ସଂକଟ ବେଳେ ଅର୍ଥଲଗାଣକାରୀ ସଂସ୍ଥାର ଜୁଲୁମ; ଋଣରେ ଭାରାକ୍ରାନ୍ତ ଶତାଧିକ ଅଭାବୀ ପରିବାର

ଜବରଦସ୍ତ କିସ୍ତି ଆଦାୟ, ଉପଜିଲାପାଳଙ୍କୁ ଫେରାଦ

ଭଞ୍ଜନଗର : କୋଭିଡ ଦୁଃଖ ଠାରୁ ବଳି ପଡୁଛି ଘରୋଇ ଅର୍ଥଲଗାଣକାରୀ ସଂସ୍ଥାର ଜୁଲୁମ। ଟଙ୍କା ଋଣ ଆଣି କରୋନା କାଳରେ ପରିଶୋଧ କରିନପାରି ବହୁ ପରିବାର ଘୋର ଅପମାନ ସହୁଛନ୍ତି। ଏପରି ଯେ ଟଙ୍କା ନଦେଲେ ବିଷ ପିଇ ଆତ୍ମହତ୍ୟା କର ନତୁବା ବେକରେ ରଶି ଲଗାଇ ଦିଅ, ତୁମର ମୃତ୍ୟୁ ପରେ ଆମ ତୁମର ଋଣ ଟଙ୍କା ଛାଡ କରିଦେବୁ ବୋଲି ଅର୍ଥଲଗାଣକାରୀ ସଂସ୍ଥାର କର୍ମଚାରୀମାନେ କହିବା ଭଳି ସଂଗୀନ ଅଭିଯୋଗ ହୋଇଛି। ଗୁରୁବାର ଏପରି ସଂଗୀନ ଅଭିଯୋଗ କରିଛନ୍ତି ଜଗନ୍ନାଥପ୍ରସାନ ବ୍ଳକ ପ୍ରତାପୁର ପଞ୍ଚାୟତ ବୁରପଲ୍ଲି ଗ୍ରାମର ମହିଳାମାନେ। ଅସହ୍ୟ ଗାଳିଗୁଲଜ ଓ ଦୁର୍ବ୍ୟବହାରର ଶିକାର ହୋଇଥିବା ମହିଳାମାନେ ଗୁରୁବାର ଭଞ୍ଜନଗର ଉପଜିଲାପାଳଙ୍କଠାରେ ଫେରାଦ ହୋଇଛନ୍ତି। କେବଳ ବୁରପଲ୍ଲୀ ନୁହେଁ ଭଞ୍ଜନଗର ଉପଖଣ୍ଡର ଶହଶହ ଗ୍ରାମର ଲୋକେ ଅଭାବ ଅନଟନରେ ପଡି ଘରୋଇ ଅର୍ଥଲଗାଣକାରୀ ସଂସ୍ଥାଠାରୁ ଋଣ ନେଇ ପରବର୍ତ୍ତୀ ସମୟରେ ଶୁଝିନପାରି ଘୋର ମନସ୍ତାପରେ ରହିଛନ୍ତି। ବିଭିନ୍ନ ସମୟରେ ଏହାକୁ ନେଇ ଅଭାବନୀୟ ଘଟଣା ମଧ୍ୟ ଘଟୁଥିବା ନଜରକୁ ଆସିଛି।
କରୋନା କାଳରେ ଲୋକଙ୍କ ରୋଜଗାର ଏକପ୍ରକାର ବନ୍ଦ ରହିଛି। ଏପରି ବିପତ୍ତି ସମୟରେ ଋଣ ଯୋଗାଇଥିବା ବିଭିନ୍ନ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର କର୍ମଚାରୀମାନେ ଗ୍ରାମକୁ ଆସି ମାନସିକ ଆଘାତ ଦେବାରେ ଲାଗିଛନ୍ତି। କଟୁବାକ୍ୟ ଓ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଛନ୍ତି ବୋଲି ଉପଜିଲାପାଳଙ୍କୁ ଫେରାଦ ହେବାକୁ ଆସିଥିବା ଋଣଗ୍ରହୀତା ଆଶା ନାୟକ, ମମତା ପାଣିଗ୍ରାହୀ, ବନିତା ବେହେରା, ଭାସି ନାୟକ, ଅନିତା ନାୟକ, ସୁଲତା ନାୟକ, ନୟନି ନାୟକ, ମାଳା ନାୟକ, ଶୈଳ ନାୟକ, ଶଶୀ ନାୟକ, ଭାସି