ଠିକିଲେ ଠାକ୍‌ରେ

ଦଖଲ ନ ଥାଇ ସ୍ଥିତି କାଇଁ? ସଭିଏଁ ଏ ଦୁନିଆରେ ଜଣେ ଜଣେ ଦଖଲଦାର। ଏ ଦଖଲର ସୂତ୍ର ବା ମୂଳ ଭିନ୍ନ ହୋଇପାରେ। କମ୍‌ ବେଶି ବି ହୋଇଥାଏ। ମାତ୍ର ସେତିକିରେ କଥା ଛିଣ୍ଡେନି। ଲୋକେ ଅଧିକରୁ ଅଧିକ ଦଖଲ ପାଇଁ ବ୍ୟଗ୍ର, ବ୍ୟସ୍ତ, ଦଖଲରେ ତୃପ୍ତ ଢେର କ୍ବଚିତ୍‌। କୁହା ତ ଯାଇଛି ଧନେଷୁ ଜୀବିତବ୍ୟେଷୁ ସ୍ତ୍ରୀଷୁ ଭୋଜନବୃତ୍ତିଷୁ, ଅତୃପ୍ତା ମାନବାଃ ସର୍ବେ ଯାତା ଯାସ୍ୟନ୍ତି ଯାନ୍ତି ଚ।’’ ଧନରେ, ଆୟୁଷରେ, ସ୍ତ୍ରୀ ଭୋଗରେ, ଅତୀତରେ, ଏବେ ଓ ଭବିଷ୍ୟତରେ ଯିବାକୁ ଥିବା କୁ ମଣିଷ ବି ତୃପ୍ତ ବା ଶାନ୍ତ ନ ଥିଲେ। ଏଥିରେ ଆହୁରି, ଆହୁରି ଭାବ ମଣିଷକୁ ଉଚ୍ଛନ୍ନ କରିଥାଏ। ଏସବୁ ଜ୍ଞାନ, ତତ୍ତ୍ବ ଓ ବିବେକ ସତ୍ତ୍ବେ ମଣିଷର ଏ ଭାବ ମଣିଷକୁ ଉତ୍ତାଳିଆ କରୁଥାଏ, ପ୍ରଭୁ ସୃଷ୍ଟିକୁ ଜମାଣିଆ ବି କରେ। ଧନ୍ୟରେ ଖେଳ, ଧନ୍ୟରେ ଏ ମୋହ। ମହାଭାରତ ଯୁଦ୍ଧ କଥା ଦେଖୁନା। କୃଷ୍ଣଙ୍କ ପରାମର୍ଶରେ ପାଣ୍ଡବମାନେ, ସ୍ବୀୟ ସ୍ଥିତି, ଦଖଲ ପାଇଁ ପାଞ୍ଚଖଣ୍ଡ ଗାଁ ମାଗିଲେ। କୁରୁପତି, ସାନ ଭାଇ ଦୁ‌େର୍ଯ୍ୟାଧନ ଫୋ ଫା କରି କହିଲେ, ‘‘ବିନା ଯୁଦ୍ଧେ ନ ଦେବି ମୁଁ ସୂଚ୍ୟଗ୍ରେ ମେଦିନୀ।’’ ତା’ ପରେ ବଳ କଷାକଷି ଚାଲିଲା। ମହାଭାରତ ଯୁଦ୍ଧ ଭେଇଲା। କ୍ଷମତା, ସମ୍ପତ୍ତି ଅଧିକାର ଓ ଦଖଲ ଢେର ମଇଳା, ମୋହାନ୍ଧତାର କଥା। ଜ୍ଞାନ ଓ ହୃଦୟ ଦଖଲ କିନ୍ତୁ ଭିନ୍ନ ଏକ କଥା, ଭାଷା। ଏ ଲଢ଼େଇ ଅନ୍ତର୍ଗତ ଅପରକୁ ଅଦୃଶ୍ୟ। ଏମାନେ ନିଆରା ଭାବର ମଣିଷ। ଦେବତ୍ବ ଆଡ଼ିଆ ବେଶି। ଅନ୍ବେଷା, ଜିଜ୍ଞାସା ଆଦି ଏଇ ଭାବର କଥା। ଇୟେ ଶିଷ୍ୟତ୍ବର କଥା। ବଡ଼େଇ, ଦମ୍ଭ ଏଥିରେ କାଇଁ? ନଚିକେତା, ଏକଲବ୍ୟ ପ୍ରମୁଖଙ୍କ ଭାବ ପରଖ। ଯେଉଁମାନେ ଦିଗ୍‌ବିଜୟୀ ବୀର ବୋଲାନ୍ତି, ଗଜପତି