ପ୍ରେମିକା ଉପସ୍ଥିତିରେ ପ୍ରେମିକର ମୃତ୍ୟୁ ଘଟଣା ; ହତ୍ୟା ଅଭିଯୋଗ ଆଣିଲେ ବାପା

ବ୍ରହ୍ମପୁର : ବ୍ରହ୍ମପୁର ଆଙ୍କୁଲିସ୍ଥିତ ଏକ ଭଡାଘରେ ଶନିବାର ଛାତ୍ର ସମୀର ନାୟକଙ୍କ ମୃତ୍ୟୁ ପ୍ରସଙ୍ଗ ଆଜି ଭିନ୍ନ ମୋଡ ନେଇଛି। ମୃତ ସମୀରଙ୍କ ବାପା ତାଙ୍କ ପୁଅକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ଥାନାରେ ଅଭିଯୋଗ କରିଛନ୍ତି। ସମୀରଙ୍କ ପ୍ରେମିକା ଓ ତାଙ୍କ ସମ୍ପର୍କୀୟ ଭାଇ ହିଁ ହତ୍ୟାକାଣ୍ଡର ମୁଖ୍ୟ ଖଳନାୟକ ବୋଲି ଅଭିଯୋଗପତ୍ରରେ ଦର୍ଶାଯାଇଛି। ମୃତ ସମୀରଙ୍କ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ଅଭିଯୋଗକୁ ଭିତ୍ତିକରି ପୁଲିସ ତଦନ୍ତର ଦିଗ ବଦଳାଇଛି।
ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଲୁବୁକୁ ଗ୍ରାମର ବିଶାନ୍ତ ନାୟକଙ୍କ ପୁଅ ସମୀର ଶୁକ୍ରବାର ତାଙ୍କ ପ୍ରେମିକା କବିତା(ଛଦ୍ମନାମ)ଙ୍କ ସହ ଭୁବନେଶ୍ୱରରୁ ଫେରି ବ୍ରହ୍ମପୁର ଆଙ୍କୁଲିରେ ଥିବା କବିତାଙ୍କ ସମ୍ପର୍କୀୟ ଭାଇଙ୍କ ଭଡାଘରେ ରହିଥିଲେ। ଆଉ ସକାଳୁ କବିତା ଓ ତାଙ୍କ ସମ୍ପର୍କୀୟ ଭାଇ ସମୀରର ମୃତହେଦକୁ ଆଣି ଏମକେସିଜିରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସମୀରଙ୍କୁ ମୃତ ଘୋଷଣା କରିଥିଲେ। ତେବେ ସମୀର ଆତ୍ମହତ୍ୟା କରିଥିବା ନେଇ କବିତା ପୁଲିସକୁ କହିଥିଲେ। ରାତିରେ ଝଗଡା ହେବା ପରେ ସକାଳୁ ସମୀର ଏଭଳି ନିଷ୍ପତ୍ତି ନେଇଥିବା ସେ ଜଣାଇଥିଲେ। ପରିବାର ଲୋକେ ଆସିନଥିବାରୁ ପୁଲିସ ସମୀରଙ୍କ ମୃତଦେହ ଶବଗୃହରେ ରଖିଥିଲା। ଆଉ ଆଜି ସମୀରଙ୍କ ବାପା ବିଶାନ୍ତ ବୈଦ୍ୟନାଥପୁର ଥାନାରେ ପହଞ୍ଚି ଯେଉଁ ଅଭିଯୋଗ କରିଥିଲେ ତାହା ସମସ୍ତଙ୍କୁ ଚକିତ କରି ଦେଇଥିଲା।

ସମୀର ଓ କବିତାଙ୍କ ମଧ୍ୟରେ ୫ ବର୍ଷ ହେବ ପ୍ରେମ ସମ୍ପର୍କ ରହିଥିଲା। ଯାହାକୁ କବିତାଙ୍କ ଘର ଲୋକେ ପସନ୍ଦ କରୁନଥିଲେ। ଏପରିକି ୧ ବର୍ଷ ତଳେ କବିତାଙ୍କ ପରିବାରର ୫ ଜଣ ସଦସ୍ୟ ତାଙ୍କ ଘରକୁ ଆସି ନାନା ପ୍ରକାର ଧମକ ଦେଇଥିଲେ ବୋଲି ବିଶାନ୍ତ ନିଜ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି। କବିତାଙ୍କ ପରିବାର ପକ୍ଷରୁ ସମୀରକୁ ମଧ୍ୟ ଫୋନ ଯୋଗେ ବାରମ୍ବାର ଧମକ ଦିଆଯାଉଥିବା ନେଇ ବିଶାନ୍ତ ଅଭିଯୋଗ କରିଛନ୍ତି। ତେବେ ଶୁକ୍ରବାର କବିତା ଓ ତାଙ୍କ ସମ୍ପର୍କୀୟ ଭାଇ ଯୋଜନାବଦ୍ଧ ଭାବେ ସମୀରକୁ ଭୁବନେଶ୍ୱରରୁ ଡକାଇ ବ୍ରହ୍ମପୁରରେ ମାରି ଦେଇଛନ୍ତି ବୋଲି ତାଙ୍କ ବାପା ଅଭିଯୋଗ କରିଛନ୍ତି। ସମୀରଙ୍କ ମୃତ୍ୟୁକୁ ନେଇ ଏମକେସିଜି ଫାଣ୍ଡିରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିଲେ ମଧ୍ୟ ବିଶାନ୍ତଙ୍କ ଅଭିଯୋଗ ପରେ ଏକ ହତ୍ୟା ମାମଲାରେ ଯେଉଁ ସବୁ ଦିଗରୁ ତଦନ୍ତ କରାଯିବା କଥା ସେହି ଅନୁସାରେ ତଦନ୍ତ ଜାରି ରହିଛି ବୋଲି ବୈଦ୍ୟନାଥପୁର ଥାନା ଅଧିକାରୀ ସାରଦାପ୍ରସାଦ ଦାସ କହିଛନ୍ତି।

Comments are closed.