ଦୁହିଁ ଦୁହେଁ ସରିସମ

‘‘ମନ ଜାଣେ ପାପ, ମା’ ଜାଣେ ବାପ।’’ ଏଇ ଆପ୍ତବାକ୍ୟଟି କେଉଁ ମହାତ୍ମା ତାଙ୍କ ବ୍ୟକ୍ତିଗତ ଅଭିଜ୍ଞତାରୁ କି ଅନୁଭୂତିରୁ ସୃଷ୍ଟି କରିଥିଲେ କେଜାଣି, ତା’ ଏବେ ସାର୍ବଜନୀନ ଓ କାଳଜୟୀ ସତ୍ୟ ବନିଯାଇଛି। ଏବେ କିଏ ଏକୁ ଗାଢ଼େ ଗାଢ଼େ ଅନୁଭବ ନ କରୁଛି ଯେ! ଦିଶୁଥିବା ବା କରାଯାଇଥିବା କାର୍ଯ୍ୟରୁ, ଓସ୍ତାତ୍‌ ପ୍ରବଞ୍ଚକ ନ ହେଲେ, ତାକୁ ମାପି ହୋଇଯାଏ। କେତେଦିନ ଯାଏ ଜଣେ ବା ଜଣଙ୍କୁ ଲୁଚାଇ ପାରିବ? ସତ ପାତାଳରୁ ଫୁଟି ବାହାରିବା ପରି ସ୍ବୀୟ ମୌଳିକ, ପ୍ରବୃତ୍ତି, ପ୍ରକୃତିର ମୂଳରୂପ ବାରିହୋଇ ପଡ଼େ। ଗାନ୍ଧାରୀଙ୍କୁ ଦେଖୁନା, କହିଲେ ‘‘ପାଣ୍ଡବ ଓ କୌରବ ମୋ ପାଇଁ ସମସ୍ତେ ସମାନ’’; କିନ୍ତୁ କୌରବମାନେ ପୂରା ଲୋପ ହେଲା ପରେ, ଗାନ୍ଧାରୀ କେମିତି ଶୋକ ଓ କ୍ରୋଧାକ୍ରାନ୍ତ ହୋଇଥିଲେ ଜଣାପଡ଼ିଗଲା। ଭୀମ ଯେପରି ନୃଶଂସ ଭାବେ ଦୁଃଶାସନକୁ ମାରି, ତା’ ହାତକୁ ବାହୁ ଦିହରୁ ଓପାଡ଼ି ଯୁଦ୍ଧ ପଡ଼ିଆରୁ ଘରକୁ ଧାଇଁଥିଲେ ଦ୍ରୌପଦୀର ବେଣୀ ବନ୍ଧନ ପାଇଁ। ତା’ ତ ମହାଭାରତର ସବୁଠୁ ଲୋମହର୍ଷଣକାରୀ ଘଟଣା ପରି ମନେହୁଏ। ମା’ ହୋଇ ଗାନ୍ଧାରୀ କେମିତି ଯେ ଏକୁ ସହନ୍ତେ କହୁନା!! ରାଗରେ ଭିତରେ ଭିତରେ ଟକମକ ହୋଇ ଫୁଟୁଥିଲେ। କିଏ ବା ଏକଥା ଜାଣି ପାରନ୍ତା?

ଯୁଦ୍ଧ ପରେ ଭୀମକୁ ଟିକିଏ ଦେଖିବେ ବୋଲି କହି ଡକାଇଲେ। ମାତୃ ସ୍ନେହର ୟେ ଆଉ ନିର୍ଝର ଭାବି ଭୀମ ବି ଯିବାକୁ ବେଶ୍‌ ଉତ୍‌ଫୁଲ୍ଲରେ ବାହାରି ପଡ଼ିଲେ। ସବୁର ଭିତର ବାହାର ଦେଖୁଥିବା କୃଷ୍ଣ ଭୀମଠି ରୋକ ଲଗାଇ ଦେଲେ। ଗୋଟାଏ କଦଳୀଗଛକୁ ଭୀମ କରି ତାଙ୍କ ଆଗେ ଠିଆ କରି ଦିଆଗଲା। ଜୀବନ ଯାକର ମୁଦା-ଚକ୍ଷୁ ଫିଟିବ ତା’ ପୁଣି ଭିତରେ ଟକମକ ଫୁଟୁଥିବା କ୍ରୋଧରେ। ସେଥିରୁ ନିଆଁ ଛଡ଼ା ଆଉ କ’ଣ ବାହାରନ୍ତା। ଭୀମ ତ ବର୍ତ୍ତିଗଲେ। ମାତ୍ର ଯାହାହେଲେ ବି ମା’ ସନ୍ତାନ ନିରପେକ୍ଷ କେମିତି ହୋଇ ପାରିବ? ଧରାପଡ଼ିଗଲେ ସେ। ସବୁ ମା’ ଭଳିଆ ସେ ବି ମା’। ଆଜିକାଲିର ‘ଚାଲୁ ମା’, ‘ଡିଲକ୍ସ ମା’ ଯୁଗ ସେତେବେଳେ କୋଉ ଥିଲା ମ! ‘‘ଗୁଣ ଚିହ୍ନେ ଗୁଣିଆ, ସୁନା ଚିହ୍ନେ ବଣିଆ।’’ ଶାସ୍ତ୍ରଜ୍ଞ ପଣ୍ଡିତଗଣ ଜଣେ ଯେତେ ଘଷିମାଜି ହେଲେ ବି, ତାକୁ ଧରି ପାରନ୍ତି। ନିଜ ରୁଚି, ଜ୍ଞାନଠୁ ଭିନ୍ନ ବା ଅଧିକ ଥିବାକୁ ଚିହ୍ନି ତ ହୁଏନି ବରଂ ଭିନ୍ନ ଭାବ ଜଣେ ପୋଷଣ କରିଥାଏ। ଏବର କଥାଟେ, ସ୍ବାମୀ ଚିଦାନନ୍ଦ ସରସ୍ବତୀ, ଓଡ଼ିଶାର ବିଖ୍ୟାତ ସନ୍ଥ, ସନ୍ନ୍ୟାସୀ ବାୟାବାବାଙ୍କ ନିମନ୍ତ୍ରଣରେ କଟକ ଆସୁଥାଆନ୍ତି। ତାଙ୍କୁ ସ୍ବାଗତ କରିବାକୁ ନିଜେ ବାୟାବାବା ବିମାନ ବନ୍ଦରକୁ ଯାଇଥା’ନ୍ତି। ଦୁଇ ସାଧୁଙ୍କ ଦୁଇ ଦଳର ଅନୁଗାମୀ, ଭକ୍ତ ସେଠି ରୁଣ୍ଡ ହୋଇଥାଆନ୍ତି। ବିମାନ ଅବତରଣ ବେଳ ହୋଇଯାଇଥାଏ। ଦି’ଗୋଷ୍ଠୀଙ୍କ ମଧ୍ୟରେ ଚର୍ଚ୍ଚା ଧରିଲା, କିଏ ବଡ଼, ବାୟା ନା ଚିଦାନନ୍ଦ। ତର୍କ ଏମିତି ତୀବ୍ର ହେଲା ଯେ ଭାଲୁକୁଣୀ ଓଷାରେ ଗାଁର ଦୁଇଦଳ ଝିଅ ଦି’ ଭାଲୁକୁଣୀଙ୍କୁ ଗାଳି କରିବା ଅବସ୍ଥା ହେଲା। ‘‘ଆମ ଭାଲୁକୁଣୀ ଖାଏ ଲିଆ, ତମ ଭାଲୁକୁଣୀ ମୁହଁରେ ନିଆଁ’’ ଇତ୍ୟାଦି ଇତ୍ୟାଦି। କିରେ ତମ ଭାଲୁକୁଣୀ ଯିଏ ତାଙ୍କ ଭାଲୁକୁଣୀ ବି ସିଏ। ଓଃ କି ଘୋର ଅଜ୍ଞାନତା, କ୍ରୋଧ ଓ ଅସହିଷ୍ଣୁତାର କି ଅଶିଷ୍ଟ, ଅସଭ୍ୟ ପରିପ୍ରକାଶ। ହଠାତ୍‌ ବ୍ୟୋମଯାନ ଅବତରଣ କଲା। ଏଥର ଭକ୍ତେ ବାଜି ମରାମରି ହେଲେ। ଯିଏ ବଡ଼ ତାକୁ ଅନ୍ୟ ଜଣେ ପ୍ରଣାମ କରିବ। ଏଥର ଜଣାପଡ଼ିଯିବ କିଏ ବଡ଼?

ସ୍ବାମୀ ଚିଦାନନ୍ଦ ହସ ହସ ମୁହଁରେ ଫାଟକ ଯାଏ ଆସୁଥିବା ବେଳେ ଢେର ଗଦଗଦ ହୋଇ ବାୟାବାବାଜି ତାଙ୍କୁ ସ୍ବାଗତ ସମ୍ଭାଷଣ ଜଣାଇବାକୁ ଝପଟି ଯାଉଥା’ନ୍ତି। ଦେଖିବା କିଏ ବଡ଼, ସବୁଆଡ଼େ ଘୋର ନିରବତା। ଆରେ ୟେ କ’ଣ ହେଲା ମ। ଦୁହେଁ ଏକ ସମୟରେ ପରସ୍ପରକୁ ସାଷ୍ଟାଙ୍ଗ ଦଣ୍ଡବତ ପାଇଁ ସେଇ ଭୂଇଁରେ ଲମ୍ବିଗଲେ। କିଏ କାହା ଗୋଡ଼କୁ ଛୁଇଁ ପାରିଲା କାହିଁ? ମୁଣ୍ଡକୁ ମୁଣ୍ଡ ଓ ପ୍ରସାରିତ ହାତକୁ ହାତ ଯାହା ଛୁଉଁଥିଲା। ଉଠିପଡ଼ି ଦିହେଁ ଦିହିଁଙ୍କି କୁଣ୍ଢେଇ ପକେଇଲେ। କହ ହେ ଗୋଳିଆ ଭକ୍ତେ! କିଏ ଏବେ ବଡ଼ କହ? ମନ ମଧ୍ୟସ୍ଥ ଗୋପନତା କିନ୍ତୁ ନିଜ ଅଜାଣତରେ ଆଚରଣରେ ଝରିଥାଏ। ଭଣ୍ଡାମି, ଭାଣ୍ଡାମି କେତେ ଦିନ? ରାମାନନ୍ଦୀ ତିଳକ, ରାମାନନ୍ଦୀ ଚଦର, ଗାନ୍ଧୀ ଟୋପି, ଲୋତକବୋଳା ଭାଷଣ କେତେ ଦିନ ବିକେଇବ। ଯୁକ୍ତିତର୍କ ଅନାବଶ୍ୟକ। ‘‘ଗୋଦରୀ ଲୋ, ତୋ ଗୋଡ଼କୁ ଅନା।’’

ଏବେ ଆମ ରାଜନୀତିଆ ଭାଇ ବା ପ୍ରଭୁମାନଙ୍କୁ ଦେଖୁନାହାନ୍ତି! ସବୁବେଳେ ରାଜ ଉଆସ ଭିତର ନବୀନ ବାବୁ, ଏବର ସୃଷ୍ଟ ଆଭାସିରେ ଉଦ୍‌ଘାଟନ, ଉଦ୍‌ଯାପନ, ମେଳନ ମିଳନ ସବୁ କରୁଛନ୍ତି। ଆମେ ସବୁ ବି ଏମିତିରେ ଢେର ଖୁସି, କୁତୁକୁତୁ। ଜଣେ ବେପାରୀ ଭକ୍ତ କହିଲେ, ଫଟୋ କ’ଣ ମ, ଛାଇ ତ କାହିଁରେ କ’ଣ। ସେ ଯାହା ହେଉ, ବଡ଼ ଦେଉଳଙ୍କୁ ଏଇଲେ ନବୀନଜୀ ସଜଉଛନ୍ତି। ତାକୁ ବିଶ୍ବରେ ଝଲକେଇବେ। ପୂଜା ବା ଠାକୁର ଘର, ନବ ଉପାସନା ମୁଦ୍ରାର ଜଣେ କି ସାଜସଜ୍ଜା ଲୋଡ଼ିଥାଏ? ଏଥିରେ ଆଡ଼ମ୍ବର, ଜାକଜମକ ଅପେକ୍ଷା ଆଧ୍ୟାତ୍ମିକ ଗମ୍ଭୀରତା ଲୋଡ଼ା। ବିଳାସ ବା ଚିତ୍ତବିନୋଦନର ସାମାନ୍ୟ ବ୍ୟବସ୍ଥା ଉପାସନା- ମନକୁ ବରଂ ବିକ୍ଷିପ୍ତ କରିଥାଏ। ଜଗତଗୁରୁ ଶଙ୍କରାଚାର୍ଯ୍ୟ ତ ଏ ଠାକୁର ଶରଣ କଥା କହିଛନ୍ତି, ‘‘ତୀର୍ଥସ୍ଥଳୀମାନଙ୍କୁ ପର୍ଯ୍ୟଟନ ସ୍ଥଳୀ କରାଯିବା ଘୋର ଅନୁଚିତ। ଏ ପ୍ରଭେଦ ବୁଝାଯାଉ। ବ୍ରତୋପନୟନ ବେଳେ ରୁଷିଥିବା ବ୍ରହ୍ମଚାରୀର ବେଶ ଓ ବିବାହକୁ ଯାଉଥିବା ବରର ବେଶ କ’ଣ ସମାନ କି? ଦିହେଁ ତ ସଜ୍ଜିତ, ଆମଣ୍ଡିତ। ମାତ୍ର ଏଥିରୁ ଭିନ୍ନ ଭିନ୍ନ ଭାବ ବିକିରିତ ହେଉଥାଏ। ଶ୍ରୀମନ୍ଦିର ପରିକ୍ରମା ରାସ୍ତା ନିର୍ମାଣ ପାଇଁ ନବୀନ ସରକାରଙ୍କ ଦୃଢ଼ତା ଓ ଅନମନୀୟତା ଏବେ ଏକ ଐତିହାସିକ ନଜିର ହୋଇଯାଇଛି। ଗଣତାନ୍ତ୍ରିକ ବ୍ୟବସ୍ଥାରେ ବି ସରକାର ଏତେ ଦୃଢ଼ ହୋଇପାରନ୍ତି। ପୂର୍ବରୁ ଏମାର୍‌ ମଠ, ଏହାର ଐତିହାସିକ ପାଠାଗାର ଓ ପୁସ୍ତକାଳୟକୁ ଏଠୁ ଜବରଦସ୍ତ ଉଠାଇ ଦିଆଯାଇଛି। ବଡ଼ଦାଣ୍ଡ ବେଶ୍‌ ବଡ଼ ଦିଶୁଛି, ପ୍ରଶସ୍ତ ଓ ପରିଚ୍ଛନ୍ନ ଲାଗୁଛି। ମାତ୍ର ସମୁଦ୍ରକୂଳ ଭଳି ଏଠି ଯୁବକ ଯୁବତୀଙ୍କ ସ୍ବୀୟଚିତ୍ର ଉତ୍ତୋଳନ (ସେଲ୍‌ଫି) ଢେର ଅସ୍ବସ୍ତିକର ହେଉଛି। ସେ ଯାହାହେଉ ନିଜେ ନବୀନଜୀ, ବିରୋଧୀଦଳ ଓ ଗଜପତି ମହାରାଜଜୀ ପରିକ୍ରମା ଯୋଜନାର ଶିଳାନ୍ୟାସ ଓ ହୋମରେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ନବୀନଜୀଙ୍କ ମନ୍ତ୍ରୀ ସମୂହ ବି ରୁଣ୍ଡ ହୋଇଥିଲେ। ଢେର ପ୍ରଶଂସାରେ ସରକାର ପୋତି ହୋଇପଡ଼ିଲେ। କଡ଼ା ପୁଲିସ କଟକଣା ବି ଥିଲା।

ମୁଖ୍ୟମନ୍ତ୍ରୀଙ୍କ ଫେରନ୍ତା ବାଟରେ ବିଜେପିର ଜଣେ ଦୁଇଜଣ ଅଭିମନ୍ୟୁ ବାଗିଆ ଯୁବକ ଏ ପୁଲିସ ଚକ୍ରବ୍ୟୂହକୁ ଭେଦ କରି ହଠାତ୍‌ ତାଙ୍କ ନିବୁଜ ଗାଡ଼ିକୁ ଅଣ୍ଡାମାଡ଼ କରିଦେଲେ। ପୁଲିସ ଦ୍ବାରା ଧରା ହେବା ପରେ ମାମୁମାନେ ଏ ଭଣଜାଙ୍କ ବେଶ୍‌ ପରିଚର୍ଯ୍ୟା କଲେ। ପୁଲିସଙ୍କ ଏପରି କାର୍ଯ୍ୟ ଗର୍ହିତ କରୁଥିବା ଚେତନଶୀଳ ନାଗରିକେ କହୁ ନାହାନ୍ତି କାହିଁକି ଯେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ିକୁ ଅଣ୍ଡାମାଡ଼ ଗର୍ହିତ ନୁହେଁ? ତମକୁ ଅଣ୍ଡା ମିଳିଲା ତମେ ମାଡ଼ କଲ। ତାଙ୍କୁ ଯାହା ମିଳିଲା ସେ କଲେ। ଏଭଳି ଘଟଣାକୁ ନାପସନ୍ଦ କରାଗଲା ବେଳେ ଏହାର ପ୍ରତିକ୍ରିୟାତ୍ମକ ଘଟଣା ମହିଳା ଏମ୍‌.ପି. ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କଠାରେ ଖୋଦ ଭୁବନେଶ୍ବରରେ ଘଟିଛି। ତାଙ୍କୁ ଦୀର୍ଘ ଘଣ୍ଟା ଘେରାଉରେ ରଖାଯାଇ ଅସଦାଚରଣ କରାଯାଇଥିଲା। ୟେ ପୁରୀ ଘଟଣାର ଏକ ‘‘ଯେସାକୁ ତେସା’’ ଉତ୍ତର ଥିଲା ପରି ଲାଗେ। ତେବେ ଅଣ୍ଡାମାଡ଼ କରିଥିବା ଯୁବକେ ନବୀନବାବୁଙ୍କ ଶତ୍ରୁ ନୁହନ୍ତି ବା ଭୁବନେଶ୍ବର ଏମ୍‌.ପି.ଙ୍କୁ ଠେଲାପେଲା ଅଟକ ରଖିଥିବା ଯୁବକେ ତାଙ୍କର ବ୍ୟକ୍ତିଗତ ଶତ୍ରୁ ବି ନୁହନ୍ତି। ଦୁଇ ଗୋଷ୍ଠୀ ଦୁଇ ରାଜନୈତିକ ଦଳର ସଭ୍ୟ। ବିରୋଧ କରିବା, ପ୍ରତିବାଦ କରିବା ଗଣତାନ୍ତ୍ରିକ ବ୍ୟବସ୍ଥାର ଅଙ୍ଗ। ଏହା ସ୍ବାଗତଯୋଗ୍ୟ। ମାତ୍ର ପ୍ରତିବାଦର ତରିକା କ’ଣ, ଢଙ୍ଗ କ’ଣ? କାହା କଛା ବା ଲୁଗା ଫିଟାଇବା, କାହା ଉପରକୁ ଅଣ୍ଡା କି ବିଲାତି ଫିଙ୍ଗିବା କି ଗଣତାନ୍ତ୍ରିକ ବ୍ୟବସ୍ଥା? ବିରକ୍ତ ହେଲେ, କ୍ରୋଧିତ ହେଲେ ଜଣେ ଭଦ୍ରଭାଷା ବ୍ୟବହାର କରୁଚି ତ ଜଣେ ଅଶ୍ଳୀଳ ଦୋ ଅକ୍ଷରି କହୁଛି। ଦିହେଁ କ୍ରୋଧିତ। ମାତ୍ର ଭାଷାରୁ ଏମାନଙ୍କ ସଂସ୍କାର, ସଂସ୍କୃତି ଯାହା ମାପି ହୋଇଯାଏ। ତେବେ ପୁରୀ ଓ ଭୁବନେଶ୍ବର ଘଟଣାରୁ ଦି’ଗୋଷ୍ଠୀ ବିରୋଧୀ ହେଲେ ବି ସେମାନଙ୍କ (ବ୍ଲଡ଼ ଗ୍ରୁପ୍‌) ରକ୍ତ ମେଳ ଖାଉଛି। ଏକ ଗାଁର ଦୁଇ ଭିନ୍ନ ଅଭ୍ୟାସଗତ ଅପରାଧୀଙ୍କୁ ମାଡ଼ ଓ ଜେରା ବେଳେ ଏବଂ ଗାଁ ଲୋକଙ୍କ କଥାରୁ ଥାନା ବାବୁ ବୁଝିଗଲେ ଯେ କୋଡ଼ିଏ ବର୍ଷ ତଳେ ମରିଥିବା ଦୁର୍ଦାନ୍ତ, ଅବିବାହିତ ଅପରାଧୀ ଗୌରାର ବହୁ ପ୍ରେମିକା ଥିଲେ ଓ ଏ ଦୁଇ ଅପରାଧୀର ମା’ମାନେ ବି ତା’ର ପ୍ରେମିକା ଥିଲେ। ସେଇଥିପାଇଁ ଦୁହିଁଙ୍କ ବ୍ଲଡ଼ଗ୍ରୁପ୍‌ ଓ ପ୍ରକୃତି ଏକାକାର ହୋଇଯାଇଛି। ଆମ ରାଜନୀତିଆ ଭାଇମାନଙ୍କ ଅବସ୍ଥା ସେଇ ଆଡ଼ିକି ଯାଇନାହିଁ ତ? ଜଣେ ବିଦଗ୍ଧ ସମାଜସେବୀ ଓ ପାଠକ ପୁରୀ ଓ ଭୁବନେଶ୍ବର ଘଟଣା ଉପରେ ମତଦେଇ କହିଲେ– ଦୁହିଁ ଦୁହେଁ ସରିସମ କେହି ନୁହେଁ ଊଣା। ଏକେ ଟିକିଏ ତାଳ, ଦେଉଳେ ଧାରଣା। ହେ ଜଗନ୍ନାଥ ! ରକ୍ଷା କର ଏ ଦେଶକୁ।

Comments are closed.