ଭାଷା ସାହିତ୍ୟର ଅଳଙ୍କାର

ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ୫୬ ତମ ପ୍ରତିଷ୍ଠା ଦିବସ ପାଳିତ

ଗୋପାଳପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ୫୬ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଜାତୀୟ ସମ୍ମାନରେ ପଦ୍ମ ଭୂଷଣ ଡ,ରମାକାନ୍ତ ରଥଙ୍କୁ ପ୍ରଦାନ କରାଯାଇଥିଲା। ବିଶ୍ବବିଦ୍ୟାଳୟ ପକ୍ଷରୁ ତାଙ୍କୁ ଉପଢୌକନ ସହ ଏକ ଲକ୍ଷ ଟଙ୍କା ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଅନେକ ଦୁର୍ଲଭ ଶବ୍ଦ ପ୍ରୟୋଗ କରି ଓଡ଼ିଆ ସାହିତ୍ୟ ଭଣ୍ଡାରକୁ ରୁଦ୍ଧିମନ୍ତ କରିଛନ୍ତି। ଜଗନ୍ନାଥଙ୍କ ନିକଟରେ ଜଣାଣ ହେଉ କି ପ୍ରେମରେ ରୁଚି ପୂର୍ଣ୍ଣ ଭାବେ କାଳଜୟୀ ରଚନାର ଅନନ୍ୟ ଅସାଧାରଣ ପାଣ୍ଡିତ୍ୟ ର ପ୍ରକାଶ କରିଛନ୍ତି ବୋଲି ପଦ୍ମଭୂଷଣ ଡ.ରମାକାନ୍ତ ରଥ କହିଥିଲେ।
ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପଦ୍ମଶ୍ରୀ ଡ.ହଳଧର ନାଗ କହିଥିଲେ ଯେ ଭାଷା ସାହିତ୍ୟର ଅଳଙ୍କାର। ଜଣେ ସ୍ରଷ୍ଟାର କୃତୀ ସ୍ମରଣ ପାଇଁ ତାଙ୍କ ରଚନାରେ ଭାଷା ପ୍ରତି ମମତା ଫୁଟି ଉଠିବା ଆବଶ୍ୟକ। ଭାଷାକୁ ବଞ୍ଚାଇ ରଖିବା ପାଇଁ ସାହିତ୍ୟର ଆବଶ୍ୟକତା ରହିଛି।
କୁଳପତି ପ୍ରଫେସର ଗୋବିନ୍ଦ ଜୋସେଫ ଚକ୍ରପାଣି ଅଧକ୍ଷତା କରି ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଐତିହ୍ୟ ସହ ବର୍ତ୍ତମାନ ସ୍ଥିତିରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ସୂଚନା ଦେଇଥିଲେ। ପୁରାତନ ଛାତ୍ରଛାତ୍ରୀମାନେ ବିଭିନ୍ନ ପଦପଦବୀରେ ରହି ବିଶ୍ବବିଦ୍ୟାଳୟର ମାନକୁ ଉଚ୍ଚ ନେବା ସହ ଉଚ୍ଚ ଶିକ୍ଷା କ୍ଷେତ୍ରରେ ମାଇଲଖୁଣ୍ଟ ଛୁଇଁଛନ୍ତି ବୋଲି କୁଳପତି ପ୍ରଫେସର ଚକ୍ରପାଣି ପ୍ରକାଶ କରିଥିଲେ।
ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ପ୍ରତାପ କୁମାର ମହାନ୍ତି ସ୍ବାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। କୁଳସଚିବ ପ୍ରଦିପ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

କାର୍ଯ୍ୟକ୍ରମରେ ଯୋଡି ଶଙ୍ଖ, ଚଢେୟା ନୃତ୍ୟ ଓ ରଣପା ଭଳି ବହୁ ଲୋକକଳାରେ ପାରିଦର୍ଶିତା ପ୍ରଦର୍ଶନ କରିଥିବା କଳାକାର ରାଜେନ୍ଦ୍ର ମହାପାତ୍ର ଏବଂ ଆଦିବାସୀ କୋୟା ନୃତ୍ୟରେ ଦକ୍ଷତା ପ୍ରତିପାଦନ କରି ସମସ୍ତ ଦେଶରେ ଦୃଷ୍ଟି ଆକର୍ଷଣ କରିଥିବା ସଂସ୍କୃତି ପ୍ରେମୀ ଶାନ୍ତି କବାସୀଙ୍କୁ ଦକ୍ଷିଣ ଓଡିଶା ଲୋକ ସଂସ୍କୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ବିଶିଷ୍ଟ ଲେଖକ ତଥା ପ୍ରଯୋଜକ ମନ୍ମଥ କୁମାର ଶତପଥୀଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ବିଶିଷ୍ଟ ଶିକ୍ଷାବିତ୍ କୃଷ୍ଣ ଚନ୍ଦ୍ର ତ୍ରିପାଠୀଙ୍କୁ ପ୍ରତିଭା ସମ୍ମାନରେ ସମ୍ମାନୀତ କରାଯାଇଥିଲା। ପୂର୍ବତନ ବିଦ୍ୟାର୍ଥୀ ମୃତ୍ୟୁଞ୍ଜୟ ମହାପାତ୍ର ଓ ସଂଘମିତ୍ରା ପତିଙ୍କୁ ଆଲୁମିନା ପୁରସ୍କାରରେ ପୁରସ୍କୃତ କରାଯାଇଥିଲା। ଅରୁନ୍ଧତୀ ରଥ, ମାନସ ରଞ୍ଜନ ପାତ୍ର, ସୁକାନ୍ତ କୁମାର ତ୍ରିପାଠୀ, ସତ୍ୟବ୍ରତ ପାତ୍ର ପ୍ରମୁଖଙ୍କୁ ଶ୍ରେଷ୍ଠ ଶିକ୍ଷକ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହା ସହ ସୁଦାମ ପଣ୍ଡା, ମାର୍କଣ୍ଡ କାର୍ଜି, ରବୀନ୍ଦ୍ର ନାଥ ପାଣିଗ୍ରାହୀ, ଶଙ୍କର ମାଝୀ, ସସ୍ମିତା ପାଢ଼ୀ, ରାମନାରାୟଣ ସାହୁ, ବିଶ୍ବନାଥ ବେହେରା ଓ ସଜନୀ ବାଡତିୟାଙ୍କୁ ଶ୍ରେଷ୍ଠ କର୍ମଚାରୀ ଭାବେ ସମ୍ମାନିତ କରାଯାଇଥିଲା। ସେହିଭଳି ବିଭିନ୍ନ କ୍ଷେତ୍ରରେ ଉତ୍କୃଷ୍ଟତା ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।
ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ପ୍ରୋମତେଶ୍ ସାହୁ ଏବଂ ରତିକାନ୍ତ ବେହେରା ଯଥାକ୍ରମେ ବିଶ୍ବବିଦ୍ୟାଳୟର ଲୋଗୋ ପ୍ରସ୍ତୁତ ଓ ନୀଳକଣ୍ଠ ଦାସ ବକ୍ତୃତା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ପାଇଥିବାରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Comments are closed.