ମଞ୍ଚଉପରୁ ନଡ୍ଡାଙ୍କ ସିଧାସିଧା ଟାର୍ଗେଟ୍‌; ରାଜ୍ୟରୁ ହଟିଲେ ବିଜେଡି, ଓଡ଼ିଶାର ହେବ ବିକାଶ

ଭୁବନେଶ୍ୱର: ସରଗରମ ରହିଛି ରାଜ୍ୟ ରାଜନୀତି । ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ତଥା ବିଜେଡି, ବିଜେପି ଓ କଂଗ୍ରେସ ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ରଣନୀତି ପ୍ରସ୍ତୁତ କଲେଣି । ଗତ କିଛିଦିନ ହେବ ରାଜ୍ୟକୁ କେନ୍ଦ୍ର ମନ୍ତ୍ରୀଙ୍କ ଘନଘନ ଗସ୍ତପରେ ଗତକାଲିଠୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ନଡ୍ଡା ଗତାକଲି ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜ୍ୟ କାର୍ଯ୍ୟାଳୟ ଯାଏଁ ବିଶାଳ ବାଇକ ରାଲି ଯୋଗେ ଶୋଭାଯାତ୍ରା କରିଥିଲେ । ପରେ ଭୁବନେଶ୍ଵର ସ୍ଥିତ ଜନତା ମଇଦାନ ଠାରେ  ବିଜେପି ଶକ୍ତିକେନ୍ଦ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗ ଦେଇ ଶାସକ ଦଳ ଉପରେ ଖୁବ୍‌ ବର୍ଷିଥିଲେ ।

ଖାଲି ସେତିକି ନୁହେଁ ଦଳର ମନ୍ତ୍ରୀ ମାନଙ୍କୁ ମଧ୍ୟ ସିଧାସିଧା ଟାର୍ଗେଟ କରିଥିଲେ ଜେ.ପି ନଡ୍ଡା  । ସେହିପରି ଆଜି ମଧ୍ୟ ରାଜ୍ୟ ସରକାରଙ୍କ ଉପରେ ଗର୍ଜିଛନ୍ତି  ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ସଂଯୁକ୍ତ ମୋର୍ଚ୍ଚା ସମାବେଶରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ରାଜ୍ୟ ସରକାରଙ୍କୁ ସିଧାସିଧା ଟାର୍ଗେଟ କରିଛନ୍ତି । ସେ ତାଙ୍କ ଅଭିଭାଷଣରେ ଓଡ଼ିଶାକୁ ବିଜେଡି ମୁକ୍ତ କରିବାକୁ ଆହ୍ବାନ ଦେଇଛନ୍ତି । ସେ କହିଛନ୍ତି କି, ବିକଶିତ ଭାବେ ଭାରତକୁ ଦେଖିବାର ଅଛି  । ଭାରତକୁ ବିକଶିତ ଭାବେ ଦେଖିବାକୁ ହେଲେ, ବିକଶିତ ଓଡ଼ିଶାକୁ ବି ଦେଖିବାକୁ ହେବ । ବିକଶିତ ଓଡ଼ିଶା ଦେଖିବାର ଅଛି ତ ଓଡ଼ିଶାକୁ ବିଜେଡି ମୁକ୍ତ କରିବାକୁ ପଡ଼ିବ ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦିଆଯାଉଛି । ହେଲେ ବିଜୁ ପକ୍କା ଘର ନାମରେ ନାମକରଣ କରାଯାଉଛି । କାମ କରୁଛି ଜଣେ, ହେଲେ ବାହାବାହା ଆଉ ଜଣେ ନେଉଛି ବୋଲି କହିଛନ୍ତି ଜେପି ନଡ୍ହା । ଏସବୁ କଥାକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ନଡ୍ଡା କର୍ମୀଙ୍କ ନିକଟରେ ଅପିଲ କରିଛନ୍ତି । ଖାଲି ସେତିକି ନୁହେଁ, ମଞ୍ଚରୁ ରାଜ୍ୟ ସରକାରଙ୍କୁ ନଡ୍ଡା କଡ଼ା ସମାଲୋଚନା କରିବା ସହ ଓଡ଼ିଶାରେ ରକ୍ଷକ ଭକ୍ଷକ ସାଜିଛି ବୋଲି କହିଛନ୍ତି । ରାଜ୍ୟର ୩ ମନ୍ତ୍ରୀଙ୍କ ନାଁରେ ହତ୍ୟା ଅଭିଯୋଗ ରହିଛି । ଯଦି ମନ୍ତ୍ରୀ ହତ୍ୟାରେ ସାମିଲ ଥିବେ ତେବେ ଏଠାରେ କି ଶାସନ ଚାଲିବ ବୋଲି ସେ ପ୍ରଶ୍ନ କରିଛନ୍ତି । ଏଥି ସହିତ ରକ୍ଷକ ରୂପୀ ଭକ୍ଷକ ସାଜିଥିବା ସରକାରଙ୍କୁ କାର୍ଯ୍ୟରୁ ଛୁଟି ଦିଅନ୍ତୁ ବୋଲି ରାଜ୍ୟବାସୀଙ୍କୁ କହିଛନ୍ତି ନଡ୍ଡା ।

 

Comments are closed.