ସିତାକାନ୍ତ ମହାପାତ୍ରଙ୍କୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଜାତୀୟ ପୁରସ୍କାର

ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ୫୫ ତମ ପ୍ରତିଷ୍ଠା ଦିବସ ପାଳିତ

ଗୋପାଳପୁର: ଭାରତୀୟ ଭାଷା ସାହିତ୍ୟର ଜଣେ ଯୁଗଜନ୍ମା କବି ହେଉଛନ୍ତି ଉପେନ୍ଦ୍ର ଭଞ୍ଜ। ଉପେନ୍ଦ୍ର ଭଞ୍ଜ ଓଡ଼ିଶା କାହିଁକି ଭାରତବର୍ଷର ଜଣେ ଶ୍ରେଷ୍ଠ କବି। ତାଙ୍କ ସାହିତ୍ୟ ଓ ସଂସ୍କୃତି ମଧ୍ୟରେ ସମ୍ପର୍କ ଅତୁଟ। ଓଡ଼ିଆ ଭାଷାର ପ୍ରାଚିନତା ହେତୁ ଏହା ଯେପରି ଶାସ୍ତ୍ରୀୟ ଭାଷାର ମର୍ଯ୍ୟାଦା ଲାଭ କରିଛି ସେହିପରି ଓଡିଶୀ ସଙ୍ଗୀତକୁ ମଧ୍ୟ ଶାସ୍ତ୍ରୀୟ ସଙ୍ଗୀତ ମାନ୍ୟତା ଦେବା ଜରୁରୀ ବୋଲି ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ୫୫ତମ ପ୍ରତିଷ୍ଠା ଦିବସ ପାଳନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ର ମତବ୍ୟକ୍ତ କରିଛନ୍ତି। ଏହି ଅବସରରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ମର୍ଯ୍ୟାଦା ପୂର୍ବକ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଜାତୀୟ ପୁରସ୍କାର ଚଳିତବର୍ଷ ପଦ୍ମବିଭୂଷଣ ଡ଼. ସିତାକାନ୍ତ ମହାପାତ୍ରଙ୍କୁ ପ୍ରଦାନ କରାଯାଇଥିଲା। ପୁରସ୍କାର ସ୍ବରୂପ ତାଙ୍କୁ ୧ ଲକ୍ଷ ଟଙ୍କା ସହ ଉପଢୌକନ ଓ ମାନପତ୍ର ପ୍ରଦାନ କରାଯାଇଥିଲା।
ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଗୋବିନ୍ଦ ଚକ୍ରପାଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଭାରତର ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ପଦ୍ମଶ୍ରୀ ଶିଶିର ପୁରୁଷୋତ୍ତମ ମିଶ୍ର ସମ୍ବର୍ଦ୍ଧିତ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ଡ଼.କମ୍ଭୁପାଣି ସାମନ୍ତ ଯୋଗଦେଇଥିଲେ।
କାର୍ଯ୍ୟକ୍ରମରେ ବ୍ରହ୍ମପୁର ମେଡ଼ିକାଲ କଲେଜର ପୂର୍ବତନ ଛାତ୍ର ତଥା ସୋଆ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ଯୋଗଦେଇ ସମ୍ପ୍ରତି ପରିସ୍ଥିତି ରେ ଜାତୀୟ ଶିକ୍ଷା ନୀତି ଉପରେ ଗୁରୁତ୍ୱାରୋପ କରିଥିଲେ। ଆଧ୍ୟାତ୍ମିକତା, ମାନବିକତା, ମାନବର ଚରିତ୍ରତା ବୈଶିଷ୍ଟ୍ୟ ଏକତ୍ର ହୋଇ ସମାଜର ବିକାଶ ଦିଗରେ ସମସ୍ତଙ୍କୁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।

