ବିନା ଭକ୍ତରେ ଅକ୍ଟୋବର ୧୩ ତାରିଖ ଦିନ ଅନୁଷ୍ଠିତ ହେବ ମାଁ ମାଣିକେଶ୍ୱରୀଙ୍କ ବିରଳ ଛତରଯାତ୍ରା ; ପ୍ରସ୍ତୁତି ବୈଠକରେ ନିସ୍ପତ୍ତି

ବାହାର ଲୋକଙ୍କୁ ଭବାନୀପାଟଣାକୁ ପ୍ରବେଶ ବନ୍ଦ, ସହରର ସମସ୍ତ ପଡାର ପ୍ରବେଶ ରାସ୍ତା ମନ୍ଦିର ପର୍ଯ୍ୟନ୍ତ ସମସ୍ତ ପ୍ରବେଶ ପଥକୁ ସିଲ କରାଯିବ

ଭବାନୀପାଟଣା :  ପୁରୀର ରଥଯାତ୍ରା ପରି କଳାହାଣ୍ଡିର ଇଷ୍ଟଦେବୀ ମାଁ ମାଣିକେଶ୍ୱରୀଙ୍କ ବିରଳ ଛତରଯାତ୍ରା ଚଳିତ ବର୍ଷ କୋଭିଡ୍-୧୯ ନିର୍ଦ୍ଦେଶନାମା ମାନି ବିନା ଭକ୍ତରେ ସମସ୍ତ ରୀତି ନୀତି ଅନୁଯାୟୀ ଅକ୍ଟୋବର ୧୩ ତାରିଖ ବୁଧବାର ଦିନ ଅନୁଷ୍ଠିତ ହେଉଥିବା ବେଳେ ୧୫ ତାରିଖ ଲାଖମରା ଯାତ୍ରା ଅନୁଷ୍ଠିତ ହେବ। କରୋନା ମହାମାରୀରୁ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଅକ୍ଟୋବର ୧୨ ତାରିଖରୁ ଭବାନୀପାଟଣା ସହରର ସମସ୍ତ ପ୍ରବେଶ ପଥକୁ ସିଲ କରାଯାଇ ଭବାନୀପାଟଣା ବାହାରୁ କୌଣସି ଗାଡି ମୋଟର ଓ ଜନସାଧାରଣକୁ ପ୍ରବେଶ କରିବା ଉପରେ ପ୍ରତିବନ୍ଧକ ଲଗାଯିବ ଓ ଭବାନୀପାଟଣା ସହରର ସମସ୍ତ ପଡାର ପ୍ରବେଶ ରାସ୍ତା ଓ ଜେନାଖାଲ ପଡା ଠାରୁ ପରଦେଶିପଡା-ନୂଆ ବସଷ୍ଟାଣ୍ଡ-ଘୋଡାଘାଟଛକ-ପ୍ୟାଲେସରୋଡ(ଜଗନ୍ନାଥ ମନ୍ଦିରପଡା)-ମାଣିକେଶ୍ୱରୀ ମନ୍ଦିର- ଷ୍ଟେଚ୍ୟୁଛକ ରାସ୍ତାର ସମସ୍ତ ପ୍ରବେଶ ପଥକୁ ସିଲ୍ କରାଯିବ। ଛତରଯାତ୍ରା ସହିତ କେବଳ ମାଁ ଙ୍କ ଜେନା ବାଜା ଓ ପ୍ୟାଲେସ କାର୍ଯ୍ୟାଳୟ ନିମନ୍ତ୍ରୀତ ଏକ ଘୁମୁରା ଦଳକୁ ଛାଡି ଦେଲେ ଅନ୍ୟ କୌଣସି ସାଂସ୍କୃତିକ ଦଳ ପୂର୍ବ ବର୍ଷପରି ଛତରଯାତ୍ରା ସହିତ ଯିବା ଉପରେ ପ୍ରଶାସନ କଟକଣା ଲାଗୁ କରାଯିବ ବୋଲି ୨୫ ତାରିଖ ଶନିବାର ଦିନ ଛତରଯାତ୍ରାର ପ୍ରସ୍ତୁତି ବୈଠକରେ ସର୍ବସମ୍ମତିକ୍ରମେ ନିସ୍ପତ୍ତି କରାଯାଇଛି।

