ଆଠଗଡରେ ଭାରତ ବନ୍ଦ ଶାନ୍ତିପୂର୍ଣ୍ଣ ଓ ସଫଳ

ଆଠଗଡ : ଦେଶର ୧୦ଟି ପ୍ରମୁଖ ଶ୍ରମିକ ସଂଗଠନ ଡାକରା ଦେଇଥିବା ଭାରତ ବନ୍ଦ ଗୁରୁବାର ଆଠଗଡରେ ଶାନ୍ତିପୂର୍ଣ୍ଣ ଓ ସଫଳ ହୋଇଥିଲେ ମଧ୍ୟ ଏହାର ବିଶେଷ ପ୍ରଭାବ ପଡିନଥିବା ଦେଖାଯାଇଛି। କେନ୍ଦ୍ର ସରକାରଙ୍କର କୃଷକ ଓ ଶ୍ରମିକ ମାରଣ ନୀତି, ତ୍ରୁଟିପୂର୍ଣ୍ଣ ଅର୍ଥନୀତି ଓ ବିବାଦୀୟ କୃଷି ବିଲ୍ ବିରୋଧରେ ୧୦ଟି ଶ୍ରମିକ ସଂଗଠନ ନଭେମ୍ବର ୨୬ରେ ୨୪ଘଣ୍ଟିଆ ଭାରତ ବନ୍ଦ ଡାକରା ଦେଇଥିବାବେଳେ କଂଗ୍ରେସ ଦଳ ଏହାକୁ ପୂର୍ଣ୍ଣ ସମର୍ଥନ ଦେଇଥିଲା। ଶ୍ରମିକ ସଂଗଠନ ହିନ୍ଦ ମଜଦୁର ସଭାର ଆଠଗଡ ଶାଖା ପକ୍ଷରୁ ଭାରତ ବନ୍ଦକୁ ସଫଳ କରିବା ଲାଗି ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ହିନ୍ଦ ମଜଦୁର ସଭା ଆଠଗଡ ଶାଖା ସଭାପତି ଅଶୋକ କୁମାର ରାଉତଙ୍କ ନେତୃତ୍ୱରେ ଶହ ଶହ ଶ୍ରମିକ ଏହି ଆନ୍ଦୋଳନରେ ସାମିଲ ହୋଇ ଚାନ୍ଦବାଲି ଛକ ଓ କନ୍ତୋଲଠାରେ ରାସ୍ତା ଉପରେ ନିଆଁ ଜଳାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଫଳରେ ଆଠଗଡ-ଭୁବନେଶ୍ୱର ଭାୟା ମୁଣ୍ଡଳି, ଆଠଗଡ-କଟକ ଭାୟା ଧବଳେଶ୍ୱର ରାସ୍ତା ଏବଂ ଆଠଗଡ-ଖୁଣ୍ଟୁଣୀ ମୁଖ୍ୟ ରାସ୍ତାରେ ଗାଡି ଚଳାଚଳ ବନ୍ଦ ହୋଇଯାଇଥିଲା। ଏହି ରାସ୍ତାଗୁଡିକର ଉଭୟ ପାର୍ଶ୍ୱରେ ବିଭିନ୍ନ ସ୍ଥାନରେ ଶତାଧିକ ଛୋଟ ବଡ ଯାନବାହାନ ଘଣ୍ଟାଘଣ୍ଟା ଧରି ଅଟକି ରହିଥିବା ଦେଖାଯାଇଥିଲା। ହିନ୍ଦ ମଜଦୁର ସଭାର ଆନ୍ଦୋଳନରତ ଶ୍ରମିକମାନେ ଦୋକାନ ବଜାର ବନ୍ଦ କରିବା ପାଇଁ ନିବେଦନ କରିବା ସହ ବିଭିନ୍ନ ସରକାର କାର୍ଯ୍ୟାଳୟ, ବ୍ୟାଙ୍କ ଓ ଶିକ୍ଷାନୁଷ୍ଠାନ ସମ୍ମୁଖରେ ପିକେଟିଂ କରିଥିଲେ। ତେବେ ମାତ୍ର ୪-୫ଘଣ୍ଟା ଅର୍ଥାତ ଦିନ ୧ଟା ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ଓ ଛକ ସ୍ଥାନରେ ବିକ୍ଷୋଭ ଯୋଗୁଁ ଗାଡି ଚଳାଚଳ ବନ୍ଦ ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଯାନବାହାନ ଚଳାଚଳ ସଂପୂର୍ଣ୍ଣ ସ୍ୱଭାବିକ ହୋଇଥିଲା। ମୁଖ୍ୟ ବଜାର ଗୁଡିକରେ ବହୁ ଦୋକାନ ଦିନ ୧ଟା ପର୍ଯ୍ୟନ୍ତ ବନ୍ଦ ରହିଥିବାବେଳେ ପରେ ସେଗୁଡିକ ଖୋଲିବା ସହ ସ୍ୱଭାବିକ ବ୍ୟବସାୟ କରିଥିଲେ। ସମସ୍ତ ସରକାରୀ ଅଫିସ ଖୋଲା ରହିଥିଲେ ମଧ୍ୟ ଲୋକମାନଙ୍କ ଯିବା ଆସିବା ଯଥେଷ୍ଟ କମ୍ ରହିଥିଲା। ମୋଟାମୋଟି ଏହି ଭାରତ ବନ୍ଦ ଆଠଗଡରେ ସଫଳ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ହିନ୍ଦ ମଜଦୁର ସଭାର କର୍ମକର୍ତ୍ତା ଶଶଧର ସାହୁ, ପ୍ରଶାନ୍ତ ସାହୁ, ରସାନ୍ତ ପ୍ରଧାନ, ଚିନୁ ସାମଲ, ପ୍ରଦୀପ ସାହୁ, ଗଙ୍ଗାଧର ନାଏକ, କିଶୋର ଦଳାଇ, ବିଜୟ ସାହୁ, ହୃଷିକେଶ ବେହେରା, ପ୍ରଦୀପ୍ତ ଦାସ, ବବୁଲ ରାଉତ, ଭାଗୀରଥି ପ୍ରଧାନ, ଧନେଶ୍ୱର ପ୍ରଧାନ, ପ୍ରସନ୍ନ ପରିଡା,  ପ୍ରଭାକର ପରିଡା ଓ ବିଭୁ ବେହେରା ପ୍ରମୁଖ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ।

Comments are closed.