ଏହି ଅବସରରେ ପ୍ରଫେସର ଅଶୋକ କୁମାର ମହାପାତ୍ର, ଡ.କମ୍ଭୁପାଣି ସାମନ୍ତ, ପଦ୍ମଶ୍ରୀ ଶିଶିର ପୁରୁଷୋତ୍ତମ ମିଶ୍ରଙ୍କୁ ଅଙ୍ଗବସ୍ତ୍ର ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହା ବ୍ୟତୀତ ଦକ୍ଷିଣ ଓଡ଼ିଶାର ବିଶିଷ୍ଟ ଶିଙ୍ଗ ଶିଳ୍ପୀ କୃଷ୍ଣଚନ୍ଦ୍ର ମହାରଣା ଓ ବିଶିଷ୍ଟ ଦାସକାଠିଆ ଶିଳ୍ପୀ ଉପେନ୍ଦ୍ର ପାଣିଗ୍ରାହୀଙ୍କୁ ଦକ୍ଷିଣ ଓଡ଼ିଶା ଲୋକ ସଂସ୍କୃତି ସମ୍ମାନରେ ସମ୍ମାନିତ କରାଯିିିିବା ସହ ନଗଦ ୨୦ ହଜାର ଟଙ୍କା ସହ ଉପଢୌକନ ପ୍ରଦାନ କରାଯାଇଥିଲା। ପୂର୍ବତନ ବିଶ୍ବବିଦ୍ୟାଳୟ ଛାତ୍ର ତଥା ଭାରତର ବିଶିଷ୍ଟ ଗବେଷକ ତଥା ବୈଜ୍ଞାନିକ ପ୍ରଫେସର ଅରୁଣ କୁମାର ପତିଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।
ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପ୍ରତିଷ୍ଠାତା ସଭ୍ୟ ଆଡଭୋକଟ ବସନ୍ତ କୁମାର ପଣ୍ଡା, ଭଗବାନ ସାହୁ ଓ ସନ୍ତୋଷ କୁମାର ମହାପାତ୍ର ପ୍ରମୁଖଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ସଭା ପ୍ରାରମ୍ଭରେ ସ୍ମାତକୋତ୍ତର ପରିଷଦର ଅଧ୍ୟକ୍ଷା ପ୍ରଫେସର ଅରୁନ୍ଧତୀ ରଥ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଶ୍ବବିଦ୍ୟାଳୟ କୁଳସଚିବ ରଞ୍ଜନ କୁମାର ବିଶ୍ବାଳ ବିଶ୍ବବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ।
ଏହି ଅବସରରେ ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁ, ପ୍ରଫେସର ସଦାନନ୍ଦ ନାୟକ, ପ୍ରଫେସର ବଳଭଦ୍ର ତ୍ରିପାଠୀ ମାନପତ୍ର ପାଠ କରିଥିଲେ। ଏହି ସମାରୋହରେ ବିଶ୍ବବିଦ୍ୟାଳୟର ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା କର୍ମଚାରୀ ତପନ କୁମାର ବାରିକ, ସରୋଜ କୁମାର ଦାସ, ନିରଞ୍ଜନ ପାତ୍ର, ରାଜେନ୍ଦ୍ର କୁମାର ସାବତ, ଅରବିନ୍ଦ ନାୟକ, ମିହିର ତ୍ରିପାଠୀ, ଉଷାରାଣୀ ପଣ୍ଡା, ରମେଶ ଘଡ଼େଇ, ଡି.କ୍ରିଷ୍ଣା, ଭାରତୀ ଭୂଷଣ ପାଢୀ, ରାମନାରାୟଣ ସାହୁ ପ୍ରମୁଖଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ରଫେସର ମାନସ ରଞ୍ଜନ ପାତ୍ର, ପ୍ରଫେସର ସତ୍ୟବ୍ରତ ପାତ୍ର ସମ୍ବର୍ଦ୍ଧିତ ଅତିଥିଙ୍କ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ନିହାର ରଞ୍ଜନ ମିଶ୍ର, ଶେଷଦେବ ପାତ୍ର, ଦୀପ୍ତିମୟୀ ମିଶ୍ର, ବାପୁଜୀ ସାମଲ, ଦେବୀପ୍ରସାଦ ଦାସ ସମାରୋହର ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରଫେସର ବିଭୂତି ଭୂଷଣ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସରକାରଙ୍କ କୋଭିଡ ନିୟମ ଅନୁସାରେ କାର୍ଯ୍ୟକ୍ରମ ପାଳନ କରାଯାଇଥିଲା।

Comments are closed.