ପର୍ଯ୍ୟଟନରୁ ସ୍ୱାସ୍ଥ୍ୟସେବା-କୃଷିରୁ ପ୍ରତିରକ୍ଷା: ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଡ୍ରୋନ୍ – ପ୍ରଧାନମନ୍ତ୍ରୀ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସବ୍ କା ସାଥ୍ ଓ ସବ୍ କା ବିକାଶର ମନ୍ତ୍ର ସହ ସରକାର ବୈଷୟିକ ଜ୍ଞାନର ବ୍ୟବହାର କରି ସାଧାରଣ ଲୋକମାନଙ୍କ ପାଖରେ କଲ୍ୟାଣକର ଯୋଜନାଗୁଡ଼ିକୁ ପହଞ୍ଚାଇ ପାରିଛନ୍ତି। ଆଜି ନୂଆଦିଲ୍ଲୀରେ ଆୟୋଜିତ ଦେଶର ସର୍ବବୃହତ ଡ୍ରୋନ୍ ଉତ୍ସବ ‘ଭାରତ ଡ୍ରୋନ୍ ମହୋତ୍ସବ-୨୦୨୨’କୁ ଉଦଘାଟନ କରି ଶ୍ରୀ ମୋଦୀ କହିଛନ୍ତି ଯେ ଡ୍ରୋନ୍ ଏକ ଉନ୍ନତ ଯନ୍ତ୍ର, ଯାହା ଖୁବ୍ ଶୀଘ୍ର ପ୍ରତ୍ୟେକ ଲୋକଙ୍କ ଜୀବନରେ ଏକ ଅବିଚ୍ଛେଦ୍ୟ ଅଂଶ ହେବାକୁ ଯାଉଛି। କୃଷିଠାରୁ ଆରମ୍ଭ କରି ପ୍ରତିରକ୍ଷା, ପର୍ଯ୍ୟଟନ ଓ ସ୍ୱାସ୍ଥ୍ୟସେବା ପର୍ଯ୍ୟନ୍ତ ଡ୍ରୋନ୍ଉ ନ୍ନତ ସେବା ପ୍ରଦାନରେ ସହାୟତା କରିବ। ସେ କହିଛନ୍ତି, କୃଷକମାନଙ୍କ ପାଇଁ ଡ୍ରୋନ୍ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ସ୍ୱାମୀତ୍ୱ ଯୋଜନା ଏହାର ଏକ ଜ୍ୱଳନ୍ତ ଉଦାହରଣ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶରେ ପ୍ରଥମଥର ପାଇଁ ପ୍ରତ୍ୟେକ ଗ୍ରାମର ସମ୍ପତ୍ତିଗୁଡ଼ିକର ଡିଜିଟାଲ୍ ମ୍ୟାପିଙ୍ଗ୍ କରାଯାଉଛି।ଏଥିରେ ମନୁଷ୍ୟ ଅପେକ୍ଷା ଯନ୍ତ୍ରର ଅଧିକ ବ୍ୟବହାର ହେବା ସହିତ ସ୍ୱଚ୍ଛତା ବୃଦ୍ଧି ପାଇଛି। ଏପର୍ଯ୍ୟନ୍ତ ୬୫ ହଜାର ଜମିପଟ୍ଟା ଜାରି କରାଯାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି, କୃଷକମାନଙ୍କୁ ଉନ୍ନତ କୃଷିକାର୍ଯ୍ୟରେ ଡ୍ରୋନ୍ ସହାୟତା କରିବ। ଏହା ସେମାନଙ୍କ ଆୟ ବୃଦ୍ଧି କରିପାରିବ। ସେ କହିଛନ୍ତି, ବୈଷୟିକ ଜ୍ଞାନ ଯୋଗୁଁ କୃଷିକ୍ଷେତ୍ରରେ ବିପ୍ଳବ ଅଣାଯାଇ ପାରିଛି। ସେ କହିଛନ୍ତି, ବୈଷୟିକ ଜ୍ଞାନ ସହାୟତାରେ ବର୍ତ୍ତମାନ କୃଷିକ୍ଷେତ୍ରରେ ନାହିଁ ନଥିବା ପରିବର୍ତ୍ତନ ଘଟିଛି। ଡ୍ରୋନ୍ ଗୁଡ଼ିକ ସହାୟତାରେ ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ପହଞ୍ଚାଯାଇ ପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Comments are closed.