MEllora 950×100

ରଥଯାତ୍ରା ପୂର୍ବରୁ ଆରମ୍ଭ ହେବ ‘ଜଗନ୍ନାଥ ଏକ୍ସପ୍ରେସ’

ଭୁବନେଶ୍ବର: ରାଜ୍ୟବାସୀ ଓ ସମସ୍ତ ଜଗନ୍ନାଥ ପ୍ରେମୀଙ୍କ ପାଇଁ ବଡ ଖୁସି ଖବର। ଆସନ୍ତାବର୍ଷ ରଥଯାତ୍ରା ପୂର୍ବରୁ ଗଡ଼ିବ ‘ଜଗନ୍ନାଥ ଏକ୍ସପ୍ରେସ ରେଳ । ପୂର୍ବତଟ ରେଳପଥର ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବା ନିମନ୍ତେ ଭୁବନେଶ୍ୱର ଗସ୍ତରେ ଆସିଥିବା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶନିବାର ଏହି ଘୋଷଣା କରିଛନ୍ତି।
ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି, ଭାରତର କଳା ସଂସ୍କୃତିକୁ ବିଶ୍ବସ୍ତରରେ ପ୍ରଚାର କରିବା ଲାଗି କେନ୍ଦ୍ର ସରକାର ଏକାଧିକ ବେସଡ୍‌ ତଥା ବିଷୟବସ୍ତୁ ଆଧାରିତ ରେଳ ସେବା ଆରମ୍ଭ କରିଛନ୍ତି। ଏହି ଯୋଜନା ମାଧ୍ୟମରେ ରେଳ ଗୁଡିକୁ ଏକ ନିର୍ଦିଷ୍ଟ ବିଷୟବସ୍ତୁକୁ ଆଧାର କରି ଡିଜାଇନ କରାଯିବ। ଏହି ଯୋଜନା ନାମ ରଖାଯାଇଛି ‘ଭାରତ ଗୌରବ ରେଳ’। ତେବେ ଭାରତ ଗୌରବ ପ୍ରକଳ୍ପ ଅଧୀନରେ ଅନ୍ତର୍ଭୁକ୍ତ ହୋଇ ଗଡ଼ିବ ‘ଜଗନ୍ନାଥ ଏକ୍ସପ୍ରେସ। ଏହି ପ୍ରକଳ୍ପ ଅଧୀନରେ ଏହା ହେବ ଦ୍ୱିତୀୟ ଏକ୍ସପ୍ରେସ। ଏହା ପୂର୍ବରୁ ଉକ୍ତ ପ୍ରକଳ୍ପ ଅଧୀନରେ ରାମାୟଣ ଏକ୍ସପ୍ରେସ ଗଡ଼ୁଥିବା ବେଳେ ତାହା ରାମାୟଣର ପ୍ରଚାର ପ୍ରସାର କରୁଛି। ‘ଜଗନ୍ନାଥ ଏକ୍ସପ୍ରେସର ନକ୍ସା ପ୍ରସ୍ତୁତ ହୋଇ ସାରିଛି। ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାର କରିବା ସହ ଜଗନ୍ନାଥ ସଂସ୍କୃତି ଏଥିରେ ପ୍ରଦର୍ଶିତ କରାଯିବ। ‘ଜଗନ୍ନାଥ ଏକ୍ସପ୍ରେସ କେଉଁ ଅଞ୍ଚଳରୁ କେଉଁ ଅଞ୍ଚଳକୁ ଗଡ଼ିବ ସେନେଇ କିଛି ସୂଚନା ଦେଇ ନାହାନ୍ତି ରେଳମନ୍ତ୍ରୀ। କିନ୍ତୁ ଜଗନ୍ନାଥ ଏକ୍ସପ୍ରେସ ମାଧ୍ୟମରେ ଜଗନ୍ନାଥ ସଂସ୍କୃତିର ପ୍ରଚାର କରାଯିବା ଦ୍ବାରା ଯାତ୍ରୀ ଜଗନ୍ନାଥ ସଂସ୍କୃତି, ଓଡ଼ିଶାର ଖାଦ୍ୟ, ଭାଷା ଆଦିର ଝଲକ ପାଇପାରିବେ। ଭାରତର ବିଭିନ୍ନ ଐତିହାସିକ ସ୍ଥାନ, କଳା, ଐତିହ୍ୟ ଗୁଡିକୁ ବିଶ୍ବବାସୀଙ୍କ ନିକଟରେ ପହଞ୍ଚାଇ ପାରିବ। ଅନ୍ୟପକ୍ଷରେ ରାଜ୍ୟରେ ଖୁବ୍‌ ଶୀଘ୍ର ‘ବନ୍ଦେ ଭାରତ ଏକ୍ସପ୍ରେସ ଗଡ଼ିବ ବୋଲି ସେ କହିଛନ୍ତି।

