ମିଳୁନି ମୃତ ମହିଳାଙ୍କ ମୁଣ୍ଡ, ପୁଲିସ ଦିଗହରା

ଭୁବନେଶ୍ବରରେ ଅଚିହ୍ନା ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିବା ଘଟଣା

ଭୁବନେଶ୍ବର/ଚନ୍ଦକା: ଅନ୍ଧାରୁଆ-ଦାସପୁର ରାସ୍ତା କଡ଼ରୁ ଗୁରୁବାର ଏକ ମୁଣ୍ଡ ବିହୀନ ମୃତଦେହ ମିଳିଥିଲା। ମହିଳାଙ୍କୁ ହତ୍ୟା କରି ପ୍ରମାଣ ନଷ୍ଟ ଲାଗି ଅଭିଯୁକ୍ତ ଏହି ଅନ୍ଧାରିଆ ରାସ୍ତା କଡ଼ରେ ତାଙ୍କ ମୃତଦେହକୁ ଫିଙ୍ଗି ମୁଣ୍ଡ କାଟି ନେଇ ପଳାଇଥିଲା। ଏହି ଯୋଜନାବଦ୍ଧ ହତ୍ୟାକାଣ୍ଡ ସମ୍ପର୍କରେ ଶୁକ୍ରବାର ପୁଲିସ ତନାଘନା ଚଳାଇଥିଲେ ମଧ୍ୟ କୌଣସି ସୁରାକ୍‌ ପାଇନାହିଁ। ଏହି ସମ୍ବେଦନଶୀଳ ମାମଲାକୁ କମିସନରେଟ ପୁଲିସର ବରିଷ୍ଠ ଅଧିକାରୀ ତଦନ୍ତ କରୁଛନ୍ତି। ପୁଲିସର ଏକାଧିକ ଟିମ୍‌ ଏଥିପାଇଁ କାର୍ୟ୍ୟ କରୁଛି। ବର୍ତ୍ତମାନ ପର୍ୟ୍ୟନ୍ତ ଏହି ହତ୍ୟାକାଣ୍ଡରେ ପୁଲିସ ପାଖରେ କିଛି ବି ସୁରାକ୍‌ ପହଞ୍ଚି ପାରିନାହିଁ। ମହିଳାଙ୍କ ପରିଚୟ ପାଇବା ଲାଗି ଉଦ୍ୟମ ଜାରି ରହିଛି। କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ମୃତଦେହ ବ୍ୟବଚ୍ଛେଦ ପରେ ଶୁକ୍ରବାର ଏମ୍‌ସର ଏଫ୍ଏମ୍‌ଟି ବିଭାଗକୁ ପଠାଯାଇଥିଲା। ଅଧିକ ତଥ୍ୟ ପାଇଁ ବିଶେଷଜ୍ଞଙ୍କ ପରାମର୍ଶ ନେବା ଲାଗି ଦ୍ବିତୀୟ ବ୍ୟବଚ୍ଛେଦ କରାଯାଇଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

 

