ଅଦାଲତୀୟ ବାସର ରାତି

ଇନ୍ଦ୍ରିୟାନୁଗତ କାର୍ଯ୍ୟ ଓ ବିବେକ ବା ଚେତନାନୁଗତ କାର୍ଯ୍ୟ ବାହ୍ୟତଃ ସମାନ ଦିଶୁଥିଲେ ବି କିସମରେ ଓ ପରିଣତିରେ ଢେର ଫରକ, ଆକାଶପାତାଳ ବୋଲ। ଜଡ଼ଭରତଙ୍କ କଥା ଦେଖୁନା! ଗହୀରରୁ ଗହୀରକୁ ଯାଇଥିବା ସ୍ତ୍ରୀ, ପୁଅ, କ୍ଷମତା ଓ ଐଶ୍ବର୍ଯ୍ୟର ମୋହ-ଚେରକୁ ମାଟି ଫଟାଇ ଉପୁଡ଼େଇ ଫିଙ୍ଗିଦେଇଥିବା ଜଡ଼ଭରତଙ୍କ କି ଦଶା ହେଲା ମ! ରାଜପଦ ଆଦି ଫିଙ୍ଗିଦେଇ ସନ୍ନ୍ୟାସୀ ହୋଇଗଲେ। ବୈରାଗ୍ୟ ମନକୁ ବୁଡ଼େଇ ଦେଇଥିଲା। କଠୋର ସାଧନା ଘୋର ବଣରେ, କୁଡ଼ିଆ ଘରେ କଲେ। ତାଙ୍କ ସାଧନାରୁ ମନେ ହେଲା, ମୁନି ମହାରାଜଙ୍କ ‘ମୋକ୍ଷ’ ପ୍ରାପ୍ତି ଥୁଆ। ମାତ୍ର ଏମିତି ସାଧନା ମଧ୍ୟରେ ଦିନେ ଏକ ବାଘ ଗର୍ଜନ କୁଡ଼ିଆ ନିକଟରେ ଶୁଣି ଆଖି ଫିଟେଇ ଦେଖିଲେ, ନଈ ଆରପଟେ ଏକ ବାଘ ଗର୍ଜନରେ ଏ ତୁଠରେ ପାଣି ପିଉଥିବା ଏକ ଗର୍ଭିଣୀ ମିରିଗର ଭୟରେ ଗର୍ଭପାତ ହୋଇଗଲା। ମା’ ମିରିଗଟା ନଦୀରେ ପଡ଼ି ଭାସିଗଲା ସିନା ପିଲାଟା ନଈ କୂଳକୁ ଛିଟିକି ପଡ଼ି ଛଟପଟ ହେଉଥାଏ। ଧାଇଁଗଲେ ଜଡ଼ଭରତ। ପିଲାଟିକୁ ଉଠାଇ ଆଣିଲେ ନିଜ କୁଡ଼ିଆକୁ। ଚାଲିଲା ସେଦିନୁ ମିରିଗ ସେବା। ‘‘କ’ଣ ଖାଇବ, ବାଘ କି ବିଲୁଆ ତାକୁ ଖାଇଯିବେ କାଳେ’’ ଏଇ ଚିନ୍ତାରେ ମା’ ମଲା ମିରିଗ ଶିଶୁର ସେ ବାପମା’ ବନିଗଲେ। ଧ୍ୟାନ, ଯୋଗ ଗାଧୋଇଗଲା। ନିଜ ମୃତ୍ୟୁକାଳ ପହଞ୍ଚିଗଲା। ଖାଲି ଭାବି ହେଲେ, ‘‘ମୁଁ ମରିଗଲେ ଏ ମୃଗଶିଶୁର କ’ଣ ହେବ?’’ ନିଜର ପ୍ରକୃତ ମା’ ବନିଥିବା ଏଇ ସାଧକ ଋଷିଙ୍କୁ ବି ମୃଗଶିଶୁ କରଛଡ଼ା କରୁ ନ ଥାଏ। ଯୋଗ କରନ୍ତୁ କି ଧ୍ୟାନ କରନ୍ତୁ, ତାଙ୍କ ଠେଇ ଲେସି ହେଉଥାଏ, ଦିହ ମୁଣ୍ଡ ଚାଟୁଥାଏ। ପ୍ରାଣ ଛାଡ଼ିଲା ବେଳକୁ, ତାଙ୍କୁ ଗେଲ କରୁଥିବା ମୃଗଶିଶୁ କଥା ଭାବି ସେ ଚାଲିଗଲେ। ଆଲୋ ମା’, ମଣିଷ ଜନ୍ମରୁ ଏଡ଼େ ବଡ଼ ସାଧକ, ପଶୁ ଯୋନିରେ ମିରିଗ ହୋଇ ଜନ୍ମ ହେଲେ। କୁହାଯାଏ ‘‘ଅନ୍ତମତି ସୋ ଗତିଃ’’।

ତେଣୁ ଭାବ ନେଇ ସବୁ କଥା। ଦରବାରରେ କବିବର ରାଧାନାଥ ତ ଲେଖିଲେ, ‘‘ଏ ଯଶ ତୁମର ଖ୍ୟାତ ଦୁନିଆରେ, ପଣ୍ଡ ହେବ ସିନା ଯମ ଦରବାରେ। ଗ୍ରାସେ ଅନ୍ନ ଦେଇ ଭୋକିକି କେବଳ, ଶୋଷିକି ମନ୍ଦାଏ ମାତ୍ର ଦେଇ ଜଳ। ତୋହ ପରେ ତହିଁ ବସିବେ ଗୌରବେ, ତୋର ମତେ କେତେ ନଗଣ୍ୟ ମାନବେ।’’ ତେଣୁ ସବୁ କାଳେ ବାହ୍ୟ କାମ ମଜୁରା ସେ ଦରବାରରେ ହୋଇ ନ ଥାଏ। ଏ କାମ ପଛର ‘ଭାବ’ ଅନୁଯାୟୀ ମଜୁରା ହିସାବ ହୁଏ। ବିଚାର ବିଭାଗରେ, ଭାରତୀୟ ପିଙ୍ଗଳ ଆଇନ (ଆଇ.ପି.ସି.)ରେ ‘ମେନସିରିଆ’ର ଉଲ୍ଲେଖ ଅଛି। ଢେଲା ମାଡ଼ରେ ମରିଯାଇଥିବା ଲୋକ କେଉଁ ମାନସିକତାରେ ଏ ମାଡ଼ ଖାଇଲା ସେ କଥା ଆଡ଼ାଆଡ଼ି କରି ଜଜ୍ ସାହେବ ଦୋଷର ଗୁରୁତ୍ବ, ଗାଢ଼ତ୍ବ ବା ଗମ୍ଭୀରତା ଧାର୍ଯ୍ୟ କରନ୍ତି। ତଦନୁସାରେ ଦଣ୍ଡ ବିଧାନ ହୁଏ। ଆମ୍ବ ପାରିବାକୁ ମାରୁଥିବା ଢେଲା ଅକସ୍ମାତ୍ ବାଟୋଇଠେଇ ବାଜି ସେ ମରିଗଲା ତ ଏହା ହତ୍ୟାକାଣ୍ଡ ହୋଇପାରେ, ହତ୍ୟା ଦୋଷ ନୁହଁ। ଦଫା ୩୦୨ ନୁହଁ ୩୦୪ କି ଆଉ କ’ଣ? ସେଇ କଥା ଆମ ସଂସ୍କୃତିରେ ନିଠେଇ କୁହାଯାଇଛି ଓ ବେଙ୍ଗବେଙ୍ଗୁଲୀ ହଠୁଣୁ ଏ କଥା କହୁଛନ୍ତି। ‘‘ମନରେ ସତୀତ୍ବ ଦେହରେ ନାହିଁ, ରାବଣ ସୀତାଙ୍କୁ ନେଲା ଚୋରାଇ, ଦ୍ରୌପଦୀ ଚିନ୍ତିଲେ କର୍ଣ୍ଣଙ୍କୁ ପରା, ଚିତ୍ରଗୁପ୍ତ ଆଗେ ପଡ଼ିଲେ ଧରା।’’ ଅନ୍ତରରୁ ଝରୁଥିବା ଏକ ନିବିଡ଼ ଭାବ ଏ ଦେଶରେ, ସଂସ୍କୃତିରେ ପ୍ରୀତି ଓ ପ୍ରେମ ବୋଲି ବୁଝାଯାଏ।

