ବହୁଦେଶୀୟ କମ୍ପାନୀ ଛାଡ଼ି ସଫଳ ପଶୁପାଳକ ହେଲେ ମହିଳା

ଭବାନୀପାଟଣା  : ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ସେ କେବେ ପାଠ ପଢ଼ୁଥିଲେ ସେ କଥା ମନେ ପକେଇବାକୁ ତାଙ୍କର ଏବେ ସମୟ କାହିଁ? ପୁନାରେ ରହି ଏଚ୍‍ଏସ୍‍ବିସି ବ୍ୟାଙ୍କର ନର୍ଥ ଆମେରିକା ବ୍ୟବସାୟ ବୁଝିବା ଭିତରେ ମାତୃଭୂମିର ମୋହ ଓ କୃଷିର ଆକର୍ଷଣରେ ସେ ଆନତ ହୋଇ ଚାକିରି ଛାଡ଼ିଦେଲେ ଓ କଳାହାଣ୍ଡିର ସବୁଜିମା ଭିତରେ ପାଦ ଥାପିଲେ। ଗତ ୫ ବର୍ଷ ଭିତରେ କୃଷି ଉଦ୍ୟୋଗୀ ଜୟନ୍ତୀ ମହାପାତ୍ର କେବଳ ନିଜକୁ ଗଢ଼ି ନାହାନ୍ତି ବରଂ ଭବାନୀପାଟଣା ବ୍ଲକର ସାଲେଭଟା ଗ୍ରାମ ସମେତ ପାଖାପାଖି ଗ୍ରାମର ୨୫୦ କୃଷକଙ୍କୁ ଜୀବିକା ଯୋଗାଇବା ସହ ସେମାନଙ୍କୁ ଉଦ୍ୟୋଗୀ କରିଦେଇଛନ୍ତି।

ଭବାନୀପାଟଣାଠାରୁ ଖରିଆର ରୋଡ଼ ଯିବା ରାସ୍ତାରେ ପଡ଼େ ସାଲେଭଟା ଗ୍ରାମ। ଜୟନ୍ତୀ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଶିକ୍ଷା ସମାପ୍ତ କରି ସହପାଠୀ ବୀରେନ ସାହୁଙ୍କୁ ବିବାହ କଲେ। ଦୁହେଁ ବିଭିନ୍ନ ସ୍ଥାନୀୟ ଚାକିରି କରିବା ଭିତରେ କୃଷି ପ୍ରତି ଅହେତୁକ ଆକର୍ଷଣ ତଥା ଶ୍ୱଶୁରାଳୟର ଗ୍ରାମବାସୀମାନଙ୍କ ଅର୍ଥନୈତିକ ଅବସ୍ଥା ଦେଖି ସେମାନଙ୍କ ପାଇଁ ଠୋସ କିଛି କରିବାର ପଣ ନେଇ ଜୟନ୍ତୀ ଉଚ୍ଚ ବେତନର ଚାକିରି ଛାଡ଼ି ଆସିଗଲେ ସାଲେଭଟା। ମାଣିକସ୍ତୁ ପ୍ରାଇଭେଟ ଲିମିଟେଡ୍‍ ନାମରେ ଏକ କମ୍ପାନୀ କରି ସେ ଆରମ୍ଭ କଲେ କୃଷି ଉଦ୍ୟୋଗ। ଛେଳି ପାଳନକୁ ସେ ମୁଖ୍ୟ ଲକ୍ଷ୍ୟ ଧରି ଛେଳି ମାଂସ, କ୍ଷୀର, ଛେଳି ଖତ ଓ ଛେଳି ଚମଡ଼ା ଉତ୍ପାଦନ ଲକ୍ଷ୍ୟରେ ଆରମ୍ଭ କଲେ କାର୍ଯ୍ୟକ୍ରମ ଓ ବର୍ତ୍ତମାନ ଅଞ୍ଚଳରେ ହାରାହାରି ୧୨୦୦ ଛେଳିର ଫାର୍ମ ତିଆରି ହୋଇଛି। ଏଥିପାଇଁ ସେ ନିଜେ ଫାର୍ମ କରିବା ସହ ପାର୍ଶ୍ବବର୍ତ୍ତୀ ଗ୍ରାମମାନଙ୍କରେ ମହିଳା ଓ ପୁରୁଷଙ୍କୁ ଶିକ୍ଷା, ପ୍ରଶିକ୍ଷଣ ଓ ସହାୟତା ପ୍ରଦାନ କଲେ। ସଂପ୍ରତି ୨୫୦ ଚାଷୀ ତାଙ୍କ ସହ ବିଭିନ୍ନ ଭାବେ ଜଡ଼ିତ। ମାଣିକସ୍ତୁ ମାଧ୍ୟମରେ ଅଞ୍ଚଳର ଚାଷୀଙ୍କୁ ସେ ସଂପୂର୍ଣ୍ଣ ମାଗଣା ପ୍ରୟୋଜନର ସୁବିଧା, ଛେଳିମାନଙ୍କ ପାଇଁ ମାଗଣା ଚିକିତ୍ସା କେନ୍ଦ୍ର, ସୁଲଭ ମୂଲ୍ୟରେ ଛେଳି ଟୀକାକରଣ, ବୀମାକରଣ, ଋଣ, ସୁଲଭ ମୂଲ୍ୟରେ ଛେଳି ଖାଦ୍ୟ ଉପଲବ୍‍ଧ, ହାଇବ୍ରିଡ ଛେଳି ଯୋଗାଣ ସହ କୃତ୍ରିମ ପ୍ରଯୋଜନ ଉପଲବ୍‍ଧ କରାଉଛନ୍ତି।

ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ବହୁ କୃଷି ଓ ପଶୁପାଳନ ସଂକ୍ରାନ୍ତ କାର୍ଯ୍ୟକ୍ରମରେ ଜୟନ୍ତୀଙ୍କ ଚାହିଦା ଅଧିକ। ତୋତାପରି, ବଟଲ, ଜମୁନାପାରୀ, ବର୍ବରୀ, ଗଞ୍ଜାମ, ବ୍ଲାକ ଓ ବେଙ୍ଗଲ ଓ ସମାଜବାଦୀ ଭଳି ବିବିଧ କିସମର ଛେଳି ରଖିବା ସହ ସେ ମହୁ, ମକା, କଦଳୀ ଓ ପପେୟା ଚାଷ ମଧ୍ୟ କରୁଛନ୍ତି। ଉତ୍କୃଷ୍ଟ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ମାଧ୍ୟମରେ ଗ୍ରାମାଞ୍ଚଳର ଦାରିଦ୍ର୍ୟ ସମସ୍ୟା ସମାଧାନ ଏବଂ କୃଷି, ପଶୁପାଳନ ଓ ଉଦ୍ୟୋଗିକ କ୍ଷେତ୍ରର ବିକାଶ ତାଙ୍କର ଲକ୍ଷ୍ୟ ବୋଲି କହନ୍ତି ଜୟନ୍ତୀ। ଚଳିତବର୍ଷ ସେ ୟଙ୍ଗ ୱମେନ ଏଚିଭାର ପୁରସ୍କାରରେ ମଧ୍ୟ ରାଜ୍ୟସ୍ତରରେ ସମ୍ମାନିତ ହୋଇଛନ୍ତି।

Comments are closed.