ଭଙ୍ଗାବାରିରେ ମେଡ଼ିକାଲ କଲେଜ, ଉତ୍କେଲା-ଭୁବନେଶ୍ବର ବିମାନ ସେବା ଶୁବ୍‌ଶୀଘ୍ର

ମୁଖ୍ୟ ଶାସନ ସଚିବ ଓ ‘୫-ଟି’ ସଚିବଙ୍କ କଳାହାଣ୍ଡି ଗସ୍ତ

ଭବାନୀପାଟଣା: କଳାହାଣ୍ଡି ଜିଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାମର ତଦାରଖ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ‘୫-ଟି’ ସଚିବ ଭି.କେ. ପାଣ୍ଡିଆନଙ୍କ ସମେତ ଅନ୍ୟ ପଦାଧିକାରୀ ୩୧ ତାରିଖରେ ଦିନିକିଆ କଳାହାଣ୍ଡି ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପ, ସ୍କୁଲ ଓ ଜିଲା ମୁଖ୍ୟଚିକିତ୍ସାଳୟ ବୁଲି ଦେଖିବା ସହିତ ସମୀକ୍ଷା କରିଥିଲେ। ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର, ‘୫-ଟି’ ସଚିବ ଶ୍ରୀ ପାଣ୍ଡିଆନ୍‌, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭିନୀଲ କ୍ରିଷ୍ଣା ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନ ପରିଚାଳନା ନିର୍ଦେଶିକା ଶାଳିନୀ ପଣ୍ଡିତ ଉତ୍କେଲା ଉଡ଼ାଜାହାଜ ପଡ଼ିଆରେ ଓହ୍ଲାଇବା ପରେ ସେଠାରେ ଉତ୍କେଲା ବିମାନ ବନ୍ଦରର ସ୍ଥିତି, ଉନ୍ନତି, ଜମି ଅଧିଗ୍ରହଣ ସମ୍ପର୍କରେ ସବିଶେଷ ସମୀକ୍ଷା କରିବା ସହିତ ‘ଉଡ଼ାନ’ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ଉତ୍କେଲାରୁ ଭୁବନେଶ୍ୱର, ରାୟପୁରକୁ ସାପ୍ତାହିକ ବିମାନସେବା ଖୁବ ଶୀଘ୍ର ଆରମ୍ଭ ହେବ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ।

ଭବାନୀପାଟଣାସ୍ଥିତ ଭଙ୍ଗାବାରିଠାରେ ନିର୍ମାଣାଧୀନ ୧୦୦ ଆସନ ଓ ୬୫୦ ଶଯ୍ୟାବିଶିଷ୍ଟ ସରକାରୀ ମେଡିକାଲ କଲେଜ ଓ ଡାକ୍ତରଖାନା ନିର୍ମାଣ କାର୍ଯ୍ୟ ତଦାରଖ କରିବା ସହିତ ଉକ୍ତ ମେଡିକାଲ କଲେଜର ଅଧ୍ୟାପନା ବ୍ଲକ, ଅଡିଟୋରିୟମ୍‌, ପୁରୁଷ ଓ ମହିଳା ହଷ୍ଟେଲ ପରିଦର୍ଶନ କରିବା ସହିତ ଡିସେମ୍ବର ୩୧ ତାରିଖ ସୁଦ୍ଧା କାର୍ଯ୍ୟ ସାରିବା ପାଇଁ ନିର୍ଦେଶ ଦେଇଥିଲେ। ଏହାର ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରଦାନ କରିବା ପାଇଁ ରାସ୍ତା ଓ ଗୃହ ନିର୍ମାଣ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦେଶ ଦେଇଥିଲେ। ସମୀକ୍ଷା ବୈଠକରେ ଜିଲାର କୋଭିଡ୍‌ ପରିଚାଳନା ଓ କୋଭିଡ୍‌ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବାର ସ୍ଥିତି ସମ୍ପର୍କରେ ଜିଲାପାଳ ଡା. ଗାଭାଲି ପରାଗ ହର୍ସଦ ଓ ଜିଲା ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଡା. ପ୍ରତାପ କୁମାର ବେହେରାଙ୍କ ସମେତ ଆଲୋଚନା କରିବା ସହିତ କରୋନାର ତୃତୀୟ ଲହରର ମୁକାବିଲା ପାଇଁ କେଉଁ ପ୍ରକାର ପଦକ୍ଷେପ ନିଆଯାଇଛି ତାହା ପଚାରି ବୁଝିଥିଲେ। ଏଥିସହ ଜିଲାରେ ଆରଟିପିସିଆର୍‌ ପରୀକ୍ଷା ଉପରେ ଅଧିକ ଗୁରୁତ୍ୱ ଦେବା ପାଇଁ ନିର୍ଦେଶ ଦେଇଥିଲେ।