ଏ ଭାବ ତ ପ୍ରାଣ ଦିଆନିଆର କଥା। ପ୍ରଣୟୀ-ପ୍ରଣୟିନୀ, ସ୍ବାମୀ-ସ୍ତ୍ରୀ ମଧ୍ୟରେ ଏ ସମ୍ପର୍କ ବିରାଜୁଥିବା ଆମ ଲୋକଙ୍କ ବିଶ୍ବାସ। କେଦାରଗୌରୀ, ସୋନୀ-ମହିୱାଲ, ଲଇଲା-ମଜନୁ, ଫ୍ରାନ୍ସ ରାଜଜେମା ମାର୍ଗୁରାଇଟଙ୍କ କଥା ତ ଇତିହାସ, ପୁରାଣ ପ୍ରସିଦ୍ଧ। କିଏ କାହାଠୁ କୋଉ ଛାଡ଼ବାଡ଼ ହୋଇ ପାରିଲା। ଜଣଙ୍କ ବିନା ଆର ଜଣଙ୍କର ସ୍ଥିତି କାଇଁ ଥିଲା। ଏ ପ୍ରେମ ପ୍ରୀତି ଆଗରେ ରକ୍ତ ମାଂସର ଶରୀର ଓ ଜୀବନ ବି ତୁଚ୍ଛ ଥିଲା। ତେଲଲୁଣର ଅନ୍ଧଜମାଣିଆ ଏ ଦୁନିଆରେ, ଜୀବନରେ ଆଜିକାଲି ଘାଉ ଘାଉ ପ୍ରେମ ମାଡ଼ିଲାଣି, ମାତିଲାଣି। ୟେ ତ ଭଲ କଥା। ନିବିଡ଼ ଭାବର ଏ ଅମୃତମୟ ପରିପ୍ରକାଶ ବା ପ୍ଳାବନରେ ଏତେ ଶଙ୍କା କିଆଁ, କନ୍ଦଳ କିଆଁ? ମାତ୍ର ଏଠି ପ୍ରେମ ଫଟାଫଟି ହେଉଛି। ଉଭୟେ ଉଭୟଙ୍କ ଉପରକୁ ଛେପ ପକାଉଛନ୍ତି, କୁତ୍ସାରଟନା କରୁଛନ୍ତି। ରାଜ ରାସ୍ତାରେ ଚୁଟି ଝିଙ୍କାଝିଙ୍କି ହେଉଛନ୍ତି। ଅଦାଲତକୁ ଯାଇ ଗେରସ୍ତକୁ ଜିଅଲ ପୂରାଇଦେଲେ କି ଆନନ୍ଦ ଓ ଜିତାପଟ ଲୋ ମା! ଆରେ ଇୟେ କି ପ୍ରେମ, ପ୍ରୀତି? ୟେ ବାଡ଼ଡିଆଁ ପ୍ରେମ। ଆମ ଦେଶଜ ପ୍ରେମରେ, ପ୍ରୀତିରେ ନୈତିକତା, ଲଜ୍ଜାର ବେଶ୍ ଫେଣ୍ଟ ବି ଥିଲା। ଗାନ୍ଧର୍ବ ବିବାହର ବ୍ୟବସ୍ଥା ମନୁ ସଂହିତାରେ ବି ଅଛି।