ଛତ୍ରପତି ଆଖ୍ୟା ଅର୍ଜନ କରିଥା’ନ୍ତି, ସମ୍ରାଟ ବୋଲାଉଥା’ନ୍ତି, ସେମାନଙ୍କ କାର୍ଯ୍ୟଶୈଳୀ କ’ଣ? କି ପରୋପକାର ସେମାନେ କରିଥା’ନ୍ତି, ଏମିତି ସବୁ ପଦ ପଦବୀ ଲାଭ ପାଇଁ? ବିଜୁଳିବତିର ଲେଖକ ଲେଖିଲେ, ‘‘ଦିଗ୍‌ବିଜୟୀ ବୀର ତାଙ୍କରି ନାମ, ସବୁ ଅତ୍ୟାଚାର ଯାହାଙ୍କ କାମ, ରାଜଚକ୍ରବର୍ତ୍ତୀ ତାଙ୍କ ଉପାଧି, ଲୁଟିଛି ଯେ ବହୁ ରାଜା ଉପାଧି।’’ କଥାଟା ଶତକଡ଼ା ଶହେ ଠିକ୍‌। ମୋଗଲ ସମ୍ରାଟ ଓ ତାଙ୍କ ଗାଦି ଦଖଲ ଏକ ଇତିହାସର କଥା। ସିଂହାସନ ଆରୋହଣ ପାଇଁ ପିତାଙ୍କୁ ଓ ଭାଇମାନଙ୍କୁ ବର୍ବର ହତ୍ୟା କରି ଯିଏ ସମ୍ରାଟ ବୋଲାଇଛନ୍ତି। ବିମ୍ବିସାରଙ୍କ କଥା ପଢ଼ୁନ ଇତିହାସରୁ। ବାପ ପୁଅ ସମ୍ପର୍କର ପବିତ୍ରତା, ସ୍ନେହ, ନିବିଡ଼ ବନ୍ଧନ କାଇଁ? ଛି, ସେ ସବୁ କଥା ମନେ ପଡ଼ିଲେ ଦିହ ଶୀତେଇ ଉଠୁଛି। ମଣିଷ ଦେହରେ, ପଶୁପଣିଆ କେମିତି ସମ୍ଭେଇଥିଲା କେଜାଣି? ଭକ୍ତକବି ମଧୁବାବୁଙ୍କ ଲେଖା ‘‘ଜନକ ଜନନୀ ସୁତ ସୁତା ଜାୟା ଧବ, ସହୋଦର ସହୋଦରା ଆତ୍ମୀୟ ବାନ୍ଧବ, ପ୍ରଭୋ, ଏ ସର୍ବ ସମ୍ବନ୍ଧ, ତୋର ଦୟା ନିଦର୍ଶନ ଆହେ ଆଦିକନ୍ଦ!’’ କାଇଁ ସେ ଭାବ, ବାପ ଏବେ ସ୍ଥବିରାଶ୍ରମରେ। ବାପ ସମ୍ପତ୍ତି ପାଇଁ ଭାଇ ଭଉଣୀମାନଙ୍କ ଭେଟ ଅଦାଲତରେ, ଥାନା ଫାଣ୍ଡିରେ। ପିଲାଦିନର ହିନ୍ଦୀଗୀତ ମନେ ପଡ଼ୁଛି, ‘‘ଦେଖ ତେରି ସଂସାର କି ହାଲତ୍‌, କ୍ୟା ଦୂର ଭଗବାନ, କିତନା ବଦଲ ଗୟା ଇନସାନ। ଚାନ୍ଦ୍‌ ନା ବଦ୍‌ଲା, ସୁରଜ ନା ବଦ୍‌ଲା ନା ବଦ୍‌ଲା ରେ ଆସମାନ, କିତନା ବଦଲ୍‌ ଗୟା ଇନ୍‌ସାନ୍‌।’’ ଅବଶ୍ୟ କାଲି ଓ ଆଜି ମଧ୍ୟରେ ଘୋର ଫରକ୍‌ ଏପରି ଭାବକୁ ଏବେ ଭେଦେଇ ଦଉଛି। ପନ୍ଥା କାଇଁ? ‘‘ମହାଜନଃ ଯେନ ଗତଃ ସ ପନ୍ଥା।’’ ମହାଜନ ଏବେ କାହାନ୍ତି? କିଏ ଆଖି ଆଗର ଆଦର୍ଶ ପୁରୁଷ, ବ୍ୟକ୍ତିତ୍ବ?

