ମାଛ ଧରା ବନ୍ଦ କରିବାକୁ ଯାଇଥିବା ପୁଲିସକୁ ଅଟକାଇଲେ ଗ୍ରାମବାସୀ

ବ୍ରହ୍ମପୁର: ରାଜ୍ୟର ସମସ୍ତ ଜିଲାରେ କରୋନା ମହାମାରୀ ନିଜର କାୟା ବିସ୍ତାର କରିସାରିଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାକୁ ଲାଗିଛି। ଏସବୁକୁ ଦୃଷ୍ଟିରେ ରଖି କୋଭିଡ଼ ସଂକ୍ରମଣରୁ ରକ୍ଷା ପାଇଁ ସରକାର ବିଭିନ୍ନ ସତର୍କତା ଓ ନିୟମାବଳୀ ଲାଗୁ କରିଛନ୍ତି। ମାତ୍ର କେତେକ ସ୍ଥାନରେ ଲୋକେ ଏହାକୁ ପାଳନ କରୁନାହାନ୍ତି। ଏଭଳି ଏକ ଘଟଣା ରବିବାର ବ୍ରହ୍ମପୁର ଜଗବନ୍ଧୁ ସାହିରେ ଦେଖିବାକୁ ମିଳିଛି। ଜଗବନ୍ଧୁ ସାହିରେ ପୋଖରୀରୁ ମାଛ ଧରା ହେଉଥିବା ନେଇ ପୁଲିସ ଖବର ପାଇଥିଲା। ଏହାପରେ ଘଟଣାସ୍ଥଳରେ ପହଂଚି ମାଛ ମାରିବାକୁ ମନା କରିବା ସହ ନିୟମ ଉଲ୍ଲଂଙ୍ଘନକାରୀଙ୍କୁ ସାବାଡ କରିବାକୁ ଯାଇଥିଲା। ମାତ୍ର ପୁଲିସ ଭ୍ୟାନକୁ ବ୍ରହ୍ମପୁର ଜଗବନ୍ଧୁ ସାହିର ଶତାଧିକ ମହିଳା ଅଟକାଇଥିଲେ। ଏହାସହ ସାମାଜିକ ଦୂରତାକୁ ଭଙ୍ଗ କରିବା ସହ ବିନା ମାସ୍କରେ ବିକ୍ଷୋଭ ପଦର୍ଶନ ଲୋକେ କରିଛନ୍ତି । ଏପରିକି ପୁଲିସ କାର୍ଯ୍ୟରେ ବାଧକ ସାଜିବା ସହ ପିସିଆର ଭ୍ୟାନକୁ ଅଟକ ରଖିବା ସୁଚନା ମିଳିଛି ।

Comments are closed.