ବଞ୍ଚିଗଲା ଅମୂଲ୍ୟ ଜୀବନ

ତମାଣ୍ଡୋ: ନିଜ ପାରିବାରିକ ସମ୍ପର୍କ ଥିବା ଜଣେ ଯୁବକକୁ ଭଲପାଇ ବିବାହ କରିବାକୁ ମନସ୍ଥ କରିଥିବା ଓ ସେଥିରେ ବାଧା ଉପୁଜିବାରୁ ନିଜ ଜୀବନ ହାରି ଦେବାକୁ ଉଦ୍ୟମ କରୁଥିବା ଯୁବତୀ ଜଣକୁ ଉଦ୍ଧାର କରିଛି ତମାଣ୍ଡୋ ଥାନା ପୁଲିସ। ଠିକ୍‌ ସମୟରେ ପୁଲିସ ପହଞ୍ଚିଯିବାରୁ ଯୁବତୀଙ୍କ ଅମୂଲ୍ୟ ଜୀବନ ରକ୍ଷା ହୋଇପାରିଛି। ସୂଚନା ମୁତାବକ ତମାଣ୍ଡୋ ଥାନା ଅଞ୍ଚଳର ଏକ ବହୁତଳ ପ୍ରସାଦରେ ଭଡ଼ାରେ ରହି ସ୍ଥାନୀୟ ଅଞ୍ଚଳର ଏକ ବେସରକାରୀ ସଂସ୍ଥାରେ କାର୍ଯ୍ୟ କରୁଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳର ଯୁବତୀ ଜଣକ ନିଜ ସମ୍ପର୍କୀୟଙ୍କୁ ଭଲପାଇ ଆସୁଥିଲେ। ତାଙ୍କୁ ବାହା ହୋଇ ଘର ସଂସାର କରିବାକୁ ମନେ ମନେ ସେ ସ୍ଥିର କରିନେଇଥିଲେ। ଏଥିରେ ପରିବାର ଲୋକେ ଘୋର ବିରୋଧ କରିଥିଲେ। ଫଳରେ ଯୁବତୀ ଜଣକ ମାନସିକ ଭାରସାମ୍ୟ ହରାଇ ନିଜ ଭଡାଘରେ ରଶି ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ପୁଲିସ ଗୁରୁବାର ଭୋର ସମୟରେ ସେଠାରେ ଚଢଉ କରିଥିଲା। ଘରର କାଚ ଭାଙ୍ଗି ପୁଲିସ ଘର ଭିତରକୁ ପ୍ରବେଶ କରି ଯୁବତୀ ଜଣଙ୍କୁ ଉଦ୍ଧାର କରିଥିଲା।

Comments are closed.