ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ଜୁଲାଇ ମାସରେ ଅନ୍ ଲାଇନ୍ ମାଧ୍ୟମରେ ହେବ ୟୁଜି ଓ ପିଜି ପରୀକ୍ଷା

ଗୋପାଳପୁର :  ୨୦୨୦-୨୧ ଶିକ୍ଷାବର୍ଷ ସମସ୍ତ ୟୁଜି ଓ ପିଜି ଶେଷ ବର୍ଷ ପରୀକ୍ଷା ଅନ୍ ଲାଇନ୍ ମାଧ୍ୟମରେ କରିବା ପାଇଁ ଆଜି ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ସମସ୍ତ ବିଶ୍ବବିଦ୍ୟାଳୟର କୁଳପତିଙ୍କ ସହ ଆଭାସୀ ମାଧ୍ୟମରେ ଆଲୋଚନା କରିଛନ୍ତି। ଅନ୍ ଲାଇନ୍ ମାଧ୍ୟମରେ କିପରି ୟୁଯି ଓ ପିଜି ସମସ୍ତ ଛାତ୍ର ଛାତ୍ରୀ ପରୀକ୍ଷା ଦେଇପାରିବେ ସେଥି ପ୍ରତି ଗୁରୁତ୍ବ ଦେବା ସହ ନିଷ୍ପତି ନେବାପାଇଁ କୁଳପତି ମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ନିଷ୍ପତ୍ତି ନେଇ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଗୋବିନ୍ଦ ଜେ. ଚକ୍ରପାଣିଙ୍କ ସହ ଯୋଗା ଯୋଗ ବେଳେ ସେ ସୂଚନା ଦେଇ କହିଛନ୍ତି ଯେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ବିଦ୍ୟାର୍ଥୀଙ୍କ ଜୀବନର ସୁରକ୍ଷା ପାଇଁ ରାଜ୍ୟ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହାକୁ ପାଳନ କରାଯାଇ ଶେଷ ବର୍ଷର ପରୀକ୍ଷା ପରିଚାଳନା କରାଯିବ ବୋଲି କହିଛନ୍ତି। ୟୁଜି ଓ ପିଜି ଶେଷ ବର୍ଷ ପରୀକ୍ଷା କିଭଳି ଭାବେ ସମସ୍ତ ବିଦ୍ୟାର୍ଥୀ ଦେଇପାରିବେ ସେ ନେଇ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ଆଜି ଠାରୁ ପ୍ରୟାସ ଆରମ୍ଭ କରାଯାଇଥିବା ପ୍ରଫେସର ଚକ୍ରପାଣି ପ୍ରକାଶ କରିଛନ୍ତି।
ଆସନ୍ତା ଜୁଲାଇ ଓ ଅଗଷ୍ଟ ମାସ ମଧ୍ୟରେ ଅନ୍ ଲାଇନ୍ ପରୀକ୍ଷା କରାଯାଇ  ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରାଯିବ, ଯେଉଁ ବିଦ୍ୟାର୍ଥୀ ଙ୍କ ଅନ୍ ଲାଇନ୍ ମାଧ୍ୟମରେ ପରୀକ୍ଷା ଦେବାରେ କୈାଣସି ଅସୁବିଧା ହୁଏ ତେବେ ସେମାନଙ୍କ ସୁବିଧା ଜନକ ସ୍ଥାନ କିମ୍ୱା ନିକଟସ୍ଥ କଲେଜର ଅଧକ୍ଷ ଙ୍କ ସହ ଯୋଗା ଯୋଗ କରି ସେଠାରେ ଅନ୍ ଲାଇନ୍ ମାଧ୍ୟମରେ ପରୀକ୍ଷା ଦେଇପାରିବେ।, ଅନ୍ ଲାଇନ୍ ପରୀକ୍ଷା କିଭଳି ଭାବେ ହେବ ତାହା ନେଇ ବିଶ୍ଵବିଦ୍ୟାଳୟ ଓ କଲେଜ କର୍ତ୍ତୃପକ୍ଷ ଓ ବିଦ୍ୟାର୍ଥୀ ମାନଙ୍କୁ ବିଶ୍ବବିଦ୍ୟାଳୟ ପକ୍ଷରୁ ସମୟ କ୍ରମେ ଅବଗତ କରାଯିବା ସହ ପରୀକ୍ଷା ନେଇ ବିଶ୍ଵବିଦ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯିବ। ପରୀକ୍ଷା ପୂର୍ବରୁ ସମସ୍ତ ପାଠ୍ୟକ୍ରମ ସିଲାବସ ଅନୁଯାୟୀ ସାରିବା ସହ ବିଦ୍ୟାର୍ଥୀଙ୍କ ପାଠ୍ୟକ୍ରମ ଉପରେ ଆଲୋଚନା କରି ସନ୍ଦେହ ଦୂର କରିବା ପାଇଁ ବିଶ୍ଵବିଦ୍ୟାଳୟ ବିଭାଗୀୟ ମୁଖ୍ୟ ଓ କଲେଜର ଅଧ୍ୟକ୍ଷ ଙ୍କୁ ପରାମର୍ଶ ଦିଆ ଯାଇଥିବା ପ୍ରଫେସର ଚକ୍ରପାଣି ପ୍ରକାଶ କରିଛନ୍ତି। ଯେଉଁ ଛାତ୍ର ଛାତ୍ରୀ ମାନେ କୌଣସି କାରଣରୁ ପରୀକ୍ଷା ଦେଇ ନ ପାରନ୍ତି ସେମାନେ କେଉଁ କାରଣରୁ ପରୀକ୍ଷା ଦେଇ ପାରିଲେ ନାହିଁ ଲିଖିତ ପତ୍ର ନିଜ କଲେଜ ଅଧ୍ୟକ୍ଷ ଙ୍କୁ ପ୍ରଦାନ କରିବେ। ପରେ ଏହା ନେଇ ବିଶ୍ଵବିଦ୍ୟାଳୟ ସହ ଆଲୋଚନା ପରେ ନିଷ୍ପତ୍ତି  ନିଆଯାଇ ଆଗାମୀ ଦିନରେ ପରୀକ୍ଷା ଦେବା ପାଇଁ ନିଷ୍ପତ୍ତି ନିଆଯିବ। ଆଗାମୀ ଦିନରେ ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ, ସମସ୍ତ କଲେଜର ଅଧ୍ୟକ୍ଷ ଏବଂ ବିଶ୍ବବିଦ୍ୟାଳୟର ସମସ୍ତ ବିଭାଗୀୟ ମୁଖ୍ୟ ସହ ଅନ୍ ଲାଇନ୍ ପରୀକ୍ଷା ଉପରେ ଆଲୋଚନା କରାଯିବ ବୋଲି କୁଳପତି କହିଛନ୍ତି।

Comments are closed.