ରାଜକନ୍ୟା ସାବିତ୍ରୀ, ଗଛରେ ଚଢ଼ିଥିବା ମୂଲିଆକୁ ଦେଖି ତାକୁ ବର ବୋଲି ମନରେ ଭାବି ଦେବାରୁ, ସେ ତାଙ୍କ ସ୍ବାମୀ ହୋଇଗଲା। ସେ ହେଲେ ସତ୍ୟବାନ ଓ ସାବିତ୍ରୀ। ରାଧାକୃଷ୍ଣଙ୍କ ଭିତରେ ଥିବା ପ୍ରେମ ତ ଏଯାଏ ବି ଜଗତ ଜିଣା। କୃଷ୍ଣ ରାଧାଙ୍କୁ, ଗୋପୀକାମାନଙ୍କୁ, ଚାରି ମାସ ପରେ ଫେରିବେ କହି ଗଲେ ଯେ ଗଲେ। ଆଉ କୋଉ ଆସିଲେ? ୟେ ପରା ଆମ ଆଇ.ପି.ସି.ରେ ଜଘନ୍ୟ ଠକେଇ। ସେତିକି ନୁହଁ, ଗୋଟି ଗୋଟି କରି ଆଠ ରାଜକୁମାରୀଙ୍କି ବିବାହ କରି ଦ୍ବାରକାଧୀଶ ବନିଗଲେ। ଦିନେ କି ଥରେ ଆଉ ଫେରିଲେ? ଦେଖିବା, କୋଉ ପ୍ରେମିକା ବା ପ୍ରଣୟିନୀ ଏକୁ ସମ୍ଭାଳି ଥା’ନ୍ତା? ‘‘ବାଡ଼ିଖିଆ ଯୋଗଣିଖିଆ ବା ଇଂରାଜୀ ବାଷ୍ଟାର୍ଡ଼ ଗାଳିରେ ଦାଣ୍ଡ ଦୁଲୁକୁ ନ ଥାନ୍ତା କେବଳ ଅଦାଲତ ବି ହୁଲୁସ୍ତୁଲ ହୁଅନ୍ତା। କୃଷ୍ଣଙ୍କୁ ଧରାଯାଇ ପାରି ନ ଥିଲେ, ତାଙ୍କ ବାପ ବୁଢ଼ା ନନ୍ଦରାଜା ଓ ରାଣୀ ଯଶୋଦାଙ୍କଠେଇ ହାତକଡ଼ି ଆମ ନାଗଣ ଥାନାବାବୁ ଲଗେଇ ଦେଇଥାନ୍ତେ। ମାତ୍ର ସେମିତି ହେଲା କି? କିଏ ପଦେ କୃଷ୍ଣଙ୍କ ବିରୁଦ୍ଧରେ କହୁ ତ, ଏତେ ସରି ହୋଇ ବି ସେମାନେ ତଥାପି ତା’ର ଜିଭ ଓଟାରି ପକାନ୍ତେ। ରାଧାଙ୍କ ଅନାବିଳ ପ୍ରେମ କଥା ମନକୁ ଆସିଯାଉଛି। ଆଠ ପାଟରାଣୀ କୃଷ୍ଣଙ୍କୁ ମଝିରେ ମଝିରେ ଖୁଞ୍ଚା ମାରି କହନ୍ତି, ‘‘ତମ ମଫସଲୀ ରାଧା କ’ଣ ଆମଠୁ ତମକୁ ବେଶି ଭଲପାଏ?’’ କୃଷ୍ଣ ସ୍ମିତ ହସଟିଏ ଯାହା ଦିଅନ୍ତି ଉତ୍ତରରେ।

ଦିନକର କଥା, କୃଷ୍ଣ ଘୋର ଜ୍ବରରେ ପଡ଼ିଲେ। ରାଜବୈଦ୍ୟମାନଙ୍କର ସବୁ ଔଷଧ ପାଣି ଫାଟିଲା। ରୋଷେଇପତ୍ର ରାଜନଅରରେ ବନ୍ଦ। ଆଠରାଣୀ ଯାକ ଖାଲି କାନ୍ଦୁଥା’ନ୍ତି। ବଡ଼ ବଡ଼ ବୈଦ୍ୟମାନଙ୍କର ବୈଠକ ବସିଲା। ସେମାନେ କହିଲେ, ‘‘କୃଷ୍ଣଙ୍କୁ ପ୍ରାଣ ଦେଇ ଭଲ ପାଉଥିବା କୌଣସି