ଏବେ ରାଜନୀତିଆଙ୍କ କଥା ଦେଖୁନା। ଏମାନେ ସମାଜର କର୍ଣ୍ଣଧାର ଥିଲେ। କ’ଣ କରୁଛନ୍ତି ସେମାନେ ଏବେ। କେତେଜଣ ବନ୍ଧୁ, ସାଗ୍ରହୀ ବେଙ୍ଗବେଙ୍ଗୁଲୀ ପାଠକ କହିଲେ, ଏଥର ମହାରାଷ୍ଟ୍ର ରାଜନୈତିକ ଅବୋଧ୍ୟ ରାଜନୀତି ପ୍ରସଙ୍ଗରେ କହନ୍ତୁ। ଆରେ କ’ଣ କୁହାଯିବ? ଏ ଯୁଗକୁ ଏ ଧାରାକୁ ଚାହିଁ କିଛି ନୂଆ ସେଠି ଘଟିଛି ନା ଘଟୁଛି? ବିଶ୍ବାସଘାତକତା, ନିମକହାରାମି ତ ଆଜିର ଗୀତା ବନିଯାଇଛି ଏ ସ୍ବାର୍ଥାନ୍ଧଙ୍କ ପାଇଁ। ତଦନୁଯାୟୀ ହଣାମରା ହଟ୍ଟଗୋଳ ହେବ ହିଁ ହେବ। ପିତୃସମ୍ପତ୍ତିରେ ଭାଇଭଉଣୀଙ୍କର ଭାଗ ଓ ଅଧିକାର ଅଛି। ୟେ ନୈତିକତା ଓ ଆଇନଗତ ଏକ ତଥ୍ୟ। ମାତ୍ର ଏଥିପାଇଁ ଛୁରି ମରାମରି ହଣାକଟା ଅଦାଲତରେ ବାଜିମରା କନ୍ଦଳ ତ ହୁ ହୁ ବଢ଼ି ଚାଲିଛି। ଚଳନ୍ତି ଭଗବାନ ପ୍ରତିମା ଥିବା ବାଲାସାହେବ ଠାକ୍‌ରେଙ୍କ ପୁଅ ଉଦ୍ଧବ ଠାକ୍‌ରେ ତାଙ୍କ ସ୍ଥାପିତ ଶିବସେନାର ନେତୃତ୍ବ ନେଲେ। ଗତ ନିର୍ବାଚନରେ ସେ ବିଜେପି ସହ ମେଣ୍ଟ ଓ ବୁଝାମଣା କରି ନିର୍ବାଚନ ଲଢ଼ିଲେ। ନିର୍ବାଚନରେ ବିଜେପି ୧୦୫ ଓ ଶିବସେନା ୫୬ ଭୋଟ ପାଇ ସରକାର ଗଢ଼ିବା କଥା ଏମିତି ହୋଇଥିଲେ ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହୋଇଥାନ୍ତେ। ମାତ୍ର ମୁଖ୍ୟମନ୍ତ୍ରୀ ଭଳି ବିପୁଳ କ୍ଷମତା ଓ ବାଦଶାହୀ କ୍ଷମତା ଓ ପ୍ରତିଷ୍ଠା ଲୋଭରେ ଅନ୍ଧ ଠାକ୍‌ରେ ସମସ୍ତଙ୍କୁ ବିସ୍ମିତ ଓ ସ୍ତମ୍ଭୀଭୂତ କରି ପୂର୍ବର ଶତ୍ରୁ କଂଗ୍ରେସ ଓ ଏନ୍‌.ସି.ପି. ସହ ମେଣ୍ଟ କରି ବିଜେପିକୁ ଭକୁଆ ଓ ଶିଶୁପାଳ ବନେଇ ଦେଲେ। ଏ ବିଶ୍ବାସଘାତକତାକୁ କେନ୍ଦ୍ରରେ ସରକାର ଥିବା ଓ ମହାରାଷ୍ଟ୍ରରେ ଢେର ପ୍ରଭାବ ଥିବା ବିଜେପି ନେତୃତ୍ବ ଟାକି ବସିଥିଲେ। ଇଏ ତ କ୍ଷମତା ରାଜନୀତି, ଏଥିରେ ଅଭିମାନ ରୁଷାର କୋଉ ସ୍ଥାନ ଅଛି? ପ୍ରତିଶୋଧ ତ କ୍ଷମତାବେପାରୀଙ୍କ ପ୍ରଧାନ ଅସ୍ତ୍ର। ଏମାନେ କ୍ଷମା