ପାର୍କିଂକୁ ନେଇ ପୁଲିସ-କାର୍‌ ଚାଳକ ମୁହାଁମୁହିଁ, ମାଡ଼ରେ ଜଣେ ଲହୁଲୁହାଣ

ଭୁବନେଶ୍ୱର : ଏୟାରପୋର୍ଟ ଛକ ନିକଟରେ କାର୍‍ ପାର୍କିଂକୁ କେନ୍ଦ୍ର କରି ଶୁକ୍ରବାର ସନ୍ଧ୍ୟାରେ ପୁଲିସ ଏବଂ ଓଲା କାର୍‌ ଚାଳକ ମୁହାଁମୁହିଁ ହୋଇଥିଲେ। ପରେ ପରିସ୍ଥିତି ଏଭଳି ହୋଇଥିଲା ଯେ କାର୍‍ ଚାଳକ ଓ ପୁଲିସ କର୍ମଚାରୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ପୁଲିସ ମାଡ଼ରେ ଜଣେ ଓଲା କାର୍‍ ଚାଳକ ଲହୁଲୁହାଣ ହୋଇପଡ଼ିଥିଲେ। ଏହି ଘଟଣାକୁ ନେଇ ସେଠାରେ ୫୦ରୁ ଅଧିକ ଓଲା କାର୍‌ ଚାଳକ ପହଞ୍ଚିବା ପରେ ଏକପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ବରିଷ୍ଠ ପୁଲିସ ଅଧିକାରୀ ପହଞ୍ଚି ବୁଝାସୁଝା କରିବା ପରେ ଆହତ କାର୍‍ ଚାଳକଙ୍କୁ ଚିକିତ୍ସା ପାଇଁ ପଠାଯାଇଥିଲା। ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ପୁଲିସ କହିବା ଅନୁସାରେ ଏୟାରପୋର୍ଟ ଥାନାର କର୍ମଚାରୀ ଭ୍ୟାନ୍‍ରେ ପାଟ୍ରୋଲିଂ କରୁଥିବା ବେଳେ ଏୟାରପୋର୍ଟ ଛକରୁ ବିଜୁ ପଟ୍ଟନାୟକ ବିମାନବନ୍ଦରକୁ ସଂଯୋଗ କରୁଥିବା ରାସ୍ତା କଡ଼ରେ କେତେକ କାର୍‍ ଯାତ୍ରୀ ନେବାକୁ ପାର୍କିଂ କରିଥିଲେ। ତେବେ ପୁଲିସ କର୍ମଚାରୀ ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତା କଡ଼ରେ କାର୍‍ ପାର୍କିଂ ନ କରିବାକୁ କହିଥିଲେ। ତେବେ ରାସ୍ତାକଡ଼ରେ ଥୁଆ ହୋଇଥିବା ଏକାଧିକ କାର୍‍ ଚାଳକ ପୁଲିସ କର୍ମଚାରୀଙ୍କୁ ବିରୋଧ କରିଥିଲେ। ଉଭୟ ପୁଲିସ ଓ କାର୍‍ ଚାଳକଙ୍କ ମଧ୍ୟରେ କଥା କଟକାଟି ଆରମ୍ଭ ହୋଇଯାଇଥିଲା। ପରେ ପରିସ୍ଥିତି ଅଣାୟତ୍ତ ହୋଇଥିଲା। ପରସ୍ପର ହାତାହାତି ହୋଇଯାଇଥିଲେ। ଏହି ଘଟଣାରେ ଜଣେ କାର୍‍ ଚାଳକ ଆହତ ହେବାରୁ ଅନ୍ୟ ଚାଳକମାନେ ଏହି ଫଟୋକୁ ଭାଇରାଲ୍‍ କରିଥିଲେ। ସାମାଜିକ ଗଣମାଧ୍ୟମରେ ଏହି ଖବର ପ୍ରସାରିତ ହେବା ପରେ ବହୁ ସଂଖ୍ୟାରେ କାର୍‍ ଚାଳକ ଏକଜୁଟ୍‍ ହୋଇଯାଇଥିଲେ। ଖବର ପାଇ ଜୋନ୍‍ ଏସିପି ପି.ବି ପାତ୍ର, ଏସିପି ମାନସ ଗଡ଼ନାୟକ ଏବଂ ପରେ ଡିସିପି(ସିକ୍ୟୁରିଟି) ନିର୍ମଳ ଶତପଥୀ ପ୍ରମୁଖ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

Comments are closed.