୫ ଆନ୍ତଃଜିଲା ଡକାୟତ ଗିରଫ; ୧୯ ବାଇକ୍ ଜବତ

ଭବାନୀପାଟଣା : କଳାହାଣ୍ଡି ଜିଲା କେସିଙ୍ଗା ଥାନା ପୁଲିସ ୫ ଜଣ ଆନ୍ତଃଜିଲା ଡକାୟତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଏଥି ସହିତ ସେମାନଙ୍କଠାରୁ ୧୯ଟି ଚୋରା ମୋଟର ସାଇକେଲ, ୩ଟି ମୋବାଇଲ ଫୋନ, ଗୋଟିଏ ଡିଏସଏଲଆର କ୍ୟାମେରା, ୩ ହଜାର ଟଙ୍କା ଓ ଡକାୟତି କରିବାର ବିଭିନ୍ନ ସାମଗ୍ରୀ ଜବତ କରାଯାଇଥିବା କଳାହାଣ୍ଡି ଏସ୍ପି ଅଭିଳାଷ ଜୀ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।
ଗୁରୁବାର ଅପରାହ୍ନ ୫.୩୦ ମିନିଟ ସମୟରେ ଭବାନୀପାଟଣା ସ୍ଥିତ କଳାହାଣ୍ଡି ପୁଲିସ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କଳାହାଣ୍ଡି ଏସପି ଅଭିଳାଷ ଜୀ ପ୍ରକାଶ କରିଥିଲେ ଯେ, ଗତ ୭ ତାରିଖ ରାତ୍ର ୧ ଘଣ୍ଟା ସମୟରେ କେସିଙ୍ଗା ଥାନା ଅତିରିକ୍ତ ଆଇଆଇସି ଇନ୍ସପେକ୍ଟର ମମତା ହେମରମ ଓ ଅନ୍ୟ ପୁଲିସ କର୍ମଚାରୀମାନେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ କଳାହାଣ୍ଡି ଓ ବଲାଙ୍ଗୀର ସୀମାନ୍ତର ଜାତୀୟ ରାଜପଥ ୨୬ର ଅମାଠ ଛକ ନିକଟସ୍ଥ ଶିବ ମନ୍ଦିର ନିକଟରେ କିଛି ଯୁବକ ରାସ୍ତା ପାର୍ଶ୍ବରେ ମୋଟରସାଇକେଲ ରଖି ଡକାୟତି କରିବା ପାଇଁ ଯୋଜନା କରୁଥିବା ସମ୍ପର୍କରେ ବିଶେଷ ସୂତ୍ରରୁ ଖବର ପାଇ ତୁରନ୍ତ ଉକ୍ତ ସ୍ଥାନ ଉପରେ ଚଢ଼ାଉ କରିଥିଲେ । ପୁଲିସ ଗାଡି ଦେଖି ଉକ୍ତ ଯୁବକମାନେ ପଳାଇବା ପାଇଁ ଉଦ୍ୟମ କରିବା ସମୟରେ ପୁଲିସ ସେମାନଙ୍କୁ କାବୁ କରିନେଇଥିଲେ। ପୁଲିସ ସେମାନଙ୍କୁ କେସିଙ୍ଗା ଥାନା କୁ ଆଣି ଜେରା କରିବା ସମୟରେ ସେମାନେ ନିକଟ ସ୍ଥିତ ଗ୍ରାମରେ ଡକାୟତି କରିବା ସହିତ ଜାତୀୟ ରାଜପଥ ୨୬ରେ ରାହାଜାନୀ ଓ ଡକାୟତି କରିବା ପାଇଁ ଯୋଜନା କରୁଥିବା ପ୍ରକାଶ କରିଥିଲେ । ଏହି ଡକାୟତି ଗ୍ୟାଙ୍ଗର ମୁଖ୍ୟ ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଅଧିନର ଗୁନିମୁଣ୍ଡା ଗ୍ରାମରତାରିଣୀ ସେନ ଭୋଇ(୨୫), ବୌଦ୍ଧ ଜିଲ୍ଲାର କଣ୍ଟାମାଲ ଥାନା ଅଧିନର ଗୁଞ୍ଜେରମାଲ ଗ୍ରାମର କନ୍ଦ ମାଝୀ ଓରଫ ସୂର୍ଯ୍ୟମଣୀ(୨୩), ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଥାନା ଅଧିନର ଚାରଭାଟ୍ଟି ଗ୍ରାମର ଧୃବ ନାଗ ଓରଫ ଘାଶିରାମ(୨୫), କଳାହାଣ୍ଡି ଜିଲ୍ଲାର ଜୟପାଟଣା ଥାନା ଅଧିନର ବିମଲା ଗ୍ରାମର ପୁରୋଷତ୍ତମ ନାଏକ(୩୧) ଏବଂ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସଦରଥାନା ଅନ୍ତର୍ଗତ ଥୁଆପଦର ଗ୍ରାମର ବିପିନ ଖରସେଲ(୨୮) ବୋଲି ଜଣା ପଡିଥିଲା । କେସିଙ୍ଗା ଆଇଆଇସି ସତ୍ୟ କୁମାର ନନ୍ଦ ତନାଘନା ଜେରା କରିବା ପରେ ସେମାନେ କଳାହାଣ୍ଡି, ନୂଆପଡା, ବଲାଙ୍ଗୀର, ବୌଦ୍ଧ ଓ ରାୟଗଡା ଆଦି ଜିଲ୍ଲାର ବିଭିନ୍ନ ସ୍ଥାନରେ ବହୁ ଡକାୟତି, ଲୁଟ, ରାହାଜାନୀ ଆଦି ଘଟଣାରେ ସମ୍ପୃକ୍ତ ଥିବା ବୋଲି ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା । ବିଶେଷ କରି ଏହି ଡକାୟତି ଗ୍ୟାଙ୍ଗ ର ମୂଖ୍ୟ ତାରିଣୀ ସେନ ଭୋଇ ନାମରେ ଉପରୋକ୍ତ ଜିଲ୍ଲାରେ ୧୦ରୁ ଊର୍ଦ୍ଧ୍ବ ମାମଲାରେ ସମ୍ପୃକ୍ତ ଥିବା ଜଣାପଡିଛି । ପୁଲିସ ସେମାନଙ୍କଠାରୁ ୧୯ ଗୋଟି ଚୋରା ମୋଟର ସାଇକେଲ, ୩ଟି ମୋବାଇଲ ଫୋନ, ଗୋଟିଏ ଡିଏସଏଲଆର କ୍ୟାମେରା, ନଗଦ ୩ ହଜାର ଟଙ୍କା, ଡକାୟତି କରିବାପାଇଁ ବିଭିନ୍ନ ମାରଣାସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ସେମାନଙ୍କଠାରୁ ଜବତ କରିଥିଲେ । ବିଶେଷ କରି ଏହି ଡକାୟତି ଗ୍ୟାଙ୍ଗର ମୁଖ୍ୟ ତାରିଣୀ ସେନ ଭୋଇ ପୁଲିସର ମୋଷ୍ଟ ୱାଣ୍ଟେଡ଼ ଥିଲା ଓ ସେ ମଦନପୁରରାମପୁର ଓ ନର୍ଲା ଥାନା ଅଧିନର ମଦଭାଟ୍ଟି ଡକାୟତି ଓ ଜାତୀୟ ଓ ରାଜ୍ୟ ରାଜପଥର ବିଭିନ୍ନ ଡକାୟତି, ବୌଦ୍ଧ ଏବଂ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଡକାୟତି ଘଟଣାରେ ସମ୍ପୃକ୍ତ ରହିଥିଲା । ଦୀର୍ଘଦିନ ହେଲା ପୁଲିସ ତାକୁ ଧରିବା ପାଇଁ ଚଷ୍ଟା କରି ସଫଳ ହୋଇ ପାରିନଥିଲା ବୋଲି ଏସପି ଅଭିଳାଷ ଜୀ ପ୍ରକାଶ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ କେସିଙ୍ଗା ଥାନା ଆଇଆଇସି ସତ୍ୟ କୁମାର ନନ୍ଦ ଉପସ୍ଥିତ ଥିଲେ ।
Comments are closed.