ରୂପାନ୍ତରଣ ଯାତ୍ରାର ଅଂଶୀଦାର ହୁଅ : ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ ନିବେଶକ ସମ୍ମିଳନୀ, ୪୦୦ରୁ ଊର୍ଦ୍ଧ୍ବ ପ୍ରତିନିଧିଙ୍କ ଅଂଶଗ୍ରହଣ

ଭୁବ‌େନଶ୍ବର  : ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି। ଆପଣମାନେ ଆସନ୍ତୁ, ଓଡ଼ିଶାରେ ନିବେଶ କରନ୍ତୁ ଏବଂ ନୂତନ ଶିଳ୍ପଯୁଗରେ ଆମର ସହଭାଗୀ ହୁଅନ୍ତୁ। ବେଙ୍ଗାଲୁରୁଠାରେ ଆୟୋଜିତ ଓଡ଼ିଶାର ନିବେଶକ ସମ୍ମିଳନୀରେ କର୍ପୋରେଟ୍‌ ହସ୍ତୀମାନଙ୍କୁ ଏଭଳି ଆହ୍ବାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ଯାଏଁ ଭୁବନେଶ୍ବରରେ ମେକ୍ ଇନ୍ ଓଡ଼ିଶା କନକ୍ଳେଭ ଆୟୋଜିତ ହେବାକୁ ଯାଉଛି। ଏଥିରେ ଶିଳ୍ପ ସଂସ୍ଥାର ପ୍ରମୁଖମାନେ ଭାଗ ନେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ରାଜ୍ୟର ପ୍ରତିବଦ୍ଧତା ଉପରେ ଗୁରୁତ୍ବ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ନିଯୁକ୍ତିଭିତ୍ତିକ ଶିଳ୍ପାୟନ ଅଭିବୃଦ୍ଧି ପାଇଁ ଅନୁକୂଳ ପରିବେଶ ପ୍ରତି ଓଡ଼ିଶା ବଦ୍ଧପରିକର। ଯଦି କୌଣସି ରାଜ୍ୟ ବ୍ୟାବସାୟିକ ସୁଯୋଗର ପ୍ରୋତ୍ସାହନ ପାଇଁ ‘ଏକ୍ସ ପ୍ରୋତ୍ସାହନ’ ପ୍ରଦାନ କରୁଛି, ଆମେ ‘ଏକ୍ସ ପ୍ଲସ୍’ ପ୍ରଦାନ କରିବୁ। ଆମ ସରକାର କଥା ଅନୁସାରେ କାମ କରେ। ବୈଷୟିକ ଏବଂ ବିନିର୍ମାଣ ଜଗତରେ ଭାରତ ଏକ ପ୍ରମୁଖ ଶକ୍ତି ଭାବେ ଉଭା ହୋଇଛି। ଶିଳ୍ପପତିଙ୍କ ଅଭିନବ ଏବଂ ପ୍ରେରଣାଦାୟୀ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଧନ୍ୟବାଦ ଦେଇଛନ୍ତି।
ଶିଳ୍ପପତିଙ୍କୁ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମର ରୂପାନ୍ତରଣ ଯାତ୍ରାରେ ଅଂଶୀଦାର ହେବାକୁ ମୁଁ ଆପଣମାନଙ୍କୁ ଓଡ଼ିଶାକୁ ନିମନ୍ତ୍ରଣ କରୁଛି। ପ୍ରତିଟି କ୍ଷେତ୍ରରେ ଓଡ଼ିଶା ଏବେ ଦ୍ରୁତ ଅଗ୍ରଗତି କରୁଛି। ଆମ ପ୍ରାକୃତିକ ସମ୍ପଦ, ଦକ୍ଷ ମାନବ ସମ୍ବଳ ଏବଂ ସ୍ଥାୟୀ ପ୍ରଶାସନ ଓଡ଼ିଶାକୁ ଉଦ୍ୟୋଗ ଏବଂ ନିବେଶ କ୍ଷେତ୍ରରେ ଅଗ୍ରଣୀ ଲକ୍ଷ୍ୟସ୍ଥଳ କରିପାରିଛି। ଦେଶର ଅଧିକାଂଶ ପ୍ରମୁଖ ଆଇଟି କମ୍ପାନୀ
