ଜୀବନ ହାରିଲେ ନବବଧୂ, ଭୁବନେଶ୍ବର ମଞ୍ଚେଶ୍ବର ଥାନାରେ ଏତଲା

କ୍ୟାନସର ଆକ୍ରାନ୍ତ କହି ବୋହୂକୁ ବାପ ଘରକୁ ପଠାଇ ଦେଇଥିଲେ ଶାଶୁ ଘର ଲୋକେ

ଭୁବନେଶ୍ୱର: ଧୁମ୍‌ଧାମରେ ହୋଇଥିଲା ବାହାଘର। ତେବେ ଜୁନ୍‌ ମାସରେ ବାହାଘର ହୋଇଥିବାବେଳେ ଅଗଷ୍ଟରେ ନବବଧୁ କରିଛନ୍ତି ଆତ୍ମହତ୍ୟା। କ୍ୟାନସର ହୋଇଛି କହି ବୋହୂକୁ ବାପ ଘରକୁ ପଠାଇ ଦେଲେ ଶାଶୁ ଘର ଲୋକେ। ଶାଶୁ ଘରକୁ ଫେରି ଯିବାକୁ ସବୁ ପ୍ରକାର ଉଦ୍ୟମ କରିଥିଲେ ନବବଧୁ। ଶେଷରେ ନିଜର ସମସ୍ତ ଉଦ୍ୟମ ବିଫଳ ହେବା ପରେ ଜୀବନ ହାରିଦେଲେ ନବବଧୂ। ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଜିଜିପି କଲୋନୀରୁ ଏଭଳି ଅଭିଯୋଗ ଆସିଛି। ତେବେ ମଞ୍ଚେଶ୍ବର ଥାନାରେ ନବବଧୁକୁ ନିର୍ଯାତନା ଦିଆଯାଇଥିବାରୁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।
ମିଳିଥିବା ସୂଚନା ଅନୁସାରେ ବାହାଘରର ମାତ୍ର ୧୨ ଦିନ ଭିତରେ କ୍ୟାନସର ହୋଇଛି କହି ବୋହୂକୁ ତା’ ବାପ ଘରକୁ ପଠାଇ ଦେଲେ ଶାଶୁ ଘର ଲୋକେ। କିନ୍ତୁ ପରେ ଜଣାପଡ଼ିଲା ତାଙ୍କୁ କ୍ୟାନସର ହୋଇ ନଥିଲା। କେବଳ ତାଙ୍କ ଦାନ୍ତରେ ସମସ୍ୟା ଥିଲା, ଯାହା ଏକ ସାମାନ୍ୟ ସର୍ଜରୀ ପରେ ଭଲ ହୋଇଯାଇଥିଲା। ଏହା ଜାଣିବା ପରେ ବି ଶାଶୁ ଘର ଲୋକେ ନବବଧୁକୁ ଆଉ ଧରାଛୁଆଁ ଦେଇ ନଥିଲେ। ଓଲଟି ମଧ୍ୟସ୍ଥିକୁ ଡାକି ବୋହୂକୁ ସେମାନେ ଆଉ ଘରକୁ ଆଣିବେ ନାହିଁ ବୋଲି ସଫା ସଫା ମନା କରି ଦେଇଥିଲେ। ଏ କଥା ନବବଧୂ ଜାଣିବା ପରେ ଭାଇର ଭଡ଼ା ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।
ମୃତ ନବବିବାହିତାଙ୍କ ନାଁ ପ୍ରଜ୍ଞା ପାରମିତା ସ୍ୱାଇଁ। ତାଙ୍କ ଘର କଟକ ଜିଲା ନିଆଳି ଥାନା ଲୁଣିଗାଁରେ। ବଡ଼ ଭାଇ ପ୍ରିୟବତ ସ୍ୱାଇଁ ଭୁବନେଶ୍ୱର ମଞ୍ଚେଶ୍ୱର ଥାନାରେ ଦେଇଥିବା ଏତଲାରେ ଦର୍ଶାଇଛନ୍ତି ଯେ ଗତ ଜୁନ୍ ୮ ତାରିଖରେ ଭୁବନେଶ୍ୱରର ପଟିଆରେ ରହୁଥିବା ପ୍ରଶାନ୍ତ କୁମାର ପାତ୍ରଙ୍କ ସହିତ ପ୍ରଜ୍ଞାଙ୍କର ବାହାଘର ହୋଇଥିଲା। ବିବାହ ବେଳେ ଦାବି ମୁତାବକ ଯୌତୁକ ଦିଆଯାଇଥିଲା। କିନ୍ତୁ ବିବାହର ମାତ୍ର ୧୨ ଦିନ ଭିତରେ ପ୍ରଜ୍ଞାଙ୍କୁ କ୍ୟାନସର ହୋଇଛି ବୋଲି କହି ତାଙ୍କ ଶାଶୁ ଓ ନଣନ୍ଦ ନିର୍ଯାତନା ଦେଇଥିଲେ। ଏହା ସହିତ ତାଙ୍କ ଶାଶୁ ଆମକୁ ଫୋନ୍ କରି ତୁମ ଝିଅକୁ ତୁମେ ନେଇ ଯାଅ ବୋଲି କହିଥିଲେ। ଆମ ଭଉଣୀଙ୍କୁ ସେମାନେ ରୋଗୀଣା ବୋଲି କହିଥିଲେ। ଆମେ ଅନ୍ୟ କୌଣସି ଉପାୟ ନପାଇ ଜୁନ୍ ୨୦ ତାରିଖ ଦିନ ପ୍ରଜ୍ଞାଙ୍କୁ ଶାଶୁ ଘରୁ ରସୁଲଗଡ଼ ସ୍ଥିତ ଆମ ଭଡ଼ାଘରକୁ ନେଇ ଆସିଥିଲୁ।

