ଗ୍ୟାସ ସିଲିଣ୍ଡର ବିସ୍ଫୋରଣ, ଜଣେ ଗୁରୁତର

ବ୍ରହ୍ମପୁର: ବ୍ରହ୍ମପୁର ଚର୍ଚ୍ଚ ରୋଡରେ ଥିବା ଜଣେ ବ୍ୟକ୍ତିଙ୍କ ରୋଷେଇ ଘରେ ଥିବା ଗ୍ୟାସ ସିଲିଣ୍ଡିରରେ ନିଆଁ ଲାଗି ବିସ୍ଫୋରଣ ଘଟିଛି ା ଏହି ଘଟଣାରେ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି। ସେହିପରି ବିସ୍ଫୋରଣରେ ଘରର କାନ୍ଥ ଓ ଛାତ ମଧ୍ୟ ଭାଙ୍ଗିଯାଇଥିବା ସୂଚନା ମିଳିଛି। ଚର୍ଚ୍ଚରୋଡର ଭାସ୍କର ପାତ୍ରଙ୍କ ଘର ରୋଷେଇ ଚାଲୁଥିବା ବେଳେ ଆଜି ରାତି ୯ଟା ବେଳେ ସିଲିଣ୍ଡରରୁ ଗ୍ୟାସ ସରିଯାଇଥିଲା। ସେହି ସମୟରେ ଭାସ୍କର ଘରେ ନଥିବା ବେଳେ ପୁଅ ପ୍ରଶାନ୍ତ, ବୋହୂ ସୁମିତା ଓ ନାତି ସମୀର ଘରେ ଥିଲେ। ଏକ ନୂତନ ଗ୍ୟାସ ହାଣ୍ଡି ଆଣି ସଂଯୋଗ କରିବା ବେଳେ ସେଥିରେ ନିଆଁ ଲାଗିଯାଇଥିଲା। ନିଆଁ ହୁ ହୁ ହୋଇ ଜଳିବାରୁ ପରିବାର ଲୋକେ ଭାସ୍କରଙ୍କୁ ଡାକିଥିଲେ।

 

ଭାସ୍କର ଘରେ ପହଞ୍ଚିବା ପରେ ନିାଁ ଦେଖି ତାଙ୍କ ଘର ନିକଟରେ ଥିବା ଏକ ଗ୍ୟାସ ମରାମତି ଦୋକାନକୁ ଯାଇ ସେଠାରେ କାର୍ଯ୍ୟରତ ଯୁବକ ସୁନିଲ ଦାଶଙ୍କୁ ନିଆଁ ଲିଭାଇବାକୁ ଡାକିଥିଲେ। ସୁନୀଲ ତୁରନ୍ତ ଭାସ୍କରଙ୍କ ଘରରେ ପହଞ୍ଚି ଜଳୁଥିବା ଗ୍ୟାସ ସିଲିଣ୍ଡରକୁ ଲିଭାଇବାକୁ ଉଦ୍ୟମ କଲା ବେଳେ ତାହା ହଠାତ ବିସ୍ଫୋରଣ ହୋଇଯାଇଥିଲା।ଏଥିରେ ସୁନୀଲ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି। ସେହିପରି ସିଲିଣ୍ଡର ଫାଟିବା ଯୋଗୁ ରୋଷେଇ ଘରର କାନ୍ଥ ଓ ଟିଣ ଭାଙ୍ଗି ଏହା ଅଂଶବିଶେଷ ରାସ୍ତାରେ ପଡିଛି।ସୁନୀଲଙ୍କ ଚିକିତ୍ସା ନିମେନ୍ତ ତାଙ୍କୁ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ଗୁରୁତର ରହିଛି। ଖବରପାଇ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

Comments are closed.