ସନ୍ଧାନୀ କୁକୁର ମୃତଦେହ ପଡ଼ିଥିବା ଘଟଣାସ୍ଥଳରୁ ନିକଟରେ ଥିବା ବାୟୋଟେକ୍‌ ଫାର୍ମ ପର୍ୟ୍ୟନ୍ତ ଯାଇଥିଲା। ତେଣୁ ଅତିରିକ୍ତ ଡିସିପି, ଜୋନ୍ ଏସିପି ଏବଂ ଚନ୍ଦକା ଥାନା ଅଧିକାରୀ ଶୁକ୍ରବାର ବାୟୋଟେକ୍‌ ଫାର୍ମ ପରିସରକୁ ଯାଇ କର୍ମଚାରୀଙ୍କୁ ପଚରାଉଚରା କରିଛନ୍ତି। ସେମାନଙ୍କଠାରୁ ପୁଲିସକୁ କିଛି ତଥ୍ୟ ମିଳିନାହିଁ। ଫାର୍ମରେ ମହିଳା ଜଣଙ୍କ କାମ କରୁ ନ ଥିବା ଜଣାପଡ଼ିଛି। ମହିଳାଙ୍କ ମୁଣ୍ଡ ଖୋଜିବା ଲାଗି ଏକାଧିକ ଟିମ୍‌ ଆଖପାଖ ଝାଡ଼ିଜଙ୍ଗଲ ଭିତ‌େ‌ର ଖୋଜାଖୋଜି କରିଥିଲେ। ହେଲେ ମୁଣ୍ଡ ମିଳିନାହିଁ। ଚନ୍ଦକା ଓ ଅନ୍ଧାରୁଆ ରାସ୍ତାରେ ଦିନ ତମାମ ପୁଲିସ ପଇଁତରା ମାରୁଥିବା ଦେଖିବାକୁ ମିଳିଥିଲା। କାଳେ ଗନ୍ଧ ପାଇ କୁକୁର ମୁଣ୍ଡକୁ ଖୋଜି ଖାଇବା ଆଶଙ୍କା କରିବ ସେଥିପାଇଁ ପୁଲିସ ରାସ୍ତାରେ ପଇଁତରା ମାରିଥିଲା। ମୁଣ୍ଡ ବିହୀନ ମହିଳାଙ୍କ ପରିଚୟ ଜାଣିବା ଲାଗି କମିସନରେଟ୍‌ ପୁଲିସ ଜିଲା ବାହାରକୁ ଯିବା ଉଦ୍ୟମ ଆରମ୍ଭ କରିଛି। ଗଣମାଧ୍ୟମରେ ମହିଳାଙ୍କ ସମ୍ପର୍କରେ ବ୍ୟାପକ ପ୍ରଚାର ସତ୍ତ୍ବେ ତାଙ୍କ ପରିଚୟ ମିଳି ପାରିନାହିଁ। ନୟାଗଡ଼ର ଜଣେ ନିଖୋଜ ମହିଳାଙ୍କ ପରିବାର ଲୋକେ ମୃତଦେହ ଚିହ୍ନଟ ଲାଗି ଆସିଥିଲେ। ଗତ ୩୦ ତାରିଖରୁ ମହିଳା ଜଣଙ୍କ ନିଖୋଜ ଥିଲେ। ହେଲେ ଲୁଗାପଟାରୁ ମହିଳା ଜଣକ ତାଙ୍କର ନୁହନ୍ତି ବୋଲି କହିଥିଲେ। ତେଣୁ ମହିଳାଙ୍କ ପରିଚୟ ଜାଣିବା ଲାଗି ଘଟଣାସ୍ଥଳର କିଛି ଫଟୋ ଏବଂ ଲୁଗାପଟାର ଫଟୋକୁ ନେଇ କମିସନରେଟ୍‌ ପୁଲିସ ଫ୍ଲେକ୍ସ ତିଆରି କରିଛି। ଏସବୁକୁ ଅନ୍ୟ ଜିଲାର ପ୍ରମୁଖ ବସ୍‌ଷ୍ଟାଣ୍ଡ ଓ ରେଳଷ୍ଟେସନରେ ଲଗାଯିବ ବୋଲି ଜୋନ୍ ଏସିପି ପ୍ରଭାସ ପାଲ୍‌ କହିଛନ୍ତି।
ଜବତ ଲୁଗାପଟାରୁ ମିଳୁନି ତଥ୍ୟ
ମହିଳାଙ୍କ ପିନ୍ଧା ଲୁଗାପଟାକୁ ପୁଲିସ ତନ୍ନତନ୍ନ କରି ଖୋଜାଖୋଜି କରିସାରିଲାଣି। ହେଲେ ସେଥିରୁ କିଛି ତଥ୍ୟ ମିିଳିପାରିନି। ଟେଲର ତିଆରି ବ୍ଲାଉଜ୍‌ ଆଦି ମିଳିଥିଲେ ତଦନ୍ତରେ ସହାୟକ ହୋଇଥାନ୍ତା। କିଣା ବ୍ଲାଉଜ୍‌ରୁ ତଥ୍ୟ ସଂଗ୍ରହ ସମ୍ଭବପର ହୋଇପାରିନି।
ହତ୍ୟାକାରୀ ଅତ୍ୟନ୍ତ ଚତୁର
କମିସନରେଟ୍‌ ପୁଲିସର ଅନେକ ବରିଷ୍ଠ ଅଧିକାରୀ ଗତକାଲି ଘଟଣାସ୍ଥଳକୁ ଯାଇଥିଲେ। ସକାଳ ୯ଟାରୁ ଅପରାହ୍ଣ ସାଢ଼େ ୩ଟା ପର୍ୟ୍ୟନ୍ତ ଅଧିକାରୀମାନେ ସେଠାରେ ରହି ସବୁକିଛି ଅନୁଧ୍ୟାନ କରିଥିଲେ। ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀକୁକୁର ମଧ୍ୟ ତଦନ୍ତ କରିବାକୁ ଯାଇଥିଲା। କେବଳ ରକ୍ତ ଲଗା ଛୁରି ବ୍ୟତୀତ ପୁଲିସକୁ କିଛି ମିଳିନାହିଁ। ନୂଆ ଛୁରିଟି ଘଟଣାସ୍ଥଳରେ ପଡ଼ିଥିଲା। ଛୁରିକୁ ନେଇ ତଦନ୍ତର କିଛି ବାଟ ଫିଟିପାରେ। ଉକ୍ତ ଛୁରି କେଉଁଠାରୁ କିଣାଯାଇଛି ତାକୁ ନେଇ ବିଭିନ୍ନ ଆଡ଼େ ଚିହ୍ନଟ କରିବା ସମ୍ଭବପର ନୁହେଁ। ହତ୍ୟାକାରୀ ଯେଉଁ ଗ୍ଲୋଭ୍‌ସ୍‌ ପିନ୍ଧିଥିଲା ତାକୁ ପୁଲିସ ସେଠାରୁ ପାଇଛି। ଛୁରିରେ ପୁଲିସକୁ କିଛି ବି ଫିଙ୍ଗରପ୍ରିଣ୍ଟ ମିଳିବ ନାହିଁ। ଅଭିଯୁକ୍ତ ନିଶ୍ଚିତ ଭାବେ ବିଭିନ୍ନ ଅପରାଧମୂଳକ ଧାରାବାହିକ ଦେଖିବା ପରେ ଏଭଳି କାଣ୍ଡ ଘଟାଇ ଥାଇପାରେ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।

Comments are closed.