ସ୍ବପ୍ନକୁ ବାସ୍ତବତାର ରୂପ ଦେଲେ ରାଜ୍‌

ସୈନିକ ବିଦ୍ୟାଳୟରେ ନାମଲେଖାରେ ବିଫଳ, ଏନ୍‌ଡିଏ ପରୀକ୍ଷାରେ ସଫଳ

ବ୍ରହ୍ମପୁର: ଦେଶ ସେବାଠୁ ବଡ଼ ସେବା ଆଉ କିଛି ନାହିଁ । ସେଥିପାଇଁ ପିଲାଟି ଦିନରୁ ସ୍ବପ୍ନ ଥିଲା ସେନାରେ ସାମିଲ ହେବେ । ଦେଶମାତୃକାର ସେବା କରିବେ । ନାନା ପ୍ରତିବନ୍ଧକ ସତ୍ତ୍ବେ ଶେଷରେ ସେ ନିଜ ସ୍ବପ୍ନକୁ ସାକାର କରିପାରିଛନ୍ତି । ଜାତୀୟ ପ୍ରତିରକ୍ଷା ଏକାଡେମୀ (ଏନ୍‌ଡିଏ)ର ସର୍ବଭାରତୀୟ ପରୀକ୍ଷାରେ ୮୪ତମ ସ୍ଥାନ ହାସଲ କରି ନିଜ ସ୍ବପ୍ନକୁ ବାସ୍ତବତାର ରୂପ ଦେଇପାରିଛନ୍ତି ୧୮ ବର୍ଷୀୟ ସାନ୍ଦୁକା ଚକ୍ରଧାରୀ ଆର୍ଯ୍ୟନ ରାଜ୍‌।
ରାଜ୍‌ଙ୍କ ଘର ରାୟଗଡ଼ା ଜିଲା ଜେକେପୁର ସହରରେ। ବାପା ସାନ୍ଦୁକା ରାଜେଶ ଏବଂ ମା’ ସାନ୍ଦୁକା ଭବାନୀଙ୍କ ଏକମାତ୍ର ପୁଅ ହେଉଛନ୍ତି ରାଜ୍‌ । ପେଶାରେ ବାପା ରାଜେଶ ଜଣେ ଶବ୍ଦାଲୋକ (ସାଉଣ୍ଡ ଓ ଲାଇଟ) ଦୋକାନୀ । ରାଜ୍‌ଙ୍କ ପ୍ରାଥମିକ ଶିକ୍ଷା ସ୍ଥାନୀୟ ଲକ୍ଷ୍ମୀପତ ସିଙ୍ଘାନିଆ ବେସରକାରୀ ବିଦ୍ୟାଳୟରେ ଶେଷ ହୋଇଥିଲା । ପିଲା ଦିନରୁ ହିଁ ରାଜ୍‌ ସେନାରେ ଯୋଗଦେବାକୁ ଚାହୁଁଥିଲେ । ତାଙ୍କ ସମ୍ପର୍କୀୟମାନେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣରେ ରହୁଛନ୍ତି । ରାଜ୍‌ ଅନେକ ଥର ବିଶାଖାପାଟଣା ଯାଉଥିଲେ । ସମ୍ପର୍କୀୟଙ୍କ ଘର ଆଖପାଖରେ ରହିଛି ଗୋଟିଏ ନୌସେନା ବାହିନୀର ଶିବିର। ରାଜ୍‌ ସେଠାରେ ଯବାନଙ୍କ ସମ୍ପର୍କରେ ଆସିଥିଲେ । ସେମାନଙ୍କ ଜୀବନଶୈଳୀ, କାର୍ଯ୍ୟ ଦକ୍ଷତା, ପରିଶ୍ରମ ଏବଂ ଦେଶ ପ୍ରତି ଭଲପାଇବାକୁ ଦେଖି ରାଜ୍‌ ବିଶେଷ ଆକର୍ଷିତ ହୋଇଥିଲେ । ଏଣୁ ନି​‌େ​‌ଜ ମଧ୍ୟ ଦିନେ ସେନାରେ ସାମିଲ ହେବାକୁ ପିଲାଟି ଦିନରୁ ହିଁ ସ୍ବପ୍ନ ଦେଖିଥିଲେ । ନବମ ଶ୍ରେଣୀରେ ପଢ଼ିଲା ବେଳେ କୋରକୁଣ୍ଡା ସୈନିକ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ଆବେଦନ କରିଥିଲେ । ଲିଖିତ ପରୀକ୍ଷାରେ ସଫଳତା ମିଳିଥିଲେ ମଧ୍ୟ ସାକ୍ଷାତକାରରେ ବିଫଳ ହୋଇଥିଲେ ।

 

