ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ରର ନାମ ବିହୀନ ଚିଠିକୁ ନେଇ ବିଜେପିର ତୁମ୍ବିତୋଫାନ ହାସ୍ୟାସ୍ପଦ: କଂଗ୍ରେସ

ଭୁବନେଶ୍ୱର: ଗତ ୨୬ ତାରିଖରେ କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ପକ୍ଷରୁ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କ ପାଖକୁ ଯେଉଁ ଚିଠି ଆସିଛି ତାହା ଏକ ଗୁରୁତ୍ଵହୀନ ଚିଠି ବୋଲି କଂଗ୍ରେସ କହିଛି। ଏମିତି ଚିଠି କେନ୍ଦ୍ର ସରକାରଙ୍କ ଅଫିସର କେମିତି ଲେଖି ପାରିଲେ ବୋଲି କଂଗ୍ରେସ ଆଶ୍ଚର୍ଯ୍ୟ ପ୍ରକଟ କରିଛି।
ଏହି ଚିଠିରେ କେଉଁ ଆଇଏଏସ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ତାଙ୍କର ନାମ ଉଲ୍ଲେଖ କରାଯାଇ ନାହିଁ। କିଭଳି ଏବଂ କେଉଁ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ ଓ କେତେଦିନ ଭିତରେ କାର୍ଯ୍ୟାନୁଷ୍ଠାନ ନିଆଯିବ ସେ ବିଷୟରେ କୌଣସି ଉଲ୍ଲେଖ ନାହିଁ । ଏହା ଏକ ବିଚିତ୍ର ପ୍ରକାରର ଚିଠି ବୋଲି କହିବା ସହିତ ଏଭଳି ଚିଠିର କୌଣସି ଗୁରୁତ୍ଵ ନାହିଁ ବୋଲି କଂଗ୍ରେସ ପ୍ରବକ୍ତା ସୁଦର୍ଶନ ଦାସ ସାମ୍ବାଦିକ ମାନଙ୍କୁ କହିଛନ୍ତି।

ସୁଦର୍ଶନ କହିଛନ୍ତି, ସମ୍ବିଧାନର ଧାରା ୩୦୯, ୩୧୯ ଓ ୩୨୦ରେ ସର୍ବ ଭାରତୀୟ ପ୍ରଶାସନିକ ସେବା ବିଷୟରେ ବିଶଦ ଉଲ୍ଲେଖ କରାଯାଇଛି ଏବଂ ତାର ନିୟମ କାନୁନ୍ କେଉଁ କେଉଁ କାରଣରୁ ଉଲ୍ଲଂଘନ ହୁଏ ଏବଂ ସେ କ୍ଷେତ୍ରରେ କିଭଳି କାର୍ଯ୍ୟାନୁଷ୍ଠାନ ନିଆଯିବ, ସେସବୁ ବିଷୟରେ ସବିଶେଷ ବର୍ଣ୍ଣନା କରାଯାଇଛି। ଏ ଚିଠିରେ ସେ ବିଷୟରେ କୌଣସି ଉଲ୍ଲେଖ ନାହିଁ। ପୁନଶ୍ଚ କେନ୍ଦ୍ର ସରକାରଙ୍କ ମଧ୍ୟ ନିଜସ୍ଵ ଗୁଇନ୍ଦା ସଂସ୍ଥା ରହିଛି । ତା’ ମାଧ୍ୟମରେ ମଧ୍ୟ କେନ୍ଦ୍ର ସରକାର ଯେ କୌଣସି ସର୍ବଭାରତୀୟ ସେବା ଅଧିକାରୀଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିପାରିବେ ଏବଂ ସେ ତାଙ୍କର ଚାକିରୀର ନିୟମ କାନୁନକୁ ଉଲ୍ଲଂଘନ କରୁଛନ୍ତି କି ନାହିଁ ତାହା ଜାଣି ପାରିବେ। ସେକଥା ନକରି କେନ୍ଦ୍ର ସରକାର ଅଭିଯୋଗକୁ ଆଖି ଠାର ମାରିଲା ଭଳି ଗୋଟିଏ ବାକ୍ୟର ଚିଠିଟିକୁ ଲେଖିବା ପଛରେ ଅଭିଯୋଗର ଗୁରୁତ୍ଵକୁ ହାଲୁକା କରିବାର ପ୍ରୟାସ କରିଛନ୍ତି ବୋଲି ସୁଦର୍ଶନ ଅଭିଯୋଗ କରିଛନ୍ତି।

ଏଭଳି ଗୁରୁତ୍ଵ ବିହୀନ ଚିଠିକୁ ନେଇ ବିଜେପି ନେତାମାନେ ଯେଉଁ ଟୁମ୍ବି ତୋଫାନ କରୁଛନ୍ତି ତାହା ମଧ୍ୟ ବେଶ୍ ହାସ୍ୟାସ୍ପଦ। ବାସ୍ତବରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇ ବିଜେଡିକୁ ଅସନ୍ତୁଷ୍ଟ କରିବାକୁ ଚାହେଁ ନାହିଁ। କେବଳ ଲୋକ ଦେଖାଣିଆ ଭାବରେ ସେମାନଙ୍କ ବିରୋଧ ସୀମିତ। ସେଥିରେ ଆନ୍ତରିକତା କମ୍, ସଠତା ବେଶୀ ବୋଲି ସେ କଟାକ୍ଷ କରିଛନ୍ତି। ଅପରପକ୍ଷେ, ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ପ୍ରତି କେହି କୁଠାରଘାତ କଲେ କଂଗ୍ରେସ ତାହାର ପ୍ରତିବାଦ କରିବ ବୋଲି କହିଛନ୍ତି କଂଗ୍ରେସ ପ୍ରବକ୍ତା ସୁଦର୍ଶନ ଦାସ।

Comments are closed.