗୋ ପରିବହନ ବେଳେ ଓଏସଏଲ ଦ୍ୱାରା ପାରାଦୀପ ବନ୍ଦର କନଭେୟର ବେଲ୍ଟ କ୍ଷତିଗ୍ରସ୍ତ ହୋଇଥିଲା। ଏହାର ମରାମତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥାନ୍ତା। ସରୋଜ ଦାସ ଏହାର ମରାମତି ଦାୟିତ୍ବ ନେଇ ସୁମନ୍ତ, ଶଙ୍ଖଶୁଭ୍ର ଓ ଚର୍ଚ୍ଚିତ ମିଶ୍ରଙ୍କ ସହ ଷଡଯନ୍ତ୍ର କରି ଏହାକୁ ପାରାଦୀପ ବନ୍ଦର ଦ୍ୱାରା ମରାମତି କରାଇଥିଲେ। ଏହାଦ୍ୱାରା ଓଏସଏଲକୁ କୋଟି କୋଟି ଟଙ୍କା ଫାଇଦା ହୋଇଥିଲା । ପରବର୍ତ୍ତୀ ସମୟରେ ଏହି ଫାଇଦା ପାଇଁ ସରୋଜ ଦାସ ୬୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ ।

ଲାଞ୍ଚ ଦେବାରେ ବିଳମ୍ବ ହେବାରୁ ସରୋଜ ଓ ସୁମନ୍ତ ଓଏସଏଲର ଡିଜିଏମ୍ ଅପରେସନ ସୂର୍ଯ୍ୟ ନାରାୟଣ ସାହୁଙ୍କୁ ଯୋଗାଯୋଗ କରିଥିଲେ। ଗତ ମାସ ୩୧ ତାରିଖରେ ଲାଞ୍ଚ ଟଙ୍କା ନେବା ପାଇଁ କଟକ ଆସିବାକୁ ଶଙ୍ଖଶୁଭ୍ର, ସୁମନ୍ତଙ୍କୁ କଟକ ଡକାଇ ଥି‌େ‌ଲ। ୩ ତାରିଖରେ ସୁମନ୍ତ କଟକ ଯାଇ ଓଏସଏଲ ଠାରୁ ୨୫ ଲକ୍ଷ ଟଙ୍କା ଗ୍ରହଣ କରିଥିଲେ। ବିଲ୍‌ଡର ଶିଶିର ଦାଶଙ୍କୁ ସୁମନ୍ତ ଅଗ୍ରୀମ ୧୦ ଲକ୍ଷ ଟଙ୍କା ଦେଇଥିଲେ ବୋଲି ତଦନ୍ତ ବେଳେ ସିବିଆଇ ଜାଣିବାକୁ ପାଇଛି। ଏହି ଲାଞ୍ଚ କାରବାରର ଏକ ଅଡିଓ ସିବିଆଇ ହାତରେ ଲାଗିଥିଲା। ଅଡିଓକୁ ନେଇ ସିବିଆଇ ଖୋଳତାଡ କରି ଏବେସୁଦ୍ଧା ୬ଜଣଙ୍କୁ ଗିରଫ କରିଛି। ସମସ୍ତଙ୍କୁ ତଦନ୍ତକାରୀ ଦଳ ମୁହାଁମୁହିଁ ଜେରା କରୁଛି। ଏଠାରେ ପ୍ରଶ୍ନ ଉଠୁଛି, କେବଳ ୨୫ଲକ୍ଷ ଟଙ୍କା ଲାଞ୍ଚ କାରବାରକୁ ନେଇ ତଦନ୍ତ ଚାଲିଛି ନା ଆଉ କିଛି ବଡ଼ ଧରଣର ଘୋଟାଲା ହୋଇଛି ? ୨୫ ଲକ୍ଷ ଟଙ୍କା ଲାଞ୍ଚ କାରବାର ଘଟଣାରେ ଶିଳ୍ପପତି ମହିମା ମିଶ୍ରଙ୍କ ଭୂମିକା କ’ଣ ? ବଡ଼ ପୁଅ ଚନ୍ଦନଙ୍କୁ ସିବିଆଇ କାହିଁକି ବାରମ୍ବାର ଜେରା କରୁଛି। ଆଗକୁ ମହିମା ମିଶ୍ରଙ୍କ ପରିବାର ପାଇଁ ବିପଦ ପଡିବ କି ?

Comments are closed.