ବିଧାନସଭା ସ୍ଥାୟୀ କମିଟି ସୁପାରିସ; ବିଜୁଙ୍କ ପ୍ରିୟ ଡାକୋଟା ବିମାନ ତୁରନ୍ତ ଆଣ

ଭୁବନେଶ୍ୱର: କଲକାତାର ନେତାଜୀ ସୁଭାଷଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଥିବା ବିଜୁବାବୁଙ୍କ ପ୍ରିୟ ଡାକୋଟା ବିମାନ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ସ୍ଥାନାନ୍ତର ସହିତ ଏହାର ନବୀକରଣ କରାଯାଇ ସଂଗ୍ରହାଳୟରେ ସୁରକ୍ଷିତ ରଖିବା ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ବିଧାନସଭା ସ୍ଥାୟୀ କମିଟି ସରକାରଙ୍କୁ ସୁପାରିସ କରିଛି। ଏଥିପାଇଁ ପୂର୍ବରୁ ରାଜ୍ୟ ସରକାର ଏକ କମିଟି ଗଠନ କରିଥିଲେ ହେଁ ସେ ଦିଗରେ ବିଶେଷ କିଛି ପଦକ୍ଷେପ ଗ୍ରହଣ କରାଯାଇ ନଥିବା ଜାଣିବା ପରେ କମିଟି ଏଭଳି ସୁପାରିସ କରିଛି। ରାଜ୍ୟର ନିର୍ମାଣାଧୀନ ୫୫ଟି ବସ୍‌ଷ୍ଟାଣ୍ଡ ପାଇଁ ୨୧୦କୋଟି ଓ ଅଧିକ ୧୦୦ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ୫୦୦କୋଟିର ବ୍ୟବସ୍ଥା କରାଯିବାକୁ କମିଟି ମତ ରଖିଛି। ଅର୍ଥାତ ୧୫୫ ବସ୍‌ଷ୍ଟାଣ୍ଡ ପାଇଁ ମୋଟ ୭୧୦କୋଟି ଟଙ୍କାର ବରାଦ କରାଯିବାକୁ  କମିଟି ସୁପାରିସ କରିଛି।

ବାଣିଜ୍ୟ ଓ ପରିବହନ ବିଭାଗ ପାଇଁ ଗଠିତ ବିଧାନସଭା ସ୍ଥାୟୀ କମିଟି ସରକାରଙ୍କୁ ୨୫ଟି ଭିନ୍ନ ଭିନ୍ନ ପ୍ରସଙ୍ଗରେ ତ୍ୱରିତ କାର୍ଯ୍ୟପନ୍ଥା ଗ୍ରହଣ   ନିମନ୍ତେ ପରାମର୍ଶ ଦେଇଛନ୍ତି। ଓଡ଼ିଆ ପିଲାଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରେ ଅଗ୍ରାଧିକାର ଭିତ୍ତିରେ ପାଇଲଟ ତାଲିମ ପ୍ରଦାନର ବ୍ୟବସ୍ଥା କରିବାକୁ ମଧ୍ୟ କମିଟି ମତ ରଖିଛି। ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ କ୍ଷତିରେ ଚାଲୁଥିବାରୁ ଏହାକୁ କିପରି ଦକ୍ଷ ଓ ଲାଭଜନକ କରାଯାଇପାରିବ ସେ ଦିଗ ଉପରେ କମିଟି ଅନୁଧ୍ୟାନ କରିଛି।

ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଅଧୀନରେ ଚାଲୁଥିବା ବସ୍‌ଗୁଡ଼ିକୁ ଘରୋଇ ବସ୍‌ ଭଳି ରାଜ୍ୟ ପରମିଟ ପ୍ରଦାନ,  ଏହାର ସେବା ଅଧିକ ଅଞ୍ଚଳକୁ ସମ୍ପ୍ରସାରଣ,  ଭାରତ ସରକାରଙ୍କ ଅର୍ଥ ମନ୍ତ୍ରାଳୟ ସୁପାରିସ ଆଧାରରେ ରାଜ୍ୟ ପରିବହନ ଅଣ୍ଡରଟେକିଂ ବସ୍‌ଗୁଡ଼ିକ ପାଇଁ ମୋଟର ଯାନ ଟିକସ ଓ ପରମିଟ୍‌ ଫି’ ପ୍ରଦାନ ଛାଡ଼  ପାଇଁ ପରାମର୍ଶ ଦିଆଯାଇଛି। ଏହାଦ୍ୱାରା ଏହି ବସ୍‌ଗୁଡ଼ିକର ପରିଚାଳନାଗତ କ୍ଷତି କମିବା ସହିତ ବସ୍‌ ପରିଚାଳନାକୁ ଅଧିକ ସକ୍ରିୟ କରାଯାଇପାରିବ ଏବଂ ଯାତ୍ରୀ ଭଡ଼ା ବି ହ୍ରାସ ପାଇବ ବୋଲି କୁହାଯାଇଛି। ସେହିପରି ଓଏସ୍‌ଆରଟିସି  ବସ୍‌ଗୁଡ଼ିକରୁ ସବୁ ଟିକସ ଛାଡ଼ କରିବା,  ପ୍ରତିବର୍ଷ ଓଏସଆରଟିସି ନୂଆ ବସ୍‌ କିଣି ଏହାର  ସଂଖ୍ୟା ବଢ଼ାଇବା ସହିତ ୨୦୨୨-୨୩ରେ ୪୧୦ଟି ବସ୍‌ କିଣିବା ନିମନ୍ତେ ୨୧୩କୋଟି ଟଙ୍କା ବଜେଟ ବ୍ୟବସ୍ଥା କରିବାକୁ ସୁପାରିସ କରାଯାଇଛି।

କମିଟି କହିଛି ପ୍ରଥମ ପର୍ଯ୍ୟାୟରେ ୨୪ଟି ଜିଲାରେ ନିର୍ମାଣାଧୀନ ୫୫ଟି ବସ୍‌ ଷ୍ଟାଣ୍ଡ ସମ୍ପୂର୍ଣ୍ଣ କରିବା ପାଇଁ ୨୧୦କୋଟି ଟଙ୍କା ମଞ୍ଜୁର କରାଯିବାର ଆବଶ୍ୟକତା ରହିଛି। ଦ୍ୱିତୀୟ ପର୍ଯ୍ୟାୟରେ ୧୦୦ ଅଧିକ ବସ୍‌ ଷ୍ଟାଣ୍ଡ ନିର୍ମାଣ ପାଇଁ ୫୦୦କୋଟି ଟଙ୍କା ବଜେଟ ବ୍ୟବସ୍ଥା କରିବା ଉପରେ ଗୁରୁତ୍ୱ ଦେବାକୁ ସୁପାରିସ କରାଯାଇଛି। କମିଟି ମତ ରଖିଛି ଯେ ଅଧିକାଂଶ ସ୍ଥାନରେ ସରକାରୀ ଜମି ଜବରଦଖଲରେ ଅଛି। ଏଗୁଡ଼ିକୁ ତୁରନ୍ତ ମୁକ୍ତ କରି ସୁରକ୍ଷିତ ରଖିବା ନିମନ୍ତେ ପାଚେରି ନିର୍ମାଣ କରାଯାଉ। ଏଥିଲାଗି ପ୍ରଥମ ପର୍ଯ୍ୟାୟରେ ଓଏସଆରଟିସିକୁ ୬.୧୦ କୋଟି ଓ ଦ୍ୱିତୀୟ ପର୍ଯ୍ୟାୟରେ ୧୫କୋଟି ଟଙ୍କା ମଞ୍ଜୁର କରାଯିବାର ଆବଶ୍ୟକତା ରହିଛି। ଯାତ୍ରୀଙ୍କ ସୁରକ୍ଷିତ ଯାତ୍ରା ନିମନ୍ତେ ବୈଷୟିକ ଜ୍ଞାନକୌଶଳ ଯୁକ୍ତ ଆଧୁନିକ ବସ୍‌ ଚଳାଚଳ ଉପରେ କମିଟି ଗୁରୁତ୍ୱ ଦେଇଛି। ଏଥିପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ତୁରନ୍ତ ୩୫କୋଟି ଟଙ୍କା ଯୋଗାଇଦେବାକୁ କୁହାଯାଇଛି। ସେହିପରି ଜିଆଇଏସ ଆଧାରିତ ଆସେସ୍‌ ମ୍ୟାନେଜମେଣ୍ଟ ସିଷ୍ଟମ ପାଇଁ କମିଟି ଓଏସ୍‌ଆରଟିସିର ଅନୁରୋଧକ୍ରମେ ୩.୫କୋଟି ଟଙ୍କା ମଞ୍ଜୁର କରିବାକୁ କୁହାଯାଇଛି। ଅବସରପ୍ରାପ୍ତ ୨୩୮୯ ଏସ୍‌ଟିଏସ କର୍ମଚାରୀଙ୍କ ବକେୟା ପ୍ରାପ୍ୟ ବାବଦରେ ୧୫.୬୪ କୋଟି ଟଙ୍କା ପ୍ରଦାନ, ସମସ୍ତ ମାମଲାର ତ୍ୱରିତ ସମାଧାନ, ଅବସରକାଳୀନ ପ୍ରାପ୍ୟ ସହିତ ଦୀର୍ଘ ଦିନ ଧରି ଓଏସ୍‌ଆରଟିସି କର୍ମଚାରୀଙ୍କ  ବକେୟା ବାବଦରେ ୨୫୬କୋଟି ପ୍ରଦାନ ନିମନ୍ତେ ବଜେଟରେ ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି।