ଏଣୁ ନାମଲେଖା ସୁଯୋଗ ମିଳିନଥିଲା । ତଥାପି ନିରାଶ ହୋଇନଥିଲେ ରାଜ୍‌ । ପ୍ରାଥମିକ ଶିକ୍ଷା ପରେ ଉଚ୍ଚ ଶିକ୍ଷା ପାଇଁ ସେ ବିଶାଖାପାଟଣା ଆସିଲେ । ଏକ ଘରୋଇ ମହାବିଦ୍ୟାଳୟରେ ଏକାଦଶ ଏବଂ ଦ୍ବାଦଶ ପଢ଼ିଲେ । ଏହି ସମୟରେ ସେ ନିୟମିତ ନୌସେନା ଶିବିର ଆଡ଼କୁ ଯାଉଥିଲେ । ଏହାରି ଭିତରେ ଜୀବନରେ ଅନେକ ପରିବର୍ତ୍ତନ ହୋଇଥିଲେ ମଧ୍ୟ ସେନାରେ ଯୋଗଦେବା ପାଇଁ ନିଜ ସ୍ବପ୍ନକୁ ପାଶୋରି ନ ଥିଲେ ରାଜ୍‌ । ସେନା ପ୍ରତି ରହିଥିବା ଆଗ୍ରହ ନେଇ ବାପା ରାଜେଶ ଏବଂ ମା’ ଭବାନୀଙ୍କୁ କହିଥିଲେ । ରାଜ୍‌ଙ୍କ ଘର ପାଖରେ ରହୁଥିବା ରାୟଗଡ଼ା ଥାନା ଏସ୍‌ଆଇ ଶିବଶଙ୍କର ସାହୁ ଏକଥା ଜାଣିପାରିଥିଲେ । ଶିବ ରାୟଗଡ଼ାରେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ଘର ହେଉଛି ବ୍ରହ୍ମପୁର ଷଣ୍ଢମହାନ୍ତି ସାହିରେ। ଏଣୁ ରାଜ୍‌ଙ୍କୁ ବ୍ରହ୍ମପୁରର ସାମନ୍ତରାୟ ଏକାଡ଼େମୀରେ ସେ ରାଜଙ୍କ ନାମ ଲେଖାଇଲେ । ଏଇଠୁ ଆରମ୍ଭ ହେଲା ରାଜ୍‌ଙ୍କ ଜୀବନରେ ପରିବର୍ତ୍ତନ । ଏକାଡ଼େମୀର ନିର୍ଦେଶକ ଦେବେଶ ସାମନ୍ତରାୟଙ୍କ ତତ୍ତ୍ବାବଧାନରେ ପ୍ରସ୍ତୁତି ଆରମ୍ଭ କରିଦେଲେ ରାଜ୍‌ । ଗତ ଜୁନ୍‌ ୧୩ ତାରିଖରେ ଅନୁଷ୍ଠିତ ଜାତୀୟ ପ୍ରତିରକ୍ଷା ଏକାଡେମୀ (ଏନଡିଏ) ଲିଖିତ ପରୀକ୍ଷାରେ ସଫଳତା ମିଳିଥିଲା । ପରେ ୧୨ ସେପ୍ଟେମ୍ବରରେ ସାକ୍ଷାତକାର ଦେଇଥିଲେ । ଉଭୟ ପରୀକ୍ଷାର ମୋଟ ନମ୍ବର ୧୮ଶହ ଥିବା ବେଳେ ରାଜ୍‌ ରଖିଛନ୍ତି ୮୭୨ ନମ୍ବର । ସର୍ବଭାରତୀୟ ସ୍ତରରେ ସେ ୮୪ତମ ସ୍ଥାନ ରଖିଛନ୍ତି । କେରଳର ଆଜିମାଲା ନୌସେନା ଏକାଡେମୀରେ ୪ ବର୍ଷ ତାଲିମ ନେବା ପରେ ସବ-ଲେଫଟନାଣ୍ଟ ଭାବେ ସେ ନୌସେନାରେ ଯୋଗ ଦେବେ।
ସେନାରେ ସାମିଲ ହେବାକୁ ଯେଉଁ ସ୍ବପ୍ନ ଦେଖିଥିଲେ, ତାକୁ ପୂରଣ କରିବା ପାଇଁ ସେ କଠିନ ପରିଶ୍ରମ କରିଛନ୍ତି । ସୈନିକ ବିଦ୍ୟାଳୟରେ ନାମଲେଖାରେ ବିଫଳ ହୋଇଥିଲେ ମଧ୍ୟ ସେ ନିରାଶ ହୋଇନଥିଲେ । ବରଂ ଅଧିକ ପରିଶ୍ରମ କରିଥିଲେ । ସେନା ପାଇଁ ପ୍ରସ୍ତୁତି ହେବା ସମୟରେ ଅନେକ ଥର ମନରେ ବିଫଳତାର ଭୟ ସୃଷ୍ଟି ହୋଇଥିଲା। ତଥାପି ବିଫଳତାର ଭୟକୁ ହରାଇବାରେ ସଫଳ ହୋଇଛି । ଯେଉଁମାନେ ସେନା ପାଇଁ ପ୍ରସ୍ତୁତି ହେଉଛନ୍ତି, ତାଙ୍କୁ କେବଳ ମୋର ଗୋଟିଏ ବାର୍ତ୍ତା ରହିବ- ହାରିବା ଭୟକୁ ହରାଇଲେ ଜିତିବା ନିଶ୍ଚିତ ବୋଲି ରାଜ୍‌ ନିଜ ସଫଳତାର ରାଜ ସମ୍ପର୍କରେ କହିଛନ୍ତି। ମଙ୍ଗଳବାର ଅପରାହ୍ନରେ ସାମନ୍ତରାୟ ଏକାଡେମୀ ପରିସରରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏକାମେଡ଼ୀର ନିର୍ଦେଶକ ଦେବେଶଙ୍କ ତରଫରୁ ରାଜ୍‌ ଏବଂ ତାଙ୍କ ଅଭିଭାବକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

Comments are closed.