ଜାଣନ୍ତି ନାହିଁ। ମାତ୍ର ଶତ୍ରୁକୁ ଆପଣା’ନ୍ତି ଆଉ ଗୋଟେ ବାଗ ମିଳିବା ପର୍ଯ୍ୟନ୍ତ। ଥରେ ଜଣେ ଶେଠ୍‌ ତାଙ୍କ କାମରେ ଯାଇଥା’ନ୍ତି। ବାଟରେ ବଡ଼ କାକୁତି ମିନତି ହୋଇ ଜଣେ ଗାଡ଼ି ଅଟକାଇ ତାଙ୍କୁ ନେଇ ଯିବାକୁ ପ୍ରାର୍ଥନା କଲା। ଦୟାପରବଶ ହୋଇ ଶେଠ୍‌ ତାଙ୍କୁ ତାଙ୍କ ଗାଡ଼ିରେ ବସାଇଲେ। ଘୋର ଜଙ୍ଗଲ ମଧ୍ୟରେ ହଠାତ୍‌ ଲୋକଟି ଛୁରି ବାହାର କରି ଶେଠ୍‌ଙ୍କୁ ହତ୍ୟା କରିବାକୁ ଧମକ ଦେଲା ଓ ତାଙ୍କର ସର୍ବସ୍ବ ଲୁଟି ନେଲା। ଗଲାବେଳେ କହିଲା, ‘‘ଦେଖ୍‌, ଏ କଥା ପୁଲିସକୁ କହିଲେ ତତେ ଜୀବନରୁ ଶେଷ କରିଦେବି।’’ ସ୍ମିତ ହସି ଶେଠ୍‌ଜୀ କହିଲେ, ‘‘ମୁଁ ତ ପୁଲିସକୁ କହିବି ନାହିଁ, ତମେ କିନ୍ତୁ ଏକଥା କାହାରିକୁ କହିବନି ବୋଲି ଶପଥ କର। କାରଣ ଲୋକରେ ଏ କଥା ପ୍ରଚାର ହେଲେ, ଲୋକଙ୍କର ବିଶ୍ବାସବୋଧ ତୁଟି ଯିବ ଓ ଭବିଷ୍ୟତରେ କେହି ବି ଜଣେ ଅଜଣା ବାଟୋଇକୁ ସାହାଯ୍ୟ କରିବେ ନାହିଁ। ଜଣଙ୍କର ଏ ବିଶ୍ବାସଘାତକତାରେ ସମାଜର ମୂଲ୍ୟବୋଧ ଆହତ ଓ ବ୍ୟାହତ ନ ହେଉ।’’

ଏ ଭାବ ଆଜିର ରାଜନୀତିଆଙ୍କର କାଇଁ? ‘‘ନଇଁ ପଡ଼ିଥିବା ବେଳେ, ବିଧାଏ ମାରିବ ବଳେ।’’ ୟେ ହେଲା ଆଜିର ମନ୍ତ୍ର, ଦୀକ୍ଷା। ଦିନ କେତେଟା ଗଲାନି, ଉଦ୍ଧବେ ମୁଖ୍ୟମନ୍ତ୍ରୀ ବନିଲେ। ବହୁଦିନର ସ୍ବପ୍ନ ସାକାର ହେବାରେ ସେ ଆତ୍ମବିସ୍ମୃତ ହୋଇପଡ଼ିଥିଲେ। ସହଯୋଗୀ ବିଜେପିକୁ ତ ଧୋକ୍କା ଦେଇଥିଲେ, ଏବେ ସ୍ବୀୟ ସହକର୍ମୀ ଓ ସମର୍ଥକମାନଙ୍କୁ ହେୟ ମନେକଲେ କିନ୍ତୁ ବାଦ୍‌ଶାହୀ ବିନାଶର ଶିକାର ହୋଇଗଲେ। ଧର୍ମ କେତେ ବା ସହନ୍ତା! ତାଙ୍କରି ଦଳରେ ବିଦ୍ରୋହୀ ହେଲେ, ତାଙ୍କୁ କିଳା ମାଇଲେ ଓ ବିଜେପି ପ୍ରଚ୍ଛଦପଟରେ ନାୟକ ସାଜି ବେଶ୍‌ ଜମାଣିଆ କରିଦେଲା ମହାରାଷ୍ଟ୍ର ରାଜନୀତିକୁ। ଉଦ୍ଧବେ ଧାଇଁଲେ ସୁପ୍ରିମକୋର୍ଟକୁ। କାଇଁ କୁ ଆଶ୍ବାସନା ଓ ସାହାଯ୍ୟ ମିଳିଲା? ବାଧ୍ୟ ହୋଇ, ବରଖାସ୍ତ ପୂର୍ବରୁ ଇସ୍ତଫା ଦେଲେ। ସବୁଠୁ କୌତୂହଳ କଥା, ପୂର୍ବ ସରକାରରେ ମୁଖ୍ୟମନ୍ତ୍ରୀ ଥିବା ଫଡ଼ନବିସ ଏ ନୂତନ ମେଣ୍ଟରେ ଉପ-ମୁଖ୍ୟମନ୍ତ୍ରୀ ବନିଲେ। ପ୍ରଥମେ ଅମଙ୍ଗ ହେଉଥିଲେ ପରେ ଦଳ ‘‘ହାଇ କମାଣ୍ଡ’୍‌’ଙ୍କ ଇଚ୍ଛାରେ ଏ ତଳୁଆ ପଦ ଗ୍ରହଣ କଲେ। ଚୋରଠାରୁ ବିଧେ ପାଇଲେ ଲାଭ। ଲୋକେ ମାତ୍ର ତାଜୁବ। ‘‘କିସ ପୁଣି ଦେଖାନଯାଏ ବଞ୍ଚିଥିଲେ ଜୀବରେ…।’’

ଏବେ ଶିନ୍ଦେ ନେତୃତ୍ବରେ ସରକାର ଗଢ଼ା ହେଲା। ବିଜେପି ବଡ଼ ଚତୁରତାର ସହ ଶିବସେନା ବିଦ୍ରୋହୀ ନେତା ଶିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରି ସଭିଙ୍କୁ ତାଜୁବ କରିଦେଲେ। ଏ କପଟ ପଶାରେ ମହାଭାରତର ଶକୁନି ବି ପରାସ୍ତ ହୋଇଯିବେ। ତେବେ ଏହି ବିଦ୍ରୋହୀଙ୍କ ଉପରେ କୋଉ ବିଶ୍ବାସ। ବାଘ ଥରେ ମଣିଷ ମାଉଁସ ଖାଇଲେ, ଆଉ କୋଉ ମାଉଁସ ତାକୁ ରୁଚେନି। ସେ ଗଁା ଭିତରକୁ ବି ପଶିଆସେ, ସେ ‘ମଣିଷଖିଆ ବାଘ’ ଘୋଷିତ ହୁଏ ଓ ଶେଷକୁ ମରେ। ତେଣୁ ନୀତି ନିୟମ ଭାଙ୍ଗି ଯେ ଆଗକୁ ଯାଏ ସେ ନିନ୍ଦିତ ଓ ଅପଦସ୍ଥ ହେବ ହିଁ ହେବ। କବିବର ରାଧାନାଥ ତ ଲେଖିଲେ, ‘‘ଭାଙ୍ଗି ଯାଉଛି ବାରି ଭେଦି କିଆରି, ମର୍ଯ୍ୟାଦା ଲଙ୍ଘେ ଯଥା ସ୍ବତନ୍ତ୍ରା ନାରୀ।’’ ଏ ବିଦ୍ରୋହୀ ଓ ସ‌େର୍ବାପରି ଏ ରାଜନୀତିଆଙ୍କ ଗଣ ମର୍ଯ୍ୟାଦାଲଙ୍ଘା ସ୍ବତନ୍ତ୍ରା ନାରୀ ପ୍ରାୟ।

କେତେକ ଏବେ ଖଡ଼ି ଗଡ଼ଉଛନ୍ତି ​ଯେ ଠାକ୍‌ରେ କ୍ଷମତାପତ୍ନୀ ବର୍ଜିତ ହୋଇ ଘରେ ବସିନାହାନ୍ତି। ବସିବେ ବା କେମିତି? ସେ ବି ଓର ଉଣ୍ଡୁ ନାହାନ୍ତି କେବଳ ରଚୁଛନ୍ତି ବି। ତେବେ ନର ମାୟା ନାରାୟଣଙ୍କୁ ଅଗୋଚର। କିଏ ଏଙ୍କ ମାୟା ପୁଣି ରାଜନୀତିଆଙ୍କ ବୁଝିବ, କଳିବ। ସେ ବି କୁଆଡ଼େ ପୁଣି ମୁଖ୍ୟମନ୍ତ୍ରୀ ହେବେ। କଥା ତ ଅଛି ‘‘ଆଜି କଥା କାଲିକି ନାହିଁ, କାଲି କଥା ପଚାରୁ କାହିଁ।’’ ଜୟ ଜଗନ୍ନାଥ।

Comments are closed.