ନାୟକ, ଭବାନୀ ନାୟକ, ବାସନ୍ତୀ ନାୟକ, ବିନୁ ନାୟକ, ସବିତା ସେଠୀ ଓ ବନିତା ନାୟକ ଅତ୍ୟନ୍ତ କ୍ଷୋଭର ସହ ପ୍ରକାଶ କରିଛନ୍ତି। ସଂପୃକ୍ତ ସଂସ୍ଥାର କର୍ମଚାରୀଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରାଯିବ ବୋଲି ଆଇନଜୀବୀ ଗୋପାଳକୃଷ୍ଣ ବିଷୋୟୀ ପ୍ରକାଶ କରିଛନ୍ତି।
ଗତକାଲି ପ୍ରତାପୁର ପଞ୍ଚାୟତ ଅନ୍ତର୍ଗତ ଲଣ୍ଡେଇହିଲ ଗ୍ରାମରେ ଏକ ଘରୋଇ ଅର୍ଥଲଗାଣକାରୀ ସଂସ୍ଥାର କର୍ମଚାରୀମାନେ ଋଣ ଟଙ୍କା ଆଦାୟ କରିବାକୁ ଆସି ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଥିଲେ। କରୋନା କାଳରେ ଉପାର୍ଜନ କିଛି ନଥିବାରୁ ହଠାତ୍‍ ଟଙ୍କା ପରିଶୋଧ କରିବାକୁ ଅକ୍ଷମ ବୋଲି ଋଣ ଆଣିଥିବା ମହିଳାମାନେ କହିଥିଲେ। ସମ୍ପୃକ୍ତ କର୍ମଚାରୀମାନେ ମହିଳାଙ୍କ ଗୁହାରି ଶୁଣିନଥିଲେ। ଏପରି ଯେ ରାତି ୭ଟା ଯାଏଁ କର୍ମଚାରମାନେ ଗ୍ରାମରେ ଡେରା ପକାଇ ଜବରଦସ୍ତ ଟଙ୍କା ଆଦାୟ କରିବାକୁ ଉଦ୍ୟମ କରିଥିଲେ। ଜଣେ ମହିଳାଙ୍କ ସ୍ୱାମୀଙ୍କୁ ଗାଳିଗୁଲଜ କରିବାରୁ ଗଣ୍ଡୋଗଳର ସୂତ୍ରପାତ ହୋଇଥିଲା। ଗ୍ରାମବାସୀ ଓ ଗାଁରେ ପଶିଥିବା ଚାରି ଜଣ କର୍ମଚାରୀଙ୍କ ମଧ୍ୟରେ ମାରପିଟ ହୋଇଥିଲା। ଏଥିରେ ୩ ଜଣ କର୍ମଚାରୀ ଓ ୨ଜଣ ଗ୍ରାମବାସୀ ମଧ୍ୟ ଆହତ ହୋଇଥିଲେ।
ଲଣ୍ଡେଇହିଲ ଘଟଣାକୁ ଆଖି ଆଗରେ ରଖି ପଡୋଶୀ ବୁରପଲ୍ଲି ଗ୍ରାମର ପ୍ରାୟ ୩୦ରୁ ଅଧିକ ମହିଳା ଆଜି ଭଞ୍ଜନଗର ଉପଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ଉପଜିଲାପାଳ ସରକାରୀ ଗସ୍ତରେ ବାହାରକୁ ଚାଲି ଯାଇଥିବାରୁ ସଂପୃକ୍ତ ମହିଳାମାନେ ଏଠାରେ ବସି ରହିଥିଲେ। ଲକ୍‍ ଡାଉନ୍‍ ସମୟରେ ସୁରତରୁ ଭିଟାମାଟିକୁ ଫେରି ଆସିଥିବା ପ୍ରବାସୀ ଶ୍ରମିକ ନୟନି ନାୟକ ଓ ସ୍ୱାମୀ ସନ୍ତୋଷ ନାୟକ ଆର୍ଥିକ ଅନଟନ କାରଣରୁ ଚଳିବା ପାଇଁ ଏକ ଫାଇନାନ୍ସ ସଂସ୍ଥାରୁ ଋଣ ଆଣିଥିଲେ। ଏବେ ସେମାନଙ୍କର କୌଣସି ରୋଜଗାର ନାହିଁ । ଧାନ ଆଦାୟ ହେଲେ ବିକ୍ରିକରି ସୁଝିବାକୁ କହିଥିଲେ ହେଁ ଉକ୍ତ ସଂସ୍ଥାର କର୍ମଚାରୀମାନେ ସେମାନଙ୍କ ଗୁହାରି ଶୁଣିବା ପରିବର୍ତ୍ତେ କଟୁ ଭାଷା ପ୍ରୟୋଗ କରିଥିଲେ। ଋଣ ବାବଦ କିସ୍ତି ଅର୍ଥ ନେଦେଲେ ଗାଡି ପଛରେ ବାନ୍ଧି ଟାଣି ନିଆଯିବ ବୋଲି ଜଣେ କର୍ମଚାରୀ କୁଆଡେ ଧମକ ଦେଇଥିବା ଅନ୍ୟଜଣେ ଋଣଗ୍ରହୀତା ଶୈଳ ନାୟକ ଅଭିଯୋଗ କରିଛନ୍ତି।
ରିଜର୍ଭବ୍ୟାଙ୍କର ଗାଇଡ୍‍ ଲାଇନ ମଧ୍ୟରେ ସଂପୃକ୍ତ ଫାଇନାନ୍ସ ସଂସ୍ଥାଗୁଡିକ ପରିସରଭୁକ୍ତ ନା ନୁହେଁ ଜାଣିବା ପାଇଁ ଆଇନଜୀବୀ ବିଷୋୟୀ ସଂପୃକ୍ତ ଫାଇନାନ୍ସ ସଂସ୍ଥାଗୁଡିକୁ ଓକିଲ ନୋଟିସ୍‍ ପଠାଇବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି କାରବାର ଦ୍ୱାରା ସରକାର କେତେ ଟଙ୍କାର ରାଜସ୍ୱ ପାଇଛନ୍ତି ତାହା ତଦନ୍ତ ସାପେକ୍ଷ। ଗାଁ ଗାଁରେ ଏବେ ମହିଳା ସଶକ୍ତିକରଣ ଗ୍ରୁପ ଋଣ ଠାରୁ ଘରୋଇ ଅର୍ଥଲଗାଣକାରୀ ସଂସ୍ଥାର ଋଣ କାରବାର ବଢି ଚାଲିଛି। ଅଭାବ ଅନାଟନ ମଧ୍ୟରେ ଜବରଦସ୍ତ ଆଦାୟ ଅସହ୍ୟ ହୋଇଛି ବୋଲି ଗ୍ରାମର ଶୁଭ୍ରାଂଶୁ ମହାନ୍ତି, ଭଗବାନ ମହାନ୍ତି, ଟୁନା ସେଠୀ, ରବୀନ୍ଦ୍ର ବେହେରା ଓ ପ୍ରଫୁଲ ପାଣିଗ୍ରାହୀ ପ୍ରକାଶ କରିଛନ୍ତି। ବାରମ୍ବାର ଫାଇନାନ୍ସ ସଂସ୍ଥାରୁ ଋଣ ଆଣି ସୁଧସହ ମୂଳ ଧନ ଶୁଝି ନପାରି ବହୁ ପରିବାର ଉଛନ୍ନ ହେଲେଣି । ଶୈଳ ନାୟକ ଜଣେ ଦିନ ମଜୁରିଆ ଭାବେ କାମ କରୁଥିବା ବେଳେ ୩ଟି ସଂସ୍ଥା ୪୦ ହଜାର, ୩୦ ହଜାର ଓ ୩୦ ହଜାର ଟଙ୍କା ଏପରି ୧ ଲକ୍ଷ ଟଙ୍କା ଋଣ ପ୍ରଦାନ କରିଛନ୍ତି। ଏହି ଅସହାୟ ମହିଳା ଜଣଙ୍କ ୧୫ ଦିନ କିମ୍ବା ୧ ମାସ ମଧ୍ୟରେ କି ପ୍ରକାର ବ୍ୟବସାୟ କରି ଋଣ ପରିଶୋଧ କରିବ ତାହା ସଂପୃକ୍ତ କର୍ମଚାରୀମାନେ ଅନୁଧ୍ୟନ ନକରି ଗୋଟିଏ ପରେ ଗୋଟିଏ ସଂସ୍ଥା ଗ୍ରାମର ଏପରି ଅନେକ ମହିଳାଙ୍କୁ ଋଣ ଭାରରେ ବୁଡାଇ ଦେବା ଏହା ମହାଜନୀ ସାହୁକାରର କାରବାରଠୁ ବଳି ପଡିଛି। ବୁରପଲ୍ଲୀ ପରି ଭଂଜନଗର ଅଞ୍ଚଳର ଶହ ଶହ ଗ୍ରାମରେ ଏପରି ଅବସ୍ଥା ଉପୁଜିଛି।

Comments are closed.