ବଡ଼ମ୍ବା ଭଉଁରୀ ଯାତ୍ରା : ପ୍ରଶାସନର ପ୍ରସ୍ତୁତି ବୈଠକ

ବଡ଼ମ୍ବା  : ମହାମାରୀ କରୋନା କଟକଣା ଲାଗି ୨ବର୍ଷଧରି ବନ୍ଦ ରହିଥିବା ବଡ଼ମ୍ବାର ବାର୍ଷିକ ଉତ୍ସବ ତଥା ଶତାଦ୍ଦି ପୁରୁଣା ଭଉଁରୀ ଯାତ୍ରା ଚଳିତବର୍ଷ ଅନୁଷ୍ଠିତ ହେବ। ଏହି ପ୍ରସିଦ୍ଧ ଯାତ୍ରା ତଥା ଏହି ଅବସରରେ ଅନୁଷ୍ଠିତ ହେଉଥିବା ଚନ୍ଦନ ମହୋତ୍ସବ ନିମିତ ବୁଧବାର ପ୍ରଶାସନ ତରଫରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବ୍ଲକ ସମ୍ମିଳନୀ କକ୍ଷରେ ଦୋବୋତ୍ତର ଅଧିକାରୀ ତଥା ବଡ଼ମ୍ବା ତହସିଲଦାର ତପନ କୁମାର ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଚନ୍ଦନ ମହୋତ୍ସବ କମିଟି ସଦସ୍ୟଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ତଥା ବିଭିନ୍ନ ବଭାଗୀୟ ଅଧିକାରୀ ଯୋଗଦେଇଥିଲେ। ପବିତ୍ର ଅକ୍ଷୟ ତୃତୀୟା ଅର୍ଥାତ୍ ଆସନ୍ତା ମେ ମାସ ୫ତାରିଖ ଠାରୁ ୨୩ ତାରିଖ ପର୍ଯ୍ୟନ୍ତ ୨୧ ଦିନ ବ୍ୟାପି ଏହି ଉତ୍ସବ ପାଳନ କରାଯିବ। ବଡ଼ମ୍ବାଗଡ଼ ବଡ଼ଦାଣ୍ଡ ସାହି ବିଜେ ଶ୍ରୀଶ୍ରୀ ଲୋକନାଥ ଦେବଙ୍କ ଏହି ଉତ୍ସବରେ ରାଧାକାନ୍ତ ଦେବ, ଗୋପୀନାଥପୁର ବିଜେ ସିଂହନାଥ ଦେବ, ରାଜନଅର ବିଜେ ଗୋପୀନାଥ ଦେବ,ଚନ୍ଦ୍ରଶେଖର ଦେବ, ଭୂଦେବୀ ଏବଂ ଶ୍ରୀଦେବୀ ଆଦିଙ୍କ ବିଜେ ପ୍ରତିମା ପ୍ରତ୍ୟହ ଦୁଇବେଳା ଚାପଖେଳିବାକୁ ପରମ୍ପରାନୁଯାୟୀ ଚନ୍ଦନ ପୋଖରୀ ବିଜେ କରିବେ। ବିଧିଅନୁଯାଇ ଦେବୋତ୍ତର ବିଭାଗ ଏବଂ ଚନ୍ଦନ ମହୋତ୍ସବ କମିଟି ତରଫରୁ ବଡ଼ମ୍ବା ରାଜାସାହେବଙ୍କୁ ଯଥାମାନ୍ୟ ନିମନ୍ତ୍ରଣ କରାଯିବ ବୋଲି ବୈଠକରେ ନିଷ୍ପତି ହୋଇଥିଲା। ସେହିଭଳି ବନବିଭାଗ ତରଫରୁ ଚାପଖେଳ ନିମିତ ଦୁଇଟି ଡଙ୍ଗା, ନିଜିଗଡ଼ ପଞ୍ଚାୟତ ଦ୍ୱାରା ଯାତ୍ରା ଅବ୍ୟବହିତ ପୂର୍ବରୁ ଚନ୍ଦନ ପୁଷ୍କରିଣୀ ଏବଂ ଠାକୁର ବିଜେ କରିବା ରାସ୍ତା ସଫେଇ କାର୍ଯ୍ୟ, ସହରର ପରିଷ୍କାର ପରିଛନ୍ନତା ଦାୟିତ୍ୱ ପୂର୍ତ୍ତବିଭାଗ ତୁଲାଇବା, ଯାତ୍ରା ସମୟରେ ବିଦ୍ୟୁତ ବିଭାଗ ନିରବଛିନ୍ନ ବିଦ୍ୟୁତ ସେବା ଦେବା ଏବଂ ଗ୍ରାମ୍ୟ ପାନୀୟଜଳ ଓ ପରିମଳ ବିଭାଗ ସହରରେ ଅହରହ ପାନୀୟ ଜଳ ଯୋଗାଇବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା।

ତେବେ ଦୀର୍ଘଦିନ ଧରି ବଡ଼ମ୍ବା ସହରର ଅର୍ଦ୍ଧାଧିକ ଅଞ୍ଚଳରେ ରାସ୍ତା ଆଲୁଅ ଜଳୁନଥିବା ଏବଂ ସଂଧ୍ୟା ପରେ ଅନ୍ଧକାରାଛନ୍ନ ରହୁଥିବା ନେଇ ବୈଠକରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଯାତ୍ରା ପୂର୍ବରୁ ଏହାର ନିରାକରାଣ ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ବୈଠକରେ ଦାବି କରାଯାଇଥିଲା । ସେହିଭଳି ଯାତ୍ରାରେ ବହୁଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ଆଇନଶୃଙ୍ଖଳା ଲାଗି ପର୍ଯ୍ୟାପ୍ତ ପୁଲିସ ବ୍ୟବସ୍ଥା ଏବଂ ସୁରକ୍ଷା ଦୃଷ୍ଟିରୁ ତଥା ଆଶୁଚିକିତ୍ସା ନିମିତ ଯାତ୍ରା ପଡ଼ିଆରେ ଏକ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଖୋଲିବାକୁ ସଭାରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏ ସମସ୍ତ ନିଷ୍ପତ୍ତି ପାଳିବା ଏବଂ ସହଯୋଗ କରିବା ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବେ ବୋଲି ଯାତ୍ରାର ସ୍ଥାୟୀ ସଭାପତି ତଥା ତହସିଲଦାର ଶ୍ରୀ ପରିଡ଼ା ଗୁରତ୍ୱାରୋପ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲାପରିଷଦ ସଦସ୍ୟ ରବିନ୍ଦ୍ର କୁମାର ସାହୁ, ଚନ୍ଦନ ମହୋତ୍ସବ କମିଟି ସଭାପତି ଜ୍ଞାନରଞ୍ଜନ ପରିଡ଼ା, ଉପସଭାପତି ଶକ୍ତିଶ୍ୱର ରଣା,ସମ୍ପାଦକ ତ୍ରିବିକ୍ରମ ପଢିଆରୀ,ବ୍ଲକ ସହକାରୀ ଯନ୍ତ୍ରୀ ମାନସରଞ୍ଜନ ନାୟକ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ସ୍ୱାଇଁ, ଓକିଲସଂଘ ସଭାପତି ଆଇନଜୀବୀ ସନ୍ତୋଷ କୁମାର ବେହେରା, ସଂଘର ପୂର୍ବତନ ସମ୍ପାଦକ ଦିଲିପ କୁମାର ସାମନ୍ତ, ରାଜ ପରିବାର ସଦସ୍ୟ କୁମାର ତ୍ରିଭୁବନଚନ୍ଦ୍ର ଦେବ, ସମାଜସେବୀ ଦେବରାଜ ପାଟ୍ଟଶାଣୀ, ଚିନ୍ମୟ ପଟ୍ଟନାୟକ, ସନ୍ତୋଷ କୁମାର ପଟ୍ଟନାୟକ,ଦିପକ କୁମାର ସାହୁ, ମହେନ୍ଦ୍ର କୁମାର ପଢିଆରୀ, ରମେଶଚନ୍ଦ୍ର ବେହେରା, ମୁରଲୀ ମହାପାତ୍ରଙ୍କ ସମେତ ମହୋତ୍ସବ କମିଟିର ଉପଦେଷ୍ଟା ମଣ୍ଡଳୀ, ପୂର୍ବତନ କମିଟି ସଦସ୍ୟ ତଥା ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀ ବହୁସଂଖ୍ୟାରେ ଉକ୍ତ ବୈଠକରେ ଯୋଗଦେଇଥିଲେ। ଦେବୋତ୍ତର ବିଭାଗ ପରିଚାଳକ ସଭା ପରିଚାଳନା କରିଥିଲେ।

Comments are closed.