ରାଜ୍ୟ ସରକାର ମେଟ୍ରୋ ରେଳ ଚଳାଚଳ ଉପରେ ନିର୍ବାଚନ ଇସ୍ତାହାରରେ ଘୋଷଣା କରିଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ରେଳବାଇକୁ କୌଣସି ପ୍ରସ୍ତାବ ଦିଆଯାଇ ନାହିଁ। ରାଜ୍ୟ ସରକାର କେନ୍ଦ୍ରକୁ ପ୍ରସ୍ତାବ ଦେଲେ ଓଡ଼ିଶାରେ ମେଟ୍ରୋ ରେଳ ପ୍ରକଳ୍ପ ଆରମ୍ଭ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି। ୟୁପିଏ ସରକାର ଅମଳରେ ଅର୍ଥାତ ୨୦୧୪ ପୂର୍ବରୁ ଓଡ଼ିଶାକୁ ମିଳୁଥିବା ରେଳ ଅନୁଦାନ ଓ ଏବେ ରେଳ ଅନୁଦାନ ମଧ୍ୟରେ ଆକାଶ ପାତାଳ ତଫାତ ରହିଛି। ୟୁପିଏ ଶାସନ ସମୟରେ ଓଡ଼ିଶାକୁ ବର୍ଷକୁ ମାତ୍ର ୮୩୦ କୋଟି ଟଙ୍କା ଅନୁଦାନ ମିଳୁଥିଲା। ମୋଦୀ ସରକାର ଆସିବା ପରେ ପ୍ରଥମେ ଦୁଇଗୁଣା, ତା’ପରେ ୪ ଗୁଣା ଓ ଚଳିତ ବର୍ଷ ୧୦ ଗୁଣା ହୋଇ ୧୦ ହଜାର କୋଟି ଟଙ୍କା ଅନୁଦାନ ଓଡ଼ିଶାକୁ ଆସିଛି। ୟୁପିଏ ସରକାର ବେଳେ ଓଡ଼ିଶାରେ ବର୍ଷକୁ ୨୦ରୁ ୨୫ କିମି ନୂଆ ରେଳ ଲାଇନ ତିଆରି ହେଉଥିଲା। ଗତବର୍ଷ ୧୮୦ କିମି ରେଳ ଲାଇନ ସମ୍ପୂର୍ଣ୍ଣ ହୋଇଛି। ବର୍ତ୍ତମାନ ସୁଦ୍ଧା ୨୩୦ କିମି ରେଳ ଲାଇନ୍ ନିର୍ମାଣ ସରିଗଲାଣି। ଆସନ୍ତାବର୍ଷ ମାର୍ଚ୍ଚ ସୁଦ୍ଧା ୫୫୦ କିମି ରେଳ ଲାଇନ ନିର୍ମାଣ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟରେ ୨୮ଟି ଷ୍ଟେସନର ବିଶ୍ବସ୍ତରୀୟ ଉନ୍ନତିକରଣ ପାଇଁ ଲକ୍ଷ୍ୟ ରହିଛି। କାମ ଆଗେଇ ଚାଲିଛି। ଯେଉଁଥିରେ ଟେଣ୍ଡର ପ୍ରକ୍ରିୟା ସମାପ୍ତ ହୋଇଛି ଏବଂ କାର୍ଯ୍ୟ ଚାଲିଛି। ସାରା ଓଡ଼ିଶାର ଯେଉଁ ରେଲୱେ ପ୍ରକଳ୍ପ ବାକି ରହିଛି, ତାକୁ ଆଗେଇ ନେବାକୁ ପଦକ୍ଷେପ ନିଆଯାଇଛି। ଭୁବନେଶ୍ୱର ଷ୍ଟେସନର ଉନ୍ନତିକରଣ କାମ ଚାଲିଥିବା ବେଳେ କ୍ୟାମ୍ପ ଅଫିସ ତିଆରି ସହ କେବଲିଂ କାମ ଚାଲିଛି। ପୁରୀ ଷ୍ଟେସନ ଉନ୍ନତିକରଣ କାମ ବି ଆରମ୍ଭ ହୋଇସାରିଛି।