‘୫-ଟି’ ସଚିବ ଜିଲାର ମା ଇନ୍ଦ୍ରାବତୀ ଟେମ୍ପୁଲ୍‌ କମ୍ପେକ୍ସ, ନୂତନ ବସ୍‌ଷ୍ଟାଣ୍ଡ, ଉତ୍କେଲା ବିମାନ ବନ୍ଦର, ନାନ୍ଦୁଲ ଜଳସେଚନ ପ୍ରକଳ୍ପ, ବୃହତ୍‌ ଉଠା ଜଳସେଚନ ପ୍ରକଳ୍ପ, ବଲାଙ୍ଗିର-କେସିଙ୍ଗା ୨୨୦ କେଭି ଲାଇନ୍‌, ବିଦ୍ୟୁତ ଏକ୍ସପ୍ରେସ ୱେ, ଭବାନୀପାଟଣାରେ ନିର୍ମାଣାଧୀନ ଟାଉନହଲ, ଅଇଟିଆଇର ବିକାଶ କାର୍ଯ୍ୟ ସମ୍ପର୍କରେ ସଂପୃକ୍ତ ଅଧିକାରୀ ମାନଙ୍କୁ ‘୫-ଟି’ ସଚିବ ଓ ମୁଖ୍ୟ ଶାସନ ସଚିବ ପଚାରି ବୁଝିଥିଲେ। ନର୍ଲା ବୈଦ୍ୟୁତିକ ରେଳ ଇଞ୍ଜିନ କାରଖାନା (ରେଳ ଲୋକମେଟିଭ୍‌) ପାଇଁ ଜମି ଅଧିଗ୍ରହଣ, ଜଙ୍ଗଲ ଅନୁମତି ସମ୍ପାଦନ ପାଇଁ ଜିଲାପାଳଙ୍କୁ ନିର୍ଦେଶ ଦେଇଥିଲେ। ପରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଓ ‘୫-ଟି’ ସଚିବ ଶ୍ରୀ ପାଣ୍ଡିଆନ୍‌ଙ୍କ ସମେତ ଅନ୍ୟ ଅଧିକାରୀମାନେ ଭବାନୀପାଟଣା ପୁରୁଣାପଡ଼ାସ୍ଥିତ ଟାଉନ ହାଇସ୍କୁଲ ଏବଂ ବ୍ରଜମୋହନ ହାଇସ୍କୁଲ ପରିଦର୍ଶନ କରିଥିଲେ।

ଉକ୍ତ ଦୁଇ ହାଇସ୍କୁଲରେ କାର୍ଯ୍ୟକାରୀ ହେଉଥିବା ସ୍ମାର୍ଟ ଶ୍ରେଣୀଗୃହ, ଲାଇବ୍ରେରୀ, ଇ-ଲାଇବ୍ରେରୀ, ଆଇସିଟି ପରୀକ୍ଷାଗାର, ଶୌଚାଳୟ, ବିଜ୍ଞାନ ପରୀକ୍ଷାଗାର ଆଦି ପରିଦର୍ଶନ କରିବା ସହିତ ପ୍ରଧାନଶିକ୍ଷକ ଓ ଶିକ୍ଷକ/ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ବ୍ରଜମୋହନ ହାଇସ୍କୁଲର ପୂରାତନ ଛାତ୍ର ମାନଙ୍କର ସମ୍ପୂର୍ଣ୍ଣ ବିବରଣୀ ଶିକ୍ଷକଙ୍କ ଠାରୁ ଗ୍ରହଣ କରିଥିଲେ। ‘୫-ଟି’ ସଚିବ ଶ୍ରୀ ପାଣ୍ଡିଆନ୍‌ ସ୍କୁଲ ରୁପାନ୍ତରଣ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ ପାଇଁ ନିର୍ଦେଶ ଦେଇଥିଲେ। ପରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ନିର୍ମାଣାଧୀନ ଅମ୍ଳଜାନ ପ୍ଲାଣ୍ଟର କାର୍ଯ୍ୟ ତଦାରଖ କରିବା ସହିତ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ଜିଲାପାଳଙ୍କୁ ନିର୍ଦେଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଜିଲାପାଳ ଡା. ଗାଭାଲି ପରାଗ ହର୍ସଦ, ଏସ୍‌ପି ଡ. ଶ୍ରବଣ ବିବେକ ଏମ୍‌., ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ସୋମେଶ କୁମାର ଉପାଧ୍ୟାୟ, ଭବାନୀପାଟଣା ଓ ଧର୍ମଗଡ଼ ଉପଜିଲାପାଳ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ପ୍ରତାପ କୁମାର ବେହେରା, ଡିପିଏମ୍‌ ଅବନୀ କୁମାର ମହାପାତ୍ର, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, ବିଦ୍ୟୁତ, ଜଳସେଚନ, ଉପର ଇନ୍ଦ୍ରାବତୀ ଜିଏମ୍‌, ରାସ୍ତା ଗୃହ ନିର୍ମାଣ, ଆର୍‌ଡି ନିର୍ବାହୀ ଯନ୍ତ୍ରୀଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଯୋଗ ଦେଇଥିଲେ।

Comments are closed.