ପଦ୍ମପୁରରୁ ବଲାଙ୍ଗୀର ଭାୟା ଆଗଲପୁର ଓ ସୋନପୁର ଦେଇ ବିଜୁ ଗାଁ ଗାଡ଼ି ଚଳାଚଳ, ବେତନଟିରେ ନୂଆ ବସ୍‌ଷ୍ଟାଣ୍ଡ ନିର୍ମାଣ, ମୋହନାରେ ବ୍ଲାକ୍‌ ସ୍ପଟ୍‌ ଚିହ୍ନଟ, ଦୁର୍ଘଟଣା ବାବଦ କ୍ଷତିପୂରଣ ରାଶି ପ୍ରଦାନ, ଜାତୀୟ ରାଜପଥରେ ବିଶ୍ରାମସ୍ଥଳୀ ନିର୍ମାଣ, ନୂଆ ଯୁବ ଆବେଦନକାରୀଙ୍କୁ ତୁରନ୍ତ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ, ଦକ୍ଷ ଡ୍ରାଇଭର ନିଯୁକ୍ତି, ପରିବହନ ବିଭାଗର ଖାଲିପଡ଼ିଥିବା ସ୍ଥାନରେ ବସ୍‌ଷ୍ଟାଣ୍ଡ ଏବଂ ଅନ୍ୟାନ୍ୟ ରୋଜଗାର ସୃଷ୍ଟି ପାଇଁ  କୋଠାବାଡ଼ି ନିର୍ମାଣ, ଦୁର୍ଘଟଣା ଏଡ଼ାଇବା ପାଇଁ ସ୍କୁଲ ବସ୍‌, ଅଟୋ କଡ଼ାକଡ଼ି ଯାଞ୍ଚ, ପର୍ଯ୍ୟଟନସ୍ଥଳୀକୁ ଅଧିକ ବସ୍‌ ଚଳାଚଳ, ନିଶାସକ୍ତ ଚାଳକ ତଥା ବିନା ହେଲମେଟ ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ  ପାଇଁ ପଦକ୍ଷେପ ‌େ‌ନବାକୁ କମିଟି ସୁପାରିସ କରିଛି।

Comments are closed.