ଭକ୍ତ ଶିରୋମଣି ଦାସିଆଙ୍କ ଜୟନ୍ତୀ ଉତ୍ସବ; ବାଲିଗାଁ ଉତ୍ସବମୁଖର

ପିପିଲି: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମଭକ୍ତ ଶିରୋମଣି ଦାସିଆଙ୍କ ଜୟନ୍ତୀ ଅବସରରେ ତାଙ୍କର ଜନ୍ମ ଓ ସାଧନା ପୀଠ ପିପିଲି ନିକଟବର୍ତ୍ତୀ ବାଲିଗାଁ ସୋମବାର ଉତ୍ସବ ମୁଖରିତ ହୋଇଉଠିଥିଲା।

ପିପିଲି ବ୍ଲକ ତେଇସିପୁର ପଞ୍ଚାୟତ ଅନ୍ତର୍ଗତ ବାଲିଗାଁଠାରେ ପବିତ୍ର କାର୍ତ୍ତିକ ଶୁକ୍ଳ ଏକାଦଶୀରେ ସିଦ୍ଧ ସାଧକ ଭକ୍ତ ଦାସିଆଙ୍କ ଜୟନ୍ତୀ ଉତ୍ସବ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ଭକ୍ତ ଦାସିଆ ସ୍ମୃତି କମିଟି ପକ୍ଷରୁ ପ୍ରତ୍ୟୁଷରେ ଦାସିଆଙ୍କ ସମାଧି ପୀଠରେ ପୂଷ୍ପମାଲ୍ୟ ଅର୍ପଣ କରାଯିବା ସହ ବୈଦିକ ରୀତିରେ ପୂଜାର୍ଚ୍ଚନା, ଗୀତା ଓ ଭାଗବତ ପାଠ କରାଯାଇଥିଲା। ପୀଠ ପରିସରରେ ଥିବା ପ୍ରଭୂ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ସମସ୍ତ ରୀତିନୀତି ଅନୁଯାଇ ଚତୁର୍ଦ୍ଧାମୁର୍ତ୍ତୀର୍ଙ୍କ ପୂଜାର୍ଚ୍ଚନା କରାଯିବା ସହ ଅଖଣ୍ଡ ନାମଯଜ୍ଞ କରାଯାଇଥିଲା। ଏହି ଅବସରରେ ସେଠାରେ ଭକ୍ତ ଦାସିଆ ସଂକୀର୍ତ୍ତନ ମଣ୍ଡଳୀ ପକ୍ଷରୁ ଅଖଣ୍ଡ ନାମ ସଂକୀର୍ତ୍ତନ ପରିବେଷଣ କରାଯାଇଥିଲା। ମଧ୍ୟାହ୍ନରେ ଭକ୍ତ ଦାସିଆଙ୍କ ପ୍ରିୟ ଜାଉ ଓ ଶାଗ ଭୋଗ, ପୀଠସ୍ଥ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରର ମହାକାର୍ତ୍ତୀକ ପହିଲି ଭୋଗ ଏବଂ ମଧ୍ୟାହ୍ନ ଭୋଗ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ବିତରଣ କରାଯାଇଥିଲା। ସେଠାରେ ଥିବା ଭକ୍ତ ଦାସିଆଙ୍କ ସମାଧି ପୀଠ, ଶ୍ରୀଜଗନ୍ନାଥଙ୍କ ମନ୍ଦିର, ରାଧାମୋହନ ମଠ, ତୁଳସୀ ବଣ, ପଦ୍ମ ପୋଖରୀ ଓ ଭକ୍ତ ଦାସିଆ ତାଙ୍କ ପତ୍ନୀଙ୍କୁ ଜଳ ମଧ୍ୟରେ ରଥଯାତ୍ରା ଦେଖାଇଥିବା ଗୋଠଗାଡିଆ ନିକଟରେ ଶ୍ରଦ୍ଧାଳୁଙ୍କର ଭିଡ ପରିଲକ୍ଷିତ ହୋଇଥିଲା। ଏହି ଅବସରରେ ରୋଟାରୀ କ୍ଲବ ଭୁବନେଶ୍ୱର(ନର୍ଥ) ପକ୍ଷରୁ ସେଠାରେ ମାଗଣା ହୋମିଓପ୍ୟାଥି ଚିକିତ୍ସା ସହ ଔଷଧ ବିତରଣ କରାଯାଇଥିଲା। ଦିବ୍ୟ ଦିଗନ୍ତ ଓ ଓଡିଶା ସ୍ୱାସ୍ଥ୍ୟ ସେବା ସଂଘ ମିଳିତ ଉଦ୍ୟମରେ ନିଶୁଳ୍କ ମର୍ମ ଚିକିତ୍ସା ସେବା ଶିବିର ସହ ସେଠାରେ ଭୁବନେଶ୍ୱରର କେୟାର ନେତ୍ରମ୍‍ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ଭଜନ ପରିବେଷଣ କରାଯାଇଥିବା ବେଳେ ଭକ୍ତ ଦାସିଆ ସ୍ମୃତି କମିଟି ପକ୍ଷରୁ ଆୟୋଜିତ ସ୍ମୃତି ସଭାରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଭକ୍ତ ଦାସିଆଙ୍କ ସ୍ମୃତିଚାରଣ କରିଥିଲେ। ସ୍ମୃତି କମିଟିର ସଂପାଦକ ଅଧ୍ୟାପକ ଡ଼ଃ ଘନଶ୍ୟାମ ସ୍ୱାଇଁ, ଟ୍ରଷ୍ଟି ଡ଼ଃ ଚିତ୍ତରଞ୍ଜନ ମିଶ୍ର, ଡ଼ଃ ନରେନ୍ଦ୍ରନାଥ ସାହୁ, ଅର୍ଜ୍ଜୁନ ଚରଣ ସାମଲ, ସରୋଜ କୁମାର ସାହୁ ଆଞ୍ଚଳିକ କମିଟିର ଅଧ୍ୟକ୍ଷ ଗଦାଧର ଦାଶ, ସଦସ୍ୟ ସ୍ୱୟଂପ୍ରକାଶ ପରିଡା, ପ୍ରଫୁଲ୍ଲ ବିଶ୍ୱାଳ, ଅକ୍ଷୟ ବେହେରା, କୃଷ୍ଣଚନ୍ଦ୍ର ଲେଙ୍କା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Comments are closed.