ମାସ୍କ ପିନ୍ଧି ନଥିବାରୁ ଯୁବକଙ୍କୁ ରାସ୍ତାରେ ​‌ଗୋଡେଇ ଗୋଡେଇ ପିଟିଲା ପୁଲିସ, ମାତ୍ରାଧିକ ମାଡ ମାରିବା ଅଭିଯୋଗରେ କନେଷ୍ଟବଳଙ୍କୁ ନଲମ୍ବିତ କଲେ ଏସପି

ଭଦ୍ରକ : ପୁଣିଥରେ ସାମ୍ନାକୁ ଆସିଲା ପୋଲିସର ବର୍ବରତା । ମାସ୍କ ନପିନ୍ଧି ବାହାରେ ବୁଲୁଥିବା ଜଣେ ଯୁବକଙ୍କୁ ରାସ୍ତା ଉପରେ ଗୋଡ଼ାଇ ଗୋଡ଼ାଇ ପିଟିଲେ ପୁଲିସ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥର ବନ୍ତ ଅଞ୍ଚଳରେ । ବନ୍ତ ଥାନା ନିକଟରେ ଜଣେ ଯୁବକ ମୁହଁରେ ମାସ୍କ ନ ବାନ୍ଧି ବୁଲୁଥିଲେ ଯାହା ପରେ ଚାରି ପାଞ୍ଚ ଜଣ ପୁଲିସ କର୍ମୀ ମିଶି ସେହି ଯୁବକଙ୍କୁ ରାସ୍ତାରେୂ ଗୋଡେଇ ଗୋଡେଇ ପିଟିଥିଲେ । ମାସ୍କ ନ ବାନ୍ଧିବା ଭଳି ଏକ ସାମାନ୍ୟ ଅପରାଧ ପାଇଁ ତାଙ୍କୁ ଧରି ପୋଲିସ ଏଭଳି ଅମାନୁଷିକ ଭାବେ ତାଙ୍କୁ ପିଟିବାକୁ ସାଧାରଣରେ ନିନ୍ଦା କରାଯାଇଥିଲା ।


ଅନ୍ୟପକ୍ଷେ ପୁଲିସ ମାଡ଼ରେ ବ୍ୟକ୍ତି ଜଣକ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ବନ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଜଣେ ବ୍ୟକ୍ତି ପୁଲିସ ଅଧିକାରୀଙ୍କୁ ଏବିଷୟରେ ଟ୍ୱିଟ୍ କରି ଜଣାଇବା ପରେ ଘଟଣା ସାମ୍ନାକୁ ଆସିଥିଲା । ଘଟଣାରେ ଜଣେ କନଷ୍ଟେବଳଙ୍କୁ ନିଲମ୍ବନ କରାଯାଇଥିବା ଏସ୍‌ପି ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

ଏହି ଘଟଣାରେ ପୁଲିସ ପକ୍ଷରୁ ଉକ୍ତ ଯୁବକଙ୍କ ନାମରେ ମଧ୍ୟ ଏକ ମାମଲା ବନ୍ତ ଥାନାରେ ରୁଜୁ କରାଯାଇଛି । ପୁଲିସଙ୍କ ଅଭିଯୋଗ ଅନୁସାରେ ଉକ୍ତ ଯୁବକ ଜଣଙ୍କ ଜଣେ ମହିଳା ପୁଲିସ କନେଷ୍ଟବଳଙ୍କୁ ଦୁର୍ବ୍ୟବ୍ୟହାର କରିଥିଲେ । ଏନେଇ ପୁଲିସ ମଧ୍ୟ ତଦନ୍ତ କରୁଥିବା ଜଣାପଡିଛି ।

Comments are closed.