ଜୁନ ୭ରେ ଆଖଣ୍ଡଳମଣିଙ୍କ ବିବାହ ଉତ୍ସବ

ଆରଡି : ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିଧାମର ବାବା ଆଖଣ୍ଡଳମଣିଙ୍କର ଆସନ୍ତା ଜୁନ ୭ରେ ବିବାହ ଉତ୍ସବ ଅନୁଷ୍ଠିତ ହେବ। ଏହି ବିବାହ ଉତ୍ସବ ସମ୍ପୂର୍ଣ୍ଣ ଲୋକାଚାରରେ ଅନୁଷ୍ଠିତ ହେବ। ଏଥିପାଇଁ ପବିତ୍ର ଅକ୍ଷୟତୃତୀୟା ତିଥିରେ ଦିନ ଏବଂ ବାର ଠିକ ହେବା ପରେ ସେବାକାରୀଙ୍କ ପକ୍ଷରୁ ବରପିତା ଓ କନ୍ୟାପିତା ନିମନ୍ତେ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଅନ୍ୟପଟେ ବିବାହ ଉତ୍ସବରେ ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ମଇ୧୫ ଅର୍ଥାତ ବୁଧବାର ଦିନ ପ୍ରସ୍ତୁତି ବୈଠକ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ମନ୍ଦିରର ସେବାୟତଙ୍କ ସହ ଜିଲା ପ୍ରସାସନ, ମନ୍ଦିର ପ୍ରଶାସନ, ଜିଲାର ବିଭିନ୍ନ ବିଭାଗର ଅଧିକାରୀ ଓ ପୁଲିସ ବିଭାଗ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ବିବାହ ଉତ୍ସବରେ ବରପିତା ଓ କନ୍ୟାପିତା ଚୟନ ହେବା ପରେ ଲଗ୍ନ ଚିଟାଉ ନିମନ୍ତେ ଜ୍ୟୋତିଷଙ୍କ ପକ୍ଷରୁ ଦିନ ଧାର୍ଯ୍ୟ କରାଯିବ ବୋଲି ମନ୍ଦିରର ସେବାୟତମାନେ ପ୍ରକାଶ କରିଛନ୍ତି। ବିଶେଷକରି ଦେବ ଦମ୍ପତ୍ତିଙ୍କ ବିବାହ ଉତ୍ସବ ଏହି ପୀଠରେ ପ୍ରସିଦ୍ଧ ପର୍ବ ହୋଇଥିବାରୁ ରାଜ୍ୟର ବିଭିନ୍ନ ଜିଲାରୁ ପାରମ୍ପରିକ ବାଦ୍ୟ, ସଂକିର୍ତ୍ତନ ମଣ୍ଡଳୀ ଓ ନୃତ୍ୟଶିଳ୍ପି ଯୋଗ ଦେଇଥାନ୍ତି। ତାହା ସହ ବରଧରାଗମନ ଓ ବରାନୁଗମନ ଶୋଭାଯାତ୍ରା ଦେଖିବା ପାଇଁ ପୀଠରେ ଅଗଣିତ ଭକ୍ତଙ୍କ ଭିଡ଼ ଲାଗିଥାଏ। ଚଳିତବର୍ଷ ବିବାହ ଉତ୍ସବକୁ ମହା ଆଡମ୍ବର ସହ ପାଳନ ନିମନ୍ତେ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇ ପ୍ରକାଶ କରିଛନ୍ତି।

Comments are closed.