କର୍ଣ୍ଣାଟକରେ କନ୍ନଡ଼ଙ୍କ ପାଇଁ ସଂରକ୍ଷଣ ୭୫% ହେବ

ବେଙ୍ଗାଲୁରୁ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌ ୟେଦୁରପ୍ପା ଗୁରୁବାର ରାଜ୍ୟରେ ନୂଆ ସଂରକ୍ଷଣ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଛନ୍ତି। ରାଜ୍ୟ ସରକାରୀ ଓ ଘରୋଇ ଚାକିରିରେ ସ୍ଥାନୀୟ ଅଧିବାସୀଙ୍କ ପାଇଁ ୭୫ପ୍ରତିଶତ ସ୍ଥାନ ସଂରକ୍ଷଣ ପାଇଁ ପ୍ରସ୍ତୁତି ଚାଲିଥିବା ସେ କହିଛନ୍ତି। ରାଜ୍ୟରେ ସର୍ବନିମ୍ନ ୧୫ବର୍ଷ ସ୍ଥାୟୀ ଭାବେ ବସବାସ କରିଥିବା ଓ କନ୍ନଡ଼ ଭାଷା ପଢ଼ି-ଲେଖି ପାରୁଥିବା ‘କାନ୍ନଡିଗା’ଙ୍କୁ ଏହି ସଂରକ୍ଷଣ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଏ ନେଇ ବିଧେୟକ ପ୍ରସ୍ତୁତ ହେଉଛି ଓ ଖୁବ୍‌ ଶୀଘ୍ର ବିଧାନସଭାରେ ଆଗତ ହେବ ବୋଲି କହିଛନ୍ତି ରାଜ୍ୟ ଶ୍ରମ ମନ୍ତ୍ରୀ ଏସ୍‌. ସୁରେଶ କୁମାର। ଆନ୍ଧ୍ରପ୍ରଦେଶ ସରକାର ଗତ ଜୁଲାଇରେ ଏଭଳି ଏକ ବିଧେୟକ ଆଣିଛନ୍ତି ଏବଂ ସମାନ ଢ଼ାଞ୍ଚାରେ କର୍ଣ୍ଣାଟକରେ ଏହା ଲାଗୁ ହେବ ବୋଲି ସୁରେଶ କହିଛନ୍ତି। ସମସ୍ତ ସରକାର ସଂସ୍ଥା ସହିତ ଘରୋଇ ବ୍ୟବସାୟ ଓ ବାଣିଜ୍ୟିକ ପ୍ରତିଷ୍ଠାନ, ଶିଳ୍ପ ଇତ୍ୟାଦି କ୍ଷେତ୍ରରେ ଏହି ସଂରକ୍ଷଣ ଲାଗୁ ହେବ ବୋଲି ସେ କହିଛନ୍ତି।

ମନ୍ତ୍ରିମଣ୍ଡଳ ସମ୍ପ୍ରସାରିତ, ୧୦ ସାମିଲ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌ ୟେଦୁରପ୍ପା ଗୁରୁବାର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଛନ୍ତି। ରାଜଭବନରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ୧୦ ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏମାନଙ୍କ ମଧ୍ୟରେ ଅଧିକାଂଶ ଗତ ବର୍ଷ ଜେଡି(ଏସ୍‌) ଓ କଂଗ୍ରେସରୁ ଆସି ବିଜେପିରେ ସାମିଲ ହୋଇଥିଲେ। ଦଳବଦଳ ଓ ବିଧାୟକ ପଦ ରଦ୍ଦ ହେବା ପରେ ରାଜ୍ୟର ୧୫ଟି ବିଧାନସଭା ଆସନରେ ଉପ-ନିର୍ବାଚନ ହୋଇଥିଲା। ଏଥିରେ ବିଜେପି ୧୨ ଓ କଂଗ୍ରେସ ୨ଟିରେ ବିଜୟ ହାସଲ କରିଥିବାବେଳେ ଗୋଟିଏରେ ସ୍ବାଧୀନ ପ୍ରାର୍ଥୀ ଜିତିଥିଲେ। ସେବେଠାରୁ ଦଳବଦଳକାରୀଙ୍କୁ ପୁରସ୍କୃ୍ତ କରାଯିବା ନେଇ ଚର୍ଚ୍ଚା ଚାଲିଥିଲା।

Comments are closed.