ମୁଖ୍ୟମନ୍ତ୍ରୀ କେବିକେ ଓ କନ୍ଧମାଳ ବାସୀଙ୍କୁ ସାବତ ପୁଅ ପରି ଦେଖିବା ଛାଡନ୍ତୁ – ଭକ୍ତ ଦାସ

ଭବାନୀପାଟଣା : କେବିକେ ଅଧିନରେ ଥିବା କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୋନପୁର, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ରାୟଗଡା ଜିଲା ସହିତ କନ୍ଧମାଳ ଜିଲ୍ଲାର ସ୍ୱାସ୍ଥ୍ୟ ବ୍ୟବସ୍ଥା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ। ଏହିସବୁ ଜିଲାର ମୁଖ୍ୟ ଚିକିତ୍ସାଳୟ ସହିତ ଅନ୍ୟ ସମସ୍ତ ସରକାରୀ ଡାକ୍ତରଖାନାରେ ୧୬୯୪ ବିଭିନ୍ନ ବିଭାଗରେ ବିଶେଷଜ୍ଞ ଓ ଅନ୍ୟାନ୍ୟ ଡାକ୍ତର ରହିବା ସ୍ଥଳେ ଅଛନ୍ତି ମାତ୍ର ୮୬୬। ବର୍ଷ ବର୍ଷ ଧରି ଖାଲିପଡ଼ିଛି ୮୨୮। ମୁଖ୍ୟମନ୍ତ୍ରୀ ଏହି ଖାଲି ଡାକ୍ତର ପଦବୀ ପୂରଣ କରି ଏହି ଜିଲାବାସୀଙ୍କୁ ଉତ୍ତମ ଚିକିତ୍ସା ସୁବିଧା ଯୋଗାଇ ଦେବା ପରିବର୍ତ୍ତେ ମୁଖ୍ୟମନ୍ତ୍ରୀ ନିଜ ନିର୍ବାଚନ ମଣ୍ଡଳୀ ଜିଲା ଗଞ୍ଜାମରେ କରୋନା ମହାମାରୀକୁ ରୋକିବା ଓ ପରିଚାଳନାରେ ସମ୍ପୂର୍ଣ୍ଣ ବିଫଳ ହେବା ପରେ ଗଞ୍ଜାମ ବାସୀଙ୍କ ରାଜ୍ୟ ସରକାରଙ୍କ ପ୍ରତି ଦେଖାଦେଇଥିବା କ୍ରୋଧରୁ ରକ୍ଷା ପାଇବା ପାଇଁ ରାଜ୍ୟର ୩୦ ଟି ଜିଲାରୁ ଭାଗ ଭାଗ କରି ଡାକ୍ତର ଗଞ୍ଜାମକୁ ନ ପଠାଇ କେବଳ କେବିକେ ଅଧିନରେଥିବା ଉପରୋକ୍ତ ଜିଲାରୁ ଚଞ୍ଚକତା କରି ଏକଶହ ଡାକ୍ତରଙ୍କୁ ଗଞ୍ଜାମ କୋଭିଡ୍‍ ମୁକାବିଲା ପାଇଁ ପଠାଇବା ଅତ୍ୟନ୍ତ ଦୁଃର୍ଭାଗ୍ୟଜନକ।

