ପରଲୋକରେ ବରିଷ୍ଠ ଆଇନଜୀବୀ ଗଙ୍ଗାଧର ହୋତା

ଭବାନୀପାଟଣା: ପରଲୋକରେ ବରିଷ୍ଠ ଆଇନଜୀବୀ ଗଙ୍ଗାଧର ହୋତା । ୯୭ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଆଜି ସକାଳ ୭ଟା ୧୬ ମିନିଟରେ ଭବାନୀପାଟଣାର ନୂଆପଡା ସ୍ଥିତ ବାସଭବନରେ ତାଙ୍କ ଦେହାନ୍ତ ହୋଇଛି । ସେ ଆଇନଜୀବୀ, ବରିଷ୍ଠ ରାଜନେତା, ସାମ୍ବାଦିକ , ନିର୍ଭୀକ ଓ ସ୍ପଷ୍ଟବାଦୀ ବ୍ୟକ୍ତିତ୍ୱ ଭାବରେ ପରିଚିତ ଥିଲେ । ଏହି ଖବର ପ୍ରଚାରିତ ହେବା ପରେ ଭବାନୀପାଟଣା ସମେତ ସାରା ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି ।୧୬-୦୨-୧୯୨୫ ରେ କଳାହାଣ୍ଡି ଜିଲ୍ଲାର ମଦନପୁର- ରାମପୁର ବ୍ଳକର ମୋହନଗିରି ଠାରେ ଜନ୍ମ ଗ୍ରହଣ କରିଥିଲେ । କଳାହାଣ୍ଡିର ହିଜ ହାଇନେସ ରାଜାଙ୍କ ତରଫରୁ ଷ୍ଟାଇପେଣ୍ଡ ପାଇ ବଲାଙ୍ଗୀରର ରାଜେନ୍ଦ୍ର କଲେଜର ପ୍ରଥମ ବ୍ୟାଚ ଗ୍ରାଜୁଏଟ ଏବଂ କଟକ ମଧୁସୂଦନ ଆଇନ ମହାବିଦ୍ୟାଳୟର ପ୍ରଥମ ବ୍ୟାଚରେ ଓକିଲାତି ପାସ କରିଥିଲେ । ପୂର୍ବତନ ବାଚସ୍ପତି ସ୍ବର୍ଗତ ରବି ରାୟ , ଓଡ଼ିଶାର ସୁନାମଧନ୍ୟ ଆଇନଜୀବୀ ସ୍ବର୍ଗତ ଗଙ୍ଗାଧର ରଥଙ୍କ ସହପାଠୀ ଥିଲେ । ସ୍ୱାଧୀନତା ପରେ ଶ୍ରୀ ହୋତା କଂଗ୍ରେସ ଦଳରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରି ସ୍ବର୍ଗତ ବିଜୁ ପଟ୍ଟନାୟକ, ନୀଳମଣି ରାଉତରାୟ, ବୀରେନ ମିତ୍ରଙ୍କ ସହ ଅତ୍ୟନ୍ତ ଘନିଷ୍ଠ ଥିଲେ । ଦୀର୍ଘ ବର୍ଷ ଧରି କଳାହାଣ୍ଡି କଂଗ୍ରେସର ଜିଲ୍ଲା ସଭାପତି ଭାବରେ ସଫଳତା ସହିତ କାର୍ୟ୍ୟ କରିଥିଲେ ।

ସେ ଜଣେ ସୁବକ୍ତା, ନିଷ୍ଠାପର ଓ ନିର୍ଭୀକ ବ୍ୟକ୍ତିତ୍ୱ ଏବଂ ପୂର୍ବତନ କଳାହାଣ୍ଡି ର ସରକାରୀ ଓକିଲ ଭାବେ ଅତ୍ୟନ୍ତ ଲୋକପ୍ରିୟ ବ୍ୟକ୍ତିତ୍ୱ ଥିଲେ । ୧୯୬୦ ରୁ ୮୦ଦଶକ ପର୍ୟ୍ୟନ୍ତ ଜଣେ ନିର୍ଭୀକ ଓକିଲ, ସଂଗ୍ରାମୀ ରାଜନେତା ଏବଂ ସାପ୍ତାହିକି ଡିବିଡିବି ର ମୁଖ୍ୟ ସମ୍ପାଦକ ଏବଂ କଳିଙ୍ଗ ସମ୍ବାଦ ପତ୍ରର ଜିଲ୍ଲା ପ୍ରତିନିଧି ଭାବରେ କାର୍ୟ୍ୟ କରିବା ସମୟରେ ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସମସ୍ୟାକୁ ଲୋକଲୋଚନକୁ ଆଣିବାରେ ମୂଖ୍ୟଭୂମିକା ଲିଭାଇ ରାଜନେତା, ଆଇନଜୀବି ସହିତ ଜଣେ ସ୍ପଷ୍ଟବାଦୀ ସାମ୍ବାଦିକ ଭାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ୧୯୭୧ ସାଧାରଣ ନିର୍ବାଚନରେ ଉକ୍ତଳ କଂଗ୍ରେସ ଦଳରୁ କଳାହାଣ୍ଡି ଲୋକସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିଥିଲେ । ପରେ ସେ ଜନତା ପାର୍ଟିରେ ଯୋଗଦେଇଥିଲେ ଓ ୧୯୭୭ ରେ ଦ୍ୱିତୀୟ ଥର ପୁଣି ଜନତା ପାର୍ଟିରୁ ଲୋକସଭା ନିର୍ବାଚନରେ ପ୍ରତିଦୋନ୍ଦିତା କରିଥିବା ବେଳେ ପରବର୍ତ୍ତୀ ସମୟର କୋକସରା ଓ କେସିଙ୍ଗା ବିଧାନସଭା ନିର୍ବାଚନମଣ୍ଡଳି ରେ ମଧ୍ୟ ଜନତା ପାର୍ଟି ଦଳରୁ ପ୍ରତିଦୋନ୍ଦିତା କରିଥିଲେ । ପରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଥିଲେ ଓ ଦୀର୍ଘ ବର୍ଷ ଧରି ବିଜେପିର ରାଜ୍ୟ କାର୍ୟ୍ୟ କାରିଣୀ ସଦସ୍ୟ ଭାବରେ କାର୍ୟ୍ୟ କରିଥିଲେ ।

ଶ୍ରୀହୋତାଙ୍କ ଦୁଇ ପୁତ୍ର ନିଳମାଧବ ଓ ଡାକ୍ତର ବିଶ୍ୱଜୀତ , ଦୁଇ ପୁତ୍ର ବଧୂ ,ତିନି ଝୀଅ ଜ୍ୱାଇଁ ,ନାତି ନାତୁଣୀ ,ବନ୍ଧୁ ବାନ୍ଧିବ ମାନେ ମୃତ୍ୟୁ ଶଯ୍ୟାନିକଟରେ ଉପସ୍ଥିତ ଥିଲେ । ଏହି ଖବର ପ୍ରଚାରିତ ହେବା ପରେ ସାରା ଜିଲ୍ଲାରେ ଶୋକର ଛାୟା ଖେଳି ଯିବା ସହିତ ବିଭିନ୍ନ ବର୍ଗର ବୃଦ୍ଧିଜୀବୀ ଓ ରାଜନୈତିକ , ଓକିଲ ,ସାମ୍ବାଦିକ ମାନେ ତାଙ୍କ ନୂଆପଡା ସ୍ଥିତ ବାସ ଭବନକୁ ଯାଇ ଶ୍ରୀ ହୋତାଙ୍କ ଶେଷ ଦର୍ଶନ କରିଥିଲେ । ପରେ କୋବିଡ ନିୟମ ଅନୁଯାୟୀ ଏକ ଶୋଭାଯାତ୍ରାରେ ଶ୍ରୀ ହୋତାଙ୍କ ମରଶରୀରକୁ ସ୍ଥାନୀୟ ଶ୍ମଶାନ ନିଆଯାଇଥିଲା । ତାଙ୍କ ବଡ ପୁତ୍ର ନିଳମାଧବ ହୋତା ମୂଖିଗ୍ନି ଦେଇଥିଲେ । କଳାହାଣ୍ଡି ମାଟି ନିଜର ବୟୋଜ୍ୟେଷ୍ଠ ଲୋକପ୍ରିୟ ବ୍ୟକ୍ତିତ୍ୱକୁ ହରାଇ ସାରା ଜିଲ୍ଲାବାସୀ ମର୍ମାହତ ହୋଇପଡିଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଏଆଇସିସି ସାଧାରଣ ସଂପାଦକ ଭକ୍ତ ଚରଣ ଦାସ ,ପୂର୍ବତନ ମନ୍ତ୍ରୀ ରାହାସବିହାରୀ ବେହେରା , ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ , ଡିସିସି ସଭାପତି ଭାରତ ବେମାଲ ,ପିସିସି ସଦସ୍ୟ ଦେବୀ ପ୍ରସାଦ ସିନ୍ଦୁର ,ଆଦିବାସୀ ନେତା ପରମା ନନ୍ଦ ମାଝୀ , ଲୋକସଭା ସଦସ୍ୟ ବସନ୍ତ ପଣ୍ଡା , ବିଜେପି ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି ,ଭବେନ୍ଦ୍ର ପଣ୍ଡା , ପୁର୍ବତନ ମନ୍ତ୍ରୀ ହିମାଂଶୁ ମେହେର , ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତା ରାଣୀ ସାହୁ , ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ,ନର୍ଲା ବିଧାୟକ ଭୂପେନ୍ଦ୍ର ସିଂହ ,ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିହିଁଦେଓ , ରାଜ୍ୟସଭା ସଦସ୍ୟ ସୁଜିତ କୁମାର , ବଣିକ ସଂଘ ସଭାପତି ବିଜୟ ସାହୁ ,କଳାହାଣ୍ଡି ଓକିଲ ସଂଘ ସଭାପତି ବଟ୍ଟକୃଷ୍ଣ ଆଚାର୍ୟ୍ୟ ସମେତ ବିଭିନ୍ନ ସଂଗଠନର କର୍ମକର୍ତ୍ତା ମାନେ ସ୍ୱର୍ଗତ ହୋତାଙ୍କ ଅମର ଆତ୍ମାଙ୍କ ପ୍ରତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ପରିବାର ଵର୍ଗଙ୍କ ପ୍ରତି ସମବେଦନା ଜଣାଉଛି ।

Comments are closed.