ଏହା ପରେ ଆମେ ପ୍ରଜ୍ଞାଙ୍କୁ ସମ୍ ହସ୍‌ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲୁ। ସେଠାରେ ଡାକ୍ତର ତାଙ୍କୁ ପରୀକ୍ଷା କରିବା ପରେ କ୍ୟାନସର ହୋଇନାହିଁ ବୋଲି କହିଥିଲେ। ପରୀକ୍ଷାରୁ କେବଳ ଦାନ୍ତ କ୍ଷୟ ଘଟୁଥିବା ଜଣାପଡ଼ିଥିଲା। ଏହାପରେ ସମହସ୍‌ପିଟାଲରେ ଡାକ୍ତର ଏକ ଛୋଟ ସର୍ଜରୀ କରିଥିଲେ ଏବଂ ତା’ପରେ ପ୍ରଜ୍ଞା ସଂପୂର୍ଣ୍ଣ ସୁସ୍ଥ ହୋଇଯାଇଥିଲେ। ଶାଶୁ ଘର ଲୋକେ ପ୍ରଜ୍ଞାଙ୍କ ଫୋନ୍ ଉଠାଉ ନଥିଲେ। ଏପରିକି ପ୍ରଜ୍ଞାଙ୍କ ନମ୍ବରକୁ ବ୍ଲକ୍ ଲିଷ୍ଟରେ ପକାଇ ଦେଇଥିଲେ। ଏଥିଯୋଗୁ ପ୍ରଜ୍ଞା ମାନସିକ ଚାପରେ ରହିଥିଲେ।
ଅପରପକ୍ଷରେ ଶାଶୁ ଘର ଲୋକେ ବାହାଘର ପାଇଁ ମଧ୍ୟସ୍ଥି ସାଜିଥିବା ସୁକାନ୍ତ ସେଠୀଙ୍କୁ ସେମାନଙ୍କ ପଟିଆ ସ୍ଥିତ ଘରକୁ ଡକାଇ ସେମାନେ ଆଉ ପ୍ରଜ୍ଞାକୁ ଗ୍ରହଣ କରିବେ ନାହିଁ ବୋଲି କହିଥିଲେ। ଏହି ଖବର ପାଇବା ପରେ ପ୍ରଜ୍ଞା ବିଷାଦଗ୍ରସ୍ତ ହୋଇଥିଲେ। ସେ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ସେଥିପାଇଁ ସେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ତାଙ୍କ ମୃତ୍ୟୁ ପାଇଁ ତାଙ୍କ ଶାଶୁ ଘର ଲୋକମାନେ ହିଁ ଦାୟୀ ବୋଲି ପ୍ରିୟବତ ସ୍ୱାଇଁ ତାଙ୍କ ଏତଲାରେ ଦର୍ଶାଇଛନ୍ତି।

Comments are closed.