ଓଡ଼ିଶାରେ ପ୍ରତି ଗାଁକୁ ଡିଜିଟାଲ ସଂଯୋଗ କରିବା ପାଇଁ ମୋଦୀ ସରକାର ୫ ହଜାର ୬୦୦ କୋଟି ଟଙ୍କା ଦେଇଛନ୍ତି। ଏବେ ସଞ୍ଚାରରୁ ଦୂରରେ ଥିବା ରାଜ୍ୟର ୭,୫୦୦ ଗ୍ରାମକୁ ସଞ୍ଚାର ଯୋଡ଼ିବ ଏବଂ ପରବର୍ତ୍ତୀ ସମୟରେ ୫ଜି ପର୍ଯ୍ୟାୟରେ ଓଡ଼ିଶାର ବହୁ ସହର ଯୋଡିହେବ। ପୂର୍ବତଟ ରେଳପଥ ମୁଖ୍ୟାଳୟରେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଏବଂ ଅନ୍ୟାନ୍ୟ ପ୍ରମୁଖ ବିଭାଗୀୟ ଅଧିକାରୀଙ୍କ ସହିତ ରେଳ ପ୍ରକଳ୍ପ ଗୁଡିକର ସମୀକ୍ଷା କରି ପ୍ରାଥମିକତା ଦେଇ ଚାଲୁ ରହିଥିବା ପ୍ରକଳ୍ପ ଗୁଡିକୁ ଶୀଘ୍ର ସମ୍ପାଦନ ପାଇଁ ନିର୍ଦେଶ ଦେଇଛନ୍ତି। ଯାହା ଦ୍ୱାରା ଚାଲୁ ରହିଥିବା ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଶେଷ ହେବ। ପ୍ରକଳ୍ପଗୁଡିକ ଶୀଘ୍ର ଶେଷ କରିବାକୁ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସମେତ ସମସ୍ତ ସଂସ୍ଥା ସହିତ ନିରନ୍ତର ସମ୍ପର୍କ ଏବଂ ସମନ୍ୱୟ ରକ୍ଷା କରିବାକୁ ସେ ରେଳ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି।
ଶ୍ରୀ ବୈଷ୍ଣବ ଓଡ଼ିଶା ନିର୍ମାଣ କନକ୍ଲେଭ -୨୦୨୨ ରେ ଅଂଶ ଗ୍ରହଣ କରିଥିଲେ। ରେଳବାଇରେ ଏକାଧିକ ରୂପାନ୍ତରଣ, ନୂତନ ଉଦ୍ଭାବନ, ପ୍ରକଳ୍ପର ଶୀଘ୍ର ସମାପ୍ତି, ବନ୍ଦର ସଂଯୋଗ ସହିତ ଭାରତୀୟ ରେଳବାଇରେ ପରିବର୍ତ୍ତନ ଉପରେ ମତ ରଖିଥିଲେ।

Comments are closed.