ଏହି କେବିକେ ଜିଲ୍ଲା ମାନଙ୍କରେ ବର୍ତ୍ତମାନ ଗୋଟିଏ ପରେ ଗୋଟିଏ କରୋନାର ତାଣ୍ଡବ ଖେଳୁଥିବା ବେଳେ ଅନ୍ୟପଟେ ବର୍ଷା ମାସରେ ମ୍ୟାଲେରିଆ, ଡାଇରିଆ, ଝାଡାବାନ୍ତି ଓ ଅନ୍ୟାନ୍ୟ ରୋଗ ସଂକ୍ରାମିତ ହେବାରେ ଲାଗିଛି। ସେଥିରୁ ଲୋକମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇଦେବା ପରିବର୍ତ୍ତେ ଏହି କେବିକେ ଜିଲ୍ଲାରୁ ଡାକ୍ତର, ଟେକ୍‍ନିସିଏନ୍‍ ଆଦିକୁ ଗଞ୍ଜାମ ପଠାଇ ମୁଖ୍ୟମନ୍ତ୍ରୀ ଜିଲ୍ଲାବାସୀଙ୍କୁ ତାଙ୍କର ସାବତ ପୁଅ ପରି ଦେଖୁଥିବା ପ୍ରମାଣ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏପରି ବୈମାତୃକ ମନୋଭାବ ଆଞ୍ଚଳିକ ବୈଷମ୍ୟ ଭେଦଭାବକୁ ସିଧାସଳକ ପ୍ରୋତ୍ସାହନା ଦେବା ଅତ୍ୟନ୍ତ ଦୁଃଖଦାୟକ। କେବିକେ ଜିଲ୍ଲାମାନଙ୍କରୁ ଗଞ୍ଜାମ ପଠାଯାଇଥିବା ଡାକ୍ତର, ଫାର୍ମାସିଷ୍ଟ ଓ ଅନ୍ୟ କର୍ମଚାରୀଙ୍କୁ ତୁରନ୍ତ ଫେରାଇ ଆଣିବା ପାଇଁ କଳାହାଣ୍ଡି ଜିଲା କଂଗ୍ରେସ କମିଟି ତରଫରୁ ଜିଲାପାଳଙ୍କ ଜରିଆରେ ଏକ ସ୍ମାରକପତ୍ର ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିବା ଓ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୋଭିଡ୍‍-୧୯ ନିୟମ ମାନି ଏକ ବିକ୍ଷୋଭ କରାଯାଇଥିଲା। ତୁରନ୍ତ ଜିଲ୍ଲାରେ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ ଏବଂ କେବିକେ ଓ କନ୍ଧମାଳ ଜିଲ୍ଲାରୁ ଗଞ୍ଜାମକୁ ପଠାଯାଇଥିବା ଡାକ୍ତରଙ୍କୁ ନିଜ ଚାକିରି କରୁଥିବା ସ୍ଥାନକୁ ଫେରାଇ ନଆଣିଲେ ଆଗାମି ଦିନରେ ଯେଉଁ ଆନ୍ଦୋଳନ ହେବାକୁ ଯାଉଛି ତାହା ଅତି ଭୟାଭହ ଆନ୍ଦୋଳନ ହେବ ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ ପ୍ରକାଶ କରିଛନ୍ତି।

କୋଭିଡ ମୁକାବିଲା ପାଇଁ କଂଗ୍ରେସ ସବୁବେଳେ ରାଜ୍ୟ ସରକାରଙ୍କ ସହଯୋଗ କରି ଆସିଛି। ତାହା ମାନେ ନୁହେଁ ତାହା ଆମର ଦୂର୍ବଳତା। ମୁଖ୍ୟମନ୍ତ୍ରୀ ଏପରି ହିନ ଭାବନା ଠାରୁ ଦୁରେଇ ରହିବା ସହିତ ଗଞ୍ଜାମବାସୀଙ୍କ ପ୍ରତି ପ୍ରହସନ ଓ ଛଳନା ନ କରିବା ପାଇଁ ଏହି ନେତା ମାନେ ଚେତାବନୀ ଦେଇଥିଲେ। ଯଦି ମୁଖ୍ୟମନ୍ତ୍ରୀ ନିଜର ଭୁଲକୁ ନ ସୁଧାରନ୍ତି ଆଗାମି ଦିନରେ ତାଙ୍କୁ ବହୁତ କିଛି ହରାଇବାକୁ ପଡ଼ିବ ବୋଲି ଶ୍ରୀ ଦାସ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଭାରତ ବେମାଲ, ଉପସଭାପତି ଦେବୀ ପ୍ରସାଦ ସିନ୍ଦୁର, ସନ୍ତୋଷ ମୁଣ୍ଡ, ଆଦିବାସୀ ନେତା ପରମା ମାଝୀ, ତ୍ରିଲୋଚନ ପାଣୀଗ୍ରାହୀ, ଉତ୍ସବ ସାହୁ, ପ୍ରିତମ ବେହେରା, ଅବଦୁଲ ସାଜିତ, ମହମ୍ମଦ ସାହେବ, ବ୍ରଜ ସାହୁ, ମାଣିକ ସୁନା, ସୁରେଶ ପଟ୍ଟନାୟକ, ଗିରିଧାରି ପାତ୍ର, ସରୋଜ ବାଗ, ସାଗର ପଟ୍ଟନାୟକ, ଚନ୍ଦ୍ର ନାଏକ, ଦୟାନିଧି ନାଏକ, ସୁଦର୍ଶନ ବିଶ୍ୱାଳ ପ୍ରମୁଖ ଯୋଗଦେଇଥିଲେ।

 

Comments are closed.