ଆଖଣ୍ଡଳମଣି ପୀଠରେ ନିର୍ମାଣ ହେବ ସୌନ୍ଦର୍ଯ୍ୟପୂର୍ଣ୍ଣ ପାର୍କ

ଆରଡି: ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳ ଭାବେ ମାନ୍ୟତା ପାଇଥିବା ଭଦ୍ରକ ଜିଲାର ଆଖଣ୍ଡଳମଣି ପୀଠକୁ ସର୍ବାଙ୍ଗ ସୁନ୍ଦର ଭାବେ ଗଢିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ କିଛିମାସ ହେବ ପ୍ରୟାସ ଜାରି ରହିଛି। ଏପରିକି ଆଗନ୍ତୁକ ପର୍ଯଟକମାନେ ଯେପରି କୌଣସି ଅସୁବିଧାରେ ନପଡିବେ ସେଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି। ଗୁରୁବାର ଜିଲା ପ୍ରକଳ୍ପ ନିର୍ଦେଶକ ମଧୂସୁଧନ ମିଶ୍ର, ଉପଜିଲାପାଳ ତଥା ମନ୍ଦିର ଟ୍ରଷ୍ଟି ପିତାମ୍ବର ସାମଲ, ଚାନ୍ଦବାଲି ବିଡିଓ ଶ୍ୟାମସୁନ୍ଦର ଟୁଡୁ , ଚାନ୍ଦବାଲି ତହସିଲିଦାର ସୁଶାନ୍ତ କୁମାର ସୂତାର ପ୍ରମୁଖ ପୀଠରେ ପହଞ୍ଚି ପାରିପାର୍ଶ୍ବିକ ସ୍ଥିତି ବୁଲି ଦେଖିବା ସହିତ ପୀଠକୁ କିପରି ବିକସିତ କରାଯାଇପାରିବ ସେଥିପାଇଁ ମନ୍ଦିର ସେବାୟତ ଓ ସ୍ଥାନୀୟ ଅଧିବାସିଙ୍କ ସହ ଆଲୋଚନା କରିଥିଲେ। ବିଶେଷକରି ମଣିବାବାଙ୍କ ମୁଖ୍ୟ ପର୍ବପର୍ବାଣୀରେ ପୀଠରେ  ଆଗନ୍ତୁକ ପର୍ଯ୍ୟଟକମାନଙ୍କ ସଂଖ୍ୟା ବୃଦ୍ଧି ହେତୁ ସେମାନଙ୍କ ପାଇଁ କରାଯାଉଥିବା ବ୍ୟବସ୍ଥାମାନ ଆବଶ୍ୟକତା ଠାରୁ କମ ବୋଲି ଅଧିକାରିଙ୍କ ନିକଟରେ ସେବାୟତମାନେ ପ୍ରକାଶ କରିଥିଲେ। ସବୁଠାରୁ ବଡକଥା ହେଲା ପୀଠରେ ପରିସ୍ରାଗାରଟିଏ ନଥିବାରୁ ଆଗନ୍ତୁକ ମହିଳାଭକ୍ତମାନେ ନାନା ଅସୁବିଧାରେ ସମୁଖିନ ହେଉଥିବା ସେବାୟତମାନେ ପ୍ରଶାସନର ଦୃଷ୍ଟ ଆକର୍ଷଣ କରିଥିଲେ।

ଅନ୍ୟପଟେ ପୀଠରେ ଏକ ସୈାନ୍ଦର୍ଯ୍ୟପୂର୍ଣ୍ଣ ପାର୍କ ନିର୍ମାଣ ହେବ ବୋଲି ପ୍ରଶାସନପକ୍ଷରୁ ପ୍ରକାଶ ପାଇଥିଲା। ଯାହାର ମଜା ଉଠାଇବେ ଆଗନ୍ତୁକ ପର୍ଯ୍ୟଟକମାନେ। ଏପରିକି ଏହି କାର୍ଯ୍ୟ ପ୍ରାରମ୍ଭରୁ ସମାପନ ପର୍ଯ୍ୟନ୍ତ ପ୍ରଶାସନିକ ଅଧିକାରୀମାନେ ତଦାରଖ କରିବେ ବୋଲି ବ୍ଲକ ନିର୍ବାହୀଯନ୍ତ୍ରୀ ପ୍ରଭାତ ବେହେରାଙ୍କ ସହ ଆଲୋଚନା କରିଥିଲେ। ପାର୍କର ରୂପରେଖ ସମ୍ବନ୍ଧରେ ଉପଜିଲାପାଳ ତଥା ମନ୍ଦିରଟ୍ରଷ୍ଟି ଶ୍ରୀ ସାମଲ ଏକ ପ୍ରାଥମିକ ବ୍ଲୁପ୍ରିଣ୍ଟି ପ୍ରସ୍ତୁତ କରିଥିଲେ। ଯାହା ଆଗାମୀ ଦିନରେ ଚୂଡାନ୍ତ ବ୍ଲୁପ୍ରଣ୍ଟି ପ୍ରସ୍ତୁତ କରାଯିବା ସହିତ ଆସନ୍ତା ମାର୍ଚ ଶେଷ ସପ୍ତାହରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ମିତ ଅତିଥି ବିଶ୍ରାମଗାର ନିକଟରେ ଉକ୍ତ ପାର୍କ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଉପଜିଲାପାଳ ଶ୍ରୀ ସାମଲ ପ୍ରକାଶ କରିଛନ୍ତି। ଯେପରି କାର୍ଯ୍ୟ ଠିକ ଭାବେ ହେବ ସେଥିପାଇଁ ବିଭାଗୀୟ ଅଧିକାରିଙ୍କୁ ପ୍ରକଳ୍ପନିର୍ଦେଶକ ଶ୍ରୀ ମିଶ୍ର ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆରଡି ଆର.ଆଇ ଦେବାଷିଶ ରାୟ, ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇ, ସେବାୟତ ମନୋରଞନ ପାଢୀ, ପ୍ରତାପ ପାଢୀ, ଦେବାଶିଷ ପାଢୀ, କିଶୋରି ମୋହନ ଦ୍ୱିବେଦୀ, ବାଉନ ପାଢୀଙ୍କ ସହ ବହୁ ସେବାୟତ ଉପସ୍ଥିତ ରହି ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

Comments are closed.