କଳାହାଣ୍ଡିର ଇଷ୍ଟଦେବୀ ମାଁ ମାଣିକେଶ୍ୱରୀଙ୍କ ବିରଳ ଛତରଯାତ୍ରା ଦର୍ଶନ ପାଇଁ ଓ ମାଁ ଙ୍କ ପାଖରେ ଭକ୍ତ ମାନେ ମାନଷିକ କରିଥିବା ବୋଦା, ମେଣ୍ଢା, ପାରା, କୁକୁଡା ଆଦି ବଳି ଦେବା ସହିତ ମାଁଙ୍କ ଛତର ଯାତ୍ରାରେ ବେଲପତ୍ର ଓ ମନ୍ଦାର ମାଳ ସହିତ ନାଲି ଓ କଳା କପଡା ଚଢାଇ ଥାନ୍ତି। ପ୍ରତି ବର୍ଷ ହଜାର ହଜାର ବୋଦା, ମେଣ୍ଢା, ପାରା, କୁକୁଡା ବଳି ଦିଆଯିବା ସହିତ ବହୁ ପାରାକୁ ଭକ୍ତ ମାନେ ମାଁ ଙ୍କ ଛତର ପ୍ରତିମା ଉପରକୁ ଉଡାଇଥାନ୍ତି। ଗୋଟି ବର୍ଷ ପରେ ତା ପର ବର୍ଷକୁ ମାଁଙ୍କ ଛତରଯାତ୍ରାକୁ ଦର୍ଶନ କରିବା ପାଇଁ ଜିଲ୍ଲା ଓ ଜିଲ୍ଲା ବାହାରକୁ ଲକ୍ଷ ଲକ୍ଷ ଭକ୍ତ ଚାତକପରି ଚାହିଁ ରହିଥାନ୍ତି। ଠିକ ସେହିପରି ମାଁ ମାଣିକେଶ୍ୱରୀଙ୍କ ଚଳନ୍ତି ପ୍ରତିମା ଛତରଯାତ୍ରା ସମ୍ମୁଖରେ ବିଭିନ୍ନ ସାଂସ୍କୃତିକ ଦଳ ନିଜର ପାରମ୍ପରିକ ବାଜା ଓ ପୋଷାକରେ ସଜେଇ ହୋଇ ମାଁଙ୍କ ସମ୍ମୁଖରେ ନୃତ୍ୟ କରିବା ପାଇଁ ନୂଆଁଖାଇ ପରେ ପରେ ଅଭ୍ୟାସ ଆରମ୍ଭ କରିଥାନ୍ତି।
କଳାହାଣ୍ଡିର ଇଷ୍ଟଦେବୀ ମାଁ ମାଣିକେଶ୍ୱରୀଙ୍କ ଛତରଯାତ୍ରା ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥାଏ। ଚଳିତ ବର୍ଷ କରୋନା ମହାମାରୀକୁ ଆଖି ଆଗରେ ରଖି କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମ ଉପରେ କଡାକଡି କଟକଣା ଲାଗୁ କରିଛନ୍ତି। ଚଳିତ ବର୍ଷ ଅକ୍ଟୋବର ୧୨ ତାରିଖ ମଧ୍ୟ ରାତ୍ରୀରେ ମାଁ ମାଣିକେଶ୍ୱରୀଙ୍କ ଚଳନ୍ତି ପ୍ରତିମା ଛତର ମାଣିକେଶ୍ୱରୀଙ୍କ ମୁଖ୍ୟ ମନ୍ଦିରରୁ ୫ କିମି ଦୂରରେ ଥିବା ଜେନାଖାଲ ପର୍ଯ୍ୟନ୍ତ ଯିବ। ସେଠାରେ ଗୁପ୍ତ ପୂଜା ଓ ରୀତି ନୀତି ସରିବା ପରେ ଅକ୍ଟୋବର ୧୩ ତାରିଖ ଭୋର୍ରୁ ଛତରଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଅକ୍ଟୋବର ୧୫ ତାରିଖ ଦିନ ମାଁ ମାଣିକେଶ୍ୱରୀଙ୍କ ଲାଖମରା ଯାତ୍ରା ଅନୁଷ୍ଠିତ ହେବ। ଯଦି ପୂର୍ବବର୍ଷ ପରି ଚଳନ୍ତି ବର୍ଷ ଛତରଯାତ୍ରା ଓ ଦୁର୍ଗାପୂଜା କରାଯାଏ ତେବେ ଏହି କରୋନା ମହାମାରୀକୁ ରୋକିବା ପ୍ରଶାସନ ପାଇଁ କଷ୍ଟ ସାଧକ ହେବା ସହିତ ପରିସ୍ଥିତି ଅଣାୟତ ହୋଇପଡିବ ବୋଲି ୨୫ ତାରିଖ ଶନିବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ କଳାହାଣ୍ଡି ଜିଲ୍ଲାପାଳ ଡା. ଗାଭାଲି ପରାଗ ହର୍ଷଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଛତରଯାତ୍ରାର ପ୍ରସ୍ତୁତି ବୈଠକରେ ଉପସ୍ଥିତ ଛତରଯାତ୍ରା କମିଟିର ସଦସ୍ୟ ମାନେ ନିଜ ନିଜର ମତପ୍ରକାଶ କରିଥିଲେ। ଏହି ପ୍ରସ୍ତୁତି ବୈଠକରେ  ଚଳିତ ବର୍ଷ କରୋନା ମହାମାରୀକୁ ଆଖି ଆଗରେ ରଖି କୋଭିଡ-୧୯ ର ସମସ୍ତ ନିର୍ଦ୍ଦେଶନାମାକୁ ପାଳନ କରାଯିବ। ଜିଲ୍ଲା ପ୍ରଶାସନ ଅକ୍ଟୋବର ୧୨ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଭବାନୀପାଟଣା ସହରର ସମସ୍ତ ପ୍ରବେଶ ପଥକୁ ସିଲ କରାଯାଇ ଭବାନୀପାଟଣା ବାହାରୁ କୌଣସି ଗାଡି ମୋଟର ଓ ଜନସାଧାରଣକୁ ପ୍ରବେଶ କରିବା ଉପରେ ପ୍ରତିବନ୍ଧକ ଲଗାଯିବ ଓ ଭବାନୀପାଟଣା ସହରର ସମସ୍ତ ପଡାର ପ୍ରବେଶପଥ ରାସ୍ତାକୁ ଓ ଜେନାଖାଲ ପଡା ଠାରୁ ପରଦେଶିପଡା-ନୂଆ  ବସଷ୍ଟାଣ୍ଡ ଘୋଡାଘାଟଛକ-ପ୍ୟାଲେସରୋଡ (ଜଗନ୍ନାଥ ମନ୍ଦିରପଡା)-ମାଣିକେଶ୍ୱରୀ ମନ୍ଦିର- ଷ୍ଟେଚ୍ୟୁଛକ ରାସ୍ତାର ସମସ୍ତ ପ୍ରବେଶ ପଥକୁ ସିଲ୍ କରାଯିବ। କୌଣସି ଜନସାଧାରଣଙ୍କୁ ଛତରଯାତ୍ରା ଦେଖିବା ପାଇଁ ଛଡା ଯିବା ନାହିଁ। ସମସ୍ତ ରୀତି ନୀତି ଅନୁଯାୟୀ ମାଁଙ୍କ ପୂଜା କରାଯିବା ପରେ ଛତରଯାତ୍ରା ସହିତ କେବଳ ମାଁ ଙ୍କ ଜେନା ବାଜା ଓ ପ୍ୟାଲେସ କାର୍ଯ୍ୟାଳୟ ନିମନ୍ତ୍ରୀତ ହୋଇଥିବା ଏକ ଘୁମୁରା ଦଳ (ଛତର ସହିତ ଯେଉଁ ମାନେ ଆସିବେ ସେମାନଙ୍କର କୋଭିଡ୍ ଟେଷ୍ଟ କରାଯିବ) କୁ ଛାଡି ଦେଲେ ପୂର୍ବ ବର୍ଷପରି ଅନ୍ୟ କୌଣସି ସାଂସ୍କୃତିକ ଦଳକୁ ଯେପରି ଛତରଯାତ୍ରା ସହିତ ଆସିବା ଉପରେ କଡା କଟକଣା ଲାଗୁ କରିବା ପାଇଁ ଏହି ବୈଠକରେ ନିସ୍ପତ୍ତି କରାଯାଇଛି।
ଏ ସଂପର୍କରେ ସମସ୍ତ ପୌରାଞ୍ଚଳ ଓ ବ୍ଲକ ଅଞ୍ଚଳର ଜନସାଧାରଣଙ୍କ ଅବଗତି ନିମନ୍ତେ ବ୍ଲକ ଓ ପୌର ଏବଂ ବିଜ୍ଞାପିତ ପରିଷଦ କତ୍ତୃପକ୍ଷ ଡାକବାଜୀ ଯନ୍ତ୍ରଦ୍ୱାରା ଜନସାଧାରଣଙ୍କ ଅବଗତି ପାଇଁ ପ୍ରଚାର କରିବା ପାଇଁ ଏହି ବୈଠକରେ ନିଷ୍ପତ୍ତି ହୋଇଛି। ସେହିପରି ଚଳିତ ବର୍ଷ ଦୁର୍ଗାପୂଜା ମେଢ ଓ ପୂଜା ଓଡିଶା ହାଇକୋର୍ଟ ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ମେଢ ନିର୍ମାଣ କରାଯିବା ସହିତ ପୂଜାର୍ଚ୍ଚନା କରାଯିବ। କିନ୍ତୁ ପୂଜା ମଣ୍ଡପକୁ କୌଣସି ଭକ୍ତଙ୍କୁ ଦର୍ଶନ ପାଇଁ ଛଡା ଯିବ ନାହିଁ। ମଣ୍ଡପରେ କେବଳ ପୂଜକ, କର୍ତ୍ତା ସମେତ ୭ ଜଣ ରହିପାରିବେ। ମଣ୍ଡପର ୩ ପାଶ୍ୱର୍ ପରଦା ଦିଆଯିବ। ସେହିପରି ପୂର୍ବବର୍ଷ ପରି ଗୋଟିଏ ସ୍ଥାନରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତି କରାଯାଇଥିବା ଅସ୍ଥାୟୀ ବନ୍ଧରେ କୋଭିଡ୍ ନୀୟମ ଅନୁଯାୟୀ ଦୁର୍ଗା ମୂର୍ତ୍ତୀ ବିସର୍ଜନ କରାଯିବ। ଏହି ବିସର୍ଜନ ସମୟରେ ଅତି ବେଶିରେ ୫ ରୁ ୭ ଜଣ ଲୋକ ରହିବେ। ସେହିପରି ଓଡିଶା ହାଇକୋର୍ଟ ନିଦ୍ଦେର୍ଶନାମା ଅନୁଯାୟୀ ପ୍ରତିବର୍ଷ ପରି ଚଳିତ ବର୍ଷ ପଶୁ ବଳି ବନ୍ଦ ଉପରେ ପ୍ରଶାସନ ସାରା ଜିଲ୍ଲାରେ ବିଭିନ୍ନ ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରୁଥିବା ଏହି ବୈଠକରେ ସଭା ପରିଚାଳନା କରୁଥିବା ଜିଲ୍ଲାପାଳ ଡା. ଗାଭାଲି ପରାଗ ହର୍ଷଦ ପ୍ରକାଶ କରିଥିଲେ। ଏହି ବୈଠକରେ ଏସ୍ପି ଡା. ଶ୍ରବଣ ବିବେକ ଏମ୍., ଅତିରିକ୍ତ ଜିଲ୍ଲାପାଳ ଶରତଚନ୍ଦ୍ର ଶ୍ରୀଚନ୍ଦନ ଏବଂ ସୁଶାନ୍ତ କୁମାର ପୁଟେଲ, ଉପଜିଲ୍ଲାପାଳ ଭବାନୀପାଟଣା, ରାଜବାଟିରୁ ଅଶୋକ କୁମାର ନେଗୀ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ମନୋଜ କୁମାର ବେହେରା, ଭବାନୀପାଟଣା ଏସ୍ଡିପିଓ ସୁନାଧର ମେହମ୍ର, ଡିଏସ୍ପିଡିଆଇବି ଗୁପ୍ତେଶ୍ୱର ଭୋଇ, ଭବାନୀପାଟଣା ଟାଉନ ଥାନା ଆଇଆଇସି ପ୍ରଦୀପ ଧରୁଆ, ଭବାନୀପାଟଣା ବିଡିଓ ପ୍ରୀତା କୁମାର, ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ପୀତା ବେହେରା, ସିଡିଏମ୍ଓ ଡା. ପ୍ରତାପ କୁମାର ବେହେରା, ଭବାନୀପାଟଣା ପୌରପରିଷଦ ଆସିଷ୍ଟାଣ୍ଡ ଇଞ୍ଜିନିୟର ସମୀର ଠାକୁର, ଭବାନୀପାଟଣା ସହରର ବିଭିନ୍ନ ବର୍ଗର ବୁଦ୍ଧିଜୀବୀ, ଆଇନଜୀବୀ, ବିଭିନ୍ନ ଅନୁଷ୍ଠାନ କର୍ମକର୍ତ୍ତା ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।

Comments are closed.