ଭୁବନେଶ୍ବରରେ ସେମାନଙ୍କ କେନ୍ଦ୍ର ସ୍ଥାପନ କରିଛନ୍ତି। ସେମାନଙ୍କୁ ସରକାର ନିରନ୍ତର ସହାୟତା ଜାରି ରଖିଛନ୍ତି। ନିକଟରେ ପ୍ରକାଶିତ ଇଜ୍ ଅଫ୍ ଡୁଇଁ ବିଜନେସରେ ଓଡ଼ିଶାକୁ ‘ଆଚିଭର’ ମାନ୍ୟତା ମିଳିଥିଲା। ବିନିର୍ମାଣ ପୁଞ୍ଜିନିବେଶ କ୍ଷେତ୍ରରେ ଦେଶର ଶ୍ରେଷ୍ଠ ରାଜ୍ୟ ମଧ୍ୟରେ ଓଡ଼ିଶା ସ୍ଥାନ ପାଇଛି।
ରାଜ୍ୟର ଅଭିବୃଦ୍ଧି କାହାଣୀ ଏବଂ ବିଶ୍ବର ନିବେଶକଙ୍କୁ ମିଳୁଥିବା ସୁବିଧାକୁ ପ୍ରଦର୍ଶିତ କରିବା ପାଇଁ ମେକ୍ ଇନ୍ ଓଡ଼ିଶା କନକ୍ଳେଭ୍-୨୦୨୨ ହେଉଛି ଏକ ପ୍ଲାଟଫର୍ମ (ମଞ୍ଚ)। ସେହିପରି ଶିଳ୍ପାୟନ କ୍ଷେତ୍ରର ଭବିଷ୍ୟତ ଦୃଷ୍ଟିକୋଣ ଉପରେ ଆଲୋଚନା କରିବାର ଏହା ଏକ ମାଧ୍ୟମ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ନାଗରିକ ସେବା ଏବଂ ବ୍ୟବସାୟ କ୍ଷେତ୍ର‌େ‌ର ସରକାର ବ୍ୟାପକ ପଦ‌େ‌କ୍ଷପ ନେଇଛନ୍ତି। ସମଗ୍ର ଦେଶରେ ଓଡ଼ିଶା ଏବେ ନିବେଶକଙ୍କ ପସନ୍ଦର ଲକ୍ଷ୍ୟସ୍ଥଳ ପାଲଟିଛି। ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା ଓଡ଼ିଶାର ଶିଳ୍ପାୟନ ଦୃଶ୍ୟପଟ୍ଟ ଏବଂ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍-୨୦୨୨ ସମ୍ପର୍କରେ ଏକ ଉପସ୍ଥାପନା ରଖିଥିଲେ। ଫିକି କର୍ଣ୍ଣାଟକ ରାଜ୍ୟ ପରିଷଦ ଅଧ୍ୟକ୍ଷ ଉଲାସ କମାଥ ସ୍ବାଗତ ଭାଷଣ ପ୍ରଦାନ କରିବା ସହ ବିକାଶ ଦୃଷ୍ଟିରୁ ଓଡ଼ିଶା କିପରି ଆଗକୁ ବଢ଼ୁଛି, ସେ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ବର୍ଷବର୍ଷ ଧରି ରାଜ୍ୟର ମୋଟ୍ ଘରୋଇ ଉତ୍ପାଦ ଅଭିବୃଦ୍ଧି ହାର ଉଲ୍ଲେଖନୀୟ ଥିବାବେଳେ ଶିଳ୍ପାୟନ ଦ୍ରୁତଗତିରେ ଆଗେଇ ଚାଲିଛି ବୋଲି ସେ କହିଥିଲେ। ଆଇଟି ସଚିବ ମନୋଜ ମିଶ୍ର ଆଇଟି ଇକୋସିଷ୍ଟମ ଉପରେ ମତ ରଖିଥିଲେ। ଷ୍ଟାର୍ଟଅପ୍ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡ. ଓଁକାର ରାୟ ଷ୍ଟାର୍ଟଅପ୍ ଇକୋସିଷ୍ଟମର ଅଭିବୃଦ୍ଧି ଉପରେ କହିଥିଲେ। ଏଥିସହ ୨୦୧୮ରେ ‘ଟପ୍ ପରଫରମର’ ଏବଂ ୨୦୧୯ରେ ‘ଲିଡର’ ଭାବେ କେନ୍ଦ୍ର ସରକାର ଓଡ଼ିଶାକୁ ମାନ୍ୟତା ଦେବା କଥା ସୂଚାଇଥିଲେ।
ଏହି ନିବେଶକ ସମ୍ମିଳନୀ ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବହୁ ବରିଷ୍ଠ ଶିଳ୍ପପତିଙ୍କୁ ଭେଟି ଓଡ଼ିଶା ପାଇଁ ସେମାନଙ୍କର ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ବ୍ୟକ୍ତିଗତ ଭାବେ ଉଦ୍ୟୋଗପତିଙ୍କୁ ମୁଖ୍ୟମନ୍ତ୍ରୀ ଓଡ଼ିଶା ଆସିବାକୁ ଆମନ୍ତ୍ରଣ କରିଥିଲେ। ଓଡ଼ିଶାକୁ ସେମାନଙ୍କ ବ୍ୟବସାୟର ସମ୍ଭାବ୍ୟ ଲକ୍ଷ୍ୟସ୍ଥଳ ଭାବେ ବିଚାର କରିବାକୁ ସେ କହିଥିଲେ। ଏହି ନିବେଶକ ସମ୍ମିଳନୀରେ ବିଭିନ୍ନ ଶିଳ୍ପସଂସ୍ଥାର ୪୦୦ରୁ ଊର୍ଦ୍ଧ୍ବ ପ୍ରତିନିଧି ଅଂଶଗ୍ରହଣ କରିଥିଲେ।
ମୁଖ୍ୟମନ୍ତ୍ରୀଙ୍କ ସହ ୱାନ ଟୁ ୱାନ ବୈଠକରେ ଭାଗ ନେଇଥିବା ପ୍ରମୁଖ ନିବେଶକମାନେ ହେଲେ, ଇଙ୍କଚର ଇଣ୍ଡିଆ ସେଣ୍ଟର ହେଡ୍ ରଞ୍ଜିତ୍ କୁମାର, ଆଇବିଏମ ମ୍ୟାନେଜିଂ ପାର୍ଟନର ଅମିତ୍ ଶର୍ମା, ୱିପ୍ରୋ-ଜିଇ ହେଲଥକେୟାରର ଏମଡି ଏବଂ ସିଇଓ ଡ. ଶ୍ରବଣ ସୁବ୍ରମଣ୍ୟମ, କନସେଣ୍ଟ୍ରିକ୍ସ ଡାକ୍ସ ସର୍ଭିସ ପ୍ରେସିଡେଣ୍ଟ ଗିରିଶ ମେନନ୍, ଏବିବି ସିଏଫଓ ଟିକେ ଶ୍ରୀଧର, ଟିଟିକେ ପ୍ରେଷ୍ଟିଜ୍ ସିଏଫଓ ଏମ୍ ଶରଣ୍ୟନ, ଇଣ୍ଡୋ ନିସିନ ଫୁଡ୍ସର ଏମଡି ଏବଂ ସିଇଓ ଗୌତମ ଶର୍ମା, ଗୋକଲଦାସ ଏକ୍ସପର୍ଟସର ଏମଡି ଶିବା ଗଣପତି, ଆକ୍ସେନଚରର ଏମଡି ଅଜୟ ଭିଜ, ଫ୍ଲିପକାର୍ଟ କର୍ପୋରେଟ୍ ଆଫାୟାର୍ସ ମୁଖ୍ୟ ରଜନୀଶ କୁମାର, ପେଜ୍ ଇଣ୍ଡଷ୍ଟ୍ରିଜ୍ ସିଇଓ ଭିଏ ଗଣେଶ, ହାପିଏଷ୍ଟ ମାଇଣ୍ଡସର ସିଏଫଓ ଭେଙ୍କଟରମଣ ଏନ, ଗ୍ଲୋବାଲ ଫାଉଣ୍ଡ୍ରାଏର କଣ୍ଟ୍ରି ହେଡ୍ ଜିତେନ୍ଦ୍ର ଚଡ୍ଡା, ୟରନେଷ୍ଟ ଆଣ୍ଡ ୟଙ୍ଗ କନସଲଟିଂ ଲିଡର ଗୌରଭ ତନେଜା, ଇନଟେଲ ଟେକ୍ କଣ୍ଟ୍ରି ହେଡ୍ ନିଭ୍ରୁତି ରାୟ, କଟନ ୱାର୍ଲ୍ଡ ପ୍ରତିଷ୍ଠାତା ଏବଂ ଏମଡି ବିଏନ ମୋନାପ୍ପା, ୱାଣ୍ଡରେଲା ଏମଡି ଅରୁଣ ଚିତ୍ତାପଲ୍ଲୀ, ଡଲାର ଇଣ୍ଡଷ୍ଟ୍ରିଜ୍ ଏମଡି ବିନୟ ଗୁପ୍ତା, ଇଣ୍ଡିଆନ ଡିଜାଇନସ ସିଏମଡି ନାସିର ହୁମାୟୁନ ଏବଂ ଇଣ୍ଡିଆନ ଷ୍ଟିଚେସ ସିଏମଡି ବିଶାଳ ସେହଗଲ।

Comments are closed.