ମହିଳାଙ୍କ ପାଦଧୁଆ ପାଣି ମିଳିଲେ ସେଥିରେ ଏକ ପାଚନ ପ୍ରସ୍ତୁତ ହେବ। ଏହା ଶେଷ ଔଷଧ। କୃଷ୍ଣଙ୍କର କୋଉ ମହିଳା ପ୍ରାଣ ଦିଆ ହୋଇପାରେ? ସ୍ତ୍ରୀ ତ ନିଶ୍ଚୟ। ଧାଇଁଲେ କର୍ମଚାରୀଗଣ ରାଣୀମାନଙ୍କ ପାଖୁ। ଗୋଟେ ମହିଳା କ’ଣ ଆଠୋଟି ମହିଳାଙ୍କ ପାଦଧୁଆ ପାଣି ମିଳିବ। ମାତ୍ର ନିରାଶ ହୋଇଗଲେ କର୍ମଚାରୀଗଣ। କୃଷ୍ଣଙ୍କୁ ଏ ପାଦଧୁଆ ପାଣି ଦିଆଯିବ ଶୁଣି ସେମାନେ ଜିଭ କାମୁଡ଼ିଦେଲେ। କହିଲେ, ‘‘କି କଥା କହୁଛ? ସେ ଆମ ଇହ, ପରକାଳର ଦେବତା। ଆମ ପାଦଧୁଆ ପାଣି ସେ ପିଇଲେ ଆମେ ଅହିନର୍କରେ ସାତ ଜନ୍ମ ଯାଏ ପଡ଼ିବୁ। ଦିହର ସବୁ ରକ୍ତ ଦେଇଦେବୁ ସିନା ପାଦଧୁଆ ପାଣି ନୁହଁ।’’ ନିରାଶ ହୋଇଗଲେ କର୍ମଚାରୀଗଣ। ଜଣେ କହିଲା, ‘‘ଆରେ ରାଧାରାଣୀ ତ କୃଷ୍ଣଙ୍କୁ ପ୍ରାଣଦେଇ ଭଲ ପାଏ, ତା’ ପାଖୁ ଚାଲ ଯିବା।’’ ଘୋଡ଼ା ଛୁଟିଲା। ଯମୁନା କୂଳରେ ମାଠିଆ ଥୋଇଦେଇ ଦ୍ବାରକା ଦିଗକୁ ରାଧା ଚାହିଁଥା’ନ୍ତି। କ’ଣ ଭାବୁଥା’ନ୍ତି କେଜାଣି? ଆଖିରୁ ଲୁହ ବୋହିଯାଉଥାଏ, କେତେ ଲୁହ ଏଙ୍କଠି ବିଧାତା ରଖିଥିଲା କେଜାଣି? ଘୋଡ଼ା ଅଟକିଗଲା। ପୂର୍ବରୁ ଚିହ୍ନିଥିବା କର୍ମଚାରୀ ଓହ୍ଲାଇ ପଡ଼ିଲେ। କହିଲେ, ‘‘ଆମେ ଦ୍ବାରକାରୁ ଆସିଛୁ।’’ କୁଆଡ଼େ ଉଭେଇଗଲା ଲୁହ। ବଡ଼ ଆବେଗରେ ପଚାରିଲେ, ‘‘ମୋ କୃଷ୍ଣ ଭଲ ଅଛନ୍ତି ତ?’’ କର୍ମଚାରୀ ଏକା ନିଃଶ୍ବାସକେ କହିଗଲେ, ‘‘ନା, ସେ ଗୁରୁତର ଅସୁସ୍ଥ। ବୈଦ୍ୟସଭା କହିଲେ, ତାଙ୍କୁ ପ୍ରାଣଦେଇ ଭଲ ପାଉଥିବା ଜଣେ ମହିଳାର ପାଦଧୁଆ ପାଣିରେ ପ୍ରସ୍ତୁତ ପାଚନ ପିଇଲେ ସେ ସୁସ୍ଥ ହେବେ। ତମ ପାଦଧୁଆ ପାଣି ନେବାକୁ ଆସିଛୁ’’ କହି ସଙ୍ଗରେ ଆଣିଥିବା ଚାନ୍ଦିର ଚେତକା ପାତ୍ରଟେ ଥୋଇଦେଲେ। ଘୋର ବିଷଣ୍ଣ ହୋଇଗଲେ ରାଧାରାଣୀ। କହିଲେ, ‘‘ମୁଁ ତାଙ୍କୁ କେତେ ଭଲ ପାଏ, ଜାଣିନି। ମାତ୍ର ମୋ ପାଦଧୁଆ ପାଣିରେ ଯେବେ ସେ ଭଲ ହୋଇଯିବେ ଯେତେ ପାର ନିଅ’’ କହି ଭରା ପାତ୍ରରେ ଦି’ଗୋଡ଼ ଥୋଇ ଠିଆ ହୋଇଗଲା ବେଳେ, ବୋଲ ମାନୁ ନ ଥିବା ଲୁହଗୁଡ଼ା ସେ ପାଣିରେ ଟପ୍ଟପ୍ ପଡ଼ୁଥାଏ। ବିସ୍ମିତ ଓ ବିରକ୍ତ ହୋଇଗଲେ ରାଜକର୍ମଚାରୀ। କହିଲେ, ‘‘ତମେ ବଡ଼ ଉଦ୍ଧତ ଦେଖୁଛୁ। ହଇଓ ଆଠରାଣୀ ନର୍କରେ ସାତ ଜନ୍ମ ପଡ଼ିବେ ବୋଲି ପାଣି ଦେଲେନି, ତମେ କି ଆସ୍ପର୍ଦ୍ଧାରେ ଦି ଅସନା ଗୋଡ଼ ବୁଡ଼ାଇ ପାଣିରେ ଠିଆହୋଇଗଲ। ଜାଣ, କି ଦଣ୍ଡ କେତେ ଜନ୍ମ ଯାଏ ଭୋଗିବ?’’ ଆହୁରି ତୀବ୍ର ହେଲା ଲୁହ ଧାର। କହିଲେ, ‘‘ମୁଁ ଅନନ୍ତ ଜନ୍ମ ନର୍କଭୋଗ କରିବାକୁ ପ୍ରସ୍ତୁତ। ତମେ ଏ ପାଣି ଉଠା, ଶୀଘ୍ର ମୋ ପ୍ରଭୁ ଭଲ ହୋଇଯାଆନ୍ତୁ’’ କହି ଭୋଭୋ କାନ୍ଦିଲେ। କାଠ ହୋଇଗଲେ ରାଜକର୍ମଚାରୀଗଣ। ଏବେ କହୁନା ରାଧାରାଣୀ ନା ଆଠପାଟରାଣୀ କିଏ ତାଙ୍କୁ ବେଶି ଭଲପାଉଥିଲା? ରାମ, ପ୍ରାଣ ପ୍ରଣୟିନୀ ସୀତାଙ୍କୁ ସିନା ବନବାସ ପଠେଇ ଦେଲେ, ଏଣେ ରାଜପ୍ରାସାଦରେ କ’ଣ କରୁଥିଲେ ମ? ମାଇପି ପରି ଲୁଚେଇ ଲୁଚେଇ ସୀତାଙ୍କୁ ବାହୁନୁଥିବା କୁ ଲୁଚେଇ ପାରିଲେ ସିଏ? ୟେ ହେଲା ପ୍ରେମ, ପ୍ରୀତି, ପ୍ରଣୟ, ଇଂରାଜୀ ‘ଲଭ’ ନୁହଁ। ସେଗୁଡ଼ା କୁଆଡ଼ୁ ବୁଝିବେ ସତୀତ୍ବ କଥା। ତାଙ୍କ ପାଇଁ ୟେ ଅବୋଧ୍ୟ, ଅବାନ୍ତର, ଘୋର ବିସ୍ମୟକର। ଏବେ ଏ ଦେଶ ବଦଳିଯାଇଛି। ମାଲିମୋକଦ୍ଦମା ନ ହେଲା ତ ପ୍ରେମ କୁ ସାବ୍ୟସ୍ତ ହେବ?

ଏବେ ଅଦାଲତରେ କୁଆଡ଼େ ରେଜିଷ୍ଟ୍ରି ବିଭା ହୋଇଥିବା ଜଣେ ମହିଳା ତାଙ୍କୁ ତାଙ୍କ ଶାଶୂଘର ଲୋକେ ଘରେ ନ ପୂରାଇବାରୁ କି ତାଙ୍କର ଦିନକର ପ୍ରେମିକ ଓ ରେଜିଷ୍ଟ୍ରିସ୍ବାମୀ ବି ଘରକୁ ନ ନେବାରୁ ସେ ପାଟଶାଢ଼ି ପିନ୍ଧି ବୋହୂ ବେଶ ହୋଇ ରେଜିଷ୍ଟ୍ରି ସ୍ବାମୀଙ୍କ ଦ୍ବାରବନ୍ଧରେ ଧାରଣାରେ ବସିରହିଲେ। ନାରୀ ସଶସ୍ତ୍ରୀକରଣ ଯୁଗର ରେଜିଷ୍ଟ୍ରି ବଧୂ ଯେମିତି ନଛୋଡ଼ବନ୍ଧା, ରେଜିଷ୍ଟ୍ରି ସ୍ବାମୀଘର ବି ସେମିତି ନଛୋଡ଼ବନ୍ଧା। କହିଲେ, ବସିଥିଲେ, ବସିଥାଉ। ୟେ ରେଜିଷ୍ଟ୍ରି ପ୍ରେମିକା/ସ୍ତ୍ରୀ ତାଙ୍କ ରେଜିଷ୍ଟ୍ରି ସ୍ବାମୀଙ୍କ କାର୍ଯ୍ୟାଳୟରେ ଷ୍ଟାଫ ନର୍ସ ଥିଲେ। ୟେ ନର୍ସକୁ ସେ ଡାକ୍ତର। ଲୁହା-ଚୁମ୍ବକ ଟଣାଟଣି ହୋଇଗଲେ। ତା’ ପ୍ରେମ, ପ୍ରୀତିରେ ପହଞ୍ଚିଲା। ଏକୁ ବାଡ଼ ବନ୍ଧେଇ କରିବାକୁ ରେଜିଷ୍ଟ୍ରି ବନ୍ଧ ବି ବାନ୍ଧିଦିଆଗଲା। କାଇଁ ଏ ବନ୍ଧ କୁ ରହିଲା? ତପସ୍ବିନୀ ଅଦାଲତରେ ହାଜର ହେଲେ। ଏ ଘଟଣା ପୂର୍ବରୁ ସେମାନେ ସ୍ବାମୀ ସ୍ତ୍ରୀ ଭାବେ ମଧୁଚନ୍ଦ୍ରିକା କରିସାରିଥିଲେ। ତା’ ପରେ କେତେ ବାସର ରାତି ବି କଟିଥିବ। ମାତ୍ର ମାନ୍ୟବର ବିଚାରପତି ମହୋଦୟ ବୋଧେ ଅନୁଭବ କଲେ ଯେ, ଏଥିପୂର୍ବରୁ ସେମାନେ ବୋଧେ ‘‘ଡାକ ବଙ୍ଗଳାରେ’’ ନିଷିଦ୍ଧ ବାସର ରାତି ନ ପାଇ ଏମିତି ବାଉଳା ଓ ଛାଡ଼ବାଡ଼ ହୋଇଛନ୍ତି। ବୋଧେ ପ୍ରୀତି ଅଠାଟା ଜମାଟ ବାନ୍ଧି ପାରିନି।

ତେଣୁ ସେ ଏକ ଡାକ ବଙ୍ଗଳାରେ ପୁଲିସ କଟକଣାରେ ‘‘ଦୁହେଁ କେବଳ ଏକାଠି କଟାଇବାର’’ ନିର୍ଦେଶ ଦେଲେ। ଜଜ୍ ସାହେବଙ୍କ ହୃଦୟବତ୍ତାକୁ ମାନିବାକୁ ହେବ। ସେଠିକି ନା ବାପଘର କି ନା ଶାଶୂଘର କେହି ଲୋକ ଯିବେନି। ପୂର୍ବରୁ ତାଙ୍କର କଟିଥିବା ବହୁ ବାସର ରାତିରେ ବୋଧେ କାହା ନା କାହା ପରିବାରର ଉପସ୍ଥିତି ଏ ବାସର ରାତିର ପ୍ରକୃତ ବାସ ବୋଧେ ଚହଟାଇ କି ଉପୁଜାଇ ପାରି ନ ଥିଲା। ସାତଦିନ ସେମାନେ ‘‘ଅଦାଲତୀୟ ବାସର ରାତି’’ କଟାଇବେ। ତା’ପରେ ନିର୍ଦେଶ ହେଲା ଏକ ଭଡ଼ା ଘରେ କିଛିଦିନ କଟାଇବେ। ସେଠିକୁ ଉଭୟ ପରିବାର ଲୋକେ ବନ୍ଧୁ ଓ ଶୁଭେଚ୍ଛୁ ଯାଇପାରିବେ। ତା’ ପରେ ଦେଖାଯିବ ଯେ ଏ ଅଦାଲତୀୟ ବାସର ରାତିର ଅଠା ଠିକ୍ ଧରିଲା କି ନାହିଁ। ସେତେବେଳେ ଦେଖାଯିବ, ବିଚରା ବାପ ମା’ ପୁଅ ବୋହୂଙ୍କୁ ଏକାଠି ଦେଖିଲେ କି ନାହିଁ? ଏ ପ୍ରେମ ମଧ୍ୟରେ ‘ବାପ ମା’ ପ୍ରସଙ୍ଗ, ହାଟରେ ଷେଣ୍ଢ ପୂରାଇବା ଭଳି ହେବ। ୟେ ହେଲା ଆଧୁନିକ ପ୍ରେମ ଓ ସେଥିରେ ଅଦାଲତୀ ମୋହର ମରାଯିବାର ଇଏ ରାସ୍ତା। କଥା ଥିଲା, ‘‘You can drag the horse to the pool. But you can’t make him drink.’’ ଘୋଡ଼ାକୁ ପୋଖରୀ ଯାଏ ତମେ ଘୋଷାରି ନେଇ ପାରିବ ମାତ୍ର ତାକୁ ପାଣି ପେଇ ପାରିବନି। ଏ ଅଦାଲତୀୟ ବାସର ରାତି ଯଦି ସେମାନଙ୍କଠେଇ ପ୍ରେମ ଝରେଇଲା, ତେବେ ୟେ ଏକ ଚମତ୍କାରିତା। ମାତ୍ର ଇଏ କୋଉ ଘଟିଲା? ଏ ଅଦାଲତୀୟ ବାସର ରାତିରେ କେତେ ଭାବ ଫେଣ୍ଟାଫେଣ୍ଟି ହେଲା କି ନ ହେଲା, ସେ କଥା ମାନ୍ୟବର ଅଦାଲତଙ୍କ ଜ୍ଞାତବ୍ୟ ବିଷୟ। ମାତ୍ର ଘୋଡ଼ା ଛୁ। ଆରେ ଅଦାଲତ ‘ଗାଁ ଭଲଲୋକୀ’ ଭଳି ହେଲେ। ଯା ହେବାର ହେଲା। ଏଠି ନା ଆଇନ, ନା ନୈତିକତା, କାହାର ମଜୁରା ହେଲା କେଜାଣି? ଆମ ଏକାନ୍ନବର୍ତ୍ତୀ ପରିବାର, ଶାଶୂ-ଶ୍ବଶୁର ସେବା କଥା ଗାଧୋଇଯାଉ। ହାକିମଙ୍କୁ, ରେଜିଷ୍ଟ୍ରି ବରଭାର୍ଯ୍ୟାଙ୍କୁ ସଭିଙ୍କୁ ଦଣ୍ଡବତ ଲୋ ମା।

Comments are closed.