ଗାଁଗଣ୍ଡାରେ ଦେଖିବାକୁ ମିଳୁନି ଆନ୍ଧ୍ର ଧାନ ବେପାରୀଙ୍କ ଗାଡି

ଓଡ଼ିଶାରେ ପ୍ରବେଶ ପଥରେ କଡା ନଜର, ଲାଭଖୋରଙ୍କ ଭାଳେଣି

ଭଞ୍ଜନଗର : ପ୍ରତିବର୍ଷ ଗଞ୍ଜାମ ଜିଲାରୁ ହଜାର ହଜାର ମେଟ୍ରିକ ଟ୍ରନ ଧାନ ଆନ୍ଧ୍ରପ୍ରଦେଶକୁ ଚାଲାଣ ହେଉଥିଲା। ଏହାଦ୍ବାରା ଗଞ୍ଜାମ ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଥିଲେ। କିନ୍ତୁ ଚଳିତ ବର୍ଷ ସେଥିରେ ବ୍ୟତିକ୍ରମ ପରିଲକ୍ଷିତ ହୋଇଛି। ବିଭିନ୍ନ ଗ୍ରାମରେ ଧାନ କଟା ଆରମ୍ଭ ହୋଇ କଳେଇ ସବୁ କ୍ଷେତରେ ପଡିଛି। ଚଳିତ ବର୍ଷ ଗୋଟିଏ ମଧ୍ୟ ଆନ୍ଧ୍ର ଗାଡି ଜିଲାର କୌଣସି ଗ୍ରାମରେ ଏ ଯାବତ ଦେଖିବାକୁ ମିଳିନି। ପୂର୍ବବର୍ଷ ପରି ଚାଷୀ ଏବେ ସିଧାସଳଖ କ୍ଷେତରେ ଧାନ ଅମଳ କରି ଆନ୍ଧ୍ରପ୍ରଦେଶ ବେପାରୀକୁ ବହୁ କମ୍‍ ଦରରେ ବିକ୍ରି କରିବାର ସୁଯୋଗକୁ ଗଂଜାମ ଜିଲାର ବିଭିନ୍ନ କୃଷକ ସଂଗଠନ ତରଫରୁ ତୀବ୍ର ବିରୋଧ କରାଯାଇଛି।
ଓଡିଶା ସରକାରଙ୍କ ଧାନ କୁଇଣ୍ଟାଲ ପିଛା ୧୮୬୫ ଟଙ୍କା ଥିବା ବେଳେ ଆନ୍ଧ୍ର ବ୍ୟବସାୟୀ ମାତ୍ର ୧୨ ଶହରୁ ୧୩ ଶହ ଟଙ୍କା ଭିତରେ ଧାନ କିଣି ନେଉଥିଲେ। ଗତ ବର୍ଷ ଚାଷୀଙ୍କୁ କୁଇଣ୍ଟାଲ ପିଛା ପ୍ରାୟ ୪୯୦ରୁ ୬୦୦ ଟଙ୍କା ପର୍ଯ୍ୟନ୍ତ କ୍ଷତି ସହିବାକୁ ପଡିଲା। ଫଳରେ ଗତ କିଛି ବର୍ଷ ଧରି ଆନ୍ଧ୍ର ବ୍ୟବସାୟୀ ଓଡିଶାରୁ ଲକ୍ଷ ଲକ୍ଷ କୁଇଣ୍ଟାଲ ଧାନ ଶସ୍ତାରେ କିଣି ନେଇ କୋଟି କୋଟି ଟଙ୍କାର ଫାଇଦା ଉଠାଉଥିଲେ। ସେହିଧାନର ଚାଉଳ ଓଡିଶା ବ୍ୟବସାୟୀଙ୍କୁ ଚଢା ଦରରେ ବିକ୍ରି ସାଧାରଣ ଖାଉଟୀଙ୍କ ଉପରେ ମହାଜନୀ ବେପାର ଚଳାଇ ଆସୁଥିଲେ। ଚଳିତ ବର୍ଷ ଅନ୍ୟ ରାଜ୍ୟକୁ ବିଶେଷ କରି ଆନ୍ଧ୍ରପ୍ରଦେଶକୁ ଗଂଜାମ ଜିଲାରୁ ଧାନ ବିକ୍ରି ଉପରେ ପ୍ରତିବନ୍ଧକ ସୃଷ୍ଟି କରାଯାଇଛି। ଆନ୍ଧ୍ର ସରକାର ନିଜ ରାଜ୍ୟର ବ୍ୟବସାୟୀଙ୍କ ଉପରେ ବାହାର ରାଜ୍ୟରୁ ଧାନ କ୍ରୟ ଉପରେ ଅଙ୍କୁଶ ଲଗାଇଛନ୍ତି। ଆନ୍ଧ୍ର-ଓଡିଶା ସୀମାନ୍ତକୁ ନେଇ ବିବାଦ ଉପୁଜିଥିବା ବେଳେ ଆନ୍ଧ୍ରପ୍ରଦେଶ ଓ ଓଡିଶା ଯୋଗାଣ ବିଭାଗ ଓ ପୁଲିସ୍‍ କଡା ନଜର ରଖି ଗୋଟିଏ ମଧ୍ୟ ଟ୍ରକକୁ ଓଡିଶା ତଥା ତ୍‍ଥା ଗଂଜାମ ଜିଲାକୁ ଛାଡୁ ନାହିଁ। ପୂର୍ବବର୍ଷ ପରି ଚଳିତ ବର୍ଷ ଜିଲାରୁ ଧାନ ଆଣିବା ପାଇଁ ଆନ୍ଧ୍ର ବ୍ୟବସାୟୀଙ୍କୁ ଆଉ ସୁଯୋଗ ମିଳୁ ନାହିଁ। ଫଳରେ ଜିଲାର ବିଭିନ୍ନ ଗ୍ରାମ୍ୟ କ୍ଷେତରେ ସଦ୍ୟ କଟା ଧାନକୁ ଚାଷୀ ଆଉ ତର ୍‍ତର ହୋଇ ବ୍ୟବସାୟୀଙ୍କୁ ବିକ୍ରି କରିବା ଲକ୍ଷ୍ୟ ନେଇ ଅମଳ କରୁ ନାହିଁ। ବରଂ ଦିନ ଦିନ ଧରି ପଡି ରହିଥିବା କଳେଇକୁ ଅଦିନିଆ ବର୍ଷା ଆଶଙ୍କାରେ କିଛି ଚାଷୀ ଶନିବାର ଅମଳ ଯନ୍ତ୍ରରେ ଅମଳ କରିଛନ୍ତି।
ହଠାତ୍‍ ଆଜି ଭଞ୍ଜନଗର ଅଞ୍ଚଳର ମୁଜାଗଡ, ବୁଦୁଲି, ଦୁର୍ଗାପ୍ରସାଦ, ଗାଲେରୀ ଓ ଭଂଜନଗରରେ ବର୍ଷା ହୋଇଥିଲା। ଫଳରେ ବିଲରେ ଧାନକାଟି କଳେଇ ପକାଇଥିବା ଚାଷୀଙ୍କ ମଧ୍ୟରେ ଭାଳେଣୀ ସୃଷ୍ଟି ହୋଇଥିଲା। ଚାଷୀ ତର ତର ଭାବେ ସେହି ସବୁ ଓଦା କଳେଇକୁ ଖଳାକୁ ବୋହି ଆଣୁଥିବା ଲକ୍ଷ୍ୟ କରାଯାଇଥିଲା। ବାକିତକ ହଜାର ହଜାର ହେକ୍ଟର ଜମିର ଧାନ ଫସଲପାଚି କେଣ୍ଡା ନଇଁ ରହିଛି। ବର୍ଷା ଅଧିକ ଲାଗି ରହିଲେ ପରିସ୍ଥିତି ଜଟିଳ ହୋଇ ପଡିବ ବୋଲି ଚାଷୀଙ୍କ ମନରେ ଆଶଙ୍କା ଉପୁଜିଛି। ଅନ୍ୟପକ୍ଷରେ ଡିସେମ୍ବର ୧୬ ତାରିଖରେ ମଣ୍ଡି ଖୋଲିବ। ପୁଣି ଜିଲାରେ ଯେତିକି ପରିମାଣରେ ଧାନ ଆଦାୟ ହେଉଛି, ମାତ୍ର ୪୦ ପ୍ରତିଶତ ଅମଳକ୍ଷମ ଧାନରେ ସରକାରଙ୍କ ଟାର୍ଗେଟ ପୂରଣ ହେଉଛି। ବାକିତକ ଧାନ ଆନ୍ଧ୍ର ବ୍ୟବସାୟୀ କିଣି ନେଉଥିଲା। ସ୍ଥାନୀୟ କିଛି ବ୍ୟବସାୟୀ କମିଶନ ଅର୍ଥ ପାଇ କମ୍‍ ଦରରେ ଆନ୍ଧ୍ର ବ୍ୟବସାୟୀଙ୍କ ପାଇଁ ଚାଷୀଙ୍କ ଠାରୁ ଧାନ କିଣୁଥିଲେ।। ଦିନ ରାତି ଗାଁ ଗଣ୍ଡାରୁ ଶହ ଶହ ସଂଖ୍ୟାରେ ଆନ୍ଧ୍ର ଟ୍ରକ ପଶି ଧାନ କିଣି ନେଉଥିଲା। ଚାଷୀ ଗୁଜୁରାଣ ମେଣ୍ଟାଇବା ଲକ୍ଷ୍ୟ ନେଇ ଶାଗମାଛ ଦରରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଥିଲା। ଚାଷୀ ସରାକରୀ ଦର ଠାରୁ ବହୁ କମ୍‍ ଦରରେ ବାହର ବ୍ୟବସାୟୀଙ୍କୁ ଧାନ ବକ୍ରି କରୁଥିବା ପ୍ରସଂଗ ସତ୍ୟ ବୋଲି କୃଷି ବିଭାଗ ସ୍ୱକାର କରିଛି।
ଗଞ୍ଜାମ ଜିଲା ରେ ପ୍ରାୟ ୯୦ ଲକ୍ଷ କୁଇଣ୍ଟାଲ ଧାନ ଆଦାୟ ହେଉଥିବା ବେଳେ ସେଥିମଧ୍ୟରୁ ସରକାର ବିଭିନ୍ନ ସମବାୟ ସଂସ୍ଥା ଦ୍ୱାରା ପ୍ରାୟ ୩୦ରୁ ୩୫ ଲକ୍ଷ କୁଇଣ୍ଟାଲ ଧାନ କିଣି ମିଲରଙ୍କୁ ଯୋଗାଇଥାନ୍ତି। ଫଳରେ ଚାଷୀ ଆଉ ବସ୍ତା ବସ୍ତା ଧାନ ମାସ ମାସ ଧରି ଗଦା କରି ରଖିବା ପରିବର୍ତ୍ତେ ନିଜର ଅଭାବୀ ଧାନ ବିକ୍ରିକୁ ଏଡେଇବା ନିମନ୍ତେ ବାହାର ରାଜ୍ୟର ବ୍ୟବସାୟୀଙ୍କୁ କମ୍‍ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଥିଲା। କିଂତୁ, ଚଳିତ ବର୍ଷ ଓଡିଶା ସରକାର ଚାଷୀର କ୍ଷତିକୁ ଏଡେଇବା ନିମନ୍ତେ ଦଲାଲଗିରି ଉପରେ ଅଙ୍କୁଶ ଲଗାଇଥିବା ବେଳେ ଆନ୍ଧ୍ର ସରକାର ମଧ୍ୟ ଓଡିଶାରୁ ଧାନ କ୍ରୟ ଉପରେ କଟକଣା ଲାଗୁ କରିଥବାରୁ କୁହାଯାଇଛି। ଗଞ୍ଜାମ ଚାଷୀ ଧାନ କଟା ଆରମ୍ଭ କରିଥିଲେ ହେଁ ତତ୍କାଳ ବିକ୍ରି ପାଇଁ ଧାନ ଅମଳ ଯନ୍ତ୍ରରେ ସିଧାସଳଖ କ୍ଷେତରେ ଅମଳ କରୁ ନାହିଁ। ଫଳରେ ସ୍ଥାନୀୟ ବ୍ୟବସାୟୀ ଓ ଆନ୍ଧ୍ର ବ୍ୟସାୟୀ କୌଣସି ଗାଁ ଗଣ୍ଡାରେ ଦେଖିବାକୁ ମିଳୁ ନାହାଁନ୍ତି। ଚିକିଟି ପେଣ୍ଠ ଦେଇ ଆନ୍ଧ୍ରକୁ ବେପାରୀ ଚୋରାରେ ଗଞ୍ଜାମ ଧାନ ଚାଲାଣ କରୁଥିଲେ। ଚଳିତ ବର୍ଷ ଗୋଟିଏ ମଧ୍ୟ ଗାଡି ଗଂଜାମ ଜିଲାରେ ପ୍ରବେଶ କରି କେଜିଏ ମଧ୍ୟ ଧାନ କିଣିବା ଉପ ପ୍ରତିବନ୍ଧକ ସୃଷ୍ଟି ହୋଇଥିବା ଜିଲାର କିଛି ମିଲରଙ୍କ ଠାରୁ ଜଣାପଡିଛି। ଏଥିରେ ବ୍ୟତିକ୍ରମ ଘଟିଲେ ସଂପୃକ୍ତ ବ୍ୟବସାୟୀ ଓ ଗାଡି ମାଳିକ ଉପରେ ଦୃଢ କର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆନ୍ଧ୍ର ସରକାର ଚେତବାନୀ ଦେଇଥିବାରୁ ଏବେ ଗଂଜାମ ଜିଲା ତଥା ଭଂଜନଗର ଅଞ୍ଚଳରେ ଗୋଟିଏ ମଧ୍ୟ ଆନ୍ଧ୍ର ବ୍ୟବସାୟୀଙ୍କ ଗାଡି ଦେଖିବାକୁ ମିଳୁ ନାହିଁ।
ଆନ୍ଧ୍ରପ୍ରଦେଶ ଚାଷୀଙ୍କ ଦ୍ବାରା ଉତ୍ପାଦିତ ହଜାର ହଜାର ମେଟ୍ରିକ ଟନ୍‍ ଧାନ କୋଭିଡ କଟକଣା କାରଣରୁ ବିକ୍ରିବଟା ହୋଇପାରିନି। ଆନ୍ଧ୍ରରେ ବର୍ଷକୁ ଦୁଇ ଥର ଧାନ ଆଦାୟ ହୋଇଥିବାରୁ ଖରା ଦିନେ ଆଦାୟ ହୋଇଥିବା ଧାନ ଚାଷୀଙ୍କ ପାଖରେ ମହଜୁଦ୍‍ ରହିଛି। ତାଲା ବନ୍ଦ କାରଣରୁ ଆନ୍ଧ୍ର ଚାଷୀ ଉତ୍ପାଦିତ ଧାନ ବିକ୍ରି କରି ପାରିନି। ଫଳରେ ସେଠାରେ ଧାନର ଅଭାବୀ ବିକ୍ରି ଦେଖାଦେଇଛି। ପୁଣି ଗଂଜାମ ଜିଲାରୁ ରାଜ୍ୟକୁ ବିପୁଳ ପରିମାଣରେ ଧାନ ଆଣି ଆଉ ଅଧିକ ଭାରାକ୍ରାନ୍ତ ହେବାକୁ ଆନ୍ଧ୍ର ସରକାର ଚାହୁଁ ନଥିବା ଏହି ସୂତ୍ରରୁ ଜଣାପଡିଛି।
ଗଞ୍ଜାମ ଜିଲାରେ ଅର୍ଦ୍ଧାଧିକ ଜମିର କଟା ସରିଗଲାଣି ବୋଲି ଭଞ୍ଜନଗର ଜିଲା କୃଷି ଅଧିକାରୀ ଅର୍ଜୁନ ବିଷୋୟୀ ପ୍ରକାଶ କରିଛନ୍ତି। ଚାଷୀଙ୍କ କ୍ଷେତରୁ ସିଧାସଳଖ ଧାନ ବିକ୍ରି ହେଉ ନଥିବାରୁ ଚାଷୀ ଏବେ ତରବରିଆ ଭାବେ ଆଉ ଧାନ କାଟିବାକୁ କ୍ଷେତକୁ ଯାଉନାହଁାନ୍ତି। ଧାନ କଳେଇ ସବୁ କ୍ଷେତରେ ପଡି ରହିଛି । ଏପରି ପରିସ୍ଥିତିରେ ଅଦିନିଆ ବର୍ଷା ବିପଦ ରହିଛି ବୋଲି ଜିଲା କୃଷି ଅଧିକାରୀ ପ୍ରକାଶ କରିଛନ୍ତି। ସରକାରଙ୍କ ଟାର୍ଗେଟ ପୂରଣ ହେବା ପରେ ଯେ କୌଣସି ବ୍ୟବସାୟୀ ଚାଷୀଙ୍କ ଠାରୁ ଉପଯୁକ୍ତ ମୂଲ୍ୟରେ ଧାନ କିଣି ନେଲେ କୌଣସି ପ୍ରତିବନ୍ଧକ ରହିବନି ବୋଲି ଉପଖଣ୍ଡ ଯୋଗାଣ ଅଧିକାରୀ ଲିଙ୍ଗରାଜ ପ୍ରଧାନ ପ୍ରକାଶ କରିଛନ୍ତି।

Comments are closed.