‘ସଖୀ’ ପରିଦର୍ଶନ କଲେ ଡଃ ପ୍ରଭାସ ଆଚାର୍ଯ୍ୟ

ଭଦ୍ରକ: ନିର୍ଯାତିତା, ଅସହାୟ ମହିଳା ଓ ନାବାଳିକାଙ୍କ ସହାୟତା ଲାଗି ଭଦ୍ରକରେ ଫେଲୋସିପ ଦ୍ୱାରା ପରିଚାଳିତ ୱାନ ଷ୍ଟପ ସେଣ୍ଟର (ସଖୀ) ପରିଦର୍ଶନ କରିଛନ୍ତି ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ‘ସମାଜ’ର ମୁଖ୍ୟ ପ୍ରାଶାସନିକ ଅଧିକାରୀ ଡ.ପ୍ରଭାସ ଆଚାର୍ଯ୍ୟ। ‘ଫେଲୋସିପ’ର ସଭାପତି ଲଲାଟେନ୍ଦୁ ମହାନ୍ତିଙ୍କ ଆମନ୍ତ୍ରଣ କ୍ରମେ ଡ.ଆଚାର୍ଯ୍ୟ ଶନିବାର ପୂର୍ବାହ୍ଣରେ ଜିଲାପାଳଙ୍କ ପୁରୁଣା କାର୍ଯ୍ୟାଳୟ ପରିସରରେ ଥିବା ‘ୱାନ ଷ୍ଟପ ସେଣ୍ଟର’ ପରିଦର୍ଶନ କରିଛନ୍ତି। ଉକ୍ତ କେନ୍ଦ୍ରଟି କେମିତି କାର୍ଯ୍ୟ କରୁଛି ସେ ସମ୍ପର୍କରେ ବୁଝିଛନ୍ତି। ନିର୍ଯାତିତା, ଅସହାୟ ମହିଳା ତଥା ବାଳିକାଙ୍କୁ କେମିତି ଆଇନଗତ ସହାୟତା, ମନସ୍ତାତ୍ତ୍ବିକ ତଥା ସାମାଜିକ ପରାମର୍ଶ, ପୁଲିସ ସହାୟତା ମିଳିବାର ବ୍ୟବସ୍ଥା ରହିଛି ସେଥିନେଇ ଅନୁଧ୍ୟାନ କରିଛନ୍ତି ଡ.ଆଚାର୍ଯ୍ୟ।

ପ୍ରତି ଜିଲାରେ କାର୍ଯ୍ୟକାରୀ ହେଉଥିବା ଏଭଳି କେନ୍ଦ୍ର ଠିକ୍ ଲକ୍ଷ୍ୟ ଓ ଆଭିମୁଖ୍ୟ ବଜାୟ ରଖିଲେ ମହିଳାଙ୍କ ଉପରେ ବହୁବିଧ ନିର୍ଯାତନା ଆଶାତୀତ ଭାବେ ହ୍ରାସ ପାଇବ ବୋଲି ଡ.ଆଚାର୍ଯ୍ୟ ମତ ରଖିଛନ୍ତି। ଉକ୍ତ କେନ୍ଦ୍ର ହାତକୁ ନେଇଥିବା କେତେକ ମାମଲା ଓ ତା’ର ସମାଧାନ ପ୍ରକ୍ରିୟାକୁ ଅନୁଧ୍ୟାନ କରି ସନ୍ତୋଷ ପ୍ରକଟ କରିଛନ୍ତି ଡ.ଆଚାର୍ଯ୍ୟ। ‘ୱାନ ଷ୍ଟପ ସେଣ୍ଟର’ ପକ୍ଷରୁ କେନ୍ଦ୍ର ପରିଚାଳିକା ପୁଷ୍ପାଞ୍ଜଳି ବେହେରା